ଓଡିଶା

ସର୍ବଭାରତୀୟ ଶ୍ରେଷ୍ଠ ୧୦୦ ର଼୍ୟାଙ୍କିଙ୍ଗ୍‌ ତାଲିକାରେ ଓଡ଼ିଶା: ସ୍ଥାନ ପାଇଲା ନାହିଁ ସରକାରୀ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର- କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ନେଇ ପ୍ରସ୍ତୁତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ର଼୍ୟାଙ୍କିଙ୍ଗ୍‌ ଫ୍ରେମ୍‌ଓ୍ବାର୍କ(ଏନ୍‌ଆଇଆର୍‌ଏଫ୍‌) ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏହି ସର୍ବଭାରତୀୟ ର଼୍ୟାଙ୍କିଙ୍ଗ୍‌ ତାଲିକା(ସବୁ ବର୍ଗର ଶିକ୍ଷାନୁଷ୍ଠାନ)ରେ ସ୍ଥାନ ପାଇଥିବା ୧୫୦ ଶିକ୍ଷାନୁଷ୍ଠାନ ମଧ୍ୟରେ ଶ୍ରେଷ୍ଠ ୧୦୦ରେ ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ରହିଛନ୍ତି। କିନ୍ତୁ ବିଡମ୍ବନାର ବିଷୟ ରାଜ୍ୟ ସରକାରଙ୍କ ଅଧୀନରେ ଥିବା କୌଣସି ଶିକ୍ଷାନୁଷ୍ଠାନକୁ ଶ୍ରେଷ୍ଠ ୧୦୦ରେ ସ୍ଥାନ ମିଳିନାହିଁ। ରାଜ୍ୟ ସରକାର ଶିକ୍ଷାର ବିକାଶକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି କହୁଥିବାବେଳେ ସର୍ବଭାରତୀୟ ର଼୍ୟାଙ୍କିଙ୍ଗ୍‌ରେ ଓଡ଼ିଶାର କୌଣସି ଶିକ୍ଷାନୁଷ୍ଠାନ ସ୍ଥାନ ନ ପାଇବା ସରକାରଙ୍କ ବିଫଳତାକୁ ପ୍ରମାଣିତ କରିଛି। ରାଜ୍ୟରେ ଉଚ୍ଚଶିକ୍ଷା ଦିଗହରା ହୋଇଛି। ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଭଳି ରାଜ୍ୟର ଅନେକ ଶିକ୍ଷାନୁଷ୍ଠାନ ଭଲ ର଼୍ୟାଙ୍କ୍‌ ହାସଲ କରିଥିବାବେଳେ ଓଡ଼ିଶାର ଶିକ୍ଷାନୁଷ୍ଠାନ ସ୍ଥାନ ନ ପାଇବା ଚିନ୍ତାଜନକ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ସବୁ ବର୍ଗର ଶିକ୍ଷାନୁଷ୍ଠାନ ତାଲିକା(ଓଭରଅଲ୍‌)ର ଶୀର୍ଷସ୍ଥାନରେ ବାଙ୍ଗାଲୋରର ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ(ଆଇଆଇଏସ୍‌) ରହିଛି। ଶ୍ରେଷ୍ଠ ୧୦୦ ତାଲିକାରେ ସ୍ଥାନ ପାଇଥିବା ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ୨ଟି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବାବେଳେ ଅନ୍ୟ ୨ଟି ଘରୋଇ ଶିକ୍ଷାନୁଷ୍ଠାନ। ଏହି ୪ ଶିକ୍ଷାନୁଷ୍ଠାନ ହେଲା ସୋଆ ବିଶ୍ୱବିଦ୍ୟାଳୟ(୩୮ତମ), ଏନ୍‌ଆଇଟି ରାଉରକେଲା(୪୨ତମ), ଆଇଆଇଟି ଭୁବନେଶ୍ୱର(୫୧ତମ) ଏବଂ କିଟ୍‌ ବିଶ୍ୱବିଦ୍ୟାଳୟ(୬୫ତମ)। ତେବେ ସୋଆ ବିଶ୍ୱବିଦ୍ୟାଳୟର ର଼୍ୟାଙ୍କ ଗତବର୍ଷ ତୁଳନାରେ ତଳକୁ ଖସି ଆସିଥିବା ବେଳେ ଅନ୍ୟ ୩ଟି ଶିକ୍ଷାନୁଷ୍ଠାନ ଉପରକୁ ଉଠିଛନ୍ତି। ଗତବର୍ଷ ସୋଆ ବିଶ୍ୱବିଦ୍ୟାଳୟ ୩୩ତମ ର଼୍ୟାଙ୍କ୍‌ରେ ରହିଥିବା ବେଳେ ଏଥର ୩୮କୁ ଖସିଛି। ଏନ୍‌ଆଇଟି ୪୬ରୁ ୪୨କୁ, ଆଇଆଇଟି ଭୁବନେଶ୍ୱର ୬୬ରୁ ୫୧କୁ ଏବଂ କିଟ୍‌ ୭୯ରୁ ୬୫ ର଼୍ୟାଙ୍କକୁ ଉନ୍ନୀତ ହୋଇଛି। ଚଳିତବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ୧୦୦ ତାଲିକାରେ ସ୍ଥାନ ପାଇବ ବୋଲି ଆଶା କରାଯାଉଥିଲା। କିନ୍ତୁ ତାଲିକା ପ୍ରକାଶ ପାଇବା ପରେ ସେହି ଆଶା ମଉଳିଯାଇଛି। ଗତବର୍ଷ ପରି ଏବର୍ଷ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ ୧୪୭ତମ ସ୍ଥାନରେ ରହିଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ୧୩୭ତମ ସ୍ଥାନରେ ରହିଛି। ବିଶ୍ୱବିଦ୍ୟାଳୟ ବର୍ଗରେ ସ୍ଥାନୀତ ୨୦୦ ଶିକ୍ଷାନୁଷ୍ଠାନ ମଧ୍ୟରୁ ଶ୍ରେଷ୍ଠ ୧୦୦ରେ କେବଳ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ସ୍ଥାନ ପାଇଛି। ଓୟୁଏଟି ୯୧ ର଼୍ୟାଙ୍କରେ ରହିଥିବାବେଳେ ଫକୀରମୋହନ ବିଶ୍ୱବିଦ୍ୟାଳୟ ୧୬୭, ସମ୍ବଲପୁର ବିଶ୍ୱବିଦ୍ୟାଳୟ ୧୮୭, ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି ୧୯୮ ଏବଂ ଜାଭିୟର ବିଶ୍ୱବିଦ୍ୟାଳୟ ୧୯୯ତମ ସ୍ଥାନରେ ରହିଛନ୍ତି।
ଅପରପକ୍ଷରେ ଏହି ରିପୋର୍ଟ ବିଷୟରେ ଉଚ୍ଚଶିକ୍ଷା ମନ୍ତ୍ରୀ କିମ୍ବା ସଚିବ କେହି ଅବଗତ ନାହାନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କୁହନ୍ତି, ମୁଁ ଭୋଗରାଇରେ ଅଛି। ଭୁବନେଶ୍ୱର ଫେରି ରିପୋର୍ଟ ଦେଖିଲା ପରେ ପ୍ରତିକ୍ରିୟା ଦେବି। ଉଚ୍ଚଶିକ୍ଷା ବିଭାଗ ସଚିବ ଜି. ଭି. ଭି. ଶର୍ମା କୁହନ୍ତି, ଆମେ ତର୍ଜମା କରିବା ପରେ ଯାହା କିଛି ମତ ଦେବୁ। ଏ ସମ୍ପର୍କରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଇଶାନ କୁମାର ପାତ୍ର କୁହନ୍ତି, ଯେଉଁ କେତୋଟି ପ୍ରକ୍ରିୟା ଦ୍ୱାରା ଏହି ର଼୍ୟାଙ୍କିଙ୍ଗ୍‌ କରାଯାଉଛି ସେଗୁଡ଼ିକ ମଧ୍ୟରୁ ଅନେକକୁ ରେଭେନ୍‌ଶା ପୂରଣ କରୁଛି, ଯାହା ଦେଶର ଅନେକ ପୁରାତନ ବିଶ୍ୱବିଦ୍ୟାଳୟ ପୂରଣ କରିବାକୁ ଏବେ ବି ଅକ୍ଷମ। ଗୋଟିଏ ବର୍ଷରେ କେତେ ସଂଖ୍ୟକ ରିସର୍ଚ୍ଚ ପେପର ପ୍ରକାଶିତ ହେଉଛି, କେତେ ଛାତ୍ରୀଛାତ୍ର ନିଯୁକ୍ତି ପାଉଛନ୍ତି, ସେମାନଙ୍କ ଦରମା କିପରି ରହୁଛି, କେତେ ଛାତ୍ରୀଛାତ୍ର ରିସର୍ଚ୍ଚ ପେପର ପବ୍ଲିଶ କରୁଛନ୍ତି ଏଭଳି ଅନେକ ଦିଗକୁ ସେମାନେ ବିଚାରକୁ ନିଅନ୍ତି। ଏନ୍‌ଆଇଆର୍‌ଏଫ୍‌ ର଼୍ୟାଙ୍କିଙ୍ଗ୍‌ ହାସଲ କରିବା ନିମନ୍ତେ ରେଭେନ୍‌ଶାକୁ ଅତି କମ୍‌ରେ ଆହୁରି ୫ବର୍ଷ ଲାଗିବ।

Related Articles

Leave a Reply

Your email address will not be published. Required fields are marked *

Back to top button