ଖେଳ ଖବର

ଇତିହାସ ରଚିଲେ ବାଲା ଦେବୀ: ୫୦ ଗୋଲ୍ ଦେବାରେ ପ୍ରଥମ ଭାରତୀୟ ମହିଳା

ନୂଆଦିଲ୍ଲୀ: ଭାରତୀୟ ମହିଳା ଫୁଟ୍ବଲ୍ର ‘ଗୋଲ୍ ମେସିନ୍’ ଭାବେ ପରିଚିତା ବାଲା ଦେବୀ ସାଫ୍ ମହିଳା ପ୍ରତିଯୋଗିତାରେ ଏକ ବଡ଼ ମାଇଲ୍ଖୁଣ୍ଟରେ ପହଞ୍ଚିଛନ୍ତି। ପ୍ରଥମ ଭାରତୀୟ ମହିଳା ଭାବେ ୫୦ତମ ଆନ୍ତର୍ଜାତିକ ଗୋଲ୍ ସ୍କୋର କରିଛନ୍ତି। ନେପାଳରେ ଚାଲିଥିବା ଏହି ପ୍ରତିଯୋଗିତାର ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ବାଲା ଏହି ଇତିହାସ ରଚିଛନ୍ତି।

ଭାରତ ୫-୨ ଗୋଲ୍ରେ ମଧ୍ୟ ପାକିସ୍ତାନକୁ ପରାସ୍ତ କରି ଏହାକୁ ଅଧିକ ସ୍ମରଣୀୟ କରିଛି।

ବାଲାଙ୍କ ଏହି ଗୋଲ୍ ପରେ କେବଳ ଭାରତୀୟ ପ୍ରଶଂସକମାନେ ଉତ୍ସବ ମନାଇ ନଥିଲେ ବରଂ ସ୍ଥାନୀୟ ଦର୍ଶକମାନେ ଗ୍ୟାଲେରିରେ ଛିଡ଼ା ହୋଇ ତାଳିମାରିବା ସହ ଅଭିବାଦନ ଜଣାଇଥିଲେ। ମ୍ୟାଚ୍ ଶେଷ ପରେ ଯେତେବେଳେ ତାଙ୍କୁ ଏହି ମାଇଲ୍ଖୁଣ୍ଟ ବିଷୟରେ ପଚରାଯାଇଥିଲା, ସେତେବେଳେ ସେ ଏହାକୁ ନେଇ ଗର୍ବ କରୁଥିବା କହିବା ସହ ଏହା ତାଙ୍କ ପାଇଁ ସବୁବେଳେ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ ପ୍ରକାଶ କରିଥିଲେ। ଏହି ଗୋଲ୍କୁ ସେ ତାଙ୍କ ବାପାଙ୍କୁ ଉତ୍ସର୍ଗ କରିଛନ୍ତି। ୨୦୦୫ ମସିହାରୁ ଭାରତୀୟ ଦଳ ସହିତ ଥିବା ବାଲା କହିଛନ୍ତି, ଯେତେବେଳେ ସେ ନେପାଳରେ ପହଞ୍ଚିଥିଲେ ଅନେକ ଲୋକେ ତାଙ୍କୁ ଚିହ୍ନିଯାଇଥିଲେ।

ସମସ୍ତେ ମୋତେ ଜଣେ ପ୍ରଶିକ୍ଷକ ଭାବେ ଆସିଥିବା ଭାବି ନେଇଥିଲେ। ଅନ୍ୟ ଦଳର ଖେଳାଳି କିନ୍ତୁ ମୋତେ ପଡ଼ିଆରେ ଖେଳୁଥିବା ଦେଖିବାକୁ ଚାହିଥିଲେ। ଏତେ ବର୍ଷ ଧରି ଜାତୀୟ ଦଳରେ ଖେଳୁଥିବାରୁ ସେବେକାର ସମୟ ଓ ବର୍ତ୍ତମାନର ସମୟ ମଧ୍ୟରେ ବହୁତ ଫରକ ଆସିଛି। ପ୍ରଶଂସକମାନଙ୍କ ସମର୍ଥନ ଓ ଭଲପାଇବା ମୋତେ ବିମୋହିତ କରିଛି। ଏତେ ଦିନ ଧରି ଦେଶ ପାଇଁ ଖେଳିପାରୁଥିବାରୁ ମୁଁ ଗର୍ବିତ ଅନୁଭବ କରୁଥିବା ସେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button