ଟିଟୋଙ୍କ ସହ ଅର୍ଥ କାରବାର ଲିଙ୍କରେ ଭିଜିଲାନ୍ସର ଖୋଳତାଡ଼:ଏକାଧିକ ଖାକିବାବୁଙ୍କ ଆକାଉଣ୍ଟକୁ ଆସିଛି ଲକ୍ଷାଧିକ ଟଙ୍କା

ଓଡିଶା ନ୍ୟୁଜ୍
Image result for odisha police
ଭୁବନେଶ୍ୱର:- ଗ୍ୟାଙ୍ଗ୍‌ଷ୍ଟର ସୟଦ ଉସ୍‌ମାନ ଅଲି ଓରଫ ଟିଟୋ ସହିତ ଏକାଧିକ ପୋଲିସ ଅଫିସରଙ୍କ ଲିଙ୍କ୍‌ ଖୋଜିବାରେ ବିଫଳ ହୋଇଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ (ସ୍ପେଶାଲ ଟାସ୍କ ଫୋର୍ସ)। ଟିଟୋ ଲିଙ୍କ୍‌ରେ ଥିବା ସହଯୋଗୀମାନଙ୍କୁ ଗିରଫ କରାଯାଉଥିବା ବେଳେ ପୋଲିସ ପୋଷାକ ପିନ୍ଧି ଟିଟୋଙ୍କ ସହ ମିଶି ଆପରାଧିକ କାର୍ଯ୍ୟରେ ସାମିଲ ଥିବା ଖାକି ବାବୁମାନଙ୍କ ପାଖରେ ପହଞ୍ଚତ୍ ପାରୁନି ଏସ୍‌ଟିଏଫ୍‌। ଏହାର ଉଦାହରଣ ଦେଖିବାକୁ ମିଳିଛି ଗିରଫ ହୋଇଥିବା ଜଟଣୀର ପୂର୍ବତନ ଥାନା ଅଧିକାରୀ ସଞ୍ଜୀବ ମହାନ୍ତିଙ୍କ କ୍ଷେତ୍ରରେ। ସଞ୍ଜୀବଙ୍କ ସମେତ ଏକାଧିକ ପୋଲିସ ଅଫିସର ଟିଟୋଙ୍କ ସହ ସିଧାସଳଖ ସମ୍ପର୍କ ରଖିଥିଲେ ମଧ୍ୟ ଏସ୍‌ଟିଏଫ୍‌ ସେମାନଙ୍କୁ ପଚରାଉଚରା କରୁନି କି ତଦନ୍ତ ପରିସରଭୁକ୍ତ କରୁନି। ଏପରିସ୍ଥଳେ ଭିଜିଲାନ୍ସ ଏବେ ଉକ୍ତ ଦିଗ ଉପରେ ନଜର ପକାଇଛି। ଟିଟୋଙ୍କ ସହ ଆର୍ଥିକ କାରବାର କରିଥିବା ପୋଲିସ ଅଧିକାରୀଙ୍କ ସମ୍ପର୍କରେ ଭିଜିଲାନ୍ସ ଖୋଳତାଡ଼ ଆରମ୍ଭ କରିଛି। ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିବା ସଞ୍ଜୀବଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ଭିଜିଲାନ୍ସ ଯାଞ୍ଚ କରିବା ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଟିଟୋ ଏବଂ ତାଙ୍କ ସମ୍ପର୍କୀୟମାନଙ୍କ ଆକାଉଣ୍ଟରୁ ସଞ୍ଜୀବଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଆସିଛି। କେବଳ ସେତିକି ନୁହେଁ ଭିଜିଲାନ୍ସ ପକ୍ଷରୁ ଟିଟୋ ଏବଂ ତାଙ୍କ ସମ୍ପର୍କୀୟଙ୍କ ଆକାଉଣ୍ଟ ଯାଞ୍ଚ କରାଯିବା ସମୟରେ ସଞ୍ଜୀବଙ୍କ ଭଳି ଏକାଧିକ ପୋଲିସ ଅଫିସର ଏବଂ କର୍ମଚାରୀଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଆସିଥିବା ଜଣାପଡ଼ିଛି। ଭିଜିଲାନ୍ସ ହାତରେ ଏ ନେଇ ପ୍ରମାଣ ଲାଗିବା ପରେ ଶୁକ୍ରବାର ସଞ୍ଜୀବଙ୍କ ସମେତ ଜଗତ୍‌ସିଂହପୁର ଏସ୍‌ପି ହେଡ୍‌କ୍ୱାର୍ଟର୍ସରେ ଚାକିରି କରୁଥିବା କନଷ୍ଟେବଳ ନୃସିଂହ ବେହେରାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଏହାସହ ଖୋର୍ଦ୍ଧାର ଅନ୍ୟଜଣେ ମହିଳା ପୋଲିସ ଏଏସ୍‌ଆଇଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଛି। ସେମାନଙ୍କ ଘରୁ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ଜଣାପଡିଛି। ସଞ୍ଜୀବଙ୍କ ଘର ସମେତ ୫ଟି ସ୍ଥାନରେ ଚଢାଉ କରାଯାଇଛି। ଚଢ଼ାଉ ବେଳେ ଭିଜିଲାନ୍ସ ବହୁ ବେନାମୀ ସମ୍ପତ୍ତି ଜବତ କରିଛି। ଏହାପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ନାମରେ ଆଉ ଏକ ମାମଲା ଯୋଡ଼ାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବାରୁ ଏହି ମାମଲା ରୁଜୁ କରାଯାଇଛି।
ଭିଜିଲାନ୍ସର ଜଣେ ଅଧିକାରୀ କହିଛନ୍ତି, କେବଳ ଏହି ଦୁଇ ପୋଲିସ କର୍ମଚାରୀ ନୁହନ୍ତି, ଟିଟୋ ଏବଂ ତାଙ୍କ ସମ୍ପର୍କୀୟଙ୍କ ଆକାଉଣ୍ଟରୁ ଅନେକ ପୋଲିସ ଅଫିସରଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ନେଣଦେଣ ହୋଇଛି। ଭିଜିଲାନ୍ସ ଚଢାଉ କରିଥିବା ୨ ପୋଲିସ କର୍ମଚାରୀଙ୍କର ଟିଟୋଙ୍କ ସହିତ ସିଧାସଳଖ ସମ୍ପର୍କ ଥିଲା। ସେମାନଙ୍କୁ ଟିଟୋ ବିଭିନ୍ନ ମାମଲା ପାଇଁ ଲକ୍ଷାଧିକ ଟଙ୍କା ଓ ଉପହାର ଦେଉଥିଲେ ବୋଲି ଅଧିକାରୀ ଜଣକ ନାମ ଗୋପନ ରଖି କହିଛନ୍ତି। ଅନ୍ୟପଟେ ସଞ୍ଜୀବଙ୍କୁ ଏସ୍‌ଟିଏଫ ରିମାଣ୍ଡରେ ନେଇ ପଚରାଉଚରା କଲେ ଟିଟୋ ଲିଙ୍କ୍‌ରେ ଥିବା ବହୁ ବଡ ବଡ ପୋଲିସ ବାବୁଙ୍କ ମୁଖା ଖୋଲିଯିବ। ତେଣୁ ଏସ୍‌ଟିଏଫ୍‌ ଜାଣିଶୁଣି ସେ ଦିଗକୁ ତଦନ୍ତ କରୁନି ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି। ଏ ସମ୍ପର୍କରେ ଏସ୍‌ଟିଏଫ୍‌ ଡିଆଇଜି ହିମାଂଶୁ ଲାଲଙ୍କୁ ପଚାରିବାରୁ ସେ କହିଲେ, ଆମେ ତଦନ୍ତ କରୁଛୁ। ଯିଏ ଆମ ସନ୍ଦେହକୁ ଆସୁଛନ୍ତି ତାଙ୍କୁ ଆମେ ଡକାଇ ପଚରାଉଚରା କରୁଛୁ।

Loading...
Share It
  • 20
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.