ଓଡିଶା

ତୃତୀୟ ପ୍ରାର୍ଥୀଙ୍କୁ ନେଇ ସସ୍‌ପେନ୍ସ ଜାରି: ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ବ ନେଇ ଚର୍ଚ୍ଚା – bajravana

[ad_1]

ବିଜେଡିର ଦୁଇ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ଦୁଇ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କିନ୍ତୁ ତୃତୀୟ ପ୍ରାର୍ଥୀ କିଏ ହେବ, ତାହାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ସଂଖ୍ୟା ଦୃଷ୍ଟିରେ ତୃତୀୟ ଆସନଟି ଦଖଲ କରିବାରେ ବିଜେଡିକୁ କୌଣସି ସମସ୍ୟା ନଥିଲେ ଦଳ ତୃତୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରୁ ନାହିଁ। ଫଳରେ ପୁଣି ଥରେ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି। ତେବେ ଏ ସମ୍ପର୍କରେ ବିଜେଡି କି ବିଜେପିର କୌଣସି ନେତା ମୁହଁ ଖୋଲୁ ନାହାନ୍ତି। ଆଜି ବିଜେଡିର ଦୁଇ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିବାକୁ ଯିବା ପୂର୍ବରୁ ତୃତୀୟ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି ସମସ୍ତେ ଅନୁମାନ କରୁଥିଲେ। ଜଣେ ଆଦିବାସୀ ନେତା ପ୍ରାର୍ଥୀ ହେବେ ବୋଲି ସାମାଜିକ ଗଣମାଧ୍ୟମରେ ଜୋର୍‌ଦାର ଚର୍ଚ୍ଚା ଚାଲିଲା। ସମସ୍ତଙ୍କ ନଜର ନବୀନ ନିବାସ ଉପରେ ଥିଲା। କିନ୍ତୁ ସେପରି କିଛି ଘଟି ନଥିଲା। ମଧ୍ୟାହ୍ନରେ ବିଧାନସଭାରେ ରିଟର୍ଣ୍ଣିଂ ଅଫିସର୍‌ଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଦୁଇ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ଯେହେତୁ ବିଜେଡି ତୃତୀୟ ପ୍ରାର୍ଥୀ ଘୋଷଣା କରୁ ନାହିଁ, ତେଣୁ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଜୋର୍ ଧରିଛି। ବିଶେଷ କରି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥିତ୍ବକୁ ନେଇ ଅଧିକ ଆଲୋଚନା ଚାଲିଛି। ପୁଣି ବୁଧବାର ଦିନ ଶ୍ରୀ ବୈଷ୍ଣବଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ୧୪ ତାରିଖରେ ଶ୍ରୀ ବୈଷ୍ଣବଙ୍କର ବିଭିନ୍ନ ସମୀକ୍ଷା ବୈଠକ ରହିଛି। ୧୫ ତାରିଖରେ ଦିନତମାମ କୌଣସି କାର୍ଯ୍ୟକ୍ରମ ରଖାଯାଇ ନଥିଲେ ମଧ୍ୟ ସେ ଭୁବନେଶ୍ବରରେ ରହିବେ ଓ ସନ୍ଧ୍ୟାରେ ଦିଲ୍ଲୀ ଫେରିବେ। ତେଣୁ ସେହିଦିନ ସେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଅନୁମାନ କରାଯାଉଛି। ଏମିତିରେ ୧୪ ତାରିଖରେ ସରସ୍ବତୀ ପୂଜା ପାଇଁ ସରକାରୀ ଛୁଟି ଥିବାରୁ ପ୍ରାର୍ଥିପତ୍ର ଦାଖଲ ହେବ ନାହିଁ। ପୁନର୍ବାର ଅଶ୍ବିନୀ ବିଜେପି ପ୍ରାର୍ଥୀ ହୋଇ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯିବାର ସମ୍ଭାବନା ଦେଖାଦେଇଛି। ତେବେ ଏତେ ଗୋପନତା ରକ୍ଷା କରି ଏହା କରାଯାଉଛି ଯେ ସାଧାରଣ ଜନତା କି ଗଣମାଧ୍ୟମ ତ ଦୂରର କଥା, ଉଭୟ ଦଳର କୌଣସି ବରିଷ୍ଠ ନେତା କିଛି ସୁରାକ୍ ପାଉ ନାହାନ୍ତି। ସେମାନେ ମଧ୍ୟ ଅନ୍ଧାରରେ ରହି ଯାହା ଅନୁମାନ କରୁଛନ୍ତି। ଆସନ୍ତାକାଲି ମଧ୍ୟାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଶ୍ରୀ ବୈଷ୍ଣବଙ୍କ ଉପସ୍ଥିତିରେ ଏକ ବୈଠକ ହେବାର ଅଛି। ଏଥିରେ ବରିଷ୍ଠ ନେତାଙ୍କ ସମେତ ସବୁ ବିଧାୟକଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି।

ଏହି ବୈଠକରେ ଶ୍ରୀ ବୈଷ୍ଣବଙ୍କ ପ୍ରାର୍ଥିତ୍ବ ନେଇ ସୂଚନା ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି। ୨୦୧୯ ମସିହାରେ ବିଜେଡି ସମର୍ଥନରେ ଅଶ୍ବିନୀ ବୈଷ୍ଣବ ବିଜେପି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ଯାଇଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ଚିରାଚରିତ ଢଙ୍ଗରେ ପ୍ରାର୍ଥୀ ଚୟନରେ ବାରମ୍ବାର ଚକ୍‌ମା ଦେଖାଇଛନ୍ତି। ଅଧିକାଂଶ ସମୟରେ ସମସ୍ତଙ୍କ ଆକଳନ ଓ ପୂର୍ବାନୁମାନକୁ ସେ ଭୁଲ୍‌ ପ୍ରମାଣିତ କରିଛନ୍ତି। ଯେଉଁ ଦୁଇ ଜଣଙ୍କୁ ସେ ଦଳର ରାଜ୍ୟସଭା ପ୍ରାର୍ଥୀ କରିଛନ୍ତି, ସେମାନଙ୍କ ନାମ ଆଦୌ ଚର୍ଚ୍ଚାରେ ନଥିଲା। ସେମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ହେବା‌ ପାଇଁ ଦାବିଦାର ଥିଲେ। କିନ୍ତୁ ରାଜ୍ୟସଭା ରେସ୍‌ରେ ତାଙ୍କ ନାମ ଆଦୗ ନଥିଲା। ଏବେ ଅଶ୍ବିନୀଙ୍କୁ ସମର୍ଥନ ଦେବାକୁ ତୃତୀୟ ପ୍ରାର୍ଥୀଙ୍କ ନାମ ନବୀନ ଘୋଷଣା କରିନାହାନ୍ତି ନା ଏହା ପଛରେ ଆଉ କିଛି କାରଣ ରହିଛି, ତାହା ସ୍ପଷ୍ଟ ହୋଇନି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button