ଦେଶ ବିଦେଶ

ଆସିବ ଡିଜିଟାଲ୍‌ ମୁଦ୍ରା,କନସେପ୍ଟ ନୋଟ୍‌ ଜାରିକଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ଦେଶରେ ଶୀଘ୍ର ଡିଜିଟାଲ୍‌ କରେନ୍ସି ବା ମୁଦ୍ରାର ପ୍ରଚଳନ ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାର ଉକ୍ତ ମୁଦ୍ରାର ରୂ‌ପରେଖ ନେଇ ଚିଠା ବା କନସେପ୍ଟ ନୋଟ୍‌ ଜାରି କରାଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କନସେପ୍ଟ ନୋଟ୍‌ରେ ଡିଜିଟାଲ୍‌ କରେନ୍ସି ବା ଇ-ରୁପିର ପରୀକ୍ଷାମୂଳକ ପ୍ରଚଳନ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରୁ ଆରମ୍ଭ ହେବ ବୋଲି ଜଣାଯାଇଛି। ‌ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି (ସିବିଡିସି) ସଂପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଉକ୍ତ ଚିଠା ଜାରି କରାଯାଇଛି। ଡିଜିଟାଲ୍‌ ମୁଦ୍ରାର ବିଶେଷତ୍ବ କ’ଣ ରହିବ ସେ ନେଇ ଏଥିରେ ସୂଚନା ଦିଆଯାଇଛି। ମୁଖ୍ୟତଃ କି ପ୍ରକାର ପ୍ରଯୁକ୍ତିକୁ ଏହାର ପ୍ରଚଳନ ପାଇଁ ବ୍ୟବହାର କରାଯିବ; ଡିଜାଇନ ବା ରୂପରେଖ କ’ଣ ହେବ; ସମ୍ଭାବ୍ୟ ବ୍ୟବହାର; ଏହାକୁ କିଭଳି ଜାରି କରାଯିବ ଆଦି ସଂପର୍କରେ କନସେପ୍ଟ ନୋଟ୍‌ରେ ଆଲୋଚନା କରାଯାଇଛି। ଡିଜିଟାଲ୍‌ ମୁଦ୍ରାର ପ୍ରମୁଖ ବିଶେଷତ୍ବ ଗୁଡ଼ିକ ମଧ୍ୟରେ ରହିଛି ଏହା ଦେଶର ସାର୍ବଭୌମ ମୁଦ୍ରା ଭାବେ ବିବେଚିତ ହେବ। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଜାରି ହେଉଥିବା ମୁଦ୍ରାନୀତି ସହିତ ଏହାର ତାଳମେଳ ରହିବ। ଏଥିସହିତ କେନ୍ଦ୍ରୀୟ ବ୍ୟାଙ୍କର ଆୟବ୍ୟୟ ହିସାବ ଫର୍ଦ୍ଦରେ ଏହାକୁ ଲାଏବିଲିଟି ପଟେ ରଖାଯିବ।

ଦ୍ବିତୀୟତଃ ଏହାକୁ ଲିଗାଲ ଟେଣ୍ଡର ବା ଆଇନଗତ ମୁଦ୍ରାଭାବେ ସ୍ବୀକୃତି ମିଳିବ। ସବୁ ନାଗରିକ, ସଂସ୍ଥା ଏବଂ ସରକାରୀ ଏଜେନ୍ସିମାନେ ଉକ୍ତ ମୁଦ୍ରାକୁ ପେମେଣ୍ଟର ମାଧ୍ୟମଭାବେ ଗ୍ରହଣ କରିବେ। ତୃତୀୟତଃ ଟଙ୍କା ଏବଂ ଅନ୍ୟାନ୍ୟ ବ୍ୟାଙ୍କ ମନି ସହିତ ଏହାର ବିନିମୟ ମୁକ୍ତ ଭାବେ କରାଯିବ। ଅନ୍ୟ ମୁଦ୍ରା ସହିତ ବି ଏହାର ବିନିମୟ ଅବାଧରେ ହୋଇପାରିବ। ଏଥିପାଇଁ ବ୍ୟାଙ୍କ ଆକାଉଣ୍ଟ ଅନାବଶ୍ୟକ।

ବିଶ୍ବରେ କାଗଜ ମୁଦ୍ରାର ବ୍ୟବହାର ହ୍ରାସ ପାଉଛି। ବିଶ୍ବବ୍ୟାପୀ ଇଲେକ୍ଟ୍ରୋନିକ୍ସ ମୁଦ୍ରାର ପ୍ରଚଳନ ଯେଭଳି ବଢ଼ିବ ତାହା ଉପରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ କାର୍ଯ୍ୟ କରୁଛନ୍ତି। ତେଣୁ ଡିଜିଟାଲ୍‌ ମୁଦ୍ରାକୁ ଜାରି କରିବା ଏବଂ ଏହାର ପରିଚାଳନା ମୂଲ୍ୟ ଯେଭଳି କମ୍‌ ରହିବ ତାହା ଉପରେ କେନ୍ଦ୍ରୀୟ ବ୍ୟାଙ୍କ ଧ୍ୟାନ ଦେବ ବୋଲି ଆଶା କରାଯାଉଛି। ‌ସେହିଭଳି ଏହାର ପେମେଣ୍ଟ ବ୍ୟବସ୍ଥାକୁ ନିରାପଦ, ସୁବିଧାଜନକ ଏବଂ ସୁଲଭ କରିବା ପାଇଁ ପ୍ରଚେଷ୍ଟା ଜାରି ରହିବ। ରିଜର୍ଭ ବ୍ୟାଙ୍କର କନସେପ୍ଟ ନୋଟ୍‌ରେ କୁହାଯାଇଛି, ଭାରତର ଡିଜିଟାଲ୍‌ ଅର୍ଥନୀତିକୁ ଏହା ଆହୁରି ସମୃଦ୍ଧ କରିବ। ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବଢ଼ାଇବ ଏବଂ ପେମେଣ୍ଟ ସିଷ୍ଟମକୁ ଅଧିକ ଦକ୍ଷ କରିବ।

ଡିଜିଟାଲ୍‌ ମୁଦ୍ରା ପାଇଁ ଏକ ବଡ଼ଧରଣର ବ୍ୟବସ୍ଥା ବିକାଶ ଆବଶ୍ୟକ, ଯାହାଫଳରେ ଅଧିକ ସଂଖ୍ୟକ କାରବାର ହେଲେ ସେବାର ଗୁଣବତ୍ତାରେ କୌଣସି ଅବନତି ଘଟିବ ନାହିଁ। ସେହିଭଳି ଉକ୍ତ ମୁଦ୍ରାର ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି। କେହି ଯେଭଳି ଏହାର ଦୁରୁପଯୋଗ କରି ନପାରିବ ତାହା ଉପରେ ଧ୍ୟାନ ଦେବାକୁ ପଡ଼ିବ। ସିବିଡିସି ଦ୍ବାରା କମ୍ ସମୟ ମଧ୍ୟରେ ବିପୁଳ ମାତ୍ରାର ଡାଟା ସୃଷ୍ଟି ହେବ। ତେଣୁ ତାହା ଉପରେ ଦୃଷ୍ଟି ହେବାକୁ ହେବ। ଏଥିସହିତ ଡିଜିଟାଲ୍‌ କରେନ୍ସି ବା ମୁଦ୍ରା ପ୍ରଚଳନ ହେଲେ ଗ୍ରାହକଙ୍କ ସୁରକ୍ଷାକୁ ବି ଗୁରୁତ୍ବ ଦେବାକୁ ହେବ। ଗ୍ରାହକଙ୍କ ମଧ୍ୟରେ ଡିଜିଟାଲ୍‌ ସାକ୍ଷରତାରେ ଥିବା ପାର୍ଥକ୍ୟକୁ କେବଳ ଦୂର କରିବାକୁ ହେବନାହିଁ ସେମାନଙ୍କର ଜ୍ଞାନ ସ୍ତରକୁ ମଧ୍ୟ ବଢ଼ାଇବାକୁ ହେବ। ଗ୍ରାହକଙ୍କ ଅଭିଯୋଗର ବଳିଷ୍ଠ ସମାଧାନ ପନ୍ଥା ବିକାଶ ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button