ଜଗନ୍ନାଥ ଦାସଙ୍କ ଟୀକା ରାମାୟଣ…………. ଡଃ. ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ…………

ପ୍ରବନ୍ଧ ସାହିତ୍ୟ ସଂସ୍କୃତି

Image result for ramayana wallpaper

ପଞ୍ଚସଖା ଯୁଗର ଅନନ୍ୟ ସାଧକ ହେଉଛନ୍ତି ପୁରୀ କପିଳେଶ୍ୱୁରର ନିବାସୀ ମହାପୁରୁଷ ଅତିବଡୀ ଜଗନ୍ନାଥ ଦାସ । ତାଙ୍କ ଲେଖନୀ ନିସୃତ ଭାଗବତ ଗ୍ରନ୍ଥ ଆଜି ବି ପ୍ରତିଟି ଓଡ଼ିଆର ପ୍ରାଣତନ୍ତ୍ରୀରେ ଝଙ୍କୃତ ହେଉଅଛି । ଓଡ଼ିଆ ଭାଗବତ ହିଁ ଥିଲା ତାଙ୍କର ଏକ ବିରଳ କୃତୀ । ପଞ୍ଚସଖା ପୂର୍ବରୁ ଅନ୍ଧକବି ସାରଳାଦାସ ସମଗ୍ର ଭାରତବର୍ଷର ପ୍ରମୁଖ ଗ୍ରନ୍ଥଦ୍ୱୟ ରାମାୟଣ ଓ ମହାଭାରତକୁ ଯେପରି ନିଜସ୍ୱ ଶୈଳୀରେ ରଚନା କରିଥିଲେ ଅତିବଡୀ ଜଗନ୍ନାଥ ଦାସ ମଧ୍ୟ ସେହି ଭାବଧାରାକୁ ଅଙ୍ଗୀକାର କରି ମହାଭାରତ ଓ ରାମାୟଣ ପ୍ରସଙ୍ଗକୁ ନିଜସ୍ୱ ଶୈଳୀରେ ରଚନା କରିଥିଲେ । ସମସାମୟିକ ରଚନା ମଧ୍ୟରେ ଯଦିଓ ସର୍ତ୍ତ ବଳରାମଦାସ କୃତ ଜଗମୋହନ ରାମାୟଣ ପ୍ରସିଦ୍ଧ ଥିଲେ ମଧ୍ୟ ଅତିବଡୀଙ୍କ କୃତ “ଟୀକା ରାମାୟଣ” ଗ୍ରନ୍ଥ ଥିଲା ସର୍ବଥା ସ୍ୱତନ୍ତ୍ର  । ଅଧୁନାପି ଏହି ମହାର୍ଘ ଗ୍ରନ୍ଥର ପ୍ରଚାର ଓ ପ୍ରସାର ଅତି ନ୍ୟୂନ ଅବସ୍ଥାରେ ରହିଛି ।

ମହର୍ଷି ବାଲ୍ମିକୀକୃତ ସଂସ୍କୃତ ରାମାୟଣ ଅନୁସରଣରେ ରଚିତ ଅତିବଡୀ କୃତ ଟୀକା ରାମାୟଣ ପୁରାଣଧର୍ମୀ ଅଟେ । ପ୍ରତିସର୍ଗାଦି ପୁରାଣଲକ୍ଷଣ ସକଳ ଟୀକା ରାମାୟଣ ଗ୍ରନ୍ଥରେ ସ୍ପଷ୍ଟ ପ୍ରତିଭାତ ହୋଇଥାଏ । ସର୍ଗ:-ଟୀକା ରାମାୟଣ ଗ୍ରନ୍ଥର ଆଦ୍ୟକାଣ୍ଡରେ ଗଣେଶଙ୍କୁ ସ୍ତୁତିକରାଯାଇ ଗ୍ରନ୍ଥାରମ୍ଭ କରାଯାଇଛି –

Loading...

“ବନ୍ଦଇ ଗଉରୀ ତନୁଜ । ଗଜବଦନ ବିଘ୍ନରାଜ ।

କର ସଦୟେ ଗଣନାଥ । କହିବି ସାମବେଦ ଗ୍ରନ୍ଥ ।

ପାଣ୍ଡବେ ତେଜି ନିଜପୁରୀ । ବନେ ବୁଲନ୍ତି ତୀର୍ଥ କରି ।

ଲୋମଶ ମାର୍କଣ୍ଡ ସହିତେ । ମିଳିଲେ ମଙ୍ଗଳ ପର୍ବତେ ।”

ପଞ୍ଚୁାଣ୍ଡବଙ୍କ ତୀର୍ଥାଟନ ସମୟରେ ମାର୍କଣ୍ଡ ମୁନିଙ୍କ ସହ ସାକ୍ଷାତ ଓ ମର୍ଯ୍ୟାଦା ପୁରୁଷୋତ୍ତମ ରଘୁନାଥଙ୍କ ଜନ୍ମ ପ୍ରସଙ୍ଗ ବର୍ଣ୍ଣିତ ।

ଧ୍ୟାନେ ଜାଣିଲେ ନାରାୟଣ । ଇନ୍ଦ୍ରାଦି ଜାଣିଲେ ଶୂନ୍ୟେଣ ।

କହଇ କର ମୋତେ ଜପ । ଋଷି କହନ୍ତି ଛାଡ଼ ତପ ।

ଦଶରଥ ଯେ ଅପୁତ୍ରିକ । ଅନାସ୍ଥା ହେଉଛି କଟେକ ।”

++++++++++++++++++++++++++++++++

“କୃଷ୍ଣ କହନ୍ତି ଶୁଣ ଯତି । ସୁରଭି ଶାପେ ସେ ଅପୁତ୍ରି ।

ଯାହାର କର୍ମେ ନାହିଁ ପୁତ୍ର । ଆମ୍ଭେ ହୋଇବୁ ତା’ର ପୁତ୍ର ।”

ଏହା ସହ ଭିନ୍ନ ଭିନ୍ନ ସ୍ଥାନରେ ପୃଥିବୀ, ବ୍ରହ୍ମ ଓ ଚରାଚର ସୃଷ୍ଟି ଘଟିଥିବା ପ୍ରସଙ୍ଗ ମଧ୍ୟ ବର୍ଣ୍ଣିତ ହୋଇଅଛି ।

ପ୍ରତିସର୍ଗ:- ଅତିବଡୀ ଜଗନ୍ନଥ ଦାସ ସ୍ୱରଚିତ ଟୀକା ରାମାୟଣ ଗ୍ରନ୍ଥରେ ଅଯୋଧ୍ୟା ନରେଶ ରାଜା ଦଶରଥଙ୍କ ପୂର୍ବୁରୁଷମାନଙ୍କ ସମ୍ପର୍କରେ କହୁଥିଲାବେଳେ ବ୍ରହ୍ମା ଓ କୃଷ୍ଣଙ୍କ କଥୋପକଥନ ମଧ୍ୟରେ ସୃଷ୍ଟି ଓ ପ୍ରଳୟ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି ।

“ତୁ ମୁନି କରୁ ଯେବେ ସଧ । ଜନ୍ମିବ ବ୍ରହ୍ମା ବିଷ୍ଣୁ ରୁଦ୍ର ।

ଯଜେ୍ଞ ବା ଦେଲୁ ତୁ ଆହୁତି । କୃଷ୍ଣ ଜନ୍ମିବ ଚାରିମୁର୍ତ୍ତି ।”

ବଂଶ:- ଜଗନ୍ନାଥ ଦାସ କୃତ ଟୀକା ରାମାୟଣରେ ରାଜା ଓ ଋଷି ତଥା ଋଷିମାନଙ୍କର ଆଦି ବଂଶ ଓ ଆଦିୁରୁଷଙ୍କ ପ୍ରସଙ୍ଗ ଉଲ୍ଲେଖ ରହିଅଛି । ସୂର‌୍ୟ୍ୟବଂଶର ଆଦିୁରୁଷ ଓ ତାଙ୍କ ବଂଶଧରଙ୍କ କଥା ମଧ୍ୟ ସେଥିରେ ବର୍ଣ୍ଣନା କରାଯାଇଅଛି ।

“କହନ୍ତି ମାରକଣ୍ଡ ମୁନି । ଶୁଣ ପାଣ୍ଡବ ଗୁଣୀ ଜ୍ଞାନୀ ।

ଭୃଗୁର ପୁତ୍ର ଚଣ୍ଡ ମୁନି । ତା’ପୁତ୍ର ବିଭାଣ୍ଡକ ଜାଣି ।”

ସେହିରି ରାବଣର ବଂଶଧରମାନଙ୍କ ପରିଚୟ ମଧ୍ୟ ଅତିବଡୀ ଅତି ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି । ‘ମନ୍ୱନ୍ତର’ ପ୍ରସଂଗରେ ବିଭିନ୍ନ ଜନ୍ମ ଓ ଜନ୍ମର ବିଶେଷ ଘଟଣାପ୍ରବାହ ଆଦିକୁ ଜଗନ୍ନାଥ ଦାସ ବର୍ଣ୍ଣନା କରିବା ଦିଗରେ ନୀରବ ରହିଅଛନ୍ତି ।

ବଂଶାନୁଚରିତ:- ମହାପୁରୁଷ ଜଗନ୍ନାଥ ଦାସ ଟୀକା ରାମାୟଣର ପ୍ରସଂଗରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ପୂର୍ବୁରୁଷମାନଙ୍କର କ୍ରମିକ ବିଶଦ ବିବରଣୀ ପ୍ରଦାନ କରିଛନ୍ତି । ସେହିରି ରାଜର୍ଷି ଜନକଙ୍କର ପୂର୍ବୁରୁଷମାନଙ୍କର ବିବରଣୀ ମଧ୍ୟ ଉଲ୍ଲେଖ କରିଅଛନ୍ତି । ଏହିରି ଭାବରେ ଅତିବଡ଼ି ବଂଶର କ୍ରମିକ ବିବରଣୀ ପ୍ରଦାନ କରି ଟୀକା ରାମାୟଣର ପୁରାଣତ୍ୱ ପ୍ରତି ନିଜର ନିଷ୍ଠାକୁ ପ୍ରତିାଦିତ କରିଅଛନ୍ତି । ଏହି ଗ୍ରନ୍ଥରେ ଆଉ ଏକ ମହତ୍ତ୍ୱୂର୍ଣ୍ଣ ଦିଗ ହେଉଛି ଏଥିରେ ବିଭିନ୍ନ ଦେବାଦେବୀ ଯଥା:- କୃଷ୍ଣ ବା ନାରାୟଣଙ୍କ ବର୍ଣ୍ଣନା ସହିତ ଗଣେଶ, ଶିବ, ଅଗ୍ନି, ବଳଦେବ, ଦୁର୍ଗା ଆଦିଙ୍କର ସ୍ତୁତି କରାଯାଇଅଛି । ଏହା ସହ ମହାପୁରୁଷ ଜଗନ୍ନାଥ ଦାସ ସ୍ୱରଚିତ ଟୀକା ରାମାୟଣ ଗ୍ରନ୍ଥକୁ ସାମବେଦ ରୂପେ ଉପସ୍ଥାପନ କରି ବୈଦିକ ସାହିତ୍ୟ ଓ ପୁରାଣ ମଧ୍ୟରେ ଅପୂର୍ବ ସମନ୍ୱୟ ଆଣିଅଛନ୍ତି । ଗ୍ରନ୍ଥାରମ୍ଭରେ ସେ ଲେଖିଛନ୍ତି:-

“କର ସଦୟେ ଗଣନାଥ । କହିବି ସାମବେଦ ଗ୍ରନ୍ଥ ।”

ଏହା ଅହମିକାର ପରିଭାଷା ନୁହେଁ ବରଂ ସମନ୍ୱୟର ଭାବଦ୍ୟୋତକ ଅଟେ । ଆଦିକବି ସାରଳାଦାସଙ୍କ ପ୍ରଭାବ ଅତିବଡୀଙ୍କ ଉପରେ ଅତିମାତ୍ରାରେ ଥିଲାପରି ଅନୁଭୂତ ହୋଇଥାଏ । ଯେଭଳି ସାରଳାଦାସ ସ୍ୱମହାଭାରତ ଗ୍ରନ୍ଥରେ ମୂଳ ମହାଭାରତ ଠାରୁ ଭିନ୍ନ ଅନେକ ନିଜସ୍ୱ ଉପାଖ୍ୟାନ ଯୋଡ଼ି ଥିଲେ, ଅତିବଡୀ ଜଗନ୍ନାଥ ଦାସ ମଧ୍ୟ ଟୀକା ରାମାୟଣ ଗ୍ରନ୍ଥରେ ମୂଳ ରାମାୟଣ ଠାରୁ ଭିନ୍ନ ଅନେକ ନିଜସ୍ୱ ପ୍ରସଙ୍ଗଗୁଡ଼ିକର ସଂଯୋଜନୀ କରିଅଛନ୍ତି । ଯଥା:-

୧. ଯୁଧିଷ୍ଠିରଙ୍କ ତୀର୍ଥାଟନ- ଶ୍ରୀରାମତୀର୍ଥରେ ଋଷିଙ୍କ ସହ ସାକ୍ଷାତ ଓ ଶ୍ରୀରାମ କଥା ଶ୍ରବଣ ହିଁ ରାମାୟଣର ଆରମ୍ଭ ।

୨. ଦଶରଥଙ୍କ କନ୍ୟା ହେବା ଏବଂ ତା’ର ସ୍ୱୟମ୍ବର ବେଳେ ପରଶୁରାମଙ୍କ ବାଧା ପ୍ରଦାନ ।

୩. ପୌଲସ୍ତ୍ୟଙ୍କୁ ବିଦ୍ୟାମୁନି ଝିଅ ପ୍ରିୟବ୍ରତଙ୍କୁ ବିବାହ କରିବା ଓ ବିଶ୍ରବାଙ୍କ ଜନ୍ମ ବୃତ୍ତାନ୍ତ ।

୪. ଜନକଙ୍କ ଯଜ୍ଞ ରକ୍ଷା ।

୫. ଦଶରଥଙ୍କୁ ରାମଙ୍କ ଚିଟାଉ ।

୬. ସୁଗ୍ରୀବଙ୍କୁ ଲକ୍ଷ୍ମଣଙ୍କ ବାଣ  ।

୭. ସୁନାପଞ୍ଜୁରୀ ବରାବର ପକ୍ଷୀ କଥା ।

୮. ରାବଣର ହନୁମାନ ସହ ଜଳଯୁଦ୍ଧ ପ୍ରଭୃତି ନୂତନ ବିଷୟମାନଙ୍କର ସଂଯୋଜନା ହୋଇଅଛି ।

ବନାକ୍ଷରୀ ଛନ୍ଦର ରଚନା ଶୈଳୀ ଟୀକା ରାମାୟଣ ଗ୍ରନ୍ଥକୁ ଭାଗବତଙ୍କ ପରି ପ୍ରତି ଜନମୁଖରେ ପ୍ରତିଷ୍ଠିତ କରିବାରେ ସଫଳ ହେବ । ଗଜପତି ପ୍ରତାପରୁଦ୍ର ଦେବଙ୍କ ଶାସନକାଳରେ ଟୀକା ରାମାୟଣ ଗ୍ରନ୍ଥ ରଚିତ ହୋଇଥିବାରୁ ଏଥିରେ ତତ୍କାଳୀନ ରାଜନୀତି, ଶାସନନୀତି ଓ ସାମାଜିକ ରୀତିନୀତି ପ୍ରତିଫଳିତ ହୋଇଅଛି । ଟୀକା ରାମାୟଣ ଗ୍ରନ୍ଥରେ ବିଭିନ୍ନ ପ୍ରକାର ଲୋକାଚାର, ପାରିବାରିକ ଆଦର୍ଶ, ନାରୀ ଓ ପୁରୁଷର ସାମାଜିକ ସ୍ଥାନ, ରାଜ୍ୟ ଓ ଦରବାରର ଚିତ୍ର, ରାଜା ଓ ପ୍ରଜାର ସଂପର୍କ, ବ୍ରାହ୍ମଣ-କ୍ଷତ୍ରୀୟ ଆଦିଙ୍କ ସାମାଜିକ ସ୍ଥାନ ଇତ୍ୟାଦି ଅତି ସୁନ୍ଦର ତଥା ଜୀବନ୍ତ ଭାବରେ ବର୍ଣ୍ଣିତ ହୋଇଅଛି । ଏଥିରେ ତତ୍କାଳୀନ ଓଡ଼ିଆ ସମାଜ ଓ ତା’ର ଆଦର୍ଶର ଏକ ପ୍ରାଞ୍ଜଳ ଓ ସ୍ପଷ୍ଟ ଚିତ୍ର ମିଳିଥାଏ । ଟୀକା ରାମାୟଣକୁ ମାନବ ଧର୍ମଭାବନା ତଥା ଭୌତିକ ସୁଖ ବିଷୟରେ ମଧ୍ୟ ଅବଗତ ହୋଇପାରିବ । ସମ୍ପୂର୍ଣ୍ଣ ରାମାୟଣର ଏହା ହେଉଛି ଏକ ସଂକ୍ଷିପ୍ତ ପର୍ରିକାଶ । ଏହି ଗ୍ରନ୍ଥରେ ଅତିବଡୀ ଶ୍ରୀକୃଷ୍ଣ, ଶ୍ରୀରାମ ଓ ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ଅଭିନ୍ନତ୍ୱ ଆରୋପ କରିଥିଲେ ମଧ୍ୟ ରାମନାମ ଉପରେ ଅଧିକ ଗୁରୁତ୍ୱ ଦେଇଅଛନ୍ତି । ତାଙ୍କ ମନରେ ଥରେ ରାମନାମ ଉଚ୍ଚାରଣରେ ହଜାରେ କୃଷ୍ଣନାମ ଜପର ପୁଣ୍ୟ ମିଳିଥାଏ ବୋଳି ଟୀକା ରାମାୟଣର ଆଦ୍ୟକାଣ୍ଡରେ ସେ ଏହା ସୂଚନା ଦେଇଅଛନ୍ତି । ଜଗମୋହନ ରାମାୟଣର ସଂକ୍ଷିପ୍ତକରଣ ଗ୍ରନ୍ଥ ଟୀକା ରାମାୟଣ ହେଲେ ବି ଏହାର ଭାଷା ଅତି ସରଳ ଓ ସଂକ୍ଷିପ୍ତ । ଏହାର ବର୍ଣ୍ଣନାରେ ପୂର୍ବଜନ୍ମ ପ୍ରସଙ୍ଗ ଓ ଗୌଣ ଉପାଖ୍ୟାନମାନକୁ ବାଦ ଦିଆଯାଇଛି । ଗ୍ରନ୍ଥର ରଚନା ଶୈଳୀ ଅତି ଦ୍ରୁତ । ସୀମିତ ସମୟ ମଧ୍ୟରେ ପାଠକ ମନରେ ଅନାୟାସରେ ରାମଚରିତ୍ରର ମହତ୍ୱକୁ ଉପଲବ୍ଧି କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଭଳି ମନେହୁଏ । ଭାଗବତ, ମହାଭାରତରେ ତତ୍ତ୍ୱରାଜିକୁ ଓଡ଼ିଶାର ପୁରପଲ୍ଲୀରେ ପ୍ରଚାର ଓ ପ୍ରସାର ଲାଗି ଅତିବଡୀ ଜଗନ୍ନାଥ ଦାସ ଯେପରି ଚେଷ୍ଟା କରିଛନ୍ତି ରାମାୟଣର ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ପୃଷ୍ଠମୂମିକୁ ସେହିରି ପ୍ରଚାର ଅଭିମୁଖୀ କରିବା ପାଇଁ ମଧ୍ୟ ପ୍ରଯତ୍ନ କରିଅଛନ୍ତି । “ଟୀକା ରାମାୟଣ” ହିଁ ଏହାର ଜ୍ୱଳନ୍ତ ଉଦାହରଣ । ବାଲ୍ମିକୀ ରାମାୟଣ ଓ ତାହାର ପ୍ରଭାବରେ ରଚିତ ବଳରାମ ଦାସଙ୍କ ଜଗମୋହନ ରାମାୟଣ ଓଡ଼ିଶାରେ ଜନପ୍ରିୟ ହେବା ପରେ ଜଗନ୍ନାଥ ଦାସ ଟୀକା ରାମାୟଣ ଚରନା କରିଥିଲେ । ମୂଳ ସଂସ୍କୃତ ରାମାୟଣର ସାତଟି କାଣ୍ଡକୁ ସଂକ୍ଷିପ୍ତ କରି ୬୦୮୬ ପଦ ମଧ୍ୟରେ ସେ ରାମାୟଣ ଚରନା କରିଛନ୍ତି । ଯେଉଁ ଠିକ୍ ବିଷୟବସ୍ତୁ, ରଚିତ, ଘଟଣା ପ୍ରବାହ ଓ ରାମାୟଣର ସତ୍ୟଧର୍ମ, ଆଦର୍ଶ ଓ ନ୍ୟାୟର ମହତ୍ୱକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ବିଷୟବସ୍ତୁର ସଂକ୍ଷିପ୍ତତା ଦୃଷ୍ଟିରୁ ଟୀକା ରାମାୟଣ ନାମକରଣ ଯୁକ୍ତିଯୁକ୍ତ । ଅତିବଡୀଙ୍କର ଏହି ଅନନ୍ୟ କୃତୀ ଓଡ଼ିଶାମାଟି ତଥା ଓଡ଼ିଆ ସମାଜରେ ସର୍ବୋପରି ଓଡ଼ିଆର ତୁଣ୍ଡରେ ପ୍ରତିଷ୍ଠା ହେବା ଅତ୍ୟାବଶ୍ୟକ । ଏହି ପ୍ରତିଷ୍ଠା ମାଧ୍ୟମରେ ହିଁ ଆମ ଜୀବନ, ଆମ ପରିବାର ଓ ଆମ ସମାଜ ଧନ୍ୟ ହୋଇ ପାରିବ ।

ଶିଶୁଅନନ୍ତ ଆଶ୍ରମ

ଅରିଲୋ, ତିର୍ତ୍ତୋଲ,

ଜଗତ୍ସିଂହପୁର

 

Loading...
Share It
  • 27
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.