ଓଡିଶା

ସବୁ ଦଳ ପ୍ରତି ସମାନ ଆଚରଣ କରିବେ ଜିଲ୍ଲାପାଳ, ଏସ୍‌ପି: ନିର୍ବାଚନ କମିସନ – bajravana

[ad_1]

ଭୁବନେଶ୍ବର‌: ଜୁନ୍ ୨୦୨୪ରେ ଓଡ଼ିଶା ବିଧାନସଭା ଓ ସଂସଦର କାର୍ଯ୍ୟକାଳ ଶେଷ ହେଉଛି। ତେଣୁ ଏହା ପୂର୍ବରୁ ସାଧାରଣ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ଏହାକୁ ନଜରରେ ରଖି ଭାରତର ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଏବଂ ତାଙ୍କ ଟିମ୍ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ରାଜ୍ୟ ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦେଇଛନ୍ତି। ଆଜି ହୋଟେଲ ମେଫେୟାରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର କହିଛନ୍ତି ଯେ ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ। ଏଠାରେ ନିର୍ବାଚନୀ ହିଂସା ବିଶେଷତଃ ଦେଖିବାକୁ ମିଳେନାହିଁ। ତେଣୁ ଆସନ୍ତା ସାଧାରଣ ନିର୍ବାଚନ ବି ଶାନ୍ତିଶୃଙ୍ଖଳାର ସହ ଶେଷ ହେବ ବୋଲି ଆଶା କରୁଛୁ। ଯଦି ନିର୍ବାଚନ ସମୟରେ କୌଣସି ଗଣ୍ଡଗୋଳ ହୁଏ, କେହି ଟଙ୍କା ବାଣ୍ଟୁଥିବା, ମଦ କି ନିଶା ସାମଗ୍ରୀ ବାଣ୍ଟୁଥିବା କିମ୍ବା କୌଣସି ବେଆଇନ କାର୍ଯ୍ୟ କରୁଥିବା ସାଧାରଣ ଲୋକ ଦେଖନ୍ତି, ତେବେ ତୁରନ୍ତ ଏନେଇ ଫଟୋ ଉଠାଇ/ରେକର୍ଡିଂ କରି ‘ସିଭିଜିଲ୍’ ଆପ୍‌ରେ ଜଣାଇପାରିବେ। ଏହି ଅଭିଯୋଗ ମିଳିବାର ୧୦୦ମିନିଟ ଭିତରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବ। ଅଭିଯୋଗକାରୀ/ ସୂଚନାଦାତାଙ୍କ ପରିଚୟ ଗୁପ୍ତ ରଖାଯିବ। ଏହାଦ୍ବାରା ନିର୍ବାଚନୀ ହିଂସା ଏବଂ ବେଆଇନ କାରବାରକୁ ରୋକାଯାଇପାରିବ।

ସେହିପରି ସୁବିଧା ପୋର୍ଟାଲ ଜରିଆରେ ମତଦାତା ଓ ପ୍ରାର୍ଥୀଙ୍କୁ ବିଭିନ୍ନ ସୂଚନା ସୁବିଧାରେ ମିଳିବ। ଏହି ପୋର୍ଟାଲ ଜରିଆରେ ପ୍ରାର୍ଥୀ, ରାଜନୈତିକ ଦଳ ସେମାନଙ୍କ ସାଧାରଣ ସଭା, ଶୋଭାଯାତ୍ରା, ମାଇକ୍ ବଜାଇବା ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ ପାଇଁ ଅନଲାଇନ୍‌ରେ ଆବେଦନ କରିପାରିବେ। ଯଦି କୌଣସି ପ୍ରାର୍ଥୀ ଗୋଟିଏ ପଡ଼ିଆରେ ସଭା କରିବାକୁ ଆଗ ଅନୁମତି ମାଗିଥିବେ ତେବେ ତାଙ୍କୁ ହିଁ ଅନୁମତି ଦିଆଯିବ। ମୁଖ୍ୟ ନିର୍ବାଚନ କମିସନର କହିଛନ୍ତି ଯେ ଓଡ଼ିଶାର ୧୫ଟି ଜିଲ୍ଲା ୪ଟି ରାଜ୍ୟର ସୀମାକୁ ଲାଗିଛି। ଏଠାରେ ଯାଞ୍ଚ ପାଇଁ ୧୫୬ଟି ଟିମ୍ ନିୟୋଜିତ ହେବେ। ଏଥିରେ ୧୧୮ଟି ପୁଲିସ ଟିମ୍ ଏବଂ ୩୮ଟି ଜିଏସ୍‌ଟି ଟିମ୍ ରହିବେ। ନିର୍ବାଚନ‌ ସମୟରେ ରାଜ୍ୟ ସୀମାରେ କିମ୍ବା ରାଜ୍ୟ ଭିତରେ କୌଣସି ପ୍ରକାରର ବେଆଇନ କାରବାରକୁ ରେଡ୍‌ କରିବା ପରେ ଏହାର ତଥ୍ୟକୁ ତୁରନ୍ତ ‘ଇଲେକ୍ସନ ସିଜର୍ ମ୍ୟାନେଜମେଣ୍ଟ ସିଷ୍ଟମ’ରେ ଅପଡେଟ୍‌ କରାଯିବ। ଯେଉଁ ନିର୍ବାଚନମଣ୍ଡଳୀରେ ଅଧିକ ଅର୍ଥ କାରବାର ହେବାର ଆଶଙ୍କା କରାଯିବ ସେଠାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ୨୦ଟି ବିଭାଗର ଅଧିକାରୀ ସଜାଗ ରହିବେ। ଏଥିରେ ରାଜ୍ୟ ପୁଲିସ, ଅବକାରୀ ବିଭାଗ, ସେଣ୍ଟ୍ରାଲ ଜିଏସ୍‌ଟି ଏବଂ କଷ୍ଟମ୍‌ସ, ରାଜ୍ୟ ଜିଏସ୍‌ଟି, ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ, ସିଆଇଏସ୍‌ଏଫ୍, ଆୟକର ବିଭାଗ, ଇଡି, ବ୍ୟୁରୋ ଅଫ୍ ସିଭିଲ୍ ଆଭିଏସନ୍ ସିକ୍ୟୁରିଟି, ରାଜ୍ୟ ପରିବହନ ବିଭାଗ, ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ, ରାଜ୍ୟ ବେସାମରିକ ବିମାନ ଚଳାଚଳ ବିଭାଗ, ଡାକ ବିଭାଗ, ଆର୍‌ବିଆଇ, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି, ନାର୍କୋଟିକ୍ସ କେଣ୍ଟ୍ରାଲ ବ୍ୟୁରୋ, ଭାରତୀୟ ତଟରକ୍ଷ ବାହିନୀ, ସ୍ପେଶାଲ ଏନଫୋର୍ସମେଣ୍ଟ ବ୍ୟୁରୋ, ରେଲ୍‌ୱେ ଏବଂ ଆର୍‌ପିଏଫ୍‌, ବନ ବିଭାଗର ଅଧିକାରୀମାନେ ରହିବେ।

ଅନ୍ତଃରାଜ୍ୟ ସୀମା ଜଗିବେ ୧୫୬ଟି ଟିମ୍
୨୦ଟି ବିଭାଗ ଅର୍ଥ କାରବାର ଜଗିବେ
ଓଡ଼ିଶାରେ ୯୦୬୦ ଜଣ ଶତାୟୁ ଭୋଟର

ସଡ଼କପଥ, ଜଳପଥ, ଆକାଶପଥ ସବୁ ଉପରେ ନଜର ରହିବ। କିଏ ବିମାନରେ ଆସିଲା, ହେଲିକପ୍ଟରେର ଆସିଲା ତାହ ଉପରେ ବି ନଜର ରହିବ। ଏପରିକି ଟ୍ରେନ୍‌ରେ ବି ଯଦି ଟଙ୍କା କି ବେଆଇନ ସାମଗ୍ରୀ ଆସିବାର ସନ୍ଦେହ କରାଯାଏ ତେବେ ରେଲୱେ କର୍ତ୍ତୃପକ୍ଷ ଯାଞ୍ଚ କରିବେ। ବସ୍‌ରେ ବା କୌଣସି ଗାଡ଼ି‌ରେ ଆସିଲେ ପରିବହନ ବିଭାଗ, ଜଙ୍ଗଲ ଅଧ୍ୟୁସିତ ଅଞ୍ଚଳରେ ବନ ବିଭାଗ, ଜଳପଥ ପାଇଁ ତଟରକ୍ଷା ବାହିନୀ ସଜାଗ ରହିବେ। କେଉଁ କାରବାରରେ କାହାର କ’ଣ ଲିଙ୍କ୍ ରହୁଛି ତା’ର ତୁରନ୍ତ ତର୍ଜମା କରି କାର୍ଯ୍ୟାନୁଷ୍ଠାନ ନେବେ। ଏହାସହ ମଦ କାରବାରରେ କିଙ୍ଗପିନ୍‌କୁ ଧରିବା, ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍ ଅର୍ଥ କାରବାର ଉପରେ ନଜର ରଖିବା, ଘରୋଇ ଓ ସରକାରୀ ଏୟାରଷ୍ଟ୍ରିପ୍‌ରେ କେଉଁ ‌ବିମାନ ଓ ହେଲିକପ୍ଟରରେ କିଏ ଆସୁଛି, ବିମାନ କାର୍ଗୋରେ କ’ଣ ଆସୁଛି ତାହା ଉପରେ ବି ଏହି ଟିମ୍ ନଜର ରଖିବେ। ମୁଖ୍ୟ ନିର୍ବାଚନ କମିସନ କହିଛନ୍ତି ଯେ ଜିଲ୍ଲାପାଳ ଓ ଏସ୍‌ପିମାନେ ସବୁ ରାଜନୈତିକ ଦଳକୁ ସମାନ ଆଚରଣ କରିବାକୁ କୁହାଯାଇଛି। ସେମାନେ ଯେପରି ନିର୍ବାଚନ ସମୟରେ ନିର‌ପକ୍ଷତା ଅବଲମ୍ବନ କରିବେ ସେନେଇ ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କୁ କୁହାଯାଇଛି। ମତଦାନ ପୂର୍ବରୁ ଓ ପରେ ରାଜନୈତିକ ଦଳ ପ୍ରତିନିଧିଙ୍କ ସମ୍ମୁଖରେ ଇଭିଏମ୍‌ ସିଲ୍‌ ହେବ ଏବଂ ଖୋଲାଯିବ। ମତଦାନ ସରିବା ପରେ କେତେ ଜଣ ମତଦାନ କଲେ ଭିଭିପାଟ୍ ଅନୁଯାୟୀ ପୁଲିଂ ଅଧିକାରୀ ଏଜେଣ୍ଟଙ୍କୁ ଏକ ଚିଠା ଦେବେ। ଏହାକୁ ସେ ଗଣତି ସମୟରେ ଯାଞ୍ଚ କରିପାରିବେ। ସମସ୍ତ ଷ୍ଟ୍ରଙ୍ଗରୁମ୍‌ରେ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ହେବ। ଯେଉଁ ପ୍ରାର୍ଥୀଙ୍କର ଅପରାଧିକ ରେକର୍ଡ ଥି‌ବ ସେମାନଙ୍କ ସମ୍ପର୍କରେ ଯେପରି ମତଦାତା ଜାଣିପାରିବେ ସେଥିପାଇଁ ଉକ୍ତ ପ୍ରାର୍ଥୀମାନେ ଖବରକାଗଜ/ଟିଭିରେ ତିନି ଥର ଏନେଇ ସୂଚନା ବିଜ୍ଞାପନ ଦେବେ। ଏହାସହ ଯଦି କୌଣସି ‌ପ୍ରାର୍ଥୀଙ୍କର ପେଡ୍‌ ନ୍ୟୁଜ୍ ବାହାରିଥିବା ଜଣାଯାଏ ଏହାର ଯାଞ୍ଚ କରିବାକୁ ଏକ ଟିମ୍ ରହିବ। ଏହି ଟିମ୍ ଯାଞ୍ଚର ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯିବ। ୨୦୧୯ରେ ଓଡ଼ିଶାରେ ୭୩.୨୯% ମତଦାନ ହୋଇଥିଲା। ଏଥିରେ ୨୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜାତୀୟ ହାରଠାରୁ କମ୍‌ ମତଦାନ ହୋଇଥିବାବେଳେ ୫୯ଟିରେ ରାଜ୍ୟ ହାରଠାରୁ କମ୍‌ ଥିଲା। ୮ଟି ସଂସଦୀୟ କ୍ଷେତ୍ରରେ ମତଦାନ ହାର ରାଜ୍ୟର ମତଦାନ ହାରଠାରୁ କମ୍‌ ଥିଲା। ତେଣୁ ମତଦାନ ହାର କମ୍‌ ଥିବା ୫୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ କିପରି ମତଦାନ ହାର ବଢ଼ିବ ସେନେଇ ଆବଶ୍ୟକୀୟ ସଚେତନତା ପଦକ୍ଷେପ ନିଆଯାଇଛି।

ଓଡ଼ିଶାରେ ଏଥର ୩କୋଟି ୩୨ଲକ୍ଷ ଭୋଟର ଥିବାବେଳେ ଏଥିରେ ୧.୬୮କୋଟି ପୁରୁଷ, ୧.୬୪ ମହିଳା, ୩୩୮୦ଜଣ କିନ୍ନର, ୬.୮ଲକ୍ଷ ୮୦ବର୍ଷରୁ ଅଧିକ ବରିଷ୍ଠ ନାଗରିକ, ୪.୫୭ଲକ୍ଷ ଭିନ୍ନକ୍ଷମ, ୭.୫୪ଲକ୍ଷ ନୂଆ ଭୋଟର (୧୮ରୁ ୧୯ବର୍ଷର), ୪୯,୬୪୯ ଜଣ ଚାକିରିଆ ଭୋଟର, ୯୦୬୦ଜଣ ୧୦୦ବର୍ଷରୁ ଅଧିକ ଭୋଟର ଅଛନ୍ତି। ଯେଉଁ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଭୋଟରମାନେ ଭୋଟ୍ ଦେବାକୁ ଆସିପାରିବେନି ସେମାନଙ୍କ ଘରକୁ ଯାଇ ଭୋଟ ସଂଗ୍ରହ କରାଯିବ। ଏହାର ସମସ୍ତ ପ୍ରକ୍ରିୟା ଭିଡିଓ ସୁଟିଂ କରାଯିବ। ଓଡ଼ିଶାରେ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୯୦ଟି ସାଧାରଣ ବର୍ଗଙ୍କ ପାଇଁ, ୨୪ଟି ଅନୁସୂଚିତ ଜାତି, ୩୩ଟି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ଅନୁସୂଚିତ ଜନଜାତିଙ୍କ ପାଇଁ ସାରା ଦେଶରେ ସବୁଠୁ ଅଧିକ ଓଡ଼ିଶାରେ ସଂରକ୍ଷିତ ରହିଛି। ସେହିପରି ୨୧ଟି ଲୋକସଭା ଆସନରୁ ୧୩ଟି ସାଧାରଣ ବର୍ଗ, ୩ଟି ଏସ୍‌ସି ଏବଂ ୫ଟି ଏସ୍‌ଟିଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ଅଧିକାରୀ ଅରୁଣ ଗୋୟଲ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button