ଦକ୍ଷିଣ ଆଫ୍ରିକା-ଭାରତ ଟ୍ବେଣ୍ଟି-୨୦ ଶୃଙ୍ଖଳା: ରିଙ୍କୁ, ସୂର୍ଯ୍ୟଙ୍କ ବିସ୍ଫୋରଣ ଫିକା – bajravana
[ad_1]
ଗ୍ବେବେରା: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍କୁ ବର୍ଷା ଧୋଇ ନେବା ପରେ ମଙ୍ଗଳବାର ଗ୍ବେବେରାରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍କୁ ଘରୋଇ ଦଳ ୫ ୱିକେଟ୍ (ଡିଏଲ୍ଏସ୍)ରେ ଜିତି ନେଇଛି। ବର୍ଷା ଯୋଗୁଁ ନିର୍ଦ୍ଧାରିତ ୧୫ ଓଭରରେ ୧୫୨ ରନ୍ର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୭ ବଲ୍ ପୂର୍ବରୁ ୫ ୱିକେଟ୍ ହରାଇ ହାସଲ କରିଛି। ରିଜା ହେଣ୍ଡ୍ରିକ୍ସ (୪୯), ଐଦେନ ମାର୍କରାମ (୩୦) ବିଜୟର ପ୍ରମୁଖ ଭୂମିକା ନେଇଛନ୍ତି।
ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦୁଇ ଓପନର୍ ଯଶସ୍ବୀ ଜୟସ୍ବାଲ (୦) ଓ ଶୁବମନ ଗିଲ୍ (୦)ଙ୍କୁ ୬ ରନ୍ରେ ହରାଇ ସଙ୍କଟରେ ପଡ଼ିଥିଲା। ତିଲକ ବର୍ମା ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ତୃତୀୟ ୱିକେଟ୍ରେ ୪୯ ରନ୍ ଯୋଡ଼ି ପାଳି ସମ୍ଭାଳିଥିଲେ। ତିଳକ ବର୍ମା ୨୯ ରନ୍ (୨୦ ବଲ୍, ୪ ଚୌକା, ୧ ଛକା) କରି ଆଉଟ୍ ହୋଇଥିଲେ। ଦଳୀୟ ସ୍କୋର୍ ୧୩.୫ ଓଭରରେ ୧୨୫ରେ ଥିଲା ବେଳେ ସୂର୍ଯ୍ୟ (୫୬, ୩୬ ବଲ୍, ୫ ଚୌକା, ୩ ଛକା) ଅର୍ଦ୍ଧଶତକ କରି ଆଉଟ୍ ହୋଇଥିଲେ। ଏଥିସହ ସୂର୍ଯ୍ୟ ଦ୍ରୁତତମ ୨୦୦୦ ରନ୍ ପୂରଣ କରିବାରେ ବିରାଟ କୋହଲିଙ୍କ ସମକକ୍ଷ ହୋଇଛନ୍ତି। ରିଙ୍କୁ ଓ ସୂର୍ଯ୍ୟ ଚତୁର୍ଥ ୱିକେଟ୍ରେ ୭୦ ରନ୍ ଯୋଡ଼ିଥିଲେ। ଜୀତେଶ ଶର୍ମା (୧) ସଅଳ ଆଉଟ୍ ହୋଇଥିଲା ବେଳେ ରବୀନ୍ଦ୍ର ଜାଡ଼େଜା (୧୯, ୧୪ ବଲ୍, ୧ ଚୌକା, ୧ ଛକା) ଷଷ୍ଠ ୱିକେଟ୍ରେ ରିଙ୍କୁ (୬୮* ରନ୍, ୩୯ ବଲ୍, ୯ ଚୌକା, ୨ ଛକା)ଙ୍କ ସହ ୩୮ ରନ୍ର ଭାଗୀଦାରି ଗଢ଼ିଥିଲେ। ଜାଡ଼େଜା ଓ ଅର୍ଶଦୀପଙ୍କୁ ଲଗାତାର ବଲ୍ରେ ଆଉଟ୍ କରି କୋଏଜି ହ୍ୟାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ ହେଁ ବର୍ଷା ଯୋଗୁଁ ୩ ମ୍ୟାଚ୍ ପୂର୍ବରୁ ପାଳିକୁ ସମାପ୍ତ କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର: ଭାରତ ୧୯.୩ ଓଭରରେ ୧୮୦/୭ (ରିଙ୍କୁ ସିଂହ-୬୮*, ସୂର୍ଯ୍ୟକୁମାର ଯାଦବ-୫୬, ତିଳକ ବର୍ମା-୨୯, ରବୀନ୍ଦ୍ର ଜାଡ଼େଜା-୧୯, ଗେରାଲ୍ଡ କୋଏଜି-୩/୩୨, ମାର୍କୋ ୟାନସେନ-୧/୩୯, ଲିଜାଡ ୱିଲିୟମ୍ସ-୧/୩୨, ତାବ୍ରେଜ ସାମସି-୧/୧୮, ଐଦେନ ମାର୍କରାମ-୧/୨୯)। ଦକ୍ଷିଣ ଆଫ୍ରିକା ୧୩.୫ ଓଭରରେ ୧୫୪/୫ (ରିଜା ହେଣ୍ଡ୍ରିକ୍ସ-୪୯, ଐଦେନ ମାର୍କରାମ-୩୦, ମୁକେଶ କୁମାର-୨/୩୪, ମହମ୍ମଦ ସିରାଜ-୧/୨୭, କୁଲଦୀପ ଯାଦବ-୧/୨୬)।
ସାମସୀଙ୍କ ସୁ’ ଷ୍ଟାଇଲ୍
ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ମ୍ୟାଚ୍ ବେଳେ ଏକ ଅଜବ ଦୃଶ୍ୟ ପ୍ରଶଂସକଙ୍କ ମନରେ କୌତୁହଳ ସୃଷ୍ଟି କରିଥିଲା। ଭାରତୀୟ ଦଳ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଭୟଙ୍କର ବ୍ୟାଟିଂ କରୁଥିବାବେଳେ ଘରୋଇ ଦଳର ବାମହାତୀ ସ୍ପିନର୍ ତାବ୍ରାଇଜ୍ ସାମସୀ ତାଙ୍କୁ ଆଉଟ୍ କରି ଦେଇଥିଲେ। ଅଫଷ୍ଟମ୍ପ୍ରେ ପଡ଼ିଥିବା ଅଖାଡୁଆ ବଲକୁ ସୂର୍ଯ୍ୟ ଲମ୍ବା ସଟ୍ ଖେଳିବାକୁ ଯାଇ ଲଙ୍ଗ୍ ଅଫ୍ରେ ମାର୍କୋ ୟାନସେନଙ୍କୁ କ୍ୟାଚ୍ ଦେଇ ଫେରିଥିଲେ। ସାମସୀ କିନ୍ତୁ ତୁରନ୍ତ ନିଜ ପାଦରୁ ଜୋତା କାଢ଼ି ନେଇ ଟେଲିଫୋନ୍ ନମ୍ବର ଡାଏଲ୍ କରିବା ଭଳି ଢ଼ଙ୍ଗରେ ଉତ୍ସବ ମନାଇଥିଲେ। ଏହାକୁ ନେଇ ଉତ୍ସୁକତା ଦେଖା ଦେବା ପରେ ଜଣାପଡ଼ିଥିଲା ସାମସୀ ଏହା ପ୍ରଥମ ଥର କରିନାହାନ୍ତି। ନିଜ ସଫଳତାର ଶ୍ରେୟକୁ ସେ ତାଙ୍କ ଆଦର୍ଶ ଇମ୍ରାନ୍ ତାହିରଙ୍କୁ ଦେବା ଲାଗି ଏଭଳି ଷ୍ଟାଇଲ୍ ଆପଣାଇ କୃତଜ୍ଞତା ଜଣାଇଥାନ୍ତି। କିଛି ବର୍ଷ ପୂର୍ବରୁ ସେ ଭାରତୀୟ ବ୍ୟାଟର୍ ଶିଖର ଧାୱନଙ୍କୁ ଶିକାର କରି ପ୍ରତିଶୋଧ ନେଇଥିଲେ। ଏହା ପରଠାରୁ ଇମି (ଇମ୍ରାନ ତାହିର)ଙ୍କୁ ସେ ସମ୍ମାନ ଜଣାଇ ଏଭଳି କରି ଆସୁଛନ୍ତି।
[ad_2]