ଏଯାଏ ସରିନି ବସନ୍ତ ହେଲେ ଏବେଠୁ ଅନୁଭୂତ ହେଲାଣି ଗ୍ରୀଷ୍ମର ପ୍ରକୋପ। ତେବେ ଏହି ଖରା ଦାଉରୁ ରକ୍ଷା ପାଇବା ଲାଗି ଖାଦ୍ୟପେୟ, ପୋଷାକରୁ ଆରମ୍ଭ କରି ବିଭିନ୍ନ ଆସେସୋରିଜ୍କୁ ନେଇ ପ୍ରସ୍ତୁତ ହେଲେଣି ଯୁବପିଢି…
ଧୀରେ ଧୀରେ ଖରାର ପ୍ରକୋପ ବଢିବା ଆରମ୍ଭ ହେଲାଣି। ତେଣୁ ଏଦିନେ କିପରି ନିଜକୁ ସୁରକ୍ଷିତ ରଖିପାରିବେ । ଜାଣିରଖନ୍ତୁ କେତୋଟି କଥା…
=> ଖରାଦିନେ ଅନ୍ୟ ବସ୍ତ୍ର ତୁଳନାରେ କଟନ୍ ପୋଷାକ ପିନ୍ଧିବା ଭଲ । ଏହା ଆରାମଦାୟକ ଏବଂ ସୂର୍ଯ୍ୟୋପଯୋଗୀ ମଧ୍ୟ। କେବଳ ଏତିକି ନୁହେଁ, ଏହା ସହଜରେ ଝାଳ ଶୋଷିନେବା ସହ ଶରୀରକୁ ଜୀବାଣୁମୁକ୍ତ ରଖିବାରେ ସାହାଯ୍ୟ କରେ ଏବଂ କୁଣ୍ଡାଇ ହେବା, ଘିମିରି ଆଦି ଅନ୍ୟ ଚର୍ମରୋଗ ହେବାକୁ ଦିଏ ନାହିଁ।
=> ବିଶେଷକରି ଧଳା କଟନ ପୋଷାକ ଏଦିନେ ପିନ୍ଧିବା ଭଲ କାରଣ ଏହା ସୂର୍ଯ୍ୟକିରଣକୁ ବିକିରଣ କରୁଥିବାରୁ ଶରୀରକୁ ଥଣ୍ଡା ରଖେ।
=> ପୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା ଯୋଗୁ ଦେହରେ ହେଉଥିବା ଚର୍ମ ରୋଗ ଭଳି ସମସ୍ୟାକୁ ଦୂର କରିବା ଲାଗି ଲାଇଟ୍ କଲର କଟନ ପୋଷାକ ବ୍ୟବହାର କରନ୍ତୁ । ବାହାରକୁ ଯିବା ସମୟରେ କଟନ ରୁମାଲ, ଫୁଲ୍ ଗ୍ଲୋଭ, ମୋଜା, ଛତା ଆଦି ମଧ୍ୟ ବ୍ୟବହାର କରନ୍ତୁ ।
=> ଶରୀରର ପ୍ରତ୍ୟେକ କ୍ରିୟା ଲାଗି ଜଳର ଆବଶ୍ୟକତା ରହିଛି । ଏହା ତାପମାତ୍ରା ନିୟନ୍ତ୍ରିତ ରଖିବା ସହ ଶରୀରରୁ ବର୍ଜ୍ୟବସ୍ତୁ , ଏବଂ ବିଷାକ୍ତ ପଦାର୍ଥ ନିଷ୍କାସନ କରି ରୋଗମୁକ୍ତ ରଖିଥାଏ । ହେଲେ ଖରାଦିନେ ଦେହରୁ ଅଧିକ ଝାଳ ବାହାରୁଥିବାରୁ ଶରୀରରୁ ଜଳୀୟାଂଶ କମିଯାଏ । ତେଣୁ ପ୍ରତିଦିନ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ବାହାରକୁ ଯିବା ସମୟରେ ସାଙ୍ଗରେ ପାଣି ବୋତଲ ମଧ୍ୟ ନିଅନ୍ତୁ।
=> ଏହିଦିନେ ପାନୀୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ବଜାରରେ ମିଳୁଥିବା ରେଡ଼ିମେଡ଼ ସଫ୍ଟ ଡ୍ରିଙ୍କସ ପିଇବାକୁ ଟେଷ୍ଟି ଲାଗୁଥିଲେ ହେଁ ଏଥୁରେ ମିଶୁଥିବା କେମିକାଲ ସ୍ଵାସ୍ଥ୍ୟ ପକ୍ଷେ ହିତକର ନୁହେଁ । ତେଣୁ ଏଭଳି ସଫ୍ଟ ଡ୍ରିଙ୍କସ ବଦଳରେ ପ୍ରାକୃତିକ ପାନୀୟ ପ୍ରତି ଆଗ୍ରହୀ ହୁଅନ୍ତୁ । ଆଖୁ ରସ, ପଇଡ ପାଣି, ଲସି, ଘୋଳ ଦହି ଏବଂ ବିଭିନ୍ନ ଫଳ ରସ ପିଅନ୍ତୁ । କାରଣ ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ଏବଂ ମିନେରାଲ୍ ରହିଛି, । ଯାହାକି ଶରୀରରେ ଜଳୀୟ ଅଂଶର ମାତ୍ରା ବୃଦ୍ଧି କରିଥାଏ ।
=> ସୂର୍ଯ୍ୟକିରଣରୁ ଆସୁଥିବା ଅଟାଭାଓଲେଟ୍ ବା ଅତିବାଇଗଣୀ ରଶ୍ମିରେ ଥିବା ରେଟିନା ଉପରେ କୁପ୍ରଭାବ ପକାଇଥାଏ । ତେଣୁ ଖରାଦିନେ ବାହାରକୁ ଯିବା ସମୟରେ ବଡ଼ ଏବଂ ପୋଲାରାଇଜ୍ ସନଗ୍ଲାସ ବ୍ୟବହାର କରନ୍ତୁ । ହେଲେ ଏହା ପୂର୍ବରୁ ନିଜର ଆଖି ପରୀକ୍ଷା କରାଇନେବା ଜରୁରୀ । ଏହାବ୍ୟତୀତ ସନଗ୍ଲାସ କିଣିବାବେଳେ ଏହାର ଫେମ୍ ଆପଣଙ୍କ କାନ ଏବଂ ନାକ ପ୍ରତି ଆରାମଦାୟକ କି ନୁହେଁ ସେଥିପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ।
=> ଫାଷ୍ଟଫୁଡ଼ରେ ଅଧିକ ପରିମାଣରେ ଥିବା କାର୍ବୋହାଇଡ୍ରେଟ, ଲୁଣ, ଫ୍ୟାଟ ଭଳି ଉପାଦାନ ଅଧିକ ଗରିଷ୍ଠ ହୋଇଥିବାରୁ ଏଦିନେ ତାହା ସହଜରେ ହଜମ ହୋଇ ନ ଥାଏ । କେବଳ ଏତିକି ନୁହେଁ ଏହା ମେଦ ବୃଦ୍ଧି, ମଧୁମେହ ଏବଂ ଉଚ୍ଚ ରକ୍ତଚାପ ସୃଷ୍ଟି ପାଇଁ ମଧ୍ୟ ଦାୟୀ । ତେଣୁ ଏଭଳି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ଏହା ପରିବର୍ତ୍ତେ ପ୍ରଚୁର ପରିମାଣରେ ସିଜନାଲ୍ ଫଳ ଖାଆନ୍ତୁ ।
- 4Shares