ଆଦିବାସୀ ଜମି ଅଣଆଦିବାସୀଙ୍କୁ ବିକ୍ରି ଅନୁମତି ବିପଜ୍ଜନକ: ପ୍ରଫେସର ଖାଖା – bajravana
[ad_1]
ଜାତୀୟ ଶିକ୍ଷା ନୀତିରେ ଜନଜାତିଙ୍କ ମାତୃଭାଷାର ଗୁରୁତ୍ବ ନାହିଁ
ଭୁବନେଶ୍ବର: ଆଦିବାସୀ ଜମି ଅଣଆଦିବାସୀଙ୍କୁ ବିକ୍ରି ନିଷ୍ପତ୍ତି ଆଦିବାସୀଙ୍କ ପାଇଁ କେବଳ ବିପଜ୍ଜନକ ହୋଇନଥାଆନ୍ତା, ରାଜ୍ୟରେ ଆଦିବାସୀ ଏବଂ ଅଣଆଦିବାସୀଙ୍କ ମଧ୍ୟରେ ଥିବା ସମ୍ପର୍କ ମଧ୍ୟ ପ୍ରଭାବିତ ହୋଇଥାଆନ୍ତା। କେବଳ ସେତିକି ନୁହେଁ, ରାଜ୍ୟପାଳଙ୍କ ଅନୁମତି ବିନା ଅନୁସୂଚିତ ଅଞ୍ଚଳ ପାଇଁ ରାଜ୍ୟ ସରକାର ଏକୁଟିଆ ଏଭଳି ନିଷ୍ପତ୍ତି ନେଇଥିଲେ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ହୋଇଥାଆନ୍ତା। ସେଥିପାଇଁ ସମ୍ଭବତଃ ଜାଣିଶୁଣି ରାଜ୍ୟ ସରକାର ଏହାକୁ ସ୍ଥଗିତ କରିଥିବା କହିଛନ୍ତି ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକ୍ସର ସମାଜତତ୍ତ୍ବ ବିଭାଗର ପ୍ରାକ୍ତନ ପ୍ରଫେସର ଭର୍ଜିନିଅସ ଖାଖା। ଭୁବନେଶ୍ବର ଗସ୍ତ ଅବସରରେ ‘ସମ୍ବାଦ’ ସହିତ ସ୍ବତନ୍ତ୍ର ଆଲୋଚନାରେ ଶ୍ରୀ ଖାଖା କହିଛନ୍ତି, ଆଦିବାସୀ ଜମି ବିକ୍ରି କଟକଣା ଥାଇ ମଧ୍ୟ ଆଇନର ଉଲ୍ଲଂଘନ ହେଉଛି ଏବଂ ଆଦିବାସୀ ଶୋଷିତ ହେଉଛନ୍ତି। ୨୦୨୦ ମସିହାରେ ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ, ଜାତୀୟସ୍ତରରେ ବହୁମୁଖୀ ଦାରିଦ୍ର୍ୟ ମୁଣ୍ଡପିଛା ଅନୁପାତ ୨୮%। କିନ୍ତୁ ଅନୁସୂଚିତ ଜନଜାତିଙ୍କ କ୍ଷେତ୍ରରେ ଏହା ୪୫%। ମଧ୍ୟପ୍ରଦେଶ, ଓଡ଼ିଶା, ଝାଡ଼ଖଣ୍ଡ ଏବଂ ବିହାରର ଦାରିଦ୍ର୍ୟ ଅନୁପାତ ସବୁଠାରୁ ଅଧିକ।ସେହିଭଳି ଓଡ଼ିଶାର ଜନଜାତିଙ୍କ କ୍ଷେତ୍ରରେ ଅପପୁଷ୍ଟି ଅଧିକ। ଅନ୍ୟପକ୍ଷରେ ଦେଶରେ ୨୦୦୫ ତୁଳନାରେ ୨୦୧୦ରେ ନାମମାତ୍ର, କ୍ଷୁଦ୍ର ଜନଜାତି ଜମି ମାଲିକଙ୍କ ସଂଖ୍ୟା ଯଥାକ୍ରମରେ ୧୪.୫୮%ରୁ୧୭.୨୬% ଏବଂ ୨୧.୮୧%ରୁ ୨୨.୨% କୁ ବଢିଛି। କିନ୍ତୁ ବୃହତ ଜନଜାତି ଜମି ମାଲିକଙ୍କ ସଂଖ୍ୟା ୧୦.୮୧%ରୁ ୧୦.୧୧%କୁ କମିଛି। ଓଡ଼ିଶାରେ ଏହି ପରିସଂଖ୍ୟାନ ଆହୁରି ନିରାଶାଜନକ।
ସେ ଆହୁରି କହିଛନ୍ତି, ଆଦିବାସୀ ଜମି ନେଇଯିବା ଲାଗି ଚକ୍ରାନ୍ତ ଆଜିର ନୁହେଁ। ପୂର୍ବରୁ ଓଡ଼ିଶାର ଅନେକ ଗଡ଼ଜାତ ରାଜା ଆଦିବାସୀମାନେ ଭଲ ଚାଷ କରୁନାହାନ୍ତି କହି ସେମାନଙ୍କ ଜମିକୁ ଅଣ ଆଦିବାସୀଙ୍କୁ ଦେଉଥିଲେ। ବିହାର ପରେ ଓଡ଼ିଶା ପ୍ରଥମ ରାଜ୍ୟ ଯେଉଁଠି ଆଦିବାସୀଙ୍କ ଜମି ସୁରକ୍ଷା ପାଇଁ ୧୯୫୬ ମସିହାରେ ଅସ୍ଥାବର ସମ୍ପତ୍ତି ହସ୍ତାନ୍ତର ନିବାରଣ ଆଇନ ପ୍ରଣୟନ କରାଯାଇ ଥିଲା ବୋଲି ଶ୍ରୀ ଖାଖା କହିଛନ୍ତି।
ସୂଚନା ଅନୁଯାୟୀ, ଦେଶରେ ଜନଜାତିଙ୍କ ସାମାଜିକ-ଆର୍ଥିକ, ଶିକ୍ଷା ଏବଂ ସ୍ବାସ୍ଥ୍ୟଗତ ସ୍ଥିତିକୁ ନେଇ ପ୍ରଫେସର ଭର୍ଜିନିଅସ ଖାଖାଙ୍କ ଅଧ୍ୟକ୍ଷତାରେ ୭ ଜଣ ବିଶେଷଜ୍ଞଙ୍କୁ ନେଇ ଗଠିତ କମିସନ ଜନଜାତିଙ୍କ ବିକାଶ ପାଇଁ ୧୦୩ଟି ବିଭିନ୍ନ ପ୍ରକାର ସୁପାରିସ କରିଥିଲେ। ଏଥିରେ ଆଦିବାସୀଙ୍କ ମାତୃଭାଷାରେ ପ୍ରାଥମିକ ଶିକ୍ଷା ପ୍ରଦାନର ସୁପାରିସ କରାଯାଇ ଥିଲା। ପ୍ରଫେସର ଖାଖା କହିଛନ୍ତି, ନୂତନ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାରେ ଶିକ୍ଷା ପ୍ରଦାନକୁ ଗୁରୁତ୍ବ ଦିଆଯାଇଛି। ଅଥଚ ଏଥିରେ ଆଦିବାସୀଙ୍କ ମାତୃଭାଷାର ସ୍ଥାନ ନାହିଁ। ଖାଖା ମତ ଦେଇଛନ୍ତି, ସେ ମଧ୍ୟ ବୋର୍ଡିଂ ସ୍କୁଲରେ ପାଠ ପଢିଛନ୍ତି। କିନ୍ତୁ ଆଜି ବି ପ୍ରତି ଗାଁରେ କ’ଣ ସ୍କୁଲଟିଏ ନିର୍ମାଣ କରାଯାଇ ପାରୁ ନାହିଁ ଯେ ପ୍ରାଥମିକ ସ୍କୁଲ୍ର ଶିଶୁଙ୍କୁ ମା’, ବାପାଙ୍କ ଠାରୁ ଦୂରରେ ଆଶ୍ରମ ସ୍କୁଲ୍ ପଠାଯିବ? ଏହା ସେମାନଙ୍କ ମାନବିକ ଅଧିକାରର ଉଲ୍ଲଂଘନ ଅଟେ। ଓଡ଼ିଶା ଭଳି ରାଜ୍ୟରେ ପ୍ରଥମେ ବିଦ୍ୟାର୍ଥୀ ସଙ୍କଟ ନାଁରେ ଗାଁ ସ୍କୁଲ୍ ବନ୍ଦ କରିବେ ଏବଂ ପରେ ଛୋଟ ଛୁଆଙ୍କୁ ଭୁବନେଶ୍ବର ଛାତ୍ରାବାସକୁ ଆଣିବେ। ଶ୍ରୀ ଖାଖା ଅସନ୍ତୋଷ ପ୍ରକାଶ କରି କହିଥିଲେ, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ଯେଉଁଭଳି ଭାବରେ ଆଶ୍ରମ ସ୍କୁଲରେ ଦୁଷ୍କର୍ମ ଘଟଣା ଘଟୁଛି, ଏହାକୁ ସମସ୍ତେ ଗୁରୁତ୍ବର ସହିତ ବିଚାର କରିବା ଉଚିତ। ଜନଜାତି ଅଞ୍ଚଳରେ ଏଭଳି ଅଧିକାରୀ କାର୍ଯ୍ୟ କରୁଛନ୍ତି ଯେଉଁମାନଙ୍କୁ ଜନଜାତିଙ୍କ ସମ୍ପର୍କିତ ନିୟମ ଜଣା ନାହିଁ। ଜନଜାତିଙ୍କୁ ସେମାନେ ଅନ୍ୟ ବର୍ଗ ସହିତ ସମାନ କରୁଛନ୍ତି। ଏଥିଯୋଗୁଁ ଜନଜାତିଙ୍କୁ ଅନେକ ସୁବିଧାର ଲାଭ ମିଳୁ ନାହିଁ।
[ad_2]