ଯେମିତି… ସେମିତିି… – bajravana
[ad_1]
ସମସ୍ତଙ୍କ ଆଖିରେ ସ୍ବପ୍ନ ଥାଏ, ତାଙ୍କ ପିଲା ଦି’ ଅକ୍ଷର ପଢ଼ିବ। ଭଲ ମଣିଷ ହେବ। ରୋଜଗାର କରିବ। ୨୦୨୩ ଟିପା ଖାତା ବଖାଣୁଛି, ଏସବୁ କେତେ ପୂରଣ ହୋଇଛି? ରାଜ୍ୟ ସରକାର ବିଦ୍ୟାଳୟ ରୂପାନ୍ତର କଲେ। କଳାପଟା, ଡେସ୍କ ସବୁ ବଦଳିଗଲା। ହେଲେ ବିଦ୍ୟାଳୟକୁ ଶୈକ୍ଷିକ ବାତାବରଣ ଫେରିପାରିଲା ନାହିଁ। ବର୍ଷଶେଷ ବେଳକୁ ଡ୍ରପ୍ ଆଉଟ୍ ପରିସଂଖ୍ୟାନର ଅନେକ ସତ ପଦାକୁ ଆଣିଛି। କେବଳ ସେତିକି ନୁହେଁ, ଜାଲ୍ ଶିକ୍ଷକ ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି। ହଁ, ପ୍ରଶ୍ନପତ୍ରରେ ତ୍ରୁଟି, ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଓ କେଇ ଲକ୍ଷ ଟଙ୍କାରେ ପ୍ରଶ୍ନପତ୍ର ବିକ୍ରିର ଅପବାଦ ମୁଣ୍ଡାଇଛି ଓଡ଼ିଶା। ଏପଟେ ବିଶ୍ବବିଦ୍ୟାଳୟରେ ନିଯୁକ୍ତି ମାମଲାର ସମାଧାନ କରିପାରିନାହାନ୍ତି ସରକାର। ନାକ୍ରେ ଭଲ ଗ୍ରେଡ୍ ପାଇବାକୁ ଟଣାଓଟରା ଜାରି ରହିଛି। ଛାତ୍ର ସଂସଦ ନିର୍ବାଚନ ବନ୍ଦ ବିତର୍କ ବି। ହକ୍ ପାଇଁ ମହାତ୍ମା ଗାନ୍ଧୀ ମାର୍ଗରେ ଗୁରୁଙ୍କ ଗର୍ଜନ ଯେମିତି ଦେହସୁଆ ହୋଇଗଲାଣି।….
ପ୍ରସ୍ତୁତି: କେଶବ ପାଣି
Sambad is now on WhatsApp
Join and get latest news updates delivered to you via WhatsApp
କ୍ୟାମ୍ପସକୁ ମିଳିଲାନି ନେତା
ଏଥର ମଧ୍ୟ କ୍ୟାମ୍ପସରୁ ନେତା ଚୟନ ଉପରେ ରାଜ୍ୟ ସରକାର ରୋକ ଲଗାଇଲେ। ଲଗାତାର ୬ଷ୍ଠ ଥର ପାଇଁ କଲେଜ ନିର୍ବାଚନ ବନ୍ଦ ନିଷ୍ପତ୍ତି ନିଆଗଲା। ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଲେ। ବିରୋଧୀମାନେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନିନ୍ଦା କରିବା ସହ ଶାଣିତ ସମାଲୋଚନା କଲେ। ଅନ୍ୟପକ୍ଷରେ ନିର୍ବାଚନ ବନ୍ଦ ସିନା ହେଲା, ଅସଲରେ କିନ୍ତୁ ରାଜନୀତି ବଳୟରୁ ମୁକ୍ତି ହୋଇପାରିଲା ନାହିଁ ଶିକ୍ଷାନୁଷ୍ଠାନ। ରାଜ୍ୟର ତିନି ଛାମୁଆ ଛାତ୍ର ସଙ୍ଗଠନ କ୍ୟାମ୍ପସ କମିଟି ଗଠନ କରି ସେମାନଙ୍କ ରାଜନୈତିକ ଉପସ୍ଥିତି ଜାହିର କରିଛନ୍ତି। ପ୍ରଥମେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଓ ପରେ ‘ନୂଆ-ଓ’ କାର୍ଯ୍ୟକ୍ରମ କରିବାକୁ ରାଜ୍ୟ ସରକାର ଯୁକ୍ତ୨ ଓ ଡିଗ୍ରି କଲେଜକୁ ହାତ ଖୋଲି ପାଣ୍ଠି ଯୋଗାଇ ଦେଇଛନ୍ତି। ନିର୍ବାଚନ ପୂର୍ବରୁ କ୍ୟାମ୍ପସରେ ମୋଦି ଓ ନବୀନ ସେଲ୍ଫି ପଏଣ୍ଟ୍ ପ୍ରତିଷ୍ଠାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି।
କାଠଗଡ଼ାରେ କୁଳପତିଙ୍କ ଭାଗ୍ୟ
ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦କୁ ନେଇ ଲାଗି ରହିଥିବା ବିବାଦ ୨୦୨୩ରେ ମଧ୍ୟ ଜାରି ରହିଛି। ୨୦୨୨ ମେ’ ମାସରେ ସୁପ୍ରିମକୋର୍ଟ ଲଗାଇଥିବା ସ୍ଥଗିତାଦେଶ ଉପରୁ କଟକଣା ହଟିପାରି ନାହିଁ। ବର୍ଷତମାମ ଏହି ଅଧିନିୟମ ଉପରେ ଶୁଣାଣି ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ରାୟ ପ୍ରକାଶ ପାଇ ନାହିଁ। କେବେ ରାୟ ଆସିବ? ବିଶ୍ବବିଦ୍ୟାଳୟରେ ଖାଲିଥିବା ପଦବିଗୁଡ଼ିକ କେବେ ପୂରଣ ହେବ? ସଂଶୋଧିତ ଅଧିନିୟମ ବଳରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଭିନ୍ନ ବିଶ୍ବବିଦ୍ୟାଳୟରେ ନିଯୁକ୍ତ ହୋଇଥିବା କୁଳପତି ଓ ପ୍ରଫେସରଙ୍କ ଭାଗ୍ୟ କ’ଣ ହେବ? ଏହାର ଉତ୍ତର କାହାପାଖେ ନାହିଁ। ଏହି ଗୋଟିଏ ଘଟଣା ବୟାନ କରୁଛି କ୍ୟାମ୍ପସରେ ଶିକ୍ଷା କେତେ ବିକଳ ଅବସ୍ଥାରେ ରହିଛି।
ବିଜୁଳି କଲା ବଦନାମ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଭାରେ ବିଜୁଳି କାଟ୍। ରାଜ୍ୟ ପଡ଼ିଲା ଉଠିଲା। ମେ’ ୬ରେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦୀକ୍ଷାନ୍ତ ଭାଷଣ ଦେଉଥିବା ସମୟରେ ବିଦ୍ୟୁତ୍ ବିଭ୍ରାଟ ସରକାରଙ୍କୁ ଢେର୍ ହୀନସ୍ତା କରିଛି। ୧୦ ମିନଟ୍ ଧରି ବିଦ୍ୟୁତ୍ ବିଭ୍ରାଟକୁ ନେଇ ଜାତୀୟ ସ୍ତରରେ ମଧ୍ୟ ଓଡ଼ିଶା ବଦନାମ ମୁଣ୍ଡାଇଥିଲା। ଅବଶ୍ୟ କ୍ୟାମ୍ପସ୍ରୁ ରାଷ୍ଟ୍ରପତି ଢେର୍ କିଛି ବାର୍ତ୍ତା େଦଇଛନ୍ତି। ନିଜେ ପଢ଼ିଥିବା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ‘ମୋ ଜୀବନ ଗଢ଼ିଛି ଏହି ମହାନ ଶିକ୍ଷାନୁଷ୍ଠାନ’ କହି ଓଡ଼ିଆଙ୍କ ମନ ଜିଣି ନେଇଥିଲେ ରାଷ୍ଟ୍ରପତି। ଜୁଲାଇରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର, ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବ, ନଭେମ୍ବରରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍)ର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କ କାନରେ ଅନେକ ନୂଆ ମନ୍ତ୍ର ଫୁଙ୍କିଥିଲେ।
ଯୋଜନା ଅଧିକ, କାମ କମ୍
ଶୃଙ୍ଖଳାର ଜ୍ଞାନ ଶିଖାଇବାକୁ ଥିବା ଅନୁଷ୍ଠାନରେ ଏହାର ଅଭାବ ଜଳଜଳ। ଏହାଠୁ ଦୁର୍ଭାଗ୍ୟଜନକ କଥା କ’ଣ ହୋଇପାରେ। ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ୟୁଜି ଓ ପିଜି ପାଠ୍ୟକ୍ରମରେ ନାମଲେଖା କାଉନସେଲିଂରେ ବ୍ୟାପକ ତ୍ରୁଟି ଗୋଟିଏ ଗୋଟିଏ ଉଦାହରଣ। କେବଳ ସେତିକି ନୁହେଁ, ଶିକ୍ଷାବର୍ଷ କ୍ୟାଲେଣ୍ଡର ଜାରି କରି ଧାର୍ଯ୍ୟ ସମୟରେ ପାଠପଢ଼ା, ପରୀକ୍ଷା, ପରୀକ୍ଷାଫଳ ପ୍ରକାଶ କରିବାକୁ ଉଚ୍ଚଶିକ୍ଷା ବିଭାଗ ରୂପରେଖ ପ୍ରସ୍ତୁତ କରିଥିଲା। ମାତ୍ର କୌଣସି ଗୋଟିଏ ମଧ୍ୟ ଧାର୍ଯ୍ୟ ସମୟରେ ହୋଇ ନଥିଲା। ପିଜି ନାମଲେଖା ୫ ମାସ ଧରି ଚାଲିଥିଲେ ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନରେ ସିଟ୍ ଖାଲି ପଡ଼ିଛି। ୟୁଜିରେ ବି ସମସ୍ୟା ଲାଗିରହିବା ହେତୁ ନାମଲେଖା ପ୍ରକ୍ରିୟା ବିଳମ୍ବ ହୋଇଥିଲା। ଚଳିତବର୍ଷ ସିଟି ଓ ବିଏଡ୍ ପାଠ୍ୟକ୍ରମରେ ନାମଲେଖା ଢେର୍ ବିଳମ୍ବରେ ହେଲା। ଏକଥା ବି ସତ ଯେ ଇଞ୍ଜିନିୟରିଂ, ଆଇଟିଆଇ, ଡିପ୍ଲୋମା ପରି ପାଠ୍ୟକ୍ରମରେ ପୂର୍ବବର୍ଷ ପରି ଏଥର ବି ଅନେକ ସିଟ୍ ଖାଲି ପଡ଼ିଛି।
ନାକ୍ ପାଇଁ ନାକେଦମ୍
ନ୍ୟାସନାଲ ଆସେସ୍ମେଣ୍ଟ ଆଣ୍ଡ ଆକ୍ରିଡିଟେସନ କାଉନସିଲ୍(ନାକ୍) ଗ୍ରେଡ୍ ପାଇବାକୁ ରାଜ୍ୟର ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ନାକକେଦମ ହେବାକୁ ପଡ଼ିଛି। ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ଭିତ୍ତିଭୂମି ବିକାଶ କରିବାକୁ ଝାଳନାଳ ବୁହାଇଛନ୍ତି। ରାତାରାତି କ୍ୟାମ୍ପସର ରୂପରେଖ ବଦଳାଇ ଦେବାରେ ସଫଳ ହୋଇଛନ୍ତି। ଆଉ ଏଥିରେ ବାଜି ମାରି ନେଇଛନ୍ତି ରେଭେନ୍ସା ଓ ଫକୀରମୋହନ ବିଶ୍ବବିଦ୍ୟାଳୟ। ଗୋଟିଏ ସମୟରେ ‘ଏ’ ଗ୍ରେଡ୍ ପାଇଥିବା ରେଭେନ୍ସା ଏବର୍ଷ ‘ଏ++’ ଗ୍ରେଡ୍ ଏବଂ ଫକୀରମୋହନ ବିଶ୍ବବିଦ୍ୟାଳୟ ‘ବି+’ ଗ୍ରେଡ୍ରୁ ‘ଏ’କୁ ସଫଳତାର ଶିଡ଼ି ଚଢ଼ିଛି। ବାଦବିବାଦ ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟ ‘ଏ+’ ଗ୍ରେଡ୍ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ‘ଏ’ ଗ୍ରେଡ୍ ସ୍ଥିତି ବଜାୟ ରଖିଛନ୍ତି। ରମାଦେବୀ ବିଶ୍ବବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ସମେତ ଦୁଇ ଡଜନ୍ରୁ ଅଧିକ ସ୍ବୟଂଶାସିତ ମହାବିଦ୍ୟାଳୟ ଭିତ୍ତିଭୂମି ବିକାଶ କରି ଆବେଦନ କରିବାକୁ ପ୍ରସ୍ତୁତ ହେଉଛନ୍ତି।
କିଏ ସତ? କିଏ ମିଛ?
ଲୋକସଭାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ୨୦୨୧-୨୨ ଶିକ୍ଷାବର୍ଷରେ ଓଡ଼ିଶାରେ ମାଟ୍ରିକ୍ ଡ୍ରପ୍ ଆଉଟ୍ ହାର ୪୯.୯% ରହିଥିଲା। ଓଡ଼ିଶା ପରି ଦେଶର ଆଉ କୌଣସି ରାଜ୍ୟରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ା ଛାଡ଼ି ନାହାନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏହି ଉତ୍ତରକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ମୁହାଁମୁହିଁ ହୋଇଛନ୍ତି। ତଥ୍ୟକୁ ରାଜ୍ୟ ସରକାର ଗ୍ରହଣ କରିନାହାନ୍ତି। ବିଭାଗୀୟ ଅଧିକାରୀମାନେ ଯୁକ୍ତି ବାଢ଼ିଛନ୍ତି ଯେ ଆମର ଡ୍ରପ୍ ଆଉଟ୍ ହାର ୧୬% ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଇତିମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପତ୍ର ଲେଖି ଆପତ୍ତି ଉଠାଇଛନ୍ତି। ରାଜ୍ୟରେ ଚାଲୁଥିବା ଅନ୍ୟାନ୍ୟ ବେସରକାରୀ ବିଦ୍ୟାଳୟ/ଅନୁଷ୍ଠାନ/ବୈଷୟିକ ଅନୁଷ୍ଠାନ ଓ ପତ୍ର ବିନିମୟ ପାଠ୍ୟକ୍ରମରେ ପଢ଼ୁଥିବା ୧ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀଙ୍କ ତଥ୍ୟ ଉପସ୍ଥାପନ କରାଯିବାର ବିଧି ବ୍ୟବସ୍ଥା ନାହିଁ। ତେଣୁ କେବଳ ୟୁ-ଡାଇଜ୍ ତଥ୍ୟ ଆଧାରରେ ଡ୍ରପ୍ଆଉଟ୍ ହାରର ସଠିକ୍ ଆକଳନ କରିବା ସମ୍ଭବପର ନୁହେଁ ବୋଲି ଗଣଶିକ୍ଷା ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ଆଗରେ ଯୁକ୍ତି ବାଢ଼ିଛନ୍ତି। ଏବେ କେନ୍ଦ୍ର ସରକାରଙ୍କ ଉତ୍ତରକୁ ଅପେକ୍ଷା।
ଅଳ୍ପରେ ଅନେକ…
ଓଡ଼ିଶା ଶିକ୍ଷା ଜଗତରେ କିଛି ନୂଆ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ବିଳମ୍ବ ସତ୍ତ୍ବେ ଓଡ଼ିଆ ବିଶ୍ବବିଦ୍ୟାଳୟ ଓ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ଆରମ୍ଭ ହୋଇଛି। କୋରାପୁଟର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟ ଓ କେନ୍ଦୁଝରର ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରାଯାଇଛି। ବିପିୟୁଟି, ଓୟୁଟିଆର, ସମ୍ବଲପୁର, ଓଡ଼ିଆ ବିଶ୍ବବିଦ୍ୟାଳୟ ଓ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ଏବର୍ଷ ନୂଆ ମୁଖିଆ ପାଇଛି। ୟୁପିଏସ୍ସି ଦ୍ବାରା ପରିଚାଳିତ ଆଇଏଏସ୍ ପରୀକ୍ଷାରେ ଓଡ଼ିଆଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ୨୦୦ ପିଲାଙ୍କ ପାଇଁ କୋଚିଂ ବ୍ୟବସ୍ଥା ହୋଇଛି। ବିଦ୍ୟାଳୟ ସ୍ତରରେ ଶିକ୍ଷକ ନିଯୁକ୍ତି, ସ୍କୁଲ ରୂପାନ୍ତରୀକରଣ ୧୦୬ ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରକୁ ଉନ୍ନୀତ, ସ୍କୁଲ ପିଲାଙ୍କ ଡ୍ରେସ୍କୋଡ୍ ରଙ୍ଗ ପରିବର୍ତ୍ତନ, ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ନକଲ ପ୍ରଶ୍ନପତ୍ର ପ୍ରକାଶ ଭଳି ନୂଆ ପଦକ୍ଷେପ ହାତକୁ ନିଆଯାଇଛି।
ଭବିଷ୍ୟତ ସହ ଖେଳ
ନିଯୁକ୍ତି କ୍ଷେତ୍ରରେ କେଳେଙ୍କାରୀ ରାଜ୍ୟ ମେଧାବୀ ଛାତ୍ରଛାତ୍ରୀଙ୍କ ଉପରେ ଢେର୍ ପ୍ରଭାବ ପକାଇଥିଲା। ସବୁଠାରୁ ଚର୍ଚ୍ଚାରେ ଥିଲା- ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ(ଓଏସ୍ଏସ୍ସି)। ପ୍ରଶ୍ନପତ୍ର ଲିକ୍, ତ୍ରୁଟି ନେଇ ଓଡ଼ିଶା ପଡ଼ିଲା ଉଠିଲା। କନିଷ୍ଠ ଯନ୍ତ୍ରୀ(ସିଭିଲ) ପ୍ରଶ୍ନପତ୍ର ଲିକ୍ ମାମଲା ସାମ୍ନାକୁ ଆସିବା ପରେ ଓଡ଼ିଶାରେ ଅନ୍ତଃରାଜ୍ୟ ରାକେଟ୍ ସକ୍ରିୟ ଥିବା ଜଣାପଡ଼ିଥିଲା। ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶର ୨୭ ଜଣ ଗିରଫ ହେଲେ। କେବଳ ଏଇ ଘଟଣା ନୁହେଁ। ହାଇସ୍କୁଲରେ ହିନ୍ଦୀ ଓ ସଂସ୍କୃତ ବିଷୟ ଶିକ୍ଷକ ନିଯୁକ୍ତି ପାଇଁ ଅନୁଷ୍ଠିତ ମୁଖ୍ୟ ଲିଖିତ ପରୀକ୍ଷାରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବାରୁ ବାତିଲ୍ କରାଯାଇଥିଲା। ଗୃହ ଓ ନଗର ଉନ୍ନୟନ ବିଭାଗର ଆକାଉଣ୍ଟାଣ୍ଟ୍ ପଦବି ଲାଗି ଅନୁଷ୍ଠିତ ପ୍ରିଲିମିନାରି ପରୀକ୍ଷାର ଓଡ଼ିଆ ଭାଷା ପ୍ରଶ୍ନପତ୍ର ବି ତ୍ରୁଟିଯୁକ୍ତ ଥିଲା। ପରୀକ୍ଷା ବାତିଲ୍ ହେଲା। ତେବେ ଏଏସ୍ଓ ନିଯୁକ୍ତିକୁ ନେଇ ୨୦୨୨ରେ ହାଇକୋର୍ଟରେ ହୋଇଥିବା ମାମଲାରେ ରାୟ ପ୍ରକାଶ କଲେ ହାଇକୋର୍ଟ। ଅନ୍ୟପଟରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ମଧ୍ୟ ବିବାଦ ମୁକ୍ତ ହୋଇପାରି ନ ଥିଲା। ପୁଲିସ ନିଯୁକ୍ତି ପ୍ରକ୍ରିୟାରେ ବାରମ୍ବାର ସମସ୍ୟା ହେବାରୁ ସ୍ବଚ୍ଛତା ଆଣିବାକୁ ସରକାର ପୁଲିସ ନିଯୁକ୍ତି ବୋର୍ଡ ଗଠନ କଲେ। ଲକ୍ଷାଧିକ ଯୁବକ ଚାକିରି ଆଶାୟୀ ଥିବା ବେଳେ ସରକାରୀ ପରୀକ୍ଷାରେ ସ୍ବଚ୍ଛତା ନ ରହିବା ଘଟଣା ଗୋଟିଏ ଛୋଟ ପ୍ରସଙ୍ଗ ନୁହେଁ।
[ad_2]