ଅପରାଧ

କମୁଛି ଜମି, ବଢୁଛି ଦର ଓ ଠକେଇ – bajravana

[ad_1]

ସବୁ କାଗଜପତ୍ର କାମ ସରିବା ପରେ ହିଁ ଟଙ୍କା ଦିଅନ୍ତୁ: ଏସିପି

ଭୁବନେଶ୍ବର: ରାଜଧାନୀରେ ଜମି କିଣି ନିଜର ଘରଖଣ୍ଡେ କରିବାକୁ କାହାର ବା ସ୍ବପ୍ନ ନାହିଁ! କିନ୍ତୁ ଜମିର ଆକାଶଛୁଆଁ ଦର କାରଣରୁ ଅଧିକାଂଶଙ୍କର ସେ ସ୍ବପ୍ନ ପୂରଣ ହୋଇ ପାରେନାହିଁ। ତଥାପି ଅନେକ ଲୋକ ଗାଁ ବା ଅନ୍ୟ ସ୍ଥାନରେ ଥିବା ନିଜ ଜମିବାଡ଼ି ବିକି ବା ସାରା ଜୀବନର କଷ୍ଟକରି ସଞ୍ଚୟ କରିଥିବା ‌ଅର୍ଥରେ ରାଜଧାନୀରେ ଜାଗା କିଣନ୍ତି। କିନ୍ତୁ ସାବଧାନ! ନିଜ ଝାଳବୁହା ଅର୍ଥରେ ଜମି କିଣିବା ପୂର୍ବରୁ ସତର୍କ ହୁଅନ୍ତୁ। ଜମିର ସଂପୂର୍ଣ୍ଣ କାଗଜପତ୍ର ପ୍ରସ୍ତୁତ ହେବା ପୂର୍ବରୁ କାହାରିକୁ ବି ବିଶ୍ବାସ କରି ଟଙ୍କା ଦିଅନ୍ତୁ ନାହିଁ। ନଚେତ୍ ଜମି ପଞ୍ଜିକରଣ ପୂର୍ବରୁ ଟଙ୍କା ନେଇ ମାଲିକ ବା ମଧ୍ୟସ୍ଥ ବା ଦଲାଲ ଚମ୍ପଟ ମାରିବାର ସବୁ ଆଶଙ୍କା ରହିଛି। କିଛି ଦଲାଲ ତ ଗୋଟିଏ ଜମିକୁ ଏକାଧିକ ଲୋକଙ୍କୁ ବିକ୍ରି କରିବାର ଉଦାହରଣ ରହିଛି।

ଏମିତିକି ଅନ୍ୟର ଜମିକୁ ଦେଖାଇ ତା’କୁ ମଧ୍ୟ ବିକ୍ରି କରିବା ଘଟଣା ରହିଛି। ଗତ କିଛି ଦିନ ହେବ ରାଜଧାନୀର ବିଭିନ୍ନ ଥାନାରେ ଜମି ବିକା ଠକେଇ ମାମଲା ରୁଜୁ କରାଯିବା ପରେ ଜମି କିଣୁଥିବା ଲୋକଙ୍କ ମନରେ ଏବେ ଛନକା ପଶିଛି। ଏଭଳି ଠକେଇରୁ ପୁଲିସ ଅଧିକାରୀ ମଧ୍ୟ ବାଦ୍‌ ପଡ଼ୁ ନାହାନ୍ତି। ୩ଦିନ ତଳେ ଜଣେ ପୁଲିସ ଅଧିକାରୀଙ୍କୁ ଠ‌କିବା ଅଭିଯୋଗରେ ଦୁର୍ଗାଚରଣ ପ୍ରଧାନ ନାମକ ଜଣେ ଜମି ମାଲିକ ଗିରଫ ହୋଇଛନ୍ତି। ଅଭିଯୁକ୍ତ ପୁଲିସ ଅଧିକାରୀଙ୍କୁ ଜାତୀୟ ରାଜପଥ କଡ଼ରେ ଥିବା ଏକ ଜମି ଦେଖାଇ ରାସ୍ତାକଡ଼ରୁ ବହୁ ଦୂରରେ ଅବସ୍ଥିତ ଏକ ଏକ ଗହୀର ଜମି ବିକ୍ରି ପାଇଁ ଉଦ୍ୟମ କରୁଥିଲା। ଜମି ପଞ୍ଜିକରଣ ପୂର୍ବରୁ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କ ଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କା ଠକି ନେଇଥିଲା। ସେହିଭଳି ୟୁନିଟ-୮ ଅଞ୍ଚଳର ବାଦଲ ମହାନ୍ତି ଭୁବନେଶ୍ବରରେ ଘର ତୋଳିବାକୁ ମନ ବଳାଇ ସମ୍ ହସ୍ପିଟାଲ ନିକଟରେ ୨୪୦୦ ବର୍ଗ ଫୁଟର ଏକ ଜାଗା କିଣିବାକୁ ବାଛିଥିଲେ। ଏଥିପାଇଁ ୪୫ ଲକ୍ଷ ଟଙ୍କା ଦେବାକୁ କଥା ଛିଡ଼ିଥିଲେ।

ପଞ୍ଜିକରଣ ପୂର୍ବରୁ ମାଲିକ କଥାରେ ବାଦଲ ୩୬ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ଟଙ୍କା ନେବାର ୮ ମାସ ପରେ ମଧ୍ୟ ଜାଗା ପଞ୍ଜିକରଣ କଲେନାହିଁ। କହିଥିଲେ, ଏବେ ପ୍ଲଟ୍ ଦର ଅଧିକ ହୋଇଯାଇଛି, ୖଧିକ ଟଙ୍କା ଦେବାକୁ ପଡ଼ିବ। ବାଦଲ ଟଙ୍କା ମାଗିବାରୁ ଜମି ମାଲିକ ଛୁରି ଦେଖାଇ ତାଙ୍କୁ ହତ୍ୟା ଧମକ ଦେଇଥିବ‌ା ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ଅନ୍ୟ ଏକ ମାମଲାରେ ସମ୍ବିତ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ଜମି ଦଲାଲ ୨୬ ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି। ଏନେଇ ଖଣ୍ଡଗିରି ଥାନାରେ ଏକ ଠକେଇ ମାମଲା ରୁଜୁ ହୋଇଛି।

ଏନେଇ କମିସନରେଟ ପୁଲିସ ଏସିପି ପ୍ରଦୀପ ରାଉତ କହିଛନ୍ତି, ଆଜିକାଲି ଯେଉଁମାନେ ନିଜର ଜମି ବିକ୍ରି କରୁଛନ୍ତି ବା ସେଥିପାଇଁ ଦଲାଲି କରୁଛନ୍ତି, ‌‌ସେମାନେ ଲୋକମାନଙ୍କୁ କଥାରେ ଏଭଳି ଭୁଆଁ ବୁଲାଉଛନ୍ତି ଯେ ‌ଜମି କିଣୁଥିବା ଲୋକ ତାଙ୍କ କଥାରେ ପରିଚାଳିତ ହେଉଛି। ଜମିର ଦର ବଢ଼ିଯିବ, ଆଉ କେହି କିଣିଦେବ ଆଦି କଥା କହି ଲୋକଙ୍କୁ ସେମାନେ ଏମିତି ଭୟଭୀତ କରି ଦେଉଛନ୍ତି ଯେ ଲୋକେ ତରତର ହୋଇ ଜମି ପାଇଁ ଟଙ୍କା ଦେଇ ଦେଉଛନ୍ତି। ସେମାନେ ଜମି ବା ମାଲିକ ବିଷୟରେ ଆବଶ୍ୟକ ସର୍ବନିମ୍ନ ଖୋଳତାଡ଼ ବା ଯାଞ୍ଚ ମଧ୍ୟ କରୁ ନାହାନ୍ତି। ଜମି କାଗଜପତ୍ର ହେବା ପୂର୍ବରୁ ବୁକିଂ ନାମରେ ଆଡଭାନ୍ସ ଆକାରରେ ମୋଟାଅଙ୍କର ଟଙ୍କା ଦେଇ ପକାଉଛନ୍ତି। ଥରେ ଟଙ୍କା ପାଇଗଲା ପରେ ସେ ମାଲିକ ବା ଦଲାଲଙ୍କର ଧରାଛୁଆଁ ମିଳୁନି। ଏଭଳି ଆଗୁଆ ଟଙ୍କା ଦେବା ଆଦୌ ଉଚିତ ନୁହେଁ। ଡିମାର୍କେସନ କରି ପୋଜେସନ୍ ନେଲା ପରେ ଯାଇ ଟଙ୍କା ଦେବାକୁ ଶ୍ରୀ ରାଉତ କହିଛନ୍ତି। ଏହାସହ ସୋସିଆଲ ମିଡିଆ ସହ ଅନ୍ୟାନ୍ୟ ମିଡିଆରେ ବିଜ୍ଞାପନା ସହାୟତାରେ ଜମି କିଣିବା ପୂର୍ବରୁ ଇସି, ଲିଗାଲ ହେୟାର ଷ୍ଟାଟସ୍‌ ଯାଞ୍ଚ କରିବା ସହିତ ଯିଏ ଜମି ମାଲିକ, ତାକୁ ଭଲଭାବେ ଜାଣିବା ଉଚିତ। ତା’ପରେ କୌଣସି ଓକିଲଙ୍କ ସହାୟତାରେ ଭାବିଚିନ୍ତି ଅଗ୍ରିମ ଦେବାକୁ ଶ୍ରୀ ରାଉତ ପରାମର୍ଶ ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button