news

ବିଶ୍ୱ ମଦ ମୃତ୍ୟୁ ହାରରେ ପୁରୁଷ ୭୫ ଭାଗ

Image result for bike accident wallpaper

ଜେନେଭା: ବିଶ୍ୱରେ ଦିନକୁ ଦିନ ମଦ ମୃତ୍ୟୁ ର ସଂଖ୍ୟା ବଢି ଚାଲିଛି , ସମୁଦାୟ ମୃତ୍ୟୁ ସଂଖ୍ୟା ହାରଠାରୁ ମଦ ପାନ ଜନିତ ମୃତ୍ୟୁ ସଂଖ୍ୟା ବହୁତ ଅଧିକ , ମଦ୍ୟପାନ ଦ୍ୱାରା ସମସ୍ତ ଅପ୍ରୀତିକର ଅବସ୍ଥା ସୃଷ୍ଟି ହୋଇଥାଏ , କେତେ ଯେ ଶାନ୍ତିପୂର୍ଣ ପରିବାର ଅଶାନ୍ତିର ଚକ୍ରବ୍ୟୁହ ରେ ଛଟପଟ ହୋଇ ଭାଙ୍ଗି ରୁଜି ଖିଂଭିଂ ହୋଇଯାନ୍ତି ତାହାର କଳନା ନାହିଁ ,ବିଶ୍ୱରେ ପ୍ରତିବର୍ଷ ମଦ୍ୟପାନ ଯୋଗୁ ୩୦ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି। ଏଡ୍‌ସ, ହିଂସାକାଣ୍ଡ ଓ ସଡକ ଦୁର୍ଘଟଣାରେ ସମୁଦାୟ ମୃତ୍ୟୁବରଣ କରୁଥିବା ଲୋକସଂଖ୍ୟାଠାରୁ ଏହା ଅଧିକ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଶୁକ୍ରବାର ଏହାର ରିପୋର୍ଟ ପ୍ରକାଶ କରିଛି। ବିଶେଷକରି ପୁରୁଷମାନେ ମଦ୍ୟପାନ ଯୋଗୁ ଅଧିକ ସଂଖ୍ୟାରେ ମୃତ୍ୟୁର ଶିକାର ହେଉଥିବା ଦର୍ଶାଯାଇଛି।

ମଦ୍ୟପାନ ଏବଂ ସ୍ବାସ୍ଥ୍ୟ ପ୍ରସଙ୍ଗ ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରକାଶିତ ସର୍ବଶେଷ ରିପୋର୍ଟରୁ ଜଣାଯାଏ, ପ୍ରତିବର୍ଷ ବିଶ୍ୱରେ ପ୍ରତି ୨୦ମୃତ୍ୟୁରେ ମଦ୍ୟପାନ ଜନିତ ମୃତ୍ୟୁସଂଖ୍ୟା ୧ରୁ ଅଧିକ। ମଦ୍ୟପାନ କରି ଗାଡି ଚଳାଇବା, ମଦ୍ୟପାନ ଜନିତ ହିଂସାକାଣ୍ଡ ଏବଂ ତଜ୍ଜନିତ ସ୍ବାସ୍ଥ୍ୟ ସମସ୍ୟାକୁ ମୃତ୍ୟୁର କାରଣ ଭାବେ ଦର୍ଶାଯାଇଛି।

ମଦ୍ୟପାନଜନିତ ପୁରୁଷ ମୃତ୍ୟୁସଂଖ୍ୟା ୭୫%ରୁ ଅଧିକ ବୋଲି ଏଥିରୁ ଜାଣିବାକୁ ମିଳିଛି। ଏହାର କୁପରିଣାମ ଯୋଗୁ ସମ୍ପୃକ୍ତ ବ୍ୟକ୍ତିର ପରିବାର ତଥା ସମାଜ ବହୁଭାବରେ କ୍ଷତିଗ୍ରସ୍ତ ହୋଇଥାଏ। ହିଂସାକାଣ୍ଡ, ମାନସିକ ସ୍ବାସ୍ଥ୍ୟ ସମସ୍ୟା ଏବଂ କ୍ୟାନ୍‌ସର ଓ ଷ୍ଟ୍ରୋକ୍‌ ଯୋଗୁ ଅନେକ ଲୋକ ମୃତ୍ୟୁବରଣ କରିଥାଆନ୍ତି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ ଆଧନମ୍‌ ଘେବ୍ରେଇସସ୍‌ ପ୍ରକାଶ କରିଛନ୍ତି।

ଏକ ସୁସ୍ଥ ସମାଜର ପ୍ରଗତିରେ ପ୍ରତିବନ୍ଧକ ସାଜିଥିବା ମଦ୍ୟକୁ ବିରୋଧ କରିବାର ସମୟ ଆସିଛି। ମଦ୍ୟପାନ ଯୋଗୁ ଲିଭର ସେରୋସିସ୍‌ ଏବଂ ବିଭିନ୍ନ କ୍ୟାନ୍‌ସର ସୃଷ୍ଟି ହୋଇଥାଏ। ମଦ୍ୟପାନକାରୀ ଟ୍ୟୁବରକୁଲୋସିସ୍‌, ଏଚ୍‌ଆଇଭି ଏବଂ ନିମୋନିଆ ଭଳି ସଂକ୍ରାମକ ରୋଗରେ ସହଜରେ ଆକ୍ରାନ୍ତ ହୋଇଥାଆନ୍ତି ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି।

ୟୁରୋପ ବ୍ୟତୀତ ଏସିଆ ମହାଦେଶର ଚାଇନା ଓ ଭାରତରେ ମଦ୍ୟପାନ ବୃଦ୍ଧି ପାଇବାରେ ଲାଗିଛି। ୨୦୨୫ ସୁଦ୍ଧା ବିଶ୍ୱରେ ମଦ୍ୟପାନକାରୀଙ୍କ ସଂଖ୍ୟା ୧୦%କୁ ହ୍ରାସ କରିବା ନିମନ୍ତେ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହା ପୂରଣ ଲାଗି ଏଭଳି କ୍ଷତିକାରକ ପାନୀୟଠାରୁ ନିବୃତ୍ତ ରହିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସମ୍ପୃକ୍ତ ଦେଶଗୁଡିକୁ ପରାମର୍ଶ ଦେଇଛି। ସଦସ୍ୟଭୁକ୍ତ ରାଷ୍ଟ୍ରଗୁଡିକ ମଦ୍ୟ ବିଜ୍ଞାପନ ନିଷେଧ କରିବା ସହିତ ଏହା ଉପରେ ଅଧିକ ଶୁଳ୍କ ଲାଗୁ କରିବା ଭଳି ପଦକ୍ଷେପ ନେଲେ ଅନେକ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ଟେଡ୍ରସ୍‌ ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button