‘ଜନନାୟକଙ୍କ ଆଚରଣ ଜନତାଙ୍କ ପାଇଁ ଉଦାହରଣ ହେବା ଉଚିତ୍’; ଜୟନାରାୟଣଙ୍କ କେସ୍ରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସର୍ବଧାରଣରେ ନିଜର ଆଚରଣ ପାଇଁ ରାଜନେତା ଉଦହାରଣ ସୃଷ୍ଟିକାରୀ ହେବା ଦରକାର । ସରକାର ବଦଳିଲେ ‘ଖାକି’ର ରଙ୍ଗ ବଦଳେ ନାହିଁ । ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ କେସ୍ରେ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ସମ୍ବଲପୁର ମହିଳା ଆଇଆଇସିଙ୍କୁ ମାଡ଼ ମାରିବା ମାମଲାରେ ବିଜେପି ବିଧାୟକ ଜୟନରାୟଣଙ୍କ ଅଗ୍ରୀମ ଜାମିନକୁ ଖାରଜ୍ କରିଛନ୍ତି ।
ପୂର୍ବରୁ ଓଡ଼ିଶା ହାଇକୋର୍ଟ ମଧ୍ୟ ତାଙ୍କୁ ନିରାଶ କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଜୟନାରାୟଣ ମିଶ୍ର ।
ଗୁରୁବାର ଜଷ୍ଟିସ୍ ହୃଷିକେଶ ରୟ ଏବଂ ଜଷ୍ଟିସ୍ ଏସଭିଏନ ଭଟ୍ଟିଙ୍କ ଦୁଇ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ସର୍ବୋଚ୍ଚ କହିଛନ୍ତି, ଆବେଦନକାରୀ ବର୍ତ୍ତମାନ ଜଣେ ଓଡ଼ିଶା ସରକାରଙ୍କ ବିଧାୟକ । ସେ ଯେଉଁ ସମୟରେ ସେ ସମ୍ବଲପୁର ମହିଳା ଆଇଆଇସିଙ୍କୁ ଚାପୁଡ଼ା ମାରିଥିଲେ ଏବଂ ଅଭଦ୍ର ଭାଷାରେ ଗାଳି କରିଥିଲେ, ସେତେବେଳେ ସେ ଓଡ଼ିଶା ବିଧାନସଭାରେ ବିରୋଧୀ ଦଳନେତା ଥିଲେ । ଜନନାୟକଙ୍କ ଆଚ୍ଚରଣ ଏବଂ ଉଚ୍ଚାରଣ ଜନତାଙ୍କ ପାଇଁ ଉଦାହରଣ ହେବା ଉଚିତ୍ । ଆବେଦନକାରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି । ପୋଲିସ ପେଶାଦାର ଢଙ୍ଗରେ ଏବଂ ନିରପେକ୍ଷ ଭାବେ ମାମଲାର ତଦନ୍ତ କରିବା ଆବଶ୍ୟକ । ଏଭଳି ସ୍ଥଳରେ ଆବେଦନକାରୀଙ୍କୁ ଅଗ୍ରୀମ ଜାମିନ୍ ପ୍ରଦାନ କଲେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବାର ବହୁତ ସମ୍ଭାବନା ରହିଛି ବୋଲି ଖଣ୍ଡପୀଠ କହିଛନ୍ତି । ୨୦୨୩ ଫେବ୍ରୁଆରୀ ୨୩ ତାରିଖରେ ଏହି ଘଟଣା ଘଟିଥିଲା । ସେତେବେଳର ବିରୋଧୀ ଦଳ ନେତା ତଥା ବର୍ତ୍ତମାନର ବିଜେପି ବିଧାୟକ ଜୟନାରଣ ମିଶ୍ର ଜଣେ ମହିଳା ଆଇଆଇସିଙ୍କ ଉପରକୁ ଚାପୁଡ଼ା ମାରିଥିଲେ ଏବଂ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ ।
ସେପଟେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଆଇନଜୀବୀ ସୌରଭ ଅଗ୍ରଓ୍ବାଲ କୋର୍ଟଙ୍କୁ ଅବଗତ କରାଇଛନ୍ତି ଯେ, ଏହି ମାମଲାରେ ଜୟନାରାୟଣ ମିଶ୍ରଙ୍କୁ ଛାଡ଼ି ବାକି ସମସ୍ତ ସାକ୍ଷ୍ୟଙ୍କ ବୟାନ ରେକର୍ଡ କରାଯାଇଛି । ମାତ୍ର ତାଙ୍କୁ ଏଯାଏଁ ନୋଟିସ୍ ଜାରି କରାଯାଇଛି । ଆବେଦନକାରୀ ତଦନ୍ତରେ ପୋଲିସକୁ ସହଯୋଗ କରିବାକୁ ପ୍ରସ୍ତୁତ ରହିଛନ୍ତି । ଅନ୍ୟ ମାମଲାରେ ମଧ୍ୟ ତାଙ୍କୁ ଜାମିନ୍ ମିଳିସାରିଛି ବୋଲି ତାଙ୍କ ଓକିଲ ସୌରଭ ଅଗ୍ରଓ୍ବାଲ କହିଛନ୍ତି । ଏହାକୁ ନେଇ ଓଲଟା ପ୍ରଶ୍ନ କରିଥିଲେ ବିଚାରପତି ଜଷ୍ଟିସ୍ ଭଟ୍ଟି, ସେ କହିଛନ୍ତି, ଆବେଦନକାରୀ ସର୍ବାଜନିକସ୍ଥଳୀରେ ଜଣେ ଅଧିକାରୀଙ୍କ ଉପରକୁ ହାତ ଉଠାଇଛନ୍ତି ।