ଅପରାଧ

କ୍ରିପ୍ଟୋ କରେନ୍ସି : ହଜାରେ କୋଟି ଠକିନେଲା ୟେସ୍ ଵାର୍ଲଡ୍ – bajravana

[ad_1]

ଇଓଡବ୍ଲ୍ୟୁରେ ମାମଲା ପରେ ତନାଘନା, ଦେଶରୁ ଲକ୍ଷେ, ଓଡ଼ିଶାରୁ ୩୦ ହଜାର ଲୋକ ଠକେଇର ଶିକାର

ଭୁବନେଶ୍ବର: କ୍ରିପ୍ଟୋ କରେନ୍ସି ନାଁରେ ଚାଲିଥିବା ହଜାରେ କୋଟିରୁ ଅଧିକ ଟଙ୍କାର ଆଉ ଏକ ଅନଲାଇନ୍ ଚିଟ୍‌ଫଣ୍ଡ ମାମଲା ସାମ୍ନାକୁ ଆସିଛି। ୟେସ୍ ଵାର୍ଲଡ୍ କମ୍ପାନି ବିରୋଧରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)ରେ ଅଭିଯୋଗ ହୋଇଛି। ଇଓଡବ୍ଲ୍ୟୁ ସମ୍ପୃକ୍ତ କମ୍ପାନିର ଭାରତ ମୁଖ୍ୟ ସିଇଓ ସନ୍ଦୀପ ଚୌଧୁରୀ, ଅଧିକାରୀ ବସନ୍ତ କୁମାର ଏବଂ ଓଡ଼ିଶା ମୁଖ୍ୟ ମନୋଜ କୁମାର ପଟ୍ଟନାୟକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦେଶରୁ ପ୍ରାୟ ୧ ଲକ୍ଷ ଓ ଓଡ଼ିଶାରୁ ୨୦ରୁ ୩୦ ହଜାର ଜମାକାରୀ ଠକେଇର ଶିକାର ହୋଇଥିବା କୁହାଯାଉଛି। ମାମଲାର ଅଭିଯୋଗକାରୀ ହେଉଛନ୍ତି ପୁରୀ ମାର୍କେଟ ଛକ ଅଞ୍ଚଳର ସ୍ବାଗତ କୁମାର ନାୟକ।

ଦେଶରୁ ଲକ୍ଷେ, ଓଡ଼ିଶାରୁ ୩୦ ହଜାର ଲୋକ ଠକେଇର ଶିକାର
ଭୁବନେଶ୍ବର, ପୁରୀର ତାରକା ହୋଟେଲରେ ହେଉଥିଲା ବୈଠକ
ପିରାମିଡ୍ ଭଳି ଚଳାଇଥିଲେ ଅନଲାଇନ୍ ଚିଟ୍‌ଫଣ୍ଡ କାରବାର

ମିଳିଥିବା ସୂଚନା ଅନୁସାରେ, ସ୍ବାଗତଙ୍କ ସହ ଗତ ଫେବ୍ରୁଆରିରେ ମନୋଜଙ୍କର ଭୁବନେଶ୍ବରରେ ଦେଖା ହୋଇଥିଲା। ମନୋଜ ୟେସ୍ ଵାର୍ଲଡର କମ୍ପାନିର ମୁଖ୍ୟ ଉଦ୍ଦେଶ୍ୟ ପୃଥିବୀ ବଞ୍ଚାଅ ଅଭିଯାନ ବୋଲି କହିବା ସହ କ୍ରିପ୍ଟୋ କରେନ୍ସିରେ ପୁଞ୍ଜି ବିନିଯୋଗ ପାଇଁ ବୁଝାଇଥିଲେ। ଅଧିକ ଫେରସ୍ତ ମିଳିବ ବୋଲି ପ୍ରଲୋଭନ ଦେଖାଇବା ସହ ଚେନ୍‌ରେ ଯେତେ ସଦସ୍ୟ ଯୋଡ଼ିବେ ସେତେ ଟଙ୍କା ମିଳିବ ବୋଲି କୁହାଯାଇଥିଲା। ସ୍ବାଗତ ରାଜି ହେବା ପରେ ୟେସ୍ ଵାର୍ଲଡ ନାଁରେ ଏକ ହ୍ବାଟସଆପ୍ ଗ୍ରୁପ୍ ତିଆରି କରାଯାଇ ତାଙ୍କୁ ସେଥିରେ ଯୋଡ଼ା ଯାଇଥିଲା। ସେହିପରି ଅନ୍ୟତମ ଅଭିଯୁକ୍ତ ବସନ୍ତ ତାଙ୍କୁ ଅଧିକରୁ ଅଧିକ ଟଙ୍କା ବିନିଯୋଗ କରିବା ପାଇଁ କହିଥିଲେ। ସ୍ବାଗତ ଦୁଇଟି ପର୍ଯ୍ୟାୟରେ ୮୦ ହଜାର ଟଙ୍କା ବିନିଯୋଗ କରିଥିଲେ। ମନୋଜ କିଛିଦିନ ପରେ କଟକରୋଡରେ ଥିବା ଏକ ହୋଟେଲରେ ବୈଠକ କରିଥିଲେ। ସେଥିରେ ପ୍ରାୟ ୫୦ ଜଣ ଲୋକ ଯୋଗ ଦେଇଥିଲେ। ଏହାର କିଛିଦିନ ପରେ ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ହୋଟେଲରେ ସମାନ ଧରଣର ବୈଠକ ହୋଇଥିଲା। ସେଥିରେ ମଧ୍ୟ ୫୦ରୁ ଅଧିକ ବ୍ୟକ୍ତି ଯୋଗ ଦେଇଥିଲେ। ସେଥିରେ କମ୍ପାନିରେ ଟଙ୍କା ବିନିଯୋଗ କରୁଥିବା ବ୍ୟକ୍ତିଙ୍କୁ ଆକର୍ଷଣୀୟ ଭାବେ ଅଧିକ ସୁଧ ହାରରେ ଅର୍ଥ ଫେରସ୍ତ ମିଳିବ ବୋଲି ଲୋଭନୀୟ ଅଫର ପ୍ରଦାନ କରାଯାଇଥିଲା। ସେହି ବୈଠକରେ ଅଧିକରୁ ଅଧିକ ଲୋକଙ୍କୁ ଆକୃଷ୍ଟ କରିବା ଲାଗି ବସନ୍ତ ଓ ଅନ୍ୟ ଅଧିକାରୀମାନେ ନିଜର ଆଇଡି ଲଗ୍ ଇନ୍ କରି ଦିନକୁ ୪୦ରୁ ୫୦ ହଜାର ଟଙ୍କା ରୋଜଗାର ହେଉଥିବା ଲୋଭ ଦେଖାଉଥିଲେ। ନୂଆ ସଦସ୍ୟ ଯୋଡ଼ିଲେ ୧୦ ପ୍ରତିଶତ ଓ ବୋନସ୍ ମଧ୍ୟ ମିଳୁଥିଲା। ସେହିପରି ୫୦୦ ଲୋକଙ୍କୁ ନେଇ ପୁରୀର ଏକ ହୋଟେଲରେ ବଡ଼ ସମାବେଶ ମଧ୍ୟ ହୋଇଥିଲା। ସେହିପରି ପ୍ରତିଦିନ ରାତି ୯ଟାରେ ଜୁମ୍ ଆପ୍ ଜରିଆରେ ବୈଠକ ବସୁଥିଲା। ଏଥିରେ ସନ୍ଦୀପ ଚୌଧୁରୀ,
ୟସ ଦେବ୍ ସିଂହ, ଉମା ଶଙ୍କର ଯୋଶୀ, ସୋନୁ କୁମାର ଚଡ୍ଡା ଓ ଅନ୍ୟମାନେ ଯୋଗ ଦେଇ ସଦସ୍ୟମାନଙ୍କୁ ପ୍ରେରଣାଦାୟୀ ବକ୍ତବ୍ୟ ଦେଉଥିଲେ।

ଗତ କିଛିଦିନ ତଳେ ହଠାତ୍ କେତେକ ସଦସ୍ୟଙ୍କର ଖୋଲା ଯାଇଥିବା ଆଇଡି ବନ୍ଦ ହୋଇ ଯାଇଥିଲା। ସ୍ବାଗତ ଓ ତାଙ୍କ ପରିବାର ଲୋକ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ବସନ୍ତ ଅଧୀନରେ ପ୍ରାୟ ୮ ହଜାର ଓ ମନୋଜଙ୍କ ଅଧୀନରେ ୨ ହଜାର ସଦସ୍ୟ ରହିଥିଲେ। ସେହିପରି ଦେଶରେ ପ୍ରାୟ ୧ ଲକ୍ଷରୁ ଅଧିକ ଓ ଓଡ଼ିଶାରେ ୨୦ରୁ ୩୦ ହଜାର ପୁଞ୍ଜି ବିନିଯୋଗକାରୀ ଠକେଇର ଶିକାର ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ୟେସ୍ ଵାର୍ଲଡ୍ କମ୍ପାନି ପ୍ରତିଦିନ ଲୋକଙ୍କୁ ଠକି ଚାଲିଥିଲା ବୋଲି ଜଣାପଡ଼ିଛି। ଇଓଡବ୍ଲ୍ୟୁର ଏକ ଟିମ୍ ଏ ନେଇ ତଦନ୍ତ ଚଳାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ଏସଟିଏ(ସୋଲାର ଟେକ୍ନୋ ଆଲିଆନ୍ସ) ମଧ୍ୟ କ୍ରିପ୍ଟୋ କରେନ୍ସି ନାଁରେ ହଜାର ହଜାର କୋଟି ଟଙ୍କା ଠକେଇ କରିଥିଲା। ଏହି ମାମଲାରେ ଇଓଡବ୍ଲ୍ୟୁ କମ୍ପାନିର ଭାରତ ମୁଖ୍ୟ ଗୁରୁତେଜ ସିଂ ସିଦ୍ଧୁ, ଓଡ଼ିଶା ମୁଖ୍ୟ ନିରୋଦ ଦାଶ ଓ ଅନ୍ୟତମ ଅଭିଯୁକ୍ତ ରତ୍ନାକର ପଲେଇକୁ ଗିରଫ କରିଥିଲା। କମ୍ପାନି ମୁଖ୍ୟ ଫେରାର ଥିବା ବେଳେ ଇଓଡବ୍ଲ୍ୟୁ ତା’ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button