ଓଡିଶା

ସ୍ବପ୍ନକୁ ସାକାର କରିବାକୁ କଠିନ ପରିଶ୍ରମ କର: ରାଜ୍ୟପାଳ – bajravana

[ad_1]

ଛାତ୍ରଛାତ୍ରୀଙ୍କୁ ଦେଲେ ଗୁରୁମନ୍ତ୍ର

ରାଉର‌କେଲା: ଶିକ୍ଷା ହେଉଛି ବିକାଶର ଚାବିକାଠି। ସରସ୍ବତୀର ମନ୍ଦିର। ଜୀବନରେ ଯେତେ ମହାପୁରୁଷଙ୍କ ପୁସ୍ତକ ଅଧ୍ୟୟନ କରିଛି, ସବୁଠି ଦୁଇ ଲୋକଙ୍କ ପ୍ରମୁଖ ସ୍ଥାନ ରହିଛି। ଜଣେ ହେଲେ ଜନ୍ମଦାତ୍ରୀ ମା’ ଓ ଅନ୍ୟ ଜଣେ ହେଲେ ଗୁରୁ। ଘରେ ମାତାପିତାଙ୍କୁ ଓ ବିଦ୍ୟାଳୟରେ ଗୁରୁଙ୍କୁ ସର୍ବଦା ସମ୍ମାନ ଦିଅ। କାରଣ ଗୁରୁ ଅନ୍ଧାରରୁ ଆଲୋକ ଦେଖାଇଥାଏ। ତେଣୁ ଭଲ ମଣିଷ ହେବାକୁ ସ୍ବପ୍ନ ଦେଖ। ସ୍ବପ୍ନକୁ ସାକାର କରିବାକୁ କଠିନ ପରିଶ୍ରମ କରିବାକୁ ରାଜ୍ୟପାଳ ରଘୁବର ଦାସ କହିଛନ୍ତି। ଆଜି ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ସେ ଚାଷୀ ପରିବାରରୁ ଆସିଛନ୍ତି।

ସରକାରୀ ବିଦ୍ୟାଳୟରେ ପାଠ ପଢ଼ି ଆଜି ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି। ମହାମହୀମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଜଣେ ଶିକ୍ଷୟିତ୍ରୀ ଥିଲେ। ସ୍ବାମୀ ଓ ଦୁଇ ପୁଅକୁ ହରାଇଥିଲେ ହେଁ ଜୀବନରେ କେବେ ହାର ମାନିନାହାନ୍ତି। କଠିନ ପରିସ୍ଥିତିକୁ ସର୍ବଦା ସାମ୍ନା କରିର ଆଗକୁ ବଢ଼ିଛନ୍ତି। ତେଣୁ ସେ ଆଜି ପୃଥିବୀର ସବୁଠୁ ବଡ ଲୋକତନ୍ତ୍ର ଦେଶ ଭାରତର ରାଷ୍ଟ୍ରପତି। ଓଡ଼ିଶାର ସୁଦୂର ଆଦିବାସୀ ଅଞ୍ଚଳର ରାଇରଙ୍ଗପୁରରୁ ଯାଇ ରାଇସିନା ହିଲ୍‌ରେ ପହଞ୍ଚିପାରିଛନ୍ତି। ସେ କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶବାସୀଙ୍କ ପାଇଁ ପ୍ରେରଣା। ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି, ପାଠ ସହ ଖେଳର ମଧ୍ୟ ଆବଶ୍ୟକତା ରହିଛି। ଖେଳ ଦ୍ବାରା ଛାତ୍ରଛାତ୍ରୀଙ୍କ ମାନସିକ ଓ ଶାରିରୀକ ବିକାଶ ହୋଥାଏ। ପାଠ ପରି ଜଣେ ଛାତ୍ର ଓ ଛାତ୍ରୀ ଚାହିଁଲେ ଖେଳକୁ ମଧ୍ୟ ନିଜର କ୍ୟାରିୟର କରିପାରିବେ।

ଖେଳକୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ପ୍ରାଥମିକତା ଦେଉଛନ୍ତି। ହକି ଖେଳରେ ଓଡ଼ିଶା ମଧ୍ୟ ଆଗରେ ରହିଛି। କେବେ ବି ଅଧାରୁ ପାଠ ଛାଡ଼ନ୍ତୁ ନାହିଁ। ଗାଁ ଗହଳି ଲୋକଙ୍କ ମଧ୍ୟରେ ଭିନ୍ନ ମାନସିକତା ରହିଛି। ଝିଅମାନେ ବଡ ହେଲେ ବିବାହ ହୋଇ ପର ଘରକୁ ଚାଲିଯିବେ। ତେଣୁ ଅଧିକ ପାଠପଢ଼ା ଦରକାର ନାହିଁ। ଗରିବ ପିଲାମାନଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଉପୁଜିଥାଏ। ଓଡ଼ିଶାରେ ଶିକ୍ଷାକ୍ଷେତ୍ରରେ ଏହି ସମସ୍ୟା ଦେଖିବାକୁ ମିଳୁଛି। ଅଭିଭାବକ ଓ ପିଲାମାନେ ସଚେତନ ହେଲେ ଓଡ଼ିଶା ଏଭଳି ସମସ୍ୟାରୁ ମୁକ୍ତି ପାଇପାରିବ।‌ ସେମିତି ପ୍ରଧାନଶିକ୍ଷକ ଓ ଶିକ୍ଷକଶକ୍ଷୟିତ୍ରୀ ରାଷ୍ଟ୍ର ନିର୍ମାଣରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ତେଣୁ ଶିକ୍ଷକମାନେ ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଦରକାର। ଶିକ୍ଷା ଓ ନୈତିକ ଶିକ୍ଷାରେ ଓଡ଼ିଶାର ସରକାରୀ ବିଦ୍ୟାଳୟଗୁଡ଼ିକ ଆଗାମୀ ଦିନରେ ମାଇଲଖୁଣ୍ଟ ସ୍ଥାପନ କରୁ ‌ବୋଲି କହିଥିଲେ। ରାଜ୍ୟପାଳ ଭବିଷତ୍ୟରେ କ’ଣ ହେବାକୁ ଚାହୁଁଛନ୍ତି ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ଛାତ୍ରଛାତ୍ରୀମାନେ ଆଇଏସ୍‌, ଆଇପିଏସ୍‌ ଓ ଜଣେ ଭଲ ମଣିଷ ହେବାକୁ ରାଜ୍ୟପାଳଙ୍କୁ କହିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଗାୟତ୍ରୀ ସେଠୀ ସ୍ବାଗତ ଭାଷଣ ଦେଇଥିଲେ। ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି, ରାଉରକେଲା ମହାନଗର ନିଗମ କମିସନର ଆଶୁତୋଷ କୁଲକର୍ଣ୍ଣିଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button