ଦେଶ ବିଦେଶ

ପାକିସ୍ତାନ ଭାରତ ବିରୋଧରେ ଏଫ୍‌-୧୬ର ଅପବ୍ୟବହାର କରିଛି

Image result for f 16 wallpaperଓ୍ବାଶିଂଟନ- ଆମେରିକା ନିର୍ମିତ ଯୁଦ୍ଧବିମାନ ଏଫ-୧୬ର ବ୍ୟବହାର ଚୁକ୍ତିନାମାକୁ ପାକିସ୍ତାନ ଉଲ୍ଲଂଘନ କରି ଭାରତ ବିରୋଧରେ ଏହାର ଅପବ୍ୟବହାର କରିଛି। ଏଥିପାଇଁ ଆମେରିକା ଇସ୍‌ଲାମାବାଦକୁ ଅଧିକ ତଥ୍ୟ ମାଗିଛି। ଗତ ଗୁରୁବାର ଭାରତୀୟ ବାୟୁସେନା ଆମ୍ରାମ୍‌ କ୍ଷେପଣାସ୍ତ୍ରର ଅଂଶବିଶେଷ ଦେଖାଇବା ପରେ ଏହାକୁ ନିକ୍ଷେପ କରିବା ଲାଗି ପାକିସ୍ତାନ ଏଫ-୧୬ ଲଢ଼ୁଆ ବିମାନ ବ୍ୟବହାର କରିଥିବା ସ୍ପଷ୍ଟ ହୋଇଛି। ବାଲାକୋଟରେ ଭାରତର ଆତଙ୍କବାଦ ନିରୋଧୀ କାର୍ଯ୍ୟାନୁଷ୍ଠାନ ପରେ ୨୭ ତାରିଖରେ ପାକିସ୍ତାନ ପ୍ରତିଶୋଧ ନେବା ଲକ୍ଷ୍ୟରେ ଏଫ-୧୬ ଲଢ଼ୁଆ ବିମାନକୁ ବ୍ୟବହାର କରିଥିଲା। ଏହି ବିମାନ ସହାୟତାରେ ଭାରତୀୟ ସାମରିକ ଘାଟିଗୁଡିକୁ ଟାର୍ଗେଟ କରିଥିଲା ପାକିସ୍ତାନୀ ବାୟୁସେନା। ତେବେ ଏହି ବିମାନ ବ୍ୟବହାରକୁ ପାକିସ୍ତାନ ଅସ୍ବୀକାର କରିଥିଲା। ଏପରିକି ଭାରତୀୟ ବାୟୁସେନା ଉକ୍ତ ବିମାନକୁ ଖସାଇଥିଲେ ମଧ୍ୟ ଇସ୍‌ଲାମାବାଦ ଏହାକୁ ମାନି ନ ଥିଲା। ଭାରତ  ପ୍ରମାଣ ଦେଖାଇବା ପରେ ପାକିସ୍ତାନର ମିଛ ପଦାରେ ପଡିଥିଲା। ଆମେରିକା ପ୍ରକୃତ ଘଟଣା ଜାଣିବା ପରେ ଇସ୍‌ଲାମାବାଦକୁ ଅଧିକ ତଥ୍ୟ ମାଗିଥିବା ଏହାର ପରରାଷ୍ଟ୍ର ବିଭାଗ ମୁଖପାତ୍ର କହିଛନ୍ତି।

   ଆମେରିକା ନିର୍ମିତ ଉଚ୍ଚ ପ୍ରଯୁକ୍ତିଯୁକ୍ତ ପ୍ରତିରକ୍ଷା ସରଞ୍ଜାମ ବ୍ୟବହାର ପାଇଁ ଏଣ୍ଡ-ୟୁଜର୍‌ ମନିଟରିଂ ରାଜିନାମା ରଖାଯାଇଛି। ଏଫ-୧୬ ଯୁଦ୍ଧବିମାନ କିଣିବାବେଳେ ପାକିସ୍ତାନ ଆମେରିକା ସହ ଉକ୍ତ ରାଜିନାମାରେ ସ୍ବାକ୍ଷର କରିଥିଲା। ଉକ୍ତ ରାଜିନାମା ଅନୁଯାୟୀ ଏଫ-୧୬କୁ କେବଳ  ଆତଙ୍କବାଦୀ ନିରୋଧୀ କାର୍ଯ୍ୟାନୁଷ୍ଠାନ ସମୟରେ ବ୍ୟବହାର କରାଯାଇପାରିବ। କିନ୍ତୁ ପାକିସ୍ତାନ ଭାରତୀୟ ସେନା ଘାଟି ଉପରେ ଏହାକୁ ବ୍ୟବହାର କରି ରାଜିନାମାର ଉଲ୍ଲଂଘନ କରିଥିବା କୁହାଯାଉଛି। ବିଦେଶୀ ରାଷ୍ଟ୍ରକୁ ପ୍ରତିରକ୍ଷା ସାମଗ୍ରୀ ବିକ୍ରି ରାଜିନାମାରେ ଏହାକୁ ଗୋପନ ରଖାଯାଉଥିବାରୁ ଏ ସମ୍ପର୍କରେ ସବିଶେଷ ବିବରଣୀ ଦେବାକୁ ପ୍ରତିରକ୍ଷା ବିଭାଗ ମୁଖପାତ୍ର ଲ୍ୟୁଟ୍‌ନାଣ୍ଟ କଲୋନେଲ କୋନ୍‌ ଫକ୍‌ନର ମନା କରିଦେଇଛନ୍ତି। ତେବେ ସାଧାରଣରେ ମିଳିଥିବା ତଥ୍ୟ ଅନୁଯାୟୀ ଏଫ-୧୬ର ବ୍ୟବହାର ଲାଗି ପାକିସ୍ତାନ ଉପରେ ଆମେରିକା ଅନେକ କଟକଣା ଲଗାଇଥିଲା। ୨୦୦୬ ଜୁଲାଇ ୨୦ରେ ଆମେରିକା କଂଗ୍ରେସରେ ଏକ ଶୁଣାଣି ବେଳେ ରାଜନୈତିକ ସାମରିକ ବ୍ୟାପାର ସହକାରୀ ସଚିବ ଜନ୍‌ ମୁଲର୍‌ କହିଥିଲେ, ଆମେରିକା ପ୍ରଯୁକ୍ତି ଓ ଉପକରଣ ହସ୍ତାନ୍ତରଣ ପୂର୍ବରୁ ଏହାର ସମ୍ଭାବ୍ୟ ବିପଦ ସମ୍ପର୍କରେ ଦେଶ ଗୁରୁତର ସହ ଚିନ୍ତା କରିଛି। ପାକିସ୍ତାନକୁ ଏଫ-୧୬ ବିକ୍ରି ପୂର୍ବରୁ ଲାଗୁ ହୋଇଥିବା କଟକଣାଗୁଡିକ ସମ୍ପର୍କରେ ମୁଲର ରୁଦ୍ଧଦ୍ୱାର ଶୁଣାଣିରେ ଆଇନ ପ୍ରଣୟନକାରୀମାନଙ୍କୁ ଜଣାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button