ନେତାଜୀ ସିଟି କଲେଜ ଅଧ୍ୟାପକଙ୍କ ଜାଲିଆତି: ଚାକିରି କାଳ ବୃଦ୍ଧି ପାଇଁ ଦେଇଥିଲେ ଜାଲ୍ ପ୍ରମାଣପତ୍ର – bajravana
[ad_1]
କଟକ: ଦ୍ବିତୀୟ ପର୍ଯ୍ୟାୟ ଚାକିରି କାଳ ବୃଦ୍ଧି ପାଇଁ ଜାଲ ପ୍ରମାଣପତ୍ର ଯୋଗାଡ଼ କରି ବିଭାଗୀୟ କର୍ତ୍ତୃପକ୍ଷଙ୍କ ପାଖରେ ଦାଖଲ କରିଥିବା ନେତାଜୀ ସୁଭାଷ ସ୍ମାରକୀ ସିଟି କଲେଜର ବାଣିଜ୍ୟ ଅଧ୍ୟାପକ ଏବେ ହରଡ଼ଘଣାରେ ପଡ଼ିଛନ୍ତି। ତାଙ୍କର ଏଭଳି କାରନାମା ଜଣାପଡ଼ିବା ପରେ ଉଚ୍ଚଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଟକ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ସଂପୃକ୍ତ ଅଧ୍ୟାପକଙ୍କ ଜାଲିଆତି ବିରୋଧରେ ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଅଧ୍ୟାପକ ଜଣକ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆଦେବନ କରିଛନ୍ତି। ଶିକ୍ଷା ବିଭାଗରେ ଏଭଳି ଜାଲିଆତି କରିଥିବା ଅଧ୍ୟାପକଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।
ଘଟଣାରୁ ପ୍ରକାଶ, ନେତାଜୀ ସୁଭାଷ ସ୍ମାରକୀ ସିଟି କଲେଜର ବାଣିଜ୍ୟ ବିଭାଗର ଅଧ୍ୟାପକ ସୁମନ୍ତ କୁମାର ନାୟକ ଅଧ୍ୟାପନା ସହ କଲେଜର ଏନ୍ସିସି ଅଧିକାରୀ ଭାବେ ଦାୟିତ୍ବ ନିର୍ବାହ କରୁଥିଲେ। ଏହି ଦାୟିତ୍ବ(ଏନ୍ସିସି ଅଧିକାରୀ)ରେ ରହିବା ପାଇଁ ଜଣେ ୫୬ବର୍ଷ ଅତିକ୍ରମ ପରେ କେତେକ ସର୍ତ୍ତପୂରଣ କରୁଥିଲେ, ୨ବର୍ଷ ଅତିରିକ୍ତ ଅବଧି ଓ ପୁଣି ୫୮ରୁ ୬୦ ବା ଅବସର ଗ୍ରହଣ ପର୍ଯ୍ୟନ୍ତ ଏହି ଦାୟିତ୍ବରେ ରହିବା ବ୍ୟବସ୍ଥା ଅଛି। ଅଧ୍ୟାପକ ଶ୍ରୀ ନାୟକ ୫୬ରୁ ୫୮ବର୍ଷ ପର୍ଯ୍ୟନ୍ତ ରହିବା ପାଇଁ ଅନୁ ମୋଦନ ଲାଭ କରିଥିଲେ। କାର୍ଯ୍ୟକାଳ ଆଉ ୨ବର୍ଷ ବୃଦ୍ଧି ପାଇଁ ଅର୍ଥାତ୍ ଦ୍ବିତୀୟ ପର୍ଯ୍ୟାୟ ବୃଦ୍ଧି ପାଇଁ ଶ୍ରୀ ନାୟକ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ ନ କରି ଜାଲିଆତି ଉଦ୍ୟମ ଆରମ୍ଭ କରିଥିଲେ। କଲେଜ ଅଧ୍ୟକ୍ଷଙ୍କ ସ୍ଥାନରେ ଅନ୍ୟଜଣଙ୍କ ସ୍ବାକ୍ଷର କରି କାର୍ଯ୍ୟକାଳ ବୃଦ୍ଧି ପାଇଁ ଜାଲ୍ ଅନୁ ମୋଦନପତ୍ର ତିଆରି କରିଥିଲେ। ସେହିପରି ଫିଟ୍ନେସ୍ (ଶାରୀରିକ ସୁସ୍ଥତା) ପ୍ରମାଣପତ୍ର ପାଇଁ ଏସ୍ସିବି ମେଡିକାଲର ଜଣେ ଡାକ୍ତରଙ୍କ ଜାଲ ସ୍ବାକ୍ଷର କରି ନକଲି ପ୍ରମାଣପତ୍ର ତିଆରି କରିଥିଲେ। ଏସବୁ ଜାଲ୍ ପ୍ରମାଣପତ୍ରକୁ କଟକସ୍ଥିତ ୩, ଓଡ଼ିଶା ଏନ୍ସିସି ନାଭାଲ ୟୁନିଟ୍ ଅଣଦେଖା କରି ଦିଲ୍ଲୀ ମୁଖ୍ୟାଳୟକୁ ପଠାଇଥିଲେ। ମାତ୍ର ଦିଲ୍ଲୀ କାର୍ଯ୍ୟାଳୟ ଏଭଳି ସୁପାରିସକୁ ପ୍ରତ୍ୟାଖାନ କରିଥିଲେ।
ଏହା ଜାଣିବା ପରେ ଅଧ୍ୟାପକ ଶ୍ରୀ ନାୟକ ହାଇକୋର୍ଟରେ ପ୍ରତିରକ୍ଷା ମନ୍ତ୍ରାଳୟ, ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ, କଲେଜ କର୍ତ୍ତୃପକ୍ଷ, କଲେଜର ଅଧ୍ୟକ୍ଷଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଏହା ମଧ୍ୟରେ ତାଙ୍କ ଜାଲିଆତି ସ୍ପଷ୍ଟ ହୋଇଯାଇଥିଲା। ଏହା ସ୍ପଷ୍ଟ ହେବା ପରେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଅଧ୍ୟାପକ ଶ୍ରୀ ନାୟକଙ୍କ ଜାଲିଆତି ସଂପର୍କରେ ଥାନାରେ ଏତଲା ଦେଇଥିଲେ। ଉପାୟ ନ ପାଇ ଶ୍ରୀ ନାୟକ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବ ଅଧ୍ୟାପକ ଶ୍ରୀ ନାୟକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଟକ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
[ad_2]