ଲରେନ୍ସ ବିଷ୍ଣୋଇ ପୁଣି ଥରେ ଚର୍ଚ୍ଚାରେ
ବାବା ସିଦ୍ଦିକି ହତ୍ୟା ମାମଲା ସହ ଜଡିତ ଥିବାରୁ ଲରେନ୍ସ ବିଷ୍ଣୋଇ ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି। ତେବେ ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ପଛରେ ରହିଛି ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ । ତେବେ କିଏ ଏହି ଲରେନ୍ସ ବିଷ୍ଣୋୟୀ ? ଯାହାକୁ ନେଇ ଏବେ ଥରହର ମୁମ୍ବାଇ ସହର । ୩୧ ବର୍ଷୀୟ ଏହି ଗ୍ୟାଙ୍ଗଷ୍ଟରର ରହିଛି ବଡ଼ ବଡ଼ ହାଇପ୍ରୋଫାଇଲ କ୍ରାଇମ ପଛରେ ହାତ ।
ତେବେ ଆସନ୍ତୁ ଜାଣିବା କିଏ ଏ ଲରେନ୍ସ ବିଷ୍ଣୋୟୀ । ପଂଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ପରେ ଲରେନ୍ସ ବିଷ୍ଣୋଇ ଓ ତା ଗ୍ୟାଙ୍ଗ୍ ନେଇ ଦେଶରେ ଅଧିକ ଚର୍ଚ୍ଚା ହୋଇଛି । ସତବିନ୍ଦର ସିଂହରୁ ଲରେନ୍ସ ।
ପୋଲିସ ରେକର୍ଡ ଅନୁସାରେ ଲରେନ୍ସ ବିଷ୍ଣୋଇର ଅସଲ ନାଁ ହେଉଛି ସତବିନ୍ଦର ସିଂହ । କୁହାଯାଏ ଯେ, ପିଲାବେଳେ ଅଧିକ ଗୋରା ଥିବାରୁ ପରିବାର ଲୋକେ ଗେହ୍ଲାରେ ସତବିନ୍ଦରକୁ ଲରେନ୍ସ ନାଁରେ ଡାକିବା ଆରମ୍ଭ କରିଥିଲେ । ପରେ ସତବିନ୍ଦର ଏହି ନାଁରେ ହିଁ ଅଧିକ ପରିଚିତ ହେଲା । ପଂଜାବରେ ଜନ୍ମିଥିବା ଲରେନ୍ସର ବାପା ଜଣେ ପୋଲିସ କର୍ମଚାରୀ । ବାପା ମାତ୍ର ୫ ବର୍ଷ ହିଁ ପୋଲିସ ଚାକିରି କରି କୃଷିକାର୍ଯ୍ୟ ଆରମ୍ଭ କରିଥିଲେ । ଲରେନ୍ସ ୨୦୧୧ରେ ଚଣ୍ଡିଗଡର ଡିଏଭି କଲେଜରେ ପଢୁଥିବା ବେଳେ ଛାତ୍ର ରାଜନୀତିରେ ପାଦ ରଖିଥିଲା । କଲେଜରେ ପଢୁଥିବା ବେଳେ ଗୋଲଡି ବରାଡ ସହ ଲରେନ୍ସର ପରିଚୟ ହୋଇଥିଲା । ଗୋଲଡି ବରାଡ ହେଉଛି ଲରେନ୍ସର ମୁଖ୍ୟ ସହଯୋଗୀ ଯିଏ କି ବିଦେଶରେ ରହି ଗ୍ୟାଙ୍ଗ୍ ପରିଚାଳନା କରେ । ୨୦୧୧-୧୨ରେ ପଂଜାବ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ ଗଠନ କରିଥିଲା ଲରେନ୍ସ ।
ପଞ୍ଜାବ, ହରିୟଣା ଓ ରାଜସ୍ଥାନରେ ବସବାସ କରୁଥିବା ବିଷ୍ଣୋଇ ସଂପ୍ରଦାୟର ପ୍ରତିନିଧିତ୍ୱ କରେ ଲରେନ୍ସ । ଲରେନ୍ସ ବିଷ୍ଣୋଇ ପଂଜାବୀ ସମେତ ତିନିଟି ଭାଷାରେ ପାରଙ୍ଗମ । ଛାତ୍ରନେତାରୁ ‘ଏ’ କ୍ୟାଟୋଗରୀ ଗ୍ୟାଙ୍ଗଷ୍ଟର । ପଂଜାବ ଦିଲ୍ଲୀ ଓ ରାଜସ୍ଥାନରେ ଲରେନ୍ସ ବିରୋଧରେ ରହିଛି ଡଜନରୁ ଅଧିକ ମାମଲା । ତା ବିରୋଧରେ ୨୨ଟି ମୋକଦ୍ଦମା ଚାଲିଛି । ୭ଟିର ଚାଲିଛି ଯାଂଚ । ଚାରିଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି ଲରେନ୍ସ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ବ୍ୟାପକ ସଂପ୍ରସାରଣ ହୋଇଛି । ଗ୍ୟାଙ୍ଗରେ ୭ ଶହ ସଦସ୍ୟ ରହିଛନ୍ତି । ୭୦ଟି ଦେଶରେ ସକ୍ରିୟ ରହିଛି ଗ୍ୟାଙ୍ଗ୍ । ଲରେନ୍ସ ବିଷ୍ଣୋଇ ଜେଲରେ ଥିବାରୁ କାନାଡାରୁ ପରିଚାଳିତ ହେଉଛି ଗ୍ୟାଙ୍ଗ୍ । ଲରେନ୍ସର ସହଯୋଗୀ ଗୋଲଡି ବରାଡ କାନାଡାରେ ରହି ଗ୍ୟାଙ୍ଗ୍ ଚଳାଉଥିବା କୁହାଯାଉଛି ।