ମନୋରଞ୍ଜନ

ନିର୍ଦ୍ଦେଶକ ହେଲେ ତିନି ନାୟକ – bajravana

[ad_1]

ନାୟକ ନିର୍ଦ୍ଦେଶକ ହେବା ଓଲିଉଡ୍ ପାଇଁ କିଛି ନୂଆ କଥା ନୁହେଁ। ଆଗରୁ ଅକ୍ଷୟ ମହାନ୍ତି (କାଶ୍ୟପ), ଶରତ ପୂଜାରୀ, ପ୍ରଶାନ୍ତ ନନ୍ଦ, ଶ୍ରୀରାମ ପଣ୍ଡା, ବିଜୟ ମହାନ୍ତି ଓ ଶ୍ରୀତମ୍ ଦାସଙ୍କ ଭଳି ସଫଳ ନାୟକମାନେ ନିର୍ଦ୍ଦେଶନା ଦେଇଛନ୍ତି। ଏବେ ଏହି ତାଲିକାରେ ଆଉ ତିନିଜଣ ସାମିଲ ହୋଇଛନ୍ତି। ସେମାନେ ହେଲେ ମୁନ୍ନା ଦାଶ, ଦେବବ୍ରତ ପ୍ରଧାନ ଓ ଭାରତ ପୁଷ୍ପରାଗ।
ନାୟକ ଭାବେ ମୁନ୍ନାଙ୍କ ପ୍ରଥମ ସିନେମା ହେଲା ‘ଦିୱାନା ହେଲି ତୋ ପାଇଁ’। ଶ୍ରୀତମ୍ ଦାସଙ୍କ ନିର୍ଦ୍ଦେଶିତ ‘ଦିଵାନା ହେଲି ତୋ‘ପାଇଁ’ରେ ମୁନ୍ନାଙ୍କୁ ନାୟକ ଓ ରୀୟାଙ୍କୁ ନାୟିକା ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ। ଏହାପରେ ତାଙ୍କୁ ଖୁବ୍ ଶୀଘ୍ର ‘ମୁଁ ତୁମକୁ ଭଲ ପାଏ’ରେ ପୁଣି ନାୟକ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ମୁନ୍ନାଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଛନ୍ତି ସପ୍ନା ଓ ପ୍ରିୟଙ୍କା ସାହୁ।
ଏବେ ମୁନ୍ନା ଦାଶ ଅଭିନୟ ସହ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇଛନ୍ତି। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଛବିର ନାଁ ‘ଅବିନାଶ’। ଏହାର କାହାଣୀ ସେ ନିଜେ ଲେଖିଥିବା ବେଳେ ସଂଳାପ ଲେଖିଛନ୍ତି ଯମେଶ ଶୁକ୍ଳା। ଶ୍ରୀରଘୁନାଥ କ୍ରିଏସନ୍ସ ବ୍ୟାନରରେ ନିର୍ମିତ ଏହି ସିନେମାରେ ନିଜେ ମୁନ୍ନା ବି ନାୟକ ଭୂମିକାରେ ଅଛନ୍ତି। ଏଥିରେ ତାଙ୍କ ବିପକ୍ଷରେ ମନସ୍ବିନୀଙ୍କୁ ନାୟିକା ଭାବେ ଦେଖିବାକୁ ମିଳିବ। ଇତିମଧ୍ୟରେ ଫିଲ୍ମର ଅଧିକାଂଶ ସୁଟିଂ ବି ଶେଷ ହୋଇଥିବା ଜଣାଯାଇଛି।
ଏଣେ ନାୟକ ଦେବ ଓରଫ୍‌ ଦେବବ୍ରତ ପ୍ରଧାନଙ୍କୁ ପ୍ରଥମେ ରଶ୍ମିତା ସ୍ବାଇଁଙ୍କ ପ୍ରଯୋଜିତ ତଥା ଏସ୍ କେ ମୂରଲୀଧରନ୍‌ଙ୍କ ନିର୍ଦ୍ଦେଶିତ ‘ପ୍ରେମ ତୋର ନଟି ନଟି’ରେ ନାୟକ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ। ଏଥିରେ ସେ ତମନ୍ନାଙ୍କ ବିପକ୍ଷରେ ନଜର ଆସିଥିଲେ। ଏବେ ଦେବ ନିର୍ଦ୍ଦେଶକ ବନି ନିର୍ମାଣ କରୁଛନ୍ତି ଓଡ଼ିଆ ସିନେମା ‘ମହାକାଳ’। ଅବଶ୍ୟ ‘ଡିପି’ ନାଆଁରେ ସେ ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଦେବ ନାୟକ ଭୂମିକାରେ ଥିବା ବେଳେ ନବାଗତା ମୋନାଲି ସାଜିଛନ୍ତି ନାୟିକା। ଫିଲ୍ମର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଭରଦ୍ବାଜ ପଣ୍ଡା ଓ ସ୍ବର ସଂଯୋଜନା କରିଛନ୍ତି ଗୁଡ୍‌ଲି ରଥ। ଖାଲି ସେତିକି ନୁହେଁ, ଏବେ ନାୟକ ଦେବ ତାଙ୍କ ନିର୍ଦ୍ଦେଶନାରେ ‘ମହାବୀର’ ଶୀର୍ଷକରେ ଆଉ ଏକ ଓଡ଼ିଆ ସିନେମା ମଧ୍ୟ ନିର୍ମାଣ କରୁଛନ୍ତି। ଏହାର ଚିତ୍ରନାଟ୍ୟ ଲେଖିଛନ୍ତି ଭରଦ୍ବାଜ ପଣ୍ଡା। ‘ମହାବୀର’ର ସଂଳାପକାର ମନୋରଞ୍ଜନ ଦାସ ଓ ବିଭୂତିଭୂଷଣ ଗଡ଼ନାୟକ ଏହାର ସଙ୍ଗୀତକାର।
ଆଉ ଜଣେ ନୂଆ ନାୟକ-ନିର୍ଦ୍ଦେଶକ ହେଲେ ଭାରତ ପୁଷ୍ପରାଗ। ସେ ଉଭୟ ଭୂମିକା ନିଭାଇ ନିର୍ମାଣ କରିଛନ୍ତି ଓଡ଼ିଆ ହରର୍ ସିନେମା ‘ଦର୍ପଣ’। ଏହା ବଡ଼ ପରଦାରେ ତାଙ୍କର ପ୍ରଥମ ପଦାର୍ପଣ। ଏଥିରେ ଭାରତଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ହିରଣ୍ମୟୀ। ଏହାଛଡ଼ା, ଅଙ୍କିତ କୁମାର, ତୃପ୍ତି ମୀରାମ୍ବିକା, ପ୍ରଦ୍ୟୁମ୍ନ ଲେଙ୍କା ଓ ରାନୁ ପାଢ଼ୀ ପ୍ରମୁଖ ବି ଅଛନ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକାରେ। ସୁଟିଂ ଶେଷ ହୋଇଥିବା ‘ଦର୍ପଣ’ର ପ୍ରଯୋଜକ ହେଲେ ଦିଲୀପ କୁମାର ସାହୁ। ଯମେଶ ଶୁକ୍ଳା ସଂଳାପ ରଚନା କରିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ।
ଉପରୋକ୍ତ ତିନିଟି ସିନେମା ମୁକ୍ତିଲାଭ କରିବା ପରେ ଏହି ନାୟକ-ନିର୍ଦ୍ଦେଶକମାନଙ୍କ ଦକ୍ଷତା ପ୍ରତିପାଦିତ ହେବ।

କାରଣ କ’ଣ
ମୁନ୍ନା ଦାଶ: ମୁଁ ଆଗରୁ ବଡ଼ ନିର୍ଦ୍ଦେଶକଙ୍କ ସହ କାମ କରିଛି। ଯେହେତୁ ଏସବୁ ଫିଲ୍ମ ଆମ ପ୍ରଯୋଜନା ସଂସ୍ଥା ନିର୍ମାଣ କରୁଛି ତେଣୁ ନିର୍ଦ୍ଦେଶନା ଦେବା ଲାଗି ସ୍ଥିରକଲି।
ଭାରତ ପୁଷ୍ପରାଗ: ମୁଁ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ୍ ଟିଭି ଇନଷ୍ଟିଚ୍ୟୁଟ୍‌ରେ ପଢ଼ିଛି। ଆଗରୁ ମ୍ୟୁଜିକ୍ ଭିଡିଓରେ ହିରୋ ହୋଇଛି ଓ ନିର୍ଦ୍ଦେଶନା ବି ଦେଇଛି। ଏଣୁ ନାୟକ ହେବା ସହ ନିର୍ଦ୍ଦେଶନା ଦେବାକୁ ସ୍ଥିରକଲି। ଅବଶ୍ୟ ନିଜେ ସଟ୍ ଦେଉଥିବା ବେଳେ ଟିକେ ଅସୁବିଧା ହୁଏ, ମାତ୍ର ତାକୁ ମୋର ସହଯୋଗୀ ନିର୍ଦ୍ଦେଶକ ସମ୍ଭାଳି ନେଇଥାଆନ୍ତି।
ଦେବବ୍ରତ ପ୍ରଧାନ: ମୋ ପ୍ରଯୋଜନା ସଂସ୍ଥାର ସିନେମାରେ ମୁଁ ନାୟକ ଭାବେ ଅଭିନୟ କରିବାର ଅଭିଜ୍ଞତା ମୋତେ ନିର୍ଦ୍ଦେଶକ ହେବା ଲାଗି ପ୍ରେରିତ କରିଛି। ସତ କହିବାକୁ ଗଲେ, ମୋର ପ୍ରଥମ ସିନେମା ‘ପ୍ରେମ ତୋର ନଟି ନଟି’ର ବଜେଟ୍ ବହୁତ ବଢ଼ିଯାଇଥିଲା। ତା’ଛଡ଼ା ଅନ୍ୟ ନିର୍ଦ୍ଦେଶକଙ୍କ ଉପରେ ନିର୍ଭରଶୀଳ ହେଲେ ଠିକ୍ ସମୟରେ କାମ ସରେନି। ଏପରି ଖରାପ ଅନୁଭୂତି ମୋର ରହିଛି। ଏପରିକି ନିର୍ଦ୍ଦେଶକଙ୍କ ଅନେକ କାମ ସେହି ସମୟରେ ମୋତେ ହିଁ କରିବାକୁ ପଡ଼ିଛି। ଏଣୁ ମୁଁ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଲି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button