ଖେଳ ଖବର

ପୁଣେରେ କୋହଲି କମାଲ୍‌: ଶତକ ନମ୍ବର ୪୮ – bajravana


ପୁଣେ: ବାଂଲାଦେଶକୁ ୭ ୱିକେଟ୍‌ରେ ହରାଇ ଭାରତ ବିଶ୍ବକପ୍‌ରେ ଲଗାତାର ଚତୁର୍ଥ ବିଜୟ ହାସଲ କରିଛି। ସେହିଭଳି ପୂର୍ବତନ ଅଧିନାୟକ ତଥା ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ବିରାଟ କୋହଲି ଦିନିକିଆ କ୍ରି‌କେଟ୍‌ରେ ୪୮ତମ ଶତକ ଅର୍ଜନ କରିଛନ୍ତି। ଫଳରେ ଟେଷ୍ଟ୍‌ର ୨୯ ଏବଂ ଟ୍ବେଣ୍ଟି-୨୦ର ଗୋଟିଏ ଶତକକୁ ମିଶାଇ କୋହଲିଙ୍କ ଅନ୍ତର୍ଜାତୀୟ ଶତକ ସଂଖ୍ୟା ୭୮ରେ ପହଞ୍ଚିଛି। ତେବେ ଦିନିକିଆ ଶତକରେ କୋହଲି ଏବେବି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସର୍ବାଧିକ ୪୯ ଶତକଠାରୁ ଗୋଟିଏ ଶତକ ପଛରେ ରହିଛନ୍ତି। ଟେଷ୍ଟ୍ କ୍ରିକେଟ୍‌‌େର ସଚିନଙ୍କ ୫୧ ଶତକକୁ ମିଶାଇଲେ ଅନ୍ତର୍ଜାତୀୟ ଶତକ ସଂଖ୍ୟାରେ ଏବେବି କୋହଲି ତାଙ୍କଠାରୁ ୨୩ ଶତକ ପଛରେ ରହିଛନ୍ତି। କୋହଲିଙ୍କ ଶତକୀୟ ପାଳି ସହ ଶୁବମନ ଗିଲ୍‌ଙ୍କ ଅର୍ଦ୍ଧଶତକ ବଳରେ ଭାରତ ୫୧ ବଲ୍ ପୂର୍ବରୁ ବାଂଲାଦେଶକୁ ୭ ୱିକେଟ୍‌ରେ ହରାଇବା ଭାରତର ବିଶ୍ବକପ୍ ଅଭିଯାନକୁ ଆହୁରି ସମୃଦ୍ଧଶାଳୀ କରିଥିଲା। ଚଳିତ ବିଶ୍ବକପ୍‌ର ସର୍ବାଧିକ ରନ୍ ସଂଗ୍ରହକାରୀ ତାଲିକାରେ କୋହଲି ପ୍ରଥମ ଏବଂ ଅଧିନାୟକ ରୋହିତ ଶର୍ମା ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ଗୋଟିଏ ବଲ୍‌ରୁ ୧୪ ରନ୍ ଅମଳ

ଗୁରୁବାର ମହାନ ତାରକା କୋହଲି ମଧ୍ୟ ଆଉ ଏକ ଅସାଧାରଣ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ବାଂଲାଦେଶ ବୋଲର ହାସନ ମହମୁଦଙ୍କ ଗୋଟିଏ ବୈଧ ବଲ୍‌ରୁ କୋହଲି ଅବିଶ୍ବସନୀୟ ଭାବେ ୧୪ ରନ୍ ଅମଳ କରିଥିଲେ। ଏହି ବିରଳ ଘଟଣା ଭାରତୀୟ ପାଳିର ତ୍ରୟୋଦଶ ଓଭରରେ ଘଟିଥିଲା। ଅଧିନାୟକ ରୋହିତ ଶର୍ମା ଆଉଟ୍ ହେବା ପରେ ତ୍ରୟୋଦଶ ଓଭରର ପଞ୍ଚମ ବଲ୍‌ରୁ ୨ ରନ୍ ନେଇ ଖାତା ଖୋଲିଥିଲେ କୋହଲି। ତେବେ ମହମୁଦଙ୍କ ଶୃଙ୍ଖଳାହୀନ ବୋଲିଂ ପାଇଁ ଶେଷ ବଲ୍‌କୁ ଦୁଇ ଥର ସୀମା ବହାରକୁ ପଠାଇ ଦେଇଥିଲେ। ମହମୁଦଙ୍କ ଷଷ୍ଠ ବଲ୍ ନୋ’ ବଲ୍ ଥିବାରୁ ଫ୍ରି-ହିଟ୍‌ରୁ କୋହଲି ଚୌକା ହାସଲ କରିଥିଲେ। ହେଲେ ଫ୍ରି-ହିଟ୍ ବଲ୍‌ଟି ମଧ୍ୟ ନୋ’ବଲ୍ ଥିଲା। ଫଳରେ ଦ୍ବିତୀୟ ଫ୍ରି-ହିଟ୍‌କୁ ଛକା ମାରି କୋହଲି ମହମୁଦଙ୍କ ଗୋଟିଏ ବୈଧ ବଲ୍‌ରୁ ଭାରତ ସ୍କୋର୍‌ରେ ୧୪ ରନ୍ ଯୋଡ଼ିଥିଲେ। ସେହିଭଳି ଅଧିନାୟକ ରୋହିତ ଶର୍ମା ମଧ୍ୟ ଏକ ବିରଳ ମାଇଲଖୁଣ୍ଟ ଛୁଇଁଥିଲେ। ନିଜ ୪୮ ରନ୍ ପାଳି ବଳରେ ବିଶ୍ବକପ୍‌‌ ପଶ୍ଚାତଧାବନରେ ସର୍ବାଧିକ ରନ୍ କରିବାର ବ୍ୟକ୍ତିଗତ କୀର୍ତ୍ତିମାନ କରିଥିଲେ ସେ। ଏହି କ୍ରମରେ ସାକିବ ଅଲ୍ ହାସନଙ୍କୁ ଟପିଥିଲେ ରୋହିତ। ସାକିବ ବିଶ୍ବକପ୍‌ର ପଶ୍ଚାତଧାବନ ମ୍ୟାଚ୍‌ଗୁଡ଼ିକରେ ୧୯ ପାଳିରୁ ୭୪୩ ରନ୍ କରିଥିଲେ। ରୋହିତ ୧୩ ପାଳିରୁ ୭୭୧ ରନ୍‌ରେ ପହଞ୍ଚି ଯାଇଛନ୍ତି।

ବାଂଲାଦେଶର ଦୃଢ଼ ମୂଳଦୁଆ

ଗୁରୁବାର ବାଂଲାଦେଶ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତିକୁ ଯଥାର୍ଥ ବୋଲି ପ୍ରମାଣିତ କରି ଦୁଇ ପ୍ରାରମ୍ଭିକ ତାରକା ତାଂଜିଦ ହାସନ (୫୧) ଓ ଲିଟନ ଦାସ (୬୬) ନିଜ ଦଳ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସିରାଜଙ୍କ ଶାଣିତ ବୋଲିଂକୁ ସଫତାର ସହ ପ୍ରତିହିତ କରି ପାୱାର ପ୍ଲେ’ରେ କୌଣସି ୱିକେଟ୍ ନହରାଇ ୬୩ ରନ୍ ଯୋଡ଼ି ନେଇଥିଲେ। ନବମ ଓଭରରେ ଭାରତୀୟ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଆହତ ହୋଇ ପଡ଼ିଆ ଛାଡ଼ିବାର ପୂରା ଫାଇଦା ବି ଉଠାଇଥିଲେ। ଶାର୍ଦୁଳ ଠାକୁରଙ୍କୁ ଠିକଣା ସମୟରେ ଆକ୍ରମଣ କରି ୧୪ ଓଭର ଯାଏଁ ୭ରୁ ଅଧିକ ହାରରେ ରନ୍ ଯୋଡ଼ିଥିଲେ। ତେବେ ଏହି ଦୁଇ ଜଣ ଶତକୀୟ ଭଗୀଦାରି ପୂରଣ କରିବାର ମାତ୍ର ୨ ରନ୍ ପୂର୍ବରୁ ହାସନଙ୍କୁ ଚତୁରତାର ସହ ଏଲ୍‌ବିଡବ୍ଲ୍ୟୁ କରି କୁଲଦୀପ ଯାଦବ ଯୋଡ଼ି ଭାଙ୍ଗିଥିଲେ। ତେବେ ଉଭୟ ହାସନ ଓ ଲିଟନଙ୍କ ଅର୍ଦ୍ଧଶତକ ହାସଲକୁ ରୋକି ପାରି ନଥିଲେ।

ଭାରତର ସଫଳ ପ୍ରତ୍ୟାବର୍ତ୍ତନ

ତାଂଜିଦ ହାସନଙ୍କ ୱିକେଟ୍ ପରେ ଭାରତୀୟ ବୋଲର ସଫଳ ପ୍ରତ୍ୟାବତ୍ତନ କରିଥିଲେ। କାମଚଳା ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ (୮), ମେହିଦି ହାସନ ମିରାଜ (୩)ଙ୍କୁ ଏକଅଙ୍କରେ ସୀମିତ ରଖି ବାଂଲାଦେଶ ଉପରକୁ ଚାପ ଫେରାଇ ଦେଇଥିଲେ। ରବୀନ୍ଦ୍ର ଜାଦେଜାଙ୍କ ଯୁଗଳ ଝଟ୍‌କାରେ ଘାଇଲା ହୋଇ ବାଂଲାଦେଶ ୩୭ ରନ୍‌ରେ ୪ ୱିକେଟ୍ ହରାଇ ମଝି ଓଭରଗୁଡ଼ିକରେ ରନ୍ ହାର ବଢ଼ାଇ ପାରି ନଥିଲେ। ଅଭିଜ୍ଞ ୱିକେଟ୍ ରକ୍ଷକ ମୁସଫିକର ରହିମ (୩୮) ଓ ପୂର୍ବତନ ଅଧିନାୟକ ମହମଦୁଲ୍ଲା (୪୬) ଲଢ଼ିଥିଲେ। ହେଲେ ଉଭୟଙ୍କୁ ଠିକଣା ସମୟରେ ପ୍ୟାଭିଲିୟନ ଫେରାଇ ଭାରତୀୟ ବୋଲର ବାଂଲାଦେଶକୁ ବଡ଼ ସ୍କୋର କରିବାର କୌଣସି ସୁଯୋଗ ଦେଇ ନଥିଲେ। ପାଳିର ଶେଷ ବଲ୍‌ରେ ସରିଫୁଲ୍ ଇସଲାମ୍ ଘାତକ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ଏକ୍ସଟ୍ରା କଭର ଉପରେ ଦର୍ଶନୀୟ ଛକା ମାରିଥିଲେ ମଧ୍ୟ ବାଂଲା‌ଦେଶ ୮ ୱିକେଟ୍ ବିନିମୟରେ ୨୫୬ ରନ୍ କରିପାରିଥିଲା। ଦୁଇ ଭାରତୀୟ ସ୍ପିନର କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଦେଜା ପୁଣି ଥରେ ମହତ୍ତ୍ବପୂର୍ଣ୍ଣ ମୋଡ଼ରେ ନିଜ ଯାଦୁ ଦେଖାଇଥିଲେ। ବୁମ୍‌ରା, ସିରାଜ ଓ ଜାଦେଜା ଦୁଇଟି ଲେଖାଏଁ ୱିକେଟ୍ ବାଣ୍ଟି ନେଇଥିଲା ବେଳେ ଶାର୍ଦୁଳ ଓ କୁଲଦୀପଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା। ଅନ୍ୟପକ୍ଷରେ ଆହତ ହୋଇ ଏହି ମ୍ୟାଚ୍‌ରୁ ବଞ୍ଚିତ ହୋଇଥିବା ନିୟମିତ ଅଧିନାୟକ ସାକିବ ଅଲ୍ ହାସନଙ୍କ ଅନୁପସ୍ଥିତିକୁ ବାଂଲାଦେଶ ପ୍ରତି ମୁହୂର୍ତ୍ତରେ ଅନୁଭବ କରିଥିଲା।




Related Articles

Leave a Reply

Your email address will not be published. Required fields are marked *

Back to top button