ଆନ୍ଧ୍ର-ତାମିଲନାଡ଼ୁ ଉପକୂଳମୁହଁା ବାତ୍ୟା: ଓଡ଼ିଶା ଉପକୂଳରେ ବର୍ଷା – bajravana
[ad_1]
ଭୁବନେଶ୍ବର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ରାତି ସୁଦ୍ଧା ସ୍ଥିର ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଡିସେମ୍ବର ୩ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ରୂପ ନେଇପାରେ। ୪ ତାରିଖ ବେଳକୁ ଏହା ଆନ୍ଧ୍ରପ୍ରଦେଶର ଦକ୍ଷିଣ ଓ ତାଲିମନାଡ଼ୁର ଉତ୍ତର ଉପକୂଳରେ ସ୍ଥଳ ଭାଗ ସ୍ପର୍ଶ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଡିସେମ୍ବର ପହିଲାରୁ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ୨ ତାରିଖ ବେଳକୁ ପବନର ଘଣ୍ଟା ପ୍ରତି ବେଗ ୫୦ରୁ ୬୦ କିମି ଏବଂ ସ୍ଥଳ ବିଶେଷରେ ୭୦ କିମି ପର୍ଯ୍ୟନ୍ତ ପହଞ୍ଚିପାରେ। ୩ ତାରିଖରେ ପବନର ଘଣ୍ଟା ପ୍ରତି ବେଗ ୮୦ କିମି ଛୁଇଁପାରେ। ବାତ୍ୟା ସମୟରେ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ଡିସେମ୍ବର ୧ରୁ ମତ୍ସ୍ୟଜୀବୀଙ୍କୁ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ଗଭୀର ସମୁଦ୍ରରେ ରହିଛନ୍ତି ସେମାନେ ତୁରନ୍ତ ଉପକୂଳକୁ ଫେରି ଆସିବାକୁ କୁହାଯାଇଛି। ଡିସେମ୍ବର ୩ ଓ ୪ରେ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନ ଏବଂ ୫, ୬ ଓ ୭ ତାରିଖରେ ଦକ୍ଷିଣ ଓ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଆସନ୍ତା ୫ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
[ad_2]