ଦେଶରେ ପ୍ରଥମ: ଡିଜିଟାଲ ପୋଞ୍ଜି ସ୍କିମ୍ ମାମଲାରେ ପ୍ରିନ୍ସକୁ ୭ ବର୍ଷ ଜେଲ୍ – bajravana
[ad_1]
ବାଲେଶ୍ବର/ଭୁବନେଶ୍ବର: ଡିଜିଟାଲ ଆପ୍ରେ ଅଳ୍ପ କିଛି ଟଙ୍କା ନିବେଶ କରି ଅଧିକ ଲାଭ ଆଶା ଦେଖାଇ ଓଡ଼ିଶାରୁ ଦେଢ଼ କୋଟିରୁ ଅଧିକ ଟଙ୍କା ଠକିଥିବା ଅଭିଯୁକ୍ତ ପ୍ରିନ୍ସ କୁମାରକୁ ୭ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ବାଲେଶ୍ବର ଓପିଆଇଡି କୋର୍ଟ। ଏହାସହ ୩ ଲକ୍ଷ ୩୩ ହଜାର ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ଏକ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। ଡିଜିଟାଲ ପୋଞ୍ଜି ସ୍କିମ୍ ମାମଲାରେ ଏହା ଦେଶର ପ୍ରଥମ ଦଣ୍ଡାଦେଶ ବୋଲି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟ) ପକ୍ଷରୁ ସୂଚନା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିହାର ମୁଜାଫରନଗରର ପ୍ରିନ୍ସ କୁମାର ଏମ୍/ଏସ୍ ଡିଜିଟାଲ ରିଭୋଲ୍ୟୁସନ୍ ଟେକ୍ନୋଲୋଜି ଲିମିଟେଡ୍’ ନାମରେ ଏକ କମ୍ପାନି ଖୋଲି କର୍ମଚାରୀ ନିୟୋଜିତ କରିଥିଲା। ଲୋକଙ୍କ ବିଶ୍ୱାସ ଭାଜନ ପାଇଁ ସେ ୟୁଟ୍ୟୁବ୍, ହ୍ବାଟ୍ସଆପ୍, ଆମାଜନ୍, ଇମେଲ୍, ଅନ୍ଲାଇନ୍ ଡିଜିଟାଲ ଗେମିଂ, ଡିଜିଟାଲ ପେମେଣ୍ଟ୍ ଓ ନେଟ୍ଫ୍ଲିକ୍ସ ଆଦିର ବିକଳ୍ପ ଭାରତୀୟ ଆପ୍ ଯଥା ଶପ୍ ସବ୍କୁଛ୍, ମାଇପେ, ମାଇୟୁଟୁବ୍ ୱାର୍ଲଡ, ଭିଡ୍ସ୍କୋପ, ଚିଠି, ଗୋଗେମ୍ ଆଦି ପ୍ରସ୍ତୁତ କରିଥିଲା। ରାଜ୍ୟରୁ ରାଜ୍ୟ ବୁଲି ଅଧିକରୁ ଅଧିକ ଲୋକଙ୍କୁ କମ୍ପାନି ସହ ଯୋଡୁଥିଲା। ପ୍ରିନ୍ସ ସହ ର଼୍ୟାକେଟ୍ରେ ସମ୍ପୃକ୍ତ ଅନ୍ୟ ସଦସ୍ୟ ଓ କର୍ମଚାରୀମାନେ ଉପରୋକ୍ତ ଦେଶୀ ଆପ୍ଗୁଡ଼ିକୁ ବ୍ୟବହାର କରିବାକୁ ପ୍ରବର୍ତ୍ତାଉଥିଲେ। ଘରେ ବସି ରୋଜଗାର କରିବା ସହ ଦେଶର ସମ୍ମାନ ବୃଦ୍ଧି କରିବାକୁ କହୁଥିଲେ। ଏଥିଯୋଗୁ ପରୋକ୍ଷରେ ଦେଶର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବ୍ୟବସାୟ ସହ ଡିଜିଟାଲ କ୍ଷେତ୍ରରେ କ୍ରାନ୍ତି ଆଣିବାକୁ କମ୍ପାନି ଲକ୍ଷ୍ୟ ରହିଥିବା କହି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲେ। ୨୦୨୦ ମାର୍ଚ୍ଚରେ ପ୍ରିନ୍ସ ଓଡ଼ିଶା ଆସି ବିଭିନ୍ନ ଜିଲ୍ଲାରେ ବୈଠକ କରିଥିଲା। ୧୫ ହଜାର ଲେଖାଏଁ ଦେଇ କମ୍ପାନିରେ ଆଇଡି ଖୋଲି ନାମ ପଞ୍ଜୀକରଣ କରିବା ପରେ ପ୍ରତି ମାସ ୨୬୦୦ ଟଙ୍କା ମିଳିବ ବୋଲି ଲୋକଙ୍କୁ କହିଥିଲା।
ପୁଞ୍ଜି ନିବେଶରେ ଅଧିକ ୫% ଅର୍ଥ ମିଳିବା ଲୋଭରେ ଜମାକାରୀ ଟଙ୍କା ଜମା କରି ଚାଲିଥିଲେ। ଓଡ଼ିଶାର ବାଲେଶ୍ବର ମୟୂରଭଞ୍ଜ ସମେତ ଅନ୍ୟ ଜିଲ୍ଲା ମାନଙ୍କରୁ ଶତାଧିକ ଲୋକ କମ୍ପାନି ସହ ଯୋଡ଼ି ହୋଇଥିଲେ। ଫଳରେ ଦିନ କେଇଟାରେ ପ୍ରିନ୍ସ କୁମାର ଦେଢ଼ କୋଟିରୁ ଅଧିକ ଟଙ୍କା ଉଠାଇ ନେଇଥିଲା। ତେବେ ୨ରୁ ୩ ମାସ ଟଙ୍କା ଆସିବା ପରେ ତାର ସଂସ୍ଥା ବନ୍ଦ ହୋଇଯାଇଥିଲା। ଏପରିକି କେହି ଫୋନ୍ ମଧ୍ୟ ଉଠାଇ ନ ଥିଲେ। ଠକେଇର ଶିକାର ହୋଇଥିବା କେତେଜଣ ଲୋକ ୨୦୨୧ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ନିର୍ଦ୍ଦେଶକ୍ରମେ ଇଓଡବ୍ଲ୍ୟୁ ପ୍ରାଥମିକ ତଦନ୍ତ କରି ଗତ ମାର୍ଚ୍ଚ ୧୪ରେ (ନଂ.୫/୨୦୨୨) ମାମଲା ରୁଜୁ କରିଥିଲା। ୨୦୨୨ ମାର୍ଚ୍ଚ ମାସରେ ପ୍ରିନ୍ସ କୁମାରକୁ ଉତ୍ତରପ୍ରଦେଶର ମଥୁରାରୁ ଗିରଫ କରିଥିଲା ଇଓଡବ୍ଲ୍ୟୁ। ଗିରଫ କରିବା ପରେ ମଥୁରା ସିଜେଏମ୍ କୋର୍ଟରେ ହାଜର କରିଥିଲା। କୋର୍ଟ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେବାକୁ ଅନୁମତି ଦେବାପରେ ଇଓଡବ୍ଲ୍ୟୁ ପ୍ରିନ୍ସଙ୍କୁ ଓଡ଼ିଶା ଆଣିଥିଲା। ଅଭିଯୁକ୍ତ ପ୍ରିନ୍ସ ମହାରାଷ୍ଟ୍ର, ବିହାର, ଉତ୍ତରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ରାଜ୍ୟରେ ମଧ୍ୟ ଠକେଇ କରିଛି। ସେ ବିଚାରାଧୀନ ବନ୍ଦୀ ଭାବେ ବାଲେଶ୍ୱର ଜେଲରେ ରହିଆସୁଛି। ଏହି ମାମଲାରେ ଇଓଡବ୍ଲୁ ଦାଖଲ କରିଥିବା ୩୧୬ ପୃଷ୍ଠାର ଦସ୍ତାବିଜ୍ ଓ ୧୧ ଜଣଙ୍କ ସାକ୍ଷ୍ୟପ୍ରମାଣ ଆଧାରରେ ଅଦାଲତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ତଥା ଚିଟ୍ଫଣ୍ଡ ଅଦାଲତର ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ।।
[ad_2]