ଓଡିଶା

ବିମାନବନ୍ଦର ବିକାଶରେ ଆର୍‌ଏସ୍‌ପି ବାଧକ! – bajravana

[ad_1]

ମାଲିକାନାସତ୍ତ୍ବ ନଥିବାରୁ ଭିତ୍ତିଭୂମି ବିକାଶ କରୁନି ଏଏଆଇ

ରାଉରକେଲା: ରାଉରକେଲା ବିମାନବନ୍ଦର ପୂର୍ଣ୍ଣ କାର୍ଯ୍ୟକ୍ଷମ ଆଶା ମଉଳିବାରେ ଲାଗିଛି। ବାରମ୍ବାର ଦାବି ହେବାସତ୍ତ୍ବେ ଇନ୍‌ଷ୍ଟ୍ରୁମେଣ୍ଟ୍‌ ଲ୍ୟାଣ୍ଡିଂ ସିଷ୍ଟମ୍‌(ଆଇଏଲ୍‌ଏସ୍‌) ହେଉନି କି ବିମାନବନ୍ଦରକୁ ୪ସି ଲାଇସେନ୍ସ ମିଳୁନି। ଏମିତିକି ନୂଆଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁରୁକୁ ବିମାନ ସଂଯୋଗ ହୋଇପାରୁନି। ଏବେ କେବଳ ଏଟିଆର୍‌-୭୨ ହିଁ ରାଉରକେଲା-ଭୁବନେଶ୍ବର ଓ ରାଉରକେଲା-କୋଲକାତା ମଧ୍ୟରେ ଉଡ଼ୁଛି; ଯଦ୍ବାରା ସ୍ମାର୍ଟସିଟିବାସୀଙ୍କ ସମସ୍ୟା ସମାଧାନ ହୋଇପାରୁନି। ଏହି ସମସ୍ୟାର ମୂଳ କାରଣ ପାଲଟିଛି ବିମାନବନ୍ଦରର ମାଲିକାନାସତ୍ତ୍ବ। ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ମାଲିକାନାସତ୍ତ୍ବ ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ)କୁ ହସ୍ତାନ୍ତର କରାଯାଉନି, ଯଦ୍ବାରା ଏଏଆଇ ଭିତ୍ତିଭୂମି ବିକାଶ ସହ ସେବା ବ୍ୟାପକ କରିବାକୁ ପ୍ରାଥମିକତା ଦେଉନି।

ଆର୍‌ଏସ୍‌ପି ଅଧିନରେ ଥିବା ବିମାନବନ୍ଦର ଜମିକୁ ଏଏଆଇକୁ ହସ୍ତାନ୍ତର କରିବାକୁ ସାଂସଦ ତଥା ରାଷ୍ଟ୍ରୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମ ମତ ରଖିଛନ୍ତି। ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଓ ଇସ୍ପାତ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଲେଖିଥିବା ପତ୍ରରେ ଶ୍ରୀ ଓରାମ ଉଲ୍ଲେଖ କରିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ଲିଜ୍‌ ଭିତ୍ତିରେ ଆର୍‌ଏସ୍‌ପିକୁ ଜମି ଦିଆଯାଇଛି। ଉକ୍ତ ଜମିରେ ବିମାନ ଚଳାଚଳ କରୁଛି। ଫଳରେ ବିମାନବନ୍ଦର ପୂର୍ଣ୍ଣ ବିକଶିତ ହୋଇପାରୁନି। ଏଣୁ ତୁରନ୍ତ ଉକ୍ତ ଜମିକୁ ଏଏଆଇକୁ ହସ୍ତାନ୍ତର କରାଯାଉ। ଏତଦ୍‌ବ୍ୟତୀତ ଦିଲ୍ଲୀ ସମେତ ଅନ୍ୟାନ୍ୟ ସହରକୁ ବିମାନ ସଂଯୋଗ, ଅବିଳମ୍ବେ ରାତ୍ରିକାଳୀନ ବିମାନ ଅବତରଣ ବ୍ୟବସ୍ଥା ଓ ଆଇଏଲ୍‌ଏସ୍‌ ପାଇଁ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଆର୍‌ଏସ୍‌ପି ସ୍ଥାପନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜମି ପ୍ରଦାନ କରାଯାଇଥିଲା। ପରେ ଷାଠିଏ ଦଶକରେ ଅବ୍ୟବହୃତ ଜମିରେ ଆର୍‌ଏସ୍‌ପି ପକ୍ଷରୁ ବିମାନବନ୍ଦର ନିର୍ମାଣ କରାଯାଇଥିଲା। ସେବେଠାରୁ ବିମାନବନ୍ଦରର ମାଲିକାନାସତ୍ତ୍ବ ଆର୍‌ଏସ୍‌ପି ପାଖରେ। ଅବଶ୍ୟ, ଆଇଏଲ୍‌ଏସ୍‌ ବ୍ୟବସ୍ଥା ସମେତ ଆନୁସଙ୍ଗିକ ଭିତ୍ତିଭୂମି ବିକାଶ ପାଇଁ ଆର୍‌ଏସ୍‌ପି ପକ୍ଷରୁ ଏଏଆଇର ଦୃଷ୍ଟି ଆକର୍ଷଣ କରାଯାଉଛି; କିନ୍ତୁ ମାଲିକାନା ହସ୍ତାନ୍ତର ପ୍ରସଙ୍ଗରେ ଚୁପ୍‌ ବସିଛନ୍ତି।

ମାଲିକାନାସତ୍ତ୍ବ ନଥିବାରୁ ଭିତ୍ତିଭୂମି ବିକାଶ କରୁନି ଏଏଆଇ

ଜମି ହସ୍ତାନ୍ତର ପାଇଁ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଜୁଏଲ

ବିଗତ ଦିନରେ ଆଇଏଲସ୍‌ ପାଇଁ ଲିଖିତ ଏକ ପତ୍ରର ଜବାବରେ ଏଏଆଇ ମହାପ୍ରବନ୍ଧକ ଆର୍‌କେ ବର୍ମା ଇ-ମେଲ୍‌ କରି କହିଥିଲେ, ରାଉରକେଲା ବିମାନବନ୍ଦରର ପରିଚାଳନା ଭାର ସେଲ୍‌ ପାଖରେ ରହିଛି। ଆଇଏଲ୍‌ଏସ୍‌ ବାବଦକୁ ହେବାକୁ ଥିବା ସମସ୍ତ ଖର୍ଚ୍ଚ ବହନ ପାଇଁ ଯଦି ସେଲ୍‌ ସହମତି ପ୍ରକାଶ କରେ, ତା’ହେଲେ ଆଏଲଏସ୍‌ ସ୍ଥାପନ ପ୍ରସ୍ତାବକୁ ବିଚାରକୁ ନିଆ ଯାଇପାରେ ବୋଲି ଦର୍ଶାଇଥିଲେ। ତେବେ ସେଲ୍‌ ଏନେଇ କୌଣସି ସ୍ପଷ୍ଟ ପକ୍ଷ ରଖିନଥିଲା। କେବଳ ପତ୍ର ଲେଖି ଆନୁସଙ୍ଗିକ ବ୍ୟୟ ବାବଦରେ ଜାଣିବାକୁ ଚାହିଁଥିଲା; ତେବେ ସବୁ ଖର୍ଚ୍ଚ ନିଜେ ବହନ କରିବା ପ୍ରତିଶ୍ରୁତି ଦିଆଯାଇନଥିଲା। ଓଲଟା ଭାରତ ସରକାରଙ୍କ ଉଡାନ୍‌ ଯୋଜନା‌ ଅନ୍ତର୍ଗତ ପାଣ୍ଠି ବ୍ୟବସ୍ଥା ବିଷୟରେ ଉଲ୍ଲେଖ କରାଯାଇଥିଲା। ଅପରପକ୍ଷରେ ବିମାନବନ୍ଦର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକବାର ଏଏଆଇ କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଛି ସତ; କିନ୍ତୁ ମାଲିକାନା ହସ୍ତାନ୍ତର ନେଇ ଠୋସ୍‌ ପଦକ୍ଷେପ ନିଆଯାଇନି। ଆର୍‌ଏସ୍‌ପି ଅଧିନସ୍ଥ ଜମିକୁ ରାଜ୍ୟ ସରକାର ନିଜ ଆୟତ୍ତକୁ ନେଇ ଏଏଆଇକୁ ହସ୍ତାନ୍ତର କରିବା ହିଁ ଏକମାତ୍ର ବିକଳ୍ପ ପାଲଟିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button