ବାତ୍ୟା ପରେ ବଢିଲା ଦୁର୍ଦ୍ଦଶା; ଶତାଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ, ପାଣିରେ ବୁଡ଼ିରହିଛି ହଜାର ହଜାର ହେକ୍ଟର ଚାଷ ଜମି
ବାଲେଶ୍ୱର/ବାରିପଦା/ ଭଦ୍ରକ: ଉତ୍ତର ଓଡ଼ିଶାର ୩ ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ବାତ୍ୟା ‘ଦାନା’ର ପ୍ରଭାବ ଏତେଟା ଘାତକ ହୋଇ ନଥିଲେ ହେଁ ବାତ୍ୟା ପରବର୍ତ୍ତୀ ବର୍ଷା ଦୁର୍ଦ୍ଦଶା ବଢ଼ାଇଛି । ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡ଼ି ରହିଥିବା ବେଳେ ଶତାଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି ।
ଲୋକମାନଙ୍କ ପାଖରେ ଆବଶ୍ୟକ ରିଲିଫ ପହଞ୍ଚି ନ ଥିବା ଅଭିଯୋଗ କରି ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା । ପବନ ଯୋଗୁଁ କ୍ଷତିଗ୍ରସ୍ତ ଅନେକ ଗାଁରେ ଏବେ ବି ବିଦ୍ୟୁତ୍ ସଂଯୋଗ କରାଯାଇ ପାରିନାହିଁ। ରାସ୍ତା ଉପରେ ଭାଙ୍ଗିପଡ଼ିଥିବା ଗଛ ଓ ଡାଳ ସଫା ହୋଇ ନ ଥିବାରୁ ଅନେକ ଗାଁ ଭିତରକୁ ପଶିବା କଷ୍ଟକର ହୋଇପଡ଼ିଛି । ପ୍ରବଳ ବର୍ଷା ଯୋଗୁଁ ନଦୀ ଓ ଉପନଦୀଗୁଡ଼ିକ ଫୁଲିବାକୁ ଲାଗିଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ବୁଢ଼ାବଳଙ୍ଗ ସମେତ ଗଙ୍ଗାହାର, ସୋନ, ନାଲୁଆ, କାଂଶବାଂଶ ଆଦି ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଶୁକ୍ରବାର ଶିମିଳିପାଳରେ ବାଦଲଫଟା ବର୍ଷା ହୋଇଥିବାରୁ ବୁଢ଼ାବଳଙ୍ଗ ଫୁଲିବାରେ ଲାଗିଛି। ରିପୋର୍ଟ ଅନୁସାରେ, ବାରିପଦା ଅସ୍ତିଆ ପୋଲରେ ବୁଢ଼ାବଳଙ୍ଗ ନଦୀର ସତର୍କ ସଙ୍କେତ ୨୯.୭୦ ମିଟର ଥିବା ବେଳେ ଶନିବାର ସନ୍ଧ୍ୟା ବେଳକୁ ୨୬.୮୬ ମିଟରରେ ପାଣି ପ୍ରବାହିତ ହେଉଥିଲା। ଏହାର ପ୍ରଭାବ ବାଲେଶ୍ବର ଜିଲ୍ଲା ଉପରେ ମଧ୍ୟ ପଡ଼ିଛି। ଶୁକ୍ରବାର ରାତିଠାରୁ ଆଜି ପର୍ଯ୍ୟନ୍ତ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବାଲେଶ୍ବରରେ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଫଳରେ ନଦୀକୂଳିଆ ଅଞ୍ଚଳଗୁଡ଼ିକରେ ବସବାସ କରୁଥିବା ବହୁ ଗାଁ ଜଳବନ୍ଦି ହୋଇଯାଇଛି। ବାଲେଶ୍ବର ସଦର ବ୍ଲକ୍ର ୬ଟି ପଞ୍ଚାୟତର ୧୦ ହଜାରରୁ ଅଧିକ ଲୋକ ଜଳବନ୍ଦି ହୋଇ ରହିଛନ୍ତି। ଗାଁଗୁଡ଼ିକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଥିବାରୁ ବୋଟ୍ ଯୋଗେ ସେମାନଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳକୁ ଅଣାଯାଉଛି।