ଓଡିଶା
ଭୁଶୁଡୁଛି ଦାମଙ୍କ ଦୁର୍ଗ, ୩୦ରେ ବିଜେଡିର ଶକ୍ତି ପ୍ରଦର୍ଶନ
କୁଜଙ୍ଗ:- ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଦାମୋଦର ରାଉତ ବିଜୁ ଜନତା ଦଳରୁ ବହିଷ୍କୃତ ହେବା ପରେ ନୂଆ ରାଜନୈତିକ ଦଳ ଗଠନ କରିବେ ବୋଲି ଚର୍ଚ୍ଚା ଚାଲିଥିବାବେଳେ ନିଜ ନିର୍ବାଚନମଣ୍ଡଳୀରେ ତାଙ୍କର ବିପର୍ଯ୍ୟୟ ଘଟିବାକୁ ଯାଉଛି। ଇତିମଧ୍ୟରେ ପ୍ରଥମେ ପାରାଦୀପ ଓ ପରେ କୁଜଙ୍ଗରେ ଦାମଙ୍କ ଦୁର୍ଗ ଭୁଶୁଡିବା ଆରମ୍ଭ କରିଛି। ଆଶ୍ଚର୍ଯ୍ୟଜନକ ଭାବେ ଦାମଙ୍କ ଅନେକ ଅନୁଗତ ତାଙ୍କ ଶିବିର ଖାଲି କରିଦେଉଛନ୍ତି। ରବିବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଙ୍ଗିତରେ ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ପାରାଦୀପ ନିର୍ବାଚନମଣ୍ଡଳୀର କର୍ମୀମାନଙ୍କ ବୈଠକ ହୋଇଥିଲା। ସେଠାରୁ ଗୁରୁମନ୍ତ୍ର ଆଣିଥିବା ନେତୃତ୍ୱମାନେ ୨୪ ଘଣ୍ଟା ମଧ୍ୟରେ ସୋମବାର ଦାମଙ୍କ ଏକାନ୍ତ ଅନୁଗତ ତଥା ଅତ୍ୟନ୍ତ ବିଶ୍ୱସ୍ତ ଏମ୍ପି ଡା. କୁଳମଣି ସାମଲଙ୍କ ବାସଗୃହ ସମ୍ମୁଖରେ ଏକାଠି ହୋଇଥିଲେ। ଆସନ୍ତା ୩୦ ତାରିଖରେ କୁଜଙ୍ଗ ବ୍ଲକ ପଡ଼ିଆରେ ଏକ ବିଶାଳ ଜନସମାବେଶ କରି ବିଜେଡିର ଶକ୍ତି ପ୍ରଦର୍ଶନ କରିବାକୁ ଏଥିରେ ନିଷ୍ପତ୍ତି ହୋଇଛି। ସୋମବାର ଅନୁଷ୍ଠିତ ସଭାରେ ପାରାଦୀପ ପୌର ପରିଷଦ ବିଜେଡି ଅଧ୍ୟକ୍ଷ ସୁମନ୍ତ ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ। ଦାମଙ୍କ ଅନୁଗତ ପାରାଦୀପର ବହୁ ବିଜେଡି ନେତାଙ୍କ ସମେତ କୁଜଙ୍ଗ ବ୍ଲକର ଦଳୀୟ ସମର୍ଥିତ ସମସ୍ତ ସରପଞ୍ଚ ଓ ସମିତି ସଦସ୍ୟମାନେ ଏଥିରେ ଯୋଗଦେବା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ତେବେ ଦାମଙ୍କ ଅନୁଗତ ହାତଗଣତି ୫ଜଣ ସରପଞ୍ଚ ଓ ୩ଜଣ ସମିତି ସଭ୍ୟଙ୍କ ସମେତ କୁଜଙ୍ଗ ବ୍ଲକ ବିଜେଡି ଅଧ୍ୟକ୍ଷ, କୁଜଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ଏଥିରେ ଅନୁପସ୍ଥିତ ଥିଲେ। ଆଗଧାଡିର ନେତା ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ, କୁଜଙ୍ଗର ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର କୁମାର ପରିଡା, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ସବିତା ମହାପାତ୍ର, ବିଜେଡି ମହିଳା ସମ୍ପାଦିକା ସବିତା ମହାପାତ୍ର, ସଂଗ୍ରାମ ମନ୍ତ୍ରୀ, କୈଳାସ ଷଡ଼ଙ୍ଗୀ, ସଞ୍ଜୟ କୁମାର ବେହେରା, ସଞ୍ଜୟ କୁମାର ସ୍ବାଇଁ, ରଞ୍ଜିତ ପଣ୍ଡା ଓ କୁଜଙ୍ଗ ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ପ୍ରକାଶ ପରିଡାଙ୍କ ସମେତ ବହୁ ନେତୃତ୍ୱ ଯୋଗଦେଇ ଦାମଙ୍କୁ ବାଦ ଦେଇ ସଂଗଠନକୁ ଆଗେଇନେବାକୁ ଆହ୍ବାନ ଦେଇଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଏମ୍ପି ଡା. କୁଳମଣି ସାମଲ ଦାମଙ୍କ ସମର୍ଥନରେ ଦଳୀୟ ଟିକେଟ ପାଇ ଜିତିଥିଲେ। କୁଳମଣିଙ୍କ ରାଜନୈତିକ କ୍ୟାରିୟର ଆରମ୍ଭରେ ଦାମ ତାଙ୍କୁ ପ୍ରଥମେ କୁଜଙ୍ଗ ମହୋତ୍ସବର ଅଧ୍ୟକ୍ଷ ଓ ପରେ କୁଜଙ୍ଗ ଜଗନ୍ନାଥ ମନ୍ଦିର ପରିଚାଳନା ବୋର୍ଡର ଅଧ୍ୟକ୍ଷ କରାଇଥିଲେ। ଏହା ପରେ ତାଙ୍କୁ ଏମ୍ପି ଟିକେଟ ଦେବାକୁ ମଧ୍ୟ ଦାମ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସୁପାରିଶ କରିଥିବା କଥା କୁଜଙ୍ଗ ଅଞ୍ଚଳରେ ପ୍ରାୟ ସମସ୍ତେ ଜାଣନ୍ତି। କିନ୍ତୁ ଦାମବାବୁ ବହିଷ୍କୃତ ହେବା ପରେ ଏମ୍ପିଙ୍କ ସମେତ ଅନ୍ୟ ଅନୁଗତମାନେ ଦଳ ଆଗ ବ୍ୟକ୍ତି ପଛ ବୋଲି ଅନୁଭବ କରିଛନ୍ତି। ଅନ୍ୟପକ୍ଷରେ ଦାମଙ୍କ ଶିବିର ଖାଲି ହେଉଥିବାରୁ ଦାମ ଯେ ହାତବାନ୍ଧି ବସିବେ ତାହା ସମ୍ଭବ ନୁହେଁ। ରାଜ୍ୟ ରାଜନୀତିକୁ ଦୋହଲାଉଥିବା ଦାମବାବୁ ତାଙ୍କର ସମସ୍ତ ଅନୁଗତଙ୍କୁ ବିନା ଆକଟରେ ଦୂରତ୍ୱ ରକ୍ଷା କରିବାକୁ ସୁଯୋଗ ଦେବା ଘଟଣାକୁ ସହଜରେ ହଜମ କରି ହେଉନି। ତେଣୁ ଠିକ୍ ସମୟରେ ବିଗୁଲ ବଜେଇ ସମସ୍ତଙ୍କୁ ସେ ନିଜ ପକ୍ଷକୁ ଆଣିବେ କିମ୍ବା ପ୍ୟାରୀଙ୍କ ପରି ବାକ୍ୟବାଣ ମାରି ଶେଷରେ ପରାଜିତ ହେବେ ତାହାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ଦାମବାବୁ ଦୁର୍ଗ ରକ୍ଷା ନିମନ୍ତେ ମଙ୍ଗଳବାର କୁଜଙ୍ଗ ଆସୁଥିବା ସୂଚନା ମିଳିଛି। ଏମ୍ପିଙ୍କ ବାସଭବନରେ ହୋଇଥିବା ଏହି ବୈଠକକୁ ରାଜନୈତିକ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି। ଏହି ବୈଠକରେ ଜିଲା ସଭାପତି ବିଷ୍ଣୁ ଦାସଙ୍କ ସମର୍ଥକ ତଥା ଦାମବାବୁଙ୍କ ବହୁ କଠୋର ବିରୋଧୀମାନେ ଯୋଗଦେଇ ନ ଥିଲେ। ତେଣୁ ଦାମଙ୍କ ବିନା ଯେ, ପାରାଦୀପରେ ବିଜୁ ଜନତା ଦଳ ରଥ ସହଜରେ ଆଗକୁ ଯିବ ତାହା ସନ୍ଦେହ ସୃଷ୍ଟି କରୁଛି।