ଓଡିଶା

ବାତ୍ୟା ରୂପ ନେବ ଲଘୁଚାପ: ବାତ୍ୟା ନାଁ ‘ହାମୁନ୍’ ରହିବ – bajravana

[ad_1]

ଭୁବନେଶ୍ବର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଆଜି ମଧ୍ୟରାତ୍ର ବେଳକୁ ପାରାଦୀପର ଦକ୍ଷିଣକୁ ୪୩୦ କିମି, ପଶ୍ଚିମବଙ୍ଗ ଦୀଘାର ଦକ୍ଷିଣ-ଦକ୍ଷିଣ ପଶ୍ଚିମକୁ ୫୯୦ କିମି ଓ ବାଂଲାଦେଶର ଖେପୁପରାର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୭୪୦ କିମି ଦୂରରେ ରହିଛି। ଧୀରେ ଧୀରେ ଗଭୀର ଅବପାତ ରୂପ ନେଇ ସୋମବାର ସକାଳ ବେଳକୁ ଏହା ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବ। ଏହାପରେ ପୁଣି ଦିଗ ବଦଳାଇ ୩ ଦିନ ପର୍ଯ୍ୟନ୍ତ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ବାଂଲାଦେଶ ଓ ନିକଟବର୍ତ୍ତୀ ପଶ୍ଚିମବଙ୍ଗ ତଟ ଆଡ଼କୁ ମୁହାଁଇବ। ୨୪ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେବ। ସେତେବେଳେ ଏହା ସମୁଦ୍ର ମଧ୍ୟରେ ଥିବ ଏବଂ ପବନର ବେଗ ଘଣ୍ଟାପ୍ରତି ୮୦ କିମି ପର୍ଯ୍ୟନ୍ତ ରହିପାରେ। ୨୫ ତାରିଖ ସକାଳ କିମ୍ବା ୨୬ ତାରିଖ ସକାଳ ସମୟରେ ଏହା ବାଂଲାଦେଶ ନିକଟରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରାଯାଇଛି।

ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗରେ ୨୩ରୁ ୨୫ ତାରିଖ ଯାଏ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ସୋମବାର ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ଏବଂ ୨୪ ଓ ୨୫ ତାରିଖରେ ଉତ୍ତର ଓଡ଼ିଶା ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନ, କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ୨୪ ତାରିଖ ଅର୍ଥାତ୍‌ ଦଶହରାରେ ଓଡ଼ିଶା ନିକଟ ଉତ୍ତର ବଙ୍ଗୋପସାଗର ଓ ସନ୍ନିକଟ ପଶ୍ଚିମବଙ୍ଗରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବ। ବେଳେ ବେଳେ ପବନର ବେଗ ଘଣ୍ଟା ପ୍ରତି ୬୫ କିମି ହୋଇପାରେ। ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନେ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବର୍ଷା ପବନକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଜଗତ୍‌ସିଂହପୁର ଜିଲ୍ଲାର କେତେକ ଅଞ୍ଚଳରେ ସ୍ବଳ୍ପ ବର୍ଷା ଆରମ୍ଭ ହୋଇଯାଇଥିବାରୁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଉଛି। ଯେଉଁମାନେ ସମୁଦ୍ରକୁ ଯାଇଥିବା ରାତି ସୁଦ୍ଧା ଫେରି ଆସିବାକୁ କୁହାଯାଉଛି। ବର୍ଷା ଓ ପବନ ପ୍ରଭାବରେ ଉପକୂଳବର୍ତ୍ତୀ ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର କିଛି ଅଂଶରେ ଦଶହରା ମଉଜ ବିଗିଡ଼ିବାର ଆଶଙ୍କା ରହିଛି। ଏବେ ସୁଦ୍ଧା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୌଣସି ୱାର୍ଣ୍ଣିଂ ଜାରି କରାଯାଇ ନାହିଁ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି। ୨୩ ତାରିଖରେ ଏହା ଗଭୀର ଅବପାତରେ ପରିଣତ ହେବା ସହ ୨୪ ତାରିଖରେ ବାତ୍ୟା ରୂପ ନେଇପାରେ। ଏହାପରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ୨୫ ତାରିଖ ରାତି କିମ୍ବା ୨୬ ତାରିଖ ସକାଳୁ ବାଲାଂଦେଶ ନିକଟରେ ସ୍ଥଳ ଭାଗ ଛୁଇଁବ। ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ। ୨୩ ଓ ୨୪ ତାରିଖରେ ବ୍ରହ୍ମପୁର, ଭୁବନେଶ୍ବର, କଟକ, ସମ୍ବଲପୁରରେ ବର୍ଷାର କୌଣସି ସମ୍ଭାବନା ନାହିଁ। ମାତ୍ର ଦିନର ତାପମାତ୍ରା କମିବ। ତେବେ ପୁରୀ, ପାରାଦୀପ ଓ କେନ୍ଦ୍ରାପଡ଼ାରେ ହାଲୁକା ବର୍ଷା ହୋଇପାରେ। ୨୪ ତାରିଖରେ କେନ୍ଦ୍ରାପଡ଼ା, ଚାନ୍ଦବାଲି, ବାଲେଶ୍ବରରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ୨୫ ତାରିଖରେ ଉତ୍ତର ଉପକୂଳ ସଂଲଗ୍ନ ଅଞ୍ଚଳରେ ହାଲୁକା ବର୍ଷା ହେବ। ପବନର ଆଶଙ୍କା ନାହିଁ।

ସୂଚନା ଅନୁଯାୟୀ ଯଦି ଅବପାତଟି ବାତ୍ୟା ରୂପ ନିଏ ତାହା ହେଲେ ଏହାର ନାଁ ‘ହମୁନ୍’ ରହିବ। ଇରାନ ଦେଇଥିବା ଏହି ନାଁର ଅର୍ଥ ମରୁଭୂମିର ଜଳାଶୟ। ୧୯୯୯ ମହାବାତ୍ୟା ହେଉ ଅଥବା ଫାଇଲିନ୍, ଅକ୍ଟୋବର ମାସରେ ବଙ୍ଗୋପସାଗରରେ ବାତ୍ୟା କିଛି ନୂଆ କଥା ନୁହେଁ। ଓଡ଼ିଶା ଅନେକ ଥର ବାତ୍ୟା ମାଡ଼ ସହିଛି। ତେବେ ଏଥର ‘ହମୁନ୍’ର ପ୍ରଭାବ ଓଡ଼ିଶା ଉପରେ ନାହିଁ। ସେପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ତେଜ୍’ ୨୪ ତାରିଖରେ ୟେମେନ୍ ଓ ସନ୍ନିକଟ ଓମାନ ତଟରେ ଲ୍ୟାଣ୍ଡଫଲ କରିବ ବୋଲି ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button