ମନୋରଞ୍ଜନ

ନାଆଁ ଏକା ତିନି ନାୟିକା: ଓଲିଉଡ୍‌ର ତିନି ପ୍ରିୟଙ୍କା – bajravana

[ad_1]

‘ପ୍ରିୟଙ୍କା’-ଏଇ ନାଆଁରେ ଓଡ଼ିଆ ସିନେଶିଳ୍ପରେ ଏବେ ତିନିଜଣ ନାୟିକା ବେଶ୍ ସକ୍ରିୟ ଅଛନ୍ତି। ଏମାନେ ହେଲେ ପ୍ରିୟଙ୍କା ସାହୁ, ପ୍ରିୟଙ୍କା ପାଣିଗ୍ରାହୀ ଓ ପ୍ରିୟଙ୍କା ମହାପାତ୍ର(ପିହୁ)। ଆଉ ତିନି ପ୍ରିୟଙ୍କା ପରସ୍ପରକୁ ଭଲ ଭାବେ ଜାଣନ୍ତି। ପ୍ରିୟଙ୍କା ସାହୁ: କେ. ଅନିସଙ୍କ ନିର୍ଦ୍ଦେଶିତ ‘ସୁପର୍‌ବୟ’ ଫିଲ୍ମରୁ ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ ପ୍ରିୟଙ୍କା ସାହୁ। ଏହି ଫିଲ୍ମରେ ଜ୍ୟୋତିଙ୍କ ବିପକ୍ଷରେ ନାୟିକା ଭୂମିକାରେ ଥିଲେ ସେ। ତା’ପରେ ପ୍ରିୟଙ୍କା ଏନ୍. ପାଢ଼ୀଙ୍କ ନିର୍ଦ୍ଦେଶିତ ‘ମନେ ମନେ ମନ ଖୋଜୁଥିଲା’ରେ ନାୟିକା ଭାବେ ବଡ଼ ପରଦାକୁ ଆସିଥିଲେ। ଏଥିରେ ତାଙ୍କୁ ନବାଗତ ଓମ୍‌କାରଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ପ୍ରିୟଙ୍କାଙ୍କ ଅଭିନୀତ ଅନ୍ୟ ଏକ ଓଡ଼ିଆ ଛବି ହେଲା ‘ଶାୟରୀ ଶାୟରୀ’। ରଣଜିତ ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ନୂଆ ନାୟକ ଦୁର୍ଗା ପ୍ରସାଦଙ୍କ ସହ ତାଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ। ଏବେ ପ୍ରିୟଙ୍କାଙ୍କ ଅଭିନୀତ କେତୋଟି ସିନେମା ମୁକ୍ତି ପ୍ରତୀକ୍ଷାରେ ରହିଛି। ଏ ମଧ୍ୟରେ ରହିଛି ‘ତୁ ମୋ ଡ୍ରିମ୍‌ଗାର୍ଲ’, ‘ମୁଁ ତୁମକୁ ଭଲପାଏ’, ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’ ଓ ‘କେମିତି ଏ ପ୍ରେମ’।

ପ୍ରିୟଙ୍କା ପାଣିଗ୍ରାହୀ: ପ୍ରିୟଙ୍କା ପାଣିଗ୍ରାହୀ ଉଭୟ ଚଳଚ୍ଚିତ୍ର ଓ ଟେଲି ସିନେମାର ଜଣେ ଜଣାଶୁଣା ଚେହେରା। ୨୦୧୭ରେ ସାର୍ଥକ ଟିଭିରେ ପ୍ରସାରିତ ‘ମୁଁ ବି ହିରୋଇନ୍ ହେବି’ ରିଆଲିଟି ସୋ’ରେ ବିଜୟିନୀ ହୋଇଥିଲେ ସେ। ହେଲେ ତରଙ୍ଗ ଚାନେଲ୍‌ର ‘ତେଜସ୍ବିନୀ’ ମେଗା ଧାରାବାହିକରେ ତାଙ୍କୁ ବ୍ରେକ୍ ମିଳିଥିଲା। ତା’ପରେ ତରଙ୍ଗରେ ‘ଦୁର୍ଗା’ ଓ ‘ମଞ୍ଜରୀ’ ଚାନେଲରେ ‘ରକ୍ତ ସମ୍ପର୍କ’ ଭଳି ମେଗା ଧାରାବାହିକରେ ଅଭିନୟ କରିଥିଲେ ପ୍ରିୟଙ୍କା।

ପରେ ରମେଶ ରାଉତଙ୍କ ନିର୍ଦ୍ଦେଶିତ ‘ଟୋକାଟା ଫସିଗଲା’ ସିନେମା ଜରିଆରେ ସେ ବଡ଼ପରଦାକୁ ଆସିଥିଲେ। ଏଥିରେ ପପୁ ପମ୍‌ପମ୍‌ଙ୍କ ବିପକ୍ଷରେ ନଜର ଆସିଥିଲେ। ତା’ପରେ ‘ଦିଲ୍‌ରେ ଅଛି ତୋ’ରି ନାଆଁ’ରେ ସେ ସମ୍ବିତଙ୍କ ବିପକ୍ଷରେ ନାୟିକା ବନିଥିଲେ। ଏହାଛଡ଼ା ‘ମାମା ୱେଡ୍ସ ପାପା’ରେ ଅଭିଷେକଙ୍କ ସହ ନଜର ଆସିଥିଲେ ପ୍ରିୟଙ୍କା। ଏଣେ ଜ୍ୟୋତି ଦାସଙ୍କ ନିର୍ଦ୍ଦେଶିତ ‘ବିଦ୍ୟାରାଣ’ରେ ନାୟକ ବାବୁସାନ୍‌ଙ୍କ ଭଉଣୀ ଭୂମିକା ନିଭାଇ ବି ଚର୍ଚ୍ଚିତା ହୋଇଥିଲେ। ଏବେ ଦୁଇଟି ନୂଆ ଓଡ଼ିଆ ସିନେମା ‘କେମିତି ଏ ପ୍ରେମ’ ଓ ଅନ୍ୟଟି ‘ନବ ମାସ’ରେ ସେ କାମ କରୁଛନ୍ତି। ପ୍ରିୟଙ୍କା ପାଣିଗ୍ରାହୀ ‘ଦୁର୍ଗତି ନାଶିନୀ-୨’ ଓ ‘ଶ୍ରୀକ୍ଷେତ୍ର’ ଭଳି ଟେଲି ସିନେମାରେ ମଧ୍ୟ ଲିଡ୍ ରୋଲ୍‌ରେ ଅଭିନୟ କରିଛନ୍ତି।

ପ୍ରିୟଙ୍କା ଉବାଚ
ଏହି ତିନି ନାୟିକା ପରସ୍ପରକୁ ଜାଣନ୍ତି ଓ ପରସ୍ପର ପ୍ରତି ଶ୍ରଦ୍ଧା ସମ୍ମାନ ରଖିଛନ୍ତି। ପ୍ରିୟଙ୍କା ପାଣିଗ୍ରାହୀ ଓ ପ୍ରିୟଙ୍କା ସାହୁ କହନ୍ତି, ‘‘ଆମେ ଦୁହେଁ ବାଲେଶ୍ବରର ଝିଅ। ତା’ଛଡ଼ା ଦୁହେଁ ସାଙ୍ଗହୋଇ କାମ କରିଛୁ, ଏଣୁ ପରସ୍ପରକୁ ଜାଣିଛୁ। ଦୁହେଁ ଦୁହିଁଙ୍କର ପ୍ରଶଂସକ ମଧ୍ୟ।’’
ଏଣେ ପ୍ରିୟଙ୍କା ମହାପାତ୍ର (ପିହୁ) କହିଛନ୍ତି, ‘‘ମୁଁ ଉଭୟଙ୍କୁ ଜାଣିଛି। ଯଦିଓ ସିନେମାରେ ସେମାନଙ୍କ ସହ ଏକାଠି କାମ କରିନି, କିନ୍ତୁ କାମକୁ ପସନ୍ଦ କରେ। ପ୍ରିୟଙ୍କା ପାଣିଗ୍ରାହୀଙ୍କ ସହିତ ମୋର ଭଲ ପରିଚୟ ଅଛି।’’

ପ୍ରିୟଙ୍କା ମହାପାତ୍ର (ପିହୁ): ପୂରା ନାମ ପ୍ରିୟଙ୍କା ମହାପାତ୍ର, ମାତ୍ର ସେ ଇଣ୍ଡଷ୍ଟ୍ରିରେ ପିହୁ ନାଆଁରେ ପରିଚିତା। ପ୍ରିୟଙ୍କା ମଡେଲିଂରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ୨୦୧୯ରେ ‘ଜୀସାର୍ଥକ ସିନେଷ୍ଟାର୍ କି ଖୋଜ୍’ ରିଆଲିଟି ସୋ’ରେ ଅଂଶଗ୍ରହଣ କରିଥିଲେ। ସେହି ସମୟରେ ତାଙ୍କୁ ଓଡ଼ିଆ ଛବି ‘ହାପି ଏଣ୍ଡିଂ’ରେ ନାୟିକା ଭୂମିକା ମିଳିଥିଲା। ଏଥିରେ ତାଙ୍କର ନାୟକ ଥିଲେ ତୁଷାର। କେ. ସିହ୍ନାଙ୍କ ନିର୍ଦ୍ଦେଶିତ ‘ହାପି ଏଣ୍ଡିଂ’ କିନ୍ତୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରି ନ ଥିଲା, ପରେ ଓଟିଟିରେ ରିଲିଜ୍ ହୋଇଥିଲା। ସେ ‘ସରକାରୀ ବର’, ‘ମାଆ ଯାହାର ସାହା’, ‘ଅନାମିକା ନାୟିକା’, ‘ଡିଟେକ୍ଟିଭ୍ କରଣ ଅର୍ଜୁନ୍’ ଆଦି ଟେଲି ସିନେମାରେ ଲିଡ୍ ରୋଲ୍ କରିଛନ୍ତି। ଏତଦ୍‌ବ୍ୟତୀତ, ଅଶୋକ ପତିଙ୍କ ନିର୍ଦ୍ଦେଶିତ ତଥା ସବ୍ୟସାଚୀ-ତମନ୍ନା ଅଭିନୀତ ଟେଲି ସିନେମା ‘ଲକିର ଲକ୍‌ଡାଉନ୍ ’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ଏହାପରେ ପ୍ରିୟଙ୍କା ‘ନୂଆବୋହୂ’ (ତରଙ୍ଗ), ‘ହେ ପ୍ରଭୁ’ (ଜୀ ସାର୍ଥକ) ଓ ‘ତୁ କହିବୁ ନା ମୁଁ’ (ଷ୍ଟାର୍ କିରଣ) ଭଳି ମେଗା ଧାରାବାହିକରେ ନଜର ଆସିଥିଲେ। ଏବେ ତାଙ୍କୁ ତରଙ୍ଗରେ ପ୍ରସାରିତ ମେଗା ଧାରାବାହିକ ‘ତୋରି ପାଇଁ ତୋ’ ପାଇଁ’ରେ ‘ରୁହି’ ଭୂମିକାରେ ଦେଖିବାକୁ ମିଳୁଛି।

ପୁରୁଣା ପିଢ଼ିର ପ୍ରିୟଙ୍କା
ଓଲିଉଡ୍‌ରେ ପୂର୍ବରୁ ବି ପ୍ରିୟଙ୍କା ନାମ୍ନୀ ନାୟିକା ଲୋକପ୍ରିୟତା ଅର୍ଜନ କରିଛନ୍ତି। ଗତ ତିନି ଦଶନ୍ଧି ଧରି ପ୍ରିୟଙ୍କା ମହାପାତ୍ର ଅଭିନୟରେ ସକ୍ରିୟ ଅଛନ୍ତି। ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ‘ସୌଭାଗ୍ୟବତୀ’ ଓ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ପୁଅ ମୋର ଭୋଳାଶଙ୍କର’ ଭଳି ସିନେମାରେ ସେ ନାୟିକା ସାଜିଥିଲେ। ଏବେ ଚରିତ୍ର ଅଭିନେତ୍ରୀ ଭାବେ ଉଭୟ ସିନେମା ଓ ଟେଲିଭିଜନରେ କାମ କରୁଛନ୍ତି। ପୂର୍ବରୁ ପ୍ରିୟଙ୍କା ହାଲଦାର ନାମ୍ନୀ ଜଣେ ବଙ୍ଗୀୟ ନାୟିକାଙ୍କୁ ‘ତୁ ମୋ ସୁନା, ତୁ ମୋ ହୀରା’ ଓ ‘ଅ ଆ ହର୍ଷେଇ’ ଭଳି ଓଡ଼ିଆ ସିନେମାରେ ଦେଖିବାକୁ ପାଇଥିଲେ ଓଡ଼ିଆ ଦର୍ଶକ। ଏହା ଆଗରୁ ପ୍ରଖ୍ୟାତ ବଙ୍ଗୀୟ ନାୟିକା ପ୍ରିୟଙ୍କା ତ୍ରିବେଦୀ ମଧ୍ୟ ଅରୁଣ ମହାନ୍ତିଙ୍କ ନିର୍ଦ୍ଦେଶିତ ‘କଥା କହିବ ମୋ ମଥା ସିନ୍ଦୂର’ ଏବଂ ରଜତ ପାଇକରାୟଙ୍କ ନିର୍ଦ୍ଦେଶିତ ‘କାଳଚକ୍ର’ରେ ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ସାଜି ନବେ ଦଶକର ଶେଷ ଭାଗରେ ଚର୍ଚ୍ଚିତ ହୋଇଥିଲେ। ପରେ ସେ ସାଉଥ୍‌ ସିନେମାରେ ଜଣେ ନାଁ’କରା ନାୟିକା ଭାବେ ମାନ୍ୟତା ପାଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button