ପକ୍ଷାଘାତ ସତ୍ତ୍ବେ ବଞ୍ଚାଇ ରଖିଛନ୍ତି କୌଳିକ ବୃତ୍ତି – bajravana
[ad_1]
ଫିରିଙ୍ଗିଆ: ଆଧୁନିକତାର ଛାପରେ ପୁରାତନ ଯୁଗର ବିଭିନ୍ନ ବାଦ୍ୟଯନ୍ତ୍ର ଏବେ ଧୀରେଧୀରେ ଲୋପ ପାଇ ଆସୁଥିଲେ ବି ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏବେ ବି ମୃଦଙ୍ଗର ଢେର ଆଦର ରହିଛି। ଧାର୍ମିକ କାର୍ଯ୍ୟ ଯଥା ଅଷ୍ଟପ୍ରହରୀ, ନାମଯଜ୍ଞ, ଦେବାଦେବୀଙ୍କ ପ୍ରାଣପ୍ରତିଷ୍ଠା, ମନ୍ଦିର ପ୍ରତିଷ୍ଠା, ନାମ ସଂକୀର୍ତ୍ତନ ଓ ତ୍ରିନାଥ ମେଳା ଭଳି ପବିତ୍ର କାମରେ ଖୋଜା ପଡ଼େ ମୃଦଙ୍ଗ। ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳର ପ୍ରତ୍ୟେକ ମଠମନ୍ଦିର ଓ ମଣ୍ଡପରେ ନାମ ସଂକୀର୍ତ୍ତନର ଆବଶ୍ୟକ ପଡ଼ିଥାଏ। ଏଥିପାଇଁ ମୃଦଙ୍ଗର ଆବଶ୍ୟକ କାହିଁ କେଉଁ କାଳରୁ ରହିଆସିଛି। ହେଲେ ଏହି ମୃଦଙ୍ଗକୁ ତିଆରି କରି ଏବେ ସତେଜ ବାଦ୍ୟଯନ୍ତ୍ର ପ୍ରସ୍ତୁତ କରୁଥିବା କାରିଗର ଆଉ ଆଗଭଳି ନାହାନ୍ତି। ଯେଉଁ କେତେଜଣ ମୃଦଙ୍ଗ କାରିଗର ଅଛନ୍ତି ସେମାନେ ମଧ୍ୟ ପୂର୍ବଭଳି ତିଆରି କରୁନାହାନ୍ତି। କିନ୍ତୁ ୩୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ଅଡାଲ୍ ଗ୍ରାମର ଶେଷ ବାଘ (୬୫) ଫିରିଙ୍ଗିଆକୁ ନିଜର କର୍ମକ୍ଷେତ୍ର ଭାବେ ବାଛି ନେଇଛନ୍ତି। ବୟସ ଗଡ଼ିଚାଲିଥିଲେ ମଧ୍ୟ ସେ ଏହି ବୃତ୍ତିକୁ ଛାଡ଼ିନାହାନ୍ତି। ଏଠାରେ ତାଙ୍କର ନିଜର ଘରଡ଼ିହ ବୋଲି କିଛି ନଥିଲେ ବି ବଜାର ପାଖରେ ସାପ୍ତାହିକ ହାଟ ଘରଟିଏ ଭଡ଼ାରେ ନେଇ ମୃଦଙ୍ଗ ତିଆରିରେ ନିମଗ୍ନ ରହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କିଛିଦିନ ତଳେ ପକ୍ଷାଘାତରେ ପୀଡ଼ିତ ହୋଇ ଶେଷଙ୍କର ଡାହାଣ ହାତ ଓ ଗୋଡ଼ ଅଚଳ ହୋଇଯାଇଛି। ତଥାପି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ସଂଘର୍ଷ ଜାରି ରଖିଛନ୍ତି। ସାପ୍ତାହିକ ହାଟର ପିଣ୍ଡିଟିଏ ଭଡ଼ାରେ ନେଇ ସେଠାରେ ମୃଦଙ୍ଗ ମରାମତି ଓ ବିକ୍ରୟ କରୁଛନ୍ତି। ଏଥିରେ ତାଙ୍କ ପୁଅ ଦିଲୀପ, ସତ୍ୟ ଓ ବାଏରା ଦିଗାଲ ତାଙ୍କୁ ସହଯୋଗ କରୁଛନ୍ତି। ପୂର୍ବରୁ ମୃଦଙ୍ଗ ଓ ପୁରାତନ ବାଦ୍ୟଯନ୍ତ୍ରର ଚାହିଦା ଅଧିକ ରହୁଥିଲା। ତେଣୁ ଏହାକୁ ପ୍ରସ୍ତୁତ କରି ମହଜୁଦ ରଖି ବିକ୍ରି କରାଯାଉଥିଲା। ବର୍ତ୍ତମାନ ଆଶାନୁରୂପ ରୋଜଗାର ହେଉ ନଥିବାରୁ ଅନେକ କାରିଗର ଏଥିରୁ ମୁହଁ ଫେରାଉଛନ୍ତି। ବର୍ଷର କାର୍ତ୍ତିକ ଓ ମାଘ ମାସରେ କିଛି ମୃଦଙ୍ଗ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ତାହା ବହୁ ମାତ୍ରାରେ କମିଯାଇଛି ବୋଲି ମୃଦଙ୍ଗ କାରିଗର ଶେଷ କହିଛନ୍ତି।
ମୃଦଙ୍ଗ ପ୍ରସ୍ତୁତ ପାଇଁ ଆବଶ୍ୟକ ହେଉଥିବା ହାଣ୍ଡି, ସୁତା ଓ ପ୍ରସ୍ତୁତି ସାମଗ୍ରୀକୁ ସେ ପଡ଼ୋଶୀ ସୋନପୁର ଓ ବଲାଙ୍ଗୀର ଜିଲ୍ଲାରୁ ଆଣୁଛନ୍ତି। ଚମଡ଼ା ଓ ବାଦି ପାଇଁ କୋଲକାତା ଉପରେ ନିର୍ଭର କରିବାକୁ ପଡ଼ୁଛି। ଗୋଟିଏ ମୃଦଙ୍ଗ ତିଆରି ପାଇଁ ପାଞ୍ଚରୁ ଛଅଦିନ ଲାଗୁଥିବା ବେଳେ ଏହାର ଖର୍ଚ୍ଚ ପାଖାପାଖି ୪ ହଜାର ଟଙ୍କା ରହୁଛି। ବିକ୍ରି ବେଳେ ଖର୍ଚ୍ଚ ତୁଳନାରେ ପାରିଶ୍ରମିକ କମ୍ ମିଳୁଛି। କିନ୍ତୁ ଧାର୍ମିକ କାର୍ଯ୍ୟରେ ବ୍ୟବହାର ହେଉଥିବାରୁ ଏହି ମୃଦଙ୍ଗ ତିଆରି ତାଙ୍କୁ ଆତ୍ମତୃପ୍ତି ହେଉଛି ବୋଲି ସେ କହିଛନ୍ତି। ପର୍ବପର୍ବାଣୀ ସମୟରେ କିଛି ମୃଦଙ୍ଗ ବିକ୍ରି ହେଉଥିବା ବେଳେ ଅନ୍ୟ ସମୟରେ ହାତ ବାନ୍ଧି ବସିବାକୁ ପଡ଼ୁଛି। ଶେଷଙ୍କ କହିବା ପ୍ରକାରେ ହିନ୍ଦୁଧର୍ମରେ ନାମ ସଂକୀର୍ତ୍ତନ ଏକ ପ୍ରମୁଖ ଅଂଶ ଭାବେ ପରିଚିତ ହୋଇଥିବା ବେଳେ ମୃଦଙ୍ଗ କାରିଗରଙ୍କ ପ୍ରତି ସରକାରଙ୍କ ଧ୍ୟାନ ନାହିଁ। ତଥାପି ଲୋକକଳାକୁ ବଞ୍ଚାଇବାକୁ ଜୀବନର ଶେଷ ପର୍ଯ୍ୟନ୍ତ ସେ ମୃଦଙ୍ଗ ପ୍ରସ୍ତୁତ କରୁଥିବେ ବୋଲି କହିଛନ୍ତି। ତେଣୁ ସରକାରଙ୍କ ତରଫରୁ ଆବଶ୍ୟକ ପଦକ୍ଷେପ ନେଇ ସୁବିଧା ଯୋଗାଇ ଦେଲେ କୌଳିକ ବୃତ୍ତି ବଞ୍ଚିବା ସହ କଳା ମଧ୍ୟ ବଞ୍ଚି ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
[ad_2]