ପୁରୀ: ଆଉ ୬ ବଣଭୋଜିସ୍ଥଳରେ ପ୍ଲାଷ୍ଟିକ୍ ନିଷେଧ – bajravana
[ad_1]
ପୂର୍ବରୁ ୪ଟି ସ୍ଥାନରେ ଲାଗୁ ହୋଇଥିଲା
ପୁରୀ: ଚାଲିଛି ବଣଭୋଜି ଋତୁ। ରାତି ପାହିଲେ ଲୋକାରଣ୍ୟ ହେଉଛି ବଣଭୋଜି ସ୍ଥଳ। ପର୍ଯ୍ୟଟକଙ୍କ ପାଇଁ ଉପଭୋଗ୍ୟ ଆସର ଭେଟିଦେବାକୁ ଭିତ୍ତିଭୂମି ଉନ୍ନତ ହୋଇଛି। ମାତ୍ର ଭୋଜି କରି ମଜା କରିବା ବେଳେ ବଣଭୋଜି ସ୍ଥଳର ପରିଚ୍ଛନ୍ନତାକୁ ଅନେକ ପାସୋରି ଦିଅନ୍ତି। ଏକକ ବ୍ୟବହାର ପ୍ଲାଷ୍ଟିକ୍ (ସିଙ୍ଗିଲ ୟୁଜ୍ ପ୍ଲାଷ୍ଟିକ୍)ର ବ୍ୟବହାର ମନଇଚ୍ଛା କରନ୍ତି। ଏହି ପରିପ୍ରେକ୍ଷୀରେ ପରିବେଶ ପ୍ରତି ପର୍ଯ୍ୟଟକଙ୍କୁ ସେମାନଙ୍କ ଦାୟିତ୍ବବୋଧ ବାବଦରେ ସଚେତନ କରାଇବା ସହ ବଣଭୋଜି ସ୍ଥଳକୁ ଏକକ ବ୍ୟବହାର ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ପୂର୍ବରୁ ପୁରୀର ୪ଟି ବଣଭୋଜିସ୍ଥଳରେ ଏକକ ବ୍ୟବହାର ପ୍ଲାଷ୍ଟିକ୍ ନିଷେଧ ହୋଇଥିବା ବେଳେ ଏବେ ପୁଣି ଆଉ ୬ଟି ସ୍ଥାନ ଏଥିରେ ଯୋଡ଼ି ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବେଲଦଳ ନିକଟସ୍ଥ ପାଳଙ୍ଗ ଭିଏସ୍ଏସ୍, ଲୋଟସ ହୋଟେଲ ନିକଟସ୍ଥ ଅଞ୍ଚଳ, ବତିଘର ନିକଟସ୍ଥ ଅଞ୍ଚଳ, ଜାହାନିଆ, ଗଙ୍ଗାଦେବୀ ଓ ରାଜହଂସରେ ଏହି ନିୟମ ପାଳନ ପାଇଁ ବିଜ୍ଞପ୍ତି ଜାରି ହୋଇଛି।
ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୧୦୦ଟି ସ୍ଥାନରେ ଏହା ଲାଗୁ ହୋଇଥିବା ବେଳେ ଏଥି ମଧ୍ୟରେ ପୁରୀର ରାମଚଣ୍ଡୀ, ଚନ୍ଦ୍ରଭାଗା ଇକୋ ରିଟ୍ରିଟ୍, ଟଭାଗୋଲରା ଓ କୁତାମଚଣ୍ଡୀ ବଣଭୋଜି ସ୍ଥଳ ସ୍ଥାନ ପାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ପୁଣି ୭୬ଟି ବଣଭୋଜି ସ୍ଥଳରେ ସମାନ ନିୟମ ଲାଗୁ ହୋଇଥିବା ବେଳେ ଏଥର ଆଉ ୬ଟି ସ୍ଥାନ ଯୋଡ଼ି ହୋଇଛି। ତେଣୁ ପୁରୀରେ ଏବେ ୧୦ଟି ସ୍ଥାନରେ ଏକକ ବ୍ୟବହାର ପ୍ଲାଷ୍ଟିକ୍ ନିଷେଧ ନିୟମ ବଳବତ୍ତର ରହିବ। ପରିବେଶକୁ କ୍ଷତି ପହଞ୍ଚାଉଥିବା ପଲିଥିନ୍ କିମ୍ବା ଅନ୍ୟ କୌଣସି ପ୍ଲାଷ୍ଟିକ୍ ପକାଇ ଦୂଷିତ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ୟୁଥ ଫର ୱାଟର’ ସହଯୋଗରେ ଏହି ବ୍ୟବସ୍ଥା ଉପରେ ନଜର ରଖାଯିବ। ସଚେତନତା ସୃଷ୍ଟି କରାଯିବ। ସ୍ବେଚ୍ଛାସେବୀଙ୍କ ସମେତ ଇକୋ କ୍ଲବ୍, ସ୍ବୟଂ ସହାୟକ ଗୋଷ୍ଠୀ, ଡିଇଏସ୍ ଓ ଗ୍ରାମ ପଞ୍ଚାୟତ ମାଧ୍ୟମରେ ବଣଭୋଜି ସ୍ଥଳରେ ସଚେତନ କରାଯିବ। ପଲିଥିନ୍ ବ୍ୟବହାର ନେଇ ବାରଣ କରାଯିବ। ଏବେ ବଣଭୋଜି ଋତୁ ଚାଲିଥିବା ବେଳେ ଏହି ଋତୁରେ ବଣଭୋଜି ସ୍ଥଳରେ ପ୍ଲାଷ୍ଟିକ୍ ଓ ଅନ୍ୟ ପ୍ରଦୂଷଣ ବଢ଼ିଯାଏ। ବିଶେଷକରି ପୁରୀର ଅଧିକାଂଶ ବଣଭୋଜି ସ୍ଥଳ ସମୁଦ୍ର ସଂଲଗ୍ନ ହୋଇଥିବାରୁ ଏଗୁଡ଼ିକ ସମୁଦ୍ରକୁ ଭାସିଯାଇ ପ୍ରଦୂଷଣ କରିଥାଏ। ବଣଭୋଜି ଅଞ୍ଚଳରେ ଯେପରି ସିଙ୍ଗିଲ ୟୁଜ ପ୍ଲାଷ୍ଟିକ୍ର ବିକ୍ରିବଟା ନହୁଏ ଓ କେହି ଯେପରି ଏହି ଅଞ୍ଚଳରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ର ବ୍ୟବହାର ନକରନ୍ତି ସେନେଇ ଗୁରୁତ୍ବ ଦିଆଯିବ। ସମୁଦ୍ରକୁ ପ୍ଲାଷ୍ଟିକ୍ ବର୍ଜ୍ୟ ନିର୍ଗତ ହେଉଥିବାରୁ ଏହାକୁ ଜେଲିଫିସ ମନେକରି ମାଛମାନେ ଖାଇଦିଅନ୍ତି। ସେହି ମାଛକୁ ମଣିଷ ଖାଇବା ଦ୍ବାରା ରୋଗାକ୍ରାନ୍ତ ହୁଅନ୍ତି। ବଣଭୋଜି ସ୍ଥଳରେ ଭୋଜି ଆୟୋଜନ ହେତୁ ବହୁ ଗାଈଗୋରୁ ବୁଲନ୍ତି। ସେମାନେ ପଲିଥିନ ଗିଳି ଦେଉଥିବାରୁ ମୃତ୍ୟୁବରଣ କରୁଛନ୍ତି। ତେଣୁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପର୍ଯ୍ୟଟନ ତଥା ବଣଭୋଜି ଋତୁରେ ଏହା ଲାଗୁ କରାଯାଉଛି।
[ad_2]