ତାତି ଆଉ ୪୮ ଘଣ୍ଟା – bajravana
[ad_1]
ଭୁବନେଶ୍ବର: ଉପକୂଳରୁ ଉପାନ୍ତ ହେଉ କି ବୌଦ୍ଧରୁ ଭୁବନେଶ୍ବର, କେଉଁଠି ବି ତାତିରୁ ନିସ୍ତାର ମିଳୁନାହିଁ। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରା ସାମାନ୍ୟ କମ୍ ରହୁଥିଲେ ମଧ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଲାଣି। ଦିନ ୧୦ଟାରୁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ପଶ୍ଚିମ ଓଡ଼ିଶାରେ ତ ସ୍ଥିତି ଅସମ୍ଭାଳ। ବୌଦ୍ଧ ଓ ମାଲକାନଗିରି ସହରରେ ଚଳିତ ସିଜିନ୍ର ସର୍ବୋଚ୍ଚ ତାପମାତ୍ରା ଆଜି ୪୨ ଡିଗ୍ରି ଛୁଇଁଛି। ରାଜ୍ୟର ୧୧ଟି ସହରର ପାରଦ ୪୦ ଡିଗ୍ରି ଡେଇଁଛି। ବଲାଙ୍ଗୀର ଓ ଅନୁଗୁଳରେ ୪୧.୭ ଡିଗ୍ରି, ଝାରସୁଗୁଡ଼ାରେ ୪୧.୬, ଭବାନୀପାଟଣା ଓ ଟିଟିଲାଗଡ଼ରେ ୪୧, ନୂଆପଡ଼ାରେ ୪୦.୪, ରାଉରକେଲାରେ ୪୦.୨ ଓ ସୁନ୍ଦରଗଡ଼ରେ ୪୦.୧ ଡିଗ୍ରି ରେକର୍ଡ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆସନ୍ତା ଦୁଇଦିନରେ ରାଜ୍ୟର କିଛି ସ୍ଥାନରେ ଦିନର ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ଉପକୂଳ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୩୬ରୁ ୩୮ ଡିଗ୍ରି ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୩୯ରୁ ୪୧ ଡିଗ୍ରି ମଧ୍ୟରେ ରହିବ। ରାତି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୫ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ। ଉପକୂଳ ଓଡ଼ିଶାରେ ପିକ୍ ଆୱାର(ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା)ରେ ଆର୍ଦ୍ରତା ୫୦ରୁ ୭୦% ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୩୦ରୁ ୫୦% ରହିବା ନେଇ ଆକଳନ କରାଯାଇଛି। ୫ ଓ ୬ ତାରିଖ ପାଇଁ ବଲାଙ୍ଗୀର, କେନ୍ଦୁଝର, ବୌଦ୍ଧ, ମାଲକାନଗିରି, ନୟାଗଡ଼ ଓ ଅନୁଗୁଳ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ୬ ତାରିଖ ଅପରାହ୍ଣଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର ଓ ଦେବଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ।
ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବାନୁଯାୟୀ ବାୟୁମଣ୍ଡଳରେ ତାପମାନ ଓ ଜଳୀୟବାଷ୍ପ ରହୁଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ନ ହେଲେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ୬ ତାରିଖ ବେଳକୁ କାଁ ଭାଁ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୭ ଓ ୮ ତାରିଖରେ ବର୍ଷା ପରିମାଣ ବଢ଼ିବ। ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ।ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଯଥେଷ୍ଟ ଅଧିକ ରହୁଥିବା ବେଳେ ଉପକୂଳରେ ତାପମାତ୍ରା କମ୍ ରହୁଛି। ଦିନତମାମ ୬୦%ରୁ ଅଧିକ ଆର୍ଦ୍ରତା ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି। ଏଭଳି ସ୍ଥିତି ୬ ତାରିଖ ଯାଏଁ ଲାଗିରହିବ। ୭ ତାରିଖ ବେଳକୁ ତାତି ଓ ଗୁଳୁଗୁଳିରୁ ସାମାନ୍ୟ ନିସ୍ତାର ମିଳିବ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାରୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ମଦ୍ୟପାନ, ଚା’, କଫି, ମୃଦୁପାନୀୟ, ଉଚ୍ଚ ପୃଷ୍ଟିସାର ଖାଦ୍ୟ, ବାସିଖାଦ୍ୟ ସେବନ ନ କରିବା, ଛୋଟ ପିଲା ଓ ପୋଷା ଜୀବଜନ୍ତୁଙ୍କୁ ପାର୍କିଂ ଗାଡ଼ି ଭିତରେ ନ ଛାଡ଼ି ଯିବାକୁ କୁହାଯାଇଛି। ପିକ୍ ଆୱାର(ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା)ରେ ନିର୍ବାଚନ ସମ୍ପର୍କିତ ଶୋଭାଯାତ୍ରା, ସଭାରେ ଯୋଗଦେବାଠାରୁ ଦୂରେଇ ରୁହନ୍ତୁ। ଗ୍ରୀଷ୍ମ ପ୍ରବାହ ସାଧାରଣ ଲୋକଙ୍କ ପାଇଁ ସହନଶୀଳ ହୋଇଥିବା ବେଳେ ଛୋଟ ପିଲା, ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଅସୁସ୍ଥ ଲୋକଙ୍କ ପାଇଁ ହାନିକାରକ। ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରେ ନ ରହିବା, ହାଲୁକା ପୋଷାକ ପରିଧାନ କରିବା, ପିକ୍ ସମୟରେ ବାହାରକୁ ଯିବା ସମୟରେ ଓଦା କପଡ଼ା, ଟୋପି, ଛତା ମାଧ୍ୟମରେ ମୁଣ୍ଡକୁ ଘୋଡ଼ାଇବା, ପର୍ଯ୍ୟାପ୍ତ ପରିମାଣର ପାଣି ସମେତ ଓଆରଏସ୍, ଘରେ ପ୍ରସ୍ତୁତ ଲସି, ତୋରାଣି, ଆଖୁରସ, ଲେମ୍ବୁ ପାଣି ଆଦି ପିଇବାକୁ ପରାମର୍ଶ ଦିଆଯାଇଛି।
[ad_2]