ଶୁଣିଲେନି ସରକାର, ରାସ୍ତାକୁ ଓହ୍ଲାଇଲେ ଜନତା: ମୌଳିକ ସୁବିଧା ଦାବିରେ ରାସ୍ତାରୋକ
ଫୁଲବାଣୀ: ସରକାର ଶୁଣିଲେନି, ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଲେ ସାଧାରଣ ଜନତା। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ତାଯୁଙ୍ଗିଆ ପଞ୍ଚାୟତର ସିକରମାହାଠାରେ। ନେଟୱର୍କ, ସ୍ଥାୟୀ ଡାକ୍ତର ନିଯୁକ୍ତି ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଦାବିରେ ବୁଧବାର ସକାଳ ପ୍ରାୟ ୬ଟାରୁ ରାସ୍ତାରୋକ କରିଛନ୍ତି ଅଞ୍ଚଳବାସୀ।
ଦାରିଙ୍ଗବାଡିଠାରୁ ବ୍ରାହ୍ମଣୀଗାଁ ରାସ୍ତାରେ ଯାନବାହନ ଚଳାଚଳ ଠପ୍ ହେବା ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଆଜି ମେଧାବୃତ୍ତି ପରୀକ୍ଷା ଚାଲିଥିବାବେଳେ ବ୍ରାହ୍ମଣୀଗାଁ ଅଞ୍ଚଳର ଛାତ୍ରଛାତ୍ରୀ ଦାରିଙ୍ଗବାଡି ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ସୂଚନା ଅନୁଯାୟୀ, ସିକରମାହାରେ ଟାୱାର ଅଛି କିନ୍ତୁ ପ୍ରାୟ ୯ମାସ ହେବ ନେଟୱର୍କ କାମ କରୁନାହିଁ, ମେଡିକାଲ ଅଛି କିନ୍ତୁ ପ୍ରାୟ ଏକ ବର୍ଷ ହେଲାଣି ଡାକ୍ତର ପଦବୀ ଖାଲି ପଡ଼ିଛି, ଅଞ୍ଚଳରେ ରୋଗୀସେବା ପ୍ରଭାବିତ ହେଉଛି, ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ଅଛି କିନ୍ତୁ ତାହାକୁ ବିଶୋଧନ କରାଯାଉ ନାହିଁ। ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେଣୁ ବାଧ୍ୟ ହୋଇ ଆଜି ସାଧାରଣ ଜନତା ରାଜ ରାସ୍ତାକୁ ଓହ୍ଲାଇ ଥିବାବେଳେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାସ୍ତାରୁ ହଟିବେନି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଆଜିର ଏହି ରାସ୍ତାରୋକ ଆନ୍ଦୋଳନରେ ଦାଦାରାଡ଼ି, ମହାଗୁଡ଼ି, ଟେକଙ୍ଗିଆ, ପିଡ୍ଡଡମହା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଛନ୍ତି।