ଅନ୍ଧାରରେ ‘ମେଣ୍ଟ’: ମନମୋହନ ଏକା ଲଢ଼ିବା କଥା କହିଲେ, ପୁଣି ବୁଲାଇଲେ – bajravana
[ad_1]
ବିଜେଡି ବୈଠକରେ ମେଣ୍ଟ କଥା ଆଲୋଚନା ହେଲାନି, ଚିତ୍ର ସ୍ପଷ୍ଟ ହେଉନି, ରାଗିଗଲେଣି ଉଭୟ ଦଳର କର୍ମୀ
ଭୁବନେଶ୍ବର: ଦିଲ୍ଳୀରେ ଗତକାଲି ବିଜେପି ଶୀର୍ଷସ୍ତରରେ ଆଲୋଚନା ହେଲା। ରାଜ୍ୟ ସଭାପତି ମନମୋହନ ସାମଲ ଆଜି ସକାଳୁ ଦିଲ୍ଲୀରୁ ଫେରିଲେ। ପୁରୁଣା କଥା ଦୋହରାଇଲେ, ‘ବିଜେପି ଏକା ଲଢ଼ିବ ଓ ସରକାର ଗଢ଼ିବ’। ନିଜେ ସାମାଜିକ ଗଣମାଧ୍ୟମରେ ବି ଏକଥା ଲେଖିଦେଲେ। ସାରାରାଜ୍ୟକୁ କଥା ବ୍ୟାପିଗଲା ଯେ ବିଜେଡି-ବିଜେପି ମେଣ୍ଟ ହେବନାହିଁ। କିଏ ବାଣ ଫୁଟାଇଲେ, କିଏ ମିଠା ଖୁଆଇଲେ। ସଭାପତି ନିଜେ ବି ରାଜ୍ୟ କାର୍ଯ୍ୟାଳୟରେ ମିଠା ଖାଇଲେ, ଖୁଆଇଲେ। ଦି’ ଘଣ୍ଟା ପରେ କିନ୍ତୁ ଏ ଚିତ୍ର ପୁଣି ବଦଳିଗଲା। ଶ୍ରୀ ସାମଲ ଗଣମାଧ୍ୟମ ସାମ୍ନାରେ ଦେଇଥିବା ମନ୍ତବ୍ୟକୁ ଢେ଼ାକିଦେଲେ। ଆଉ ତା’ ପରଠାରୁ ମେଣ୍ଟ ଚର୍ଚ୍ଚା ପୁଣି ନୂଆ ମୋଡ଼ ନେଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ବିଜେପିର ଆଉ କୌଣସି ନେତା ଏ ନେଇ ମୁହଁ ଖୋଲିନାହାନ୍ତି। ମେଣ୍ଟ ହେବ କି ନାହିଁ? ସେ ନେଇ ଦଳ ପକ୍ଷରୁ କିଛି ବି କୁହାଯାଉନାହିଁ। ସେପଟେ ନବୀନ ନିବାସରେ ବିଜେଡି ନେତାଙ୍କ ବୈଠକ ହେଲା। ପ୍ରାୟ ଦୁଇ ଘଣ୍ଟା ସମସ୍ତେ ଭିତରେ ରହିଲେ। ରାଜନୈତିକ କର୍ମୀ ସାମାଜିକ ଗଣମାଧ୍ୟମରେ ମେଣ୍ଟ ନେଇ ଆଲୋଚନା ଆଗକୁ ବଢ଼ିଲା ବୋଲି ଗୋଟିଏ ଧାରଣା ତିଆରି କରିବାକୁ ଉଦ୍ୟମ କଲେ। ହେଲେ ମେଣ୍ଟ ଆଲୋଚନା ଆଦୌ ହେଲାନି। ବାହାରେ ନେତାମାନେ ଗଣମାଧ୍ୟମକୁ ଜଣାଇଲେ ଯେ ନିର୍ବାଚନୀ ରଣନୀତି ନେଇ ବୈଠକ ଥିଲା। ମେଣ୍ଟ ପାଇଁ ନୁହେଁ। ମେଣ୍ଟକୁ ନେଇ ୮ ଦିନର ସରଗରମ ଆଲୋଚନା ପରେ ଆଜି ଚିତ୍ର ସ୍ପଷ୍ଟ ହେବ ବୋଲି ଆକଳନ କରାଯାଉଥିଲା। କିନ୍ତୁ ଓଲଟା ହେଲା। ଆହୁରି ଅସ୍ପଷ୍ଟ ଭିତରକୁ ଠେଲି ହୋଇଗଲା ମେଣ୍ଟ ପ୍ରସଙ୍ଗ। ବିଜେଡି-ବିଜେପି ମେଣ୍ଟ ହେବନି ବୋଲି ଉଭୟ ପକ୍ଷରୁ କେହି ସ୍ପଷ୍ଟ କଲେନି। ହେବ ବୋଲି ବି କେହି କହିଲେନି। ଦ୍ବନ୍ଦ୍ବ ଦୂର ହେଲାନି। ଛାମୁଆ ନେତା ଓ କର୍ମୀମାନେ ସେମିତି ଅନ୍ଧାରରେ ରହିଗଲେ। ଫଳରେ ରାଜ୍ୟବ୍ୟାପୀ ଉଭୟ ଦଳର କର୍ମୀଙ୍କ ଭିତରେ ଅସନ୍ତୋଷ ତୀବ୍ର ହେଲାଣି। ନିର୍ବାଚନ ପୂର୍ବରୁ ଏମିତି ଗୋଳିଆ ସ୍ଥିତି ରାଜ୍ୟରେ କେବେ ହୋଇ ନଥିଲା ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସକାଳୁ ସକାଳୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଭୁବନେଶ୍ବରରେ ପହଞ୍ଚିଥିଲେ। ମାପିଚୁପି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ। କହିଥିଲେ, ସବୁ ଠିକ୍ ଚାଲିଛି। ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି। ସବୁ ବିଷୟରେ ବିଚାର ଆଲୋଚନା କରୁଛୁ। ଏହାର କିଛି ସମୟ ପରେ ଶ୍ରୀ ସାମଲ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ। ସେଠାରେ ଗଣମାଧ୍ୟମ ପ୍ରତିନିଧିମାନେ ମେଣ୍ଟ ସମ୍ପର୍କରେ ଜାଣିବାକୁ ଚାହିଥିଲେ। ମେଣ୍ଟକୁ ସିଧାସଳଖ ଖଣ୍ଡନ ନକରି ସେ କହିଥିଲେ, ‘ବିଜେପି ଏକାକୀ ସରକାର କରିବ। ଓଡ଼ିଆ ଅସ୍ମିତାକୁ ନେଇ ବିଜେପି ନିର୍ବାଚନ ଲଢ଼ିବ।’ ତାଙ୍କ ଏପରି ମନ୍ତବ୍ୟକୁ ବିଜେପି କାର୍ଯ୍ୟାଳୟରେ ଉପସ୍ଥିତ ଥିବା ନେତା ଓ କର୍ମୀମାନେ ତାଳି ମାରି ସ୍ବାଗତ କରିଥିଲେ। ଶ୍ରୀ ସାମଲ ସଙ୍ଗେ ସଙ୍ଗେ ଏକ ଟ୍ବିଟ୍(ଏକ୍ସ) ବି କଲେ। ସେଥିରେ ଲେଖିଲେ, ‘ଓଡ଼ିଶାର କୋଟି କୋଟି ଜନତାଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ନେଇ ବିଜେପି ଏକାକୀ ନିର୍ବାଚନ ଲଢ଼ିବ ଓ ସରକାର ମଧ୍ୟ କରିବ। ଏଥର ଓଡ଼ିଆ ଅସ୍ମିତା ଓ ସ୍ବାଭିମାନ ପାଇଁ ପ୍ରତ୍ୟେକ ଓଡ଼ିଆ ଦାୟିତ୍ବ ନେଇ ଏହି ନିର୍ବାଚନ ଲଢ଼ିବେ ଏବଂ ସରକାର ଗଠନ କରିବେ।’ ତାଙ୍କର ଟ୍ବିଟ୍ ପରେ ମେଣ୍ଟ ହେବନାହିଁ ବୋଲି ସମସ୍ତେ ଏକରକମ ଧରିନେଲେ। ମାତ୍ର କିଛି ମିନିଟ୍ ପରେ ମନମୋହନ ୟୁ ଟର୍ଣ୍ଣ ନେଇଗଲେ। ତାଙ୍କ ମନ୍ତବ୍ୟକୁ ଟ୍ବିଟ୍ (ଏକ୍ସ) ରୁ ହଟାଇଦେଲେ। ଗଣମାଧ୍ୟମ ଉପରେ ଓଲଟା ଦୋଷ ଲଦି କହିଲେ ଯେ ମୁଁ ମେଣ୍ଟ ଶବ୍ଦ କେଉଁଠି ଧରିନି। ମୋ କଥାକୁ ଭୁଲ୍ ଭାବେ ଉପସ୍ଥାପନ କରା ନଯାଉ। ଦଳର ସଂସଦୀୟ ବୋର୍ଡ ଓ ରାଷ୍ଟ୍ରୀୟ ସଭାପତି ଯାହା ନିଷ୍ପତ୍ତି ନେବେ ତାହାକୁ ଆମେ ମାନିବୁ।
ମନମୋହନଙ୍କ ଏପରି ବୟାନ ହିଁ ଆଜି ଚର୍ଚ୍ଚାର ବିଷୟ ହୋଇଛି। ଗତକାଲି ରାତିରେ ଅମିତ ଶାହଙ୍କ ସହ ଆଲୋଚନା ବେଳେ ମେଣ୍ଟ ପ୍ରସଙ୍ଗରେ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନିଶ୍ଚିତ ନିଆଯାଇଥିବ। ଆଉ ତାହା ସଭାପତି ଭାବେ ଶ୍ରୀ ସାମଲ ଜାଣିଥିବେ। ଯଦି ମେଣ୍ଟ ହେବନି ବୋଲି ନିଷ୍ପତ୍ତି ହୋଇଛି, ତେବେ ଶ୍ରୀ ସାମଲ ବିଜେପି ଏକାକୀ ନିର୍ବାଚନ ଲଢ଼ିବା କଥା କହିବା ସ୍ବାଭାବିକ। କିନ୍ତୁ ଯଦି ମେଣ୍ଟ ସମ୍ପର୍କରେ ବିଜେପି କେନ୍ଦ୍ରୀୟ ନେତୃତ୍ବ ଏ ଯାଏ ନିଷ୍ପତ୍ତି ନେଇନାହାନ୍ତି, ତେବେ ଶ୍ରୀ ସାମଲ କାହା ଚାପରେ ପଡ଼ି ଏମିତି ମନ୍ତବ୍ୟ ଦେଲେ। ପୁଣି ପରବର୍ତ୍ତୀ ସମୟରେ କାହା ଚାପରେ ପଡ଼ି ଟ୍ବିଟ୍ କାଟିଲେ ଓ କଥା ବଦଳାଇଲେ? ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଜେପିର ସ୍ପଷ୍ଟ ଆଭିମୁଖ୍ୟ ଆସି ନଥିଲା। ଶ୍ରୀ ସାମଲଙ୍କୁ ପୁନର୍ବାର ଦିଲ୍ଲୀ ଡକାଯାଇଥିବା ନେଇ ଚର୍ଚ୍ଚା ହେଉଥିଲେ ବି ଏସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏପଟେ ନବୀନ ନିବାସରେ ଆଜି ବିଜେଡିର ବରିଷ୍ଠ ନେତାଙ୍କ ସମେତ ସବୁ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କୁ ଡକାଯାଇଥିଲା। ପ୍ରଥମେ ସମସ୍ତଙ୍କର ଏକ ମିଳିତ ବୈଠକ ହୋଇଥିଲା। ଏଥିରେ ମେଣ୍ଟ ସମ୍ପର୍କରେ ସେମିତି କିଛି ଆଲୋଚନା ହୋଇ ନଥିଲା। କେବଳ ଏତିକି କୁହାଯାଇଥିଲା ଯେ ‘ବିଜେଡି ଏକ ଆଞ୍ଚଳିକ ଦଳ। ସଭାପତି ଯାହା ନିଷ୍ପତ୍ତି ନେବେ ତାହା ଚୂଡ଼ାନ୍ତ।’ ଏହାବାଦ୍ ମେଣ୍ଟ ସମ୍ପର୍କରେ କେହି ପଚାରି ନଥିଲେ। ଏହାପରେ ଜଣଙ୍କ ପରେ ଜଣେ ପର୍ଯ୍ୟବେକ୍ଷକଙ୍କୁ ଡାକି ଜିଲ୍ଲାୱାରି ଦଳର ସାଂଗଠନିକ ସ୍ଥିତି ସମ୍ପର୍କରେ ନିଜେ ସଭାପତି ନବୀନ ପଟ୍ଟନାୟକ ବୁଝିଥିଲେ। ପର୍ଯ୍ୟବେକ୍ଷକମାନେ ରିପୋର୍ଟ ଉପସ୍ଥାପନ କରିଥିଲେ। ବୈଠକ ପରେ ଗଣମାଧ୍ୟମକୁ ବିଜେପି ଉପସଭାପତି ଦେବୀପ୍ରସାଦ ମିଶ୍ର କହିଥିଲେ ଯେ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ପର୍ଯ୍ୟବେକ୍ଷକଙ୍କ ସହ ସଭାପତି ସାଂଗଠନିକ କାର୍ଯ୍ୟକ୍ରମ ଓ ନିର୍ବାଚନ ରଣକୌଶଳ ବିଷୟରେ ରିପୋର୍ଟ ନେଇଛନ୍ତି। ଏହା ଉପରେ ତାଙ୍କର ସୁଚିନ୍ତିତ ମତାମତ ଓ ପରାମର୍ଶ ବି ଦେଇଛନ୍ତି। ଉଭୟ ବିଜେଡି ଓ ବିଜେପି ଯେପରି ମେଣ୍ଟ ପ୍ରସଙ୍ଗରେ ସ୍ପଷ୍ଟତା ଆଣୁ ନାହାନ୍ତି, ତାହା ଉଭୟ ଦଳର ତୃଣମୂଳ ସ୍ତରରେ ଭୀଷଣ ଅସନ୍ତୋଷ ସୃଷ୍ଟି କରୁଛି। ଉଭୟ ଦଳ ପରସ୍ପର ବିରୋଧରେ ଲଢ଼ିବେ କି ଏକାଠି ଚାଲିବେ, ତାହା ଜାଣିପାରୁ ନାହାନ୍ତି। ଉଭୟ ଦଳର ବରିଷ୍ଠ ନେତାମାନେ ବି ମେଣ୍ଟ ସମ୍ପର୍କରେ କିଛି ଜାଣିପାରୁ ନଥିବାରୁ କର୍ମୀଙ୍କୁ ଉତ୍ତର ଦେଇପାରୁ ନାହାନ୍ତି। ଫଳରେ ସାରା ରାଜ୍ୟରେ ଏକ ବିଚିତ୍ର ରାଜନୈତିକ ସ୍ଥିତି ସୃଷ୍ଟି ହୋଇଛି।
[ad_2]