ସୀମାନ୍ତରେ ଜମୁଛି ଜୁଆଖେଳ: ପୁଲିସ ଜାଣିଛି, ତଥାପି ରହସ୍ୟମୟ ନିରବତା – bajravana
[ad_1]
ରାଉରକେଲା: ଇସ୍ପାତ ସହରରେ ଅପରାଧିକ କାର୍ଯ୍ୟକଳାପ ଆଶାତୀତ ବୃଦ୍ଧି ପାଇଲାଣି। ବିଶେଷକରି ହୋଟେଲ ଭିତରେ ଜୁଆ ଖେଳ, ସଟ୍ଟା କାରବାର ବେଲଗାମ ହେଲାଣି। ତେବେ ଏହି ଜୁଆଖେଳ କେବଳ ସହର ଭିତରେ ନୁହେଁ; ବରଂ ସୀମାନ୍ତକୁ ପହଞ୍ଚିଲାଣି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏବେ କୁକୁଡ଼ା ଲଢ଼େଇ, ପାଡ୍ହା ଖେଳ ଖୋଲାଖୋଲି ଚାଲୁଛି। ଅଧିକ ଟଙ୍କା ରୋଜଗାର ଲୋଭରେ ଲୋକେ ସର୍ବସ୍ବାନ୍ତ ହେଉଥିବାର ଏକାଧିକ ନଜିର ରହିଛି। ବିଡ଼ମ୍ବନା ଏହା ଯେ, ସ୍ଥାନୀୟ ପୁଲିସ ଏ ବିଷୟରେ ସବୁ ଜାଣିଥିଲେ ସୁଦ୍ଧା ହାତବାନ୍ଧି ବସିଛି।
ବର୍ତ୍ତମାନ ଜିଲ୍ଲାର ମୁଖ୍ୟତଃ ତିନିଟି ସ୍ଥାନରେ କୁକୁଡ଼ା ଲଢ଼େଇ, ପାଡ୍ହା ଖେଳ ନିୟମିତ ଚାଲିଛି। ସେ ଗୁଡ଼ିକ ହେଲା ରାଏବଗା ଥାନା ଅନ୍ତର୍ଗତ କାଦୋବାହାଲ, ହାତିବାରୀ ଥାନା ଅନ୍ତର୍ଗତ ପଟବ୍ ଓ ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ବରକାନୀ। ବୀରମିତ୍ରପୁର ସହରଠାରୁ ପ୍ରାୟ ୮/୧୦ କିଲୋମିଟର ଦୂରତାରେ ଥିବା କାଦୋବାହାଲଠାରେ ପ୍ରତ୍ୟେକ ରବିବାର, ମଙ୍ଗଲବାର, ଗୁରୁବାର ଜୁଆ ଖେଳ ହେଉଛି। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ରହିଛି ପଟବ୍ ଗାଁ। ଏଠାରେ ଥିବା ନିରୋଳା ସ୍ଥାନରେ ପ୍ରତ୍ୟେବ ରବିବାର, ବୁଧବାର ଓ ଶୁକ୍ରବାର ଜୁଆ ଖେଳ ଜମୁଛି। ଏହି ଜୁଆ ଆଡା ସୀମାନ୍ତରେ ଥିବାରୁ ଝାଡ଼ଖଣ୍ଡରୁ ମଧ୍ୟ ଜୁଆଡ଼ି ଆସୁଛନ୍ତି। ସେହିଭଳି ବରକାନୀ ପାହାଡ଼ ଉପରେ ମଧ୍ୟ ରବିବାର, ବୁଧବାର ଓ ଶୁକ୍ରବାର ଦିନ ଜୁଆ ଖେଳ ହେଉଥିବା ଜଣାପଡ଼ିଛି। କେବଳ ନିର୍ଦ୍ଦିଷ୍ଟ ଦିନ ନୁହେଁ; ବରଂ ପ୍ରତ୍ୟେକ ଛୁଟି ଦିନରେ ମଧ୍ୟ ଏସବୁ ସ୍ଥାନରେ ଜୁଆ ଖେଳ ଆୟୋଜନ କରାଯାଉଛି। ଗତ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଓ ୮ ତାରିଖରେ ରବିବାର ଛୁଟି ରହିଥିଲା। ଉଭୟ ଦିନରେ ଜୁଆ ରାଶି ପରିମାଣ ମାତ୍ରାଧିକ ରହିଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ଏହି ତିନି ସ୍ଥାନ ମଧ୍ୟରୁ ପଟବ୍ଠାରେ ଅଧିକସଂଖ୍ୟକ ଜୁଆଡ଼ିଙ୍କ ଭିଡ଼ ଜମିଥାଏ। ଏଠାରେ ପ୍ରତ୍ୟେକ ଦିନ ଲକ୍ଷାଧିକ ଟଙ୍କାର ଜୁଆ ଖେଳ ହେଉଛି। ଏହି ଜୁଆ ଆଡାକୁ ଝାଡ଼ଖଣ୍ଡର ଜଣେ ଯୁବକ ଓ ସ୍ଥାନୀୟ ଯୁବ ମିଶି ପରିଚାଳନା କରୁଛନ୍ତି। ସେହିଭଳି କାଦୋବାହାଲ ଜୁଆ ଆଡାକୁ ରାଉରକେଲାର ଜଣେ ବ୍ୟକ୍ତି ପରିଚାଳନା କରୁଥିବାବେଳେ ବରକାନୀସ୍ଥ ଜୁଆ ଆଡାକୁ ବନ୍ଧମୁଣ୍ଡା ଅଞ୍ଚଳର କିଛି ଯୁବକ ପରିଚାଳନା କରୁଥିବା ଜଣାପଡ଼ିଛି।
ଏହି ଅସାମାଜିକ ବ୍ୟକ୍ତିଙ୍କ ଜୁଆ ଆଡା ଆୟୋଜନ କରିବାର ତରିକା ମଧ୍ୟ ଅତ୍ୟାଧୁନିକ। ପୂର୍ବ ନିର୍ଦ୍ଧାରିତ ଦିନ ଅନୁସାରେ ଏସବୁ ସ୍ଥାନରେ ଜୁଆ ଖେଳ ଚାଲିଥାଏ। ଏତଦ୍ବ୍ୟତୀତ ଛୁଟି ଦିନ ପାଇଁ ଦିନକ ପୂର୍ବରୁ ଜୁଆଡ଼ିଙ୍କୁ ଅବଗତ କରାଯାଇଥାଏ। ଏସବୁ କାର୍ଯ୍ୟ ମୋବାଇଲ୍ କଲ୍, ମେସେଜ୍ ମାଧ୍ୟମରେ ହିଁ ହୋଇଥାଏ। ପୂର୍ବାପେକ୍ଷା କୁକୁଡ଼ା ଲଢ଼େଇ କମିଛି; କିନ୍ତୁ ପାଲି ମାଧ୍ୟମରେ ଜୁଆ ଖେଳ ବହୁମାତ୍ରାରେ ବୃଦ୍ଧି ପାଇଛି। ଜୁଆ ଖେଳର ଚତୁଃପାର୍ଶ୍ବରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥାଏ। ଏହି ଜୁଆ ଖେଳ ଆୟୋଜନ କରୁଥିବା ବ୍ୟକ୍ତି ନିଜର ଖାସ୍ ଲୋକଙ୍କୁ ନିୟୋଜିତ କରିଛନ୍ତି। କିଏ ଫଟୋ ଉଠାଉଛି, ଭିଡିଓ ରେକର୍ଡିଂ କରୁଛି, ତା’ ଉପରେ ତୀକ୍ଷ୍ଣ ନଜର ରଖିଥାନ୍ତି। ଦୁର୍ଭାଗ୍ୟବଶତଃ ଫଟୋ ଉଠାଉଥିବା ବ୍ୟକ୍ତି ଧରାପଡ଼ିଗଲେ, ସେମାନଙ୍କୁ ଏହି ବ୍ୟକ୍ତିଗତସୁରକ୍ଷା କର୍ମୀ ନିର୍ଧୁମ ମାଡ଼ ମାରୁଥିବାର ଏକାଧିକ ଉଦାହରଣ ରହିଛି।
[ad_2]