ଶିଶୁ ବିକାଶର ବିନାଶ ପାଇଁ କିଏ ଦାୟୀ ??

ଓଡିଶା ବିଶେଷ

ଶିଶୁ ବିକାଶର ବିନାଶ ପାଇଁ କିଏ ଦାୟୀ ??

ଶ୍ରୀ ଜନ୍ମେଜୟ ମହାନ୍ତି(ରିଙ୍କୁ)

ଆଜିର ଶିଶୁ ଆଗାମୀ ଦିନର ଭବିଷ୍ୟତ । ଏହି କଥା ସବୁବେଳେ ସବୁଠାରେ ଶୁଣି ଶୁଣି ଆସୁଚି ।କିନ୍ତୁ ଶିଶୁର ବିକାଶ ଲାଗି ଅବଧି କୈାଣସି କାର୍ଯ୍ୟକ୍ରମ ନିଆଗଲା ଭଳି ଦିଶୁ ନାହିଁ । କେବଳ ଅଙ୍ଗନ ବାଡି ଛତୁଆ ଦେଇ ଶିଶୁ ବିକାଶ କଥା ଚିନ୍ତା କରିବା କେତେଦୂର ଠିକ୍ ଜାଣି ହେଉ ନାହିଁ । ସରକାରୀ ସ୍ତରରେ ଶିଶୁର ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ନିଆଯାଉଛି ସତ ତାହା ବାସ୍ତବ ରୂପ ନେବା ପୂର୍ବରୁ ଅକାଳରେ ଝଡିଗଲା ପରି ବାଟମାରଣା ହୋଇ କେଉଁ ଆଡେ ଲୁଚି ଯାଉଛି । ଯାଦ୍ୱାରା ସରକାରଙ୍କ ବାସ୍ତବ ଲକ୍ଷ ସାଧିତ ହେବାରେ ଅନ୍ତରାୟ ସୃଷ୍ଟି ହୋଇଛି । ପିତା ମାତା ଶିଶୁ ବିକାଶର ପ୍ରଥମ ଗୁରୁ । ଆଜିର ଶିଶୁ ବିକାଶ ପାଇଁ କିନ୍ତୁ ପିତା ମାତା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଜ ପିଲାର ବାପା ମାଆ ବୋଲି ଭାବୁଛନ୍ତି ।
ସତେଅବା ପିଲାର ବିକାଶ ଲାଗି କେବଳ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦାୟିତ୍ୱ । ସେହି ନିର୍ଭରଶୀଳ ଚେତନା ପାଇଁ ଶିଶୁର ବିକାଶର କ୍ରମ ବର୍ଦ୍ଧିଷ୍ଣୁ ଧାରା ପଥଭ୍ରଷ୍ଟ ହୋଇଛି । ଶିକ୍ଷକ ମାନେ ପିଲାକୁ ପାଠ ପଢାଉଛନ୍ତି ସତ କିନ୍ତୁ ତାହାର ସାର୍ବିକ ବିକାଶ ଲାଗି ଶିଶୁର ପିତା ମାତା ସମସ୍ତ ଶକ୍ତି ଖଟାଇ ଲାଗି ପଡିବା ଦରକାର । ପିଲା ଘରେ ରହିଲେ କାଳେ ବାପା ମାଆଙ୍କୁ ଅଧିକ କଷ୍ଟ ସ୍ୱୀକାର କାରିବାକୁ ପଡିବ ରାତ୍ରୀ ପାହିବା ସମୟରୁ ପୁନଶ୍ଚ ରାତ୍ର ୧୦ ଘଟିକା ଯାଏ ପିଲାକୁ ବାହାରକୁ ଛାଡି ନିଯେ ମଉଜ ମଜଲିସରେ ସମୟ ଅତିବାହିତ କରିବାକୁ ସେମାନେ ବହୁତ ଭଲ ମଣୁଛନ୍ତି । ଏମିତି କି ପିତା ମାତାଙ୍କ ପ୍ରତି ଶିଶୁର ଶ୍ରଦ୍ଧା ମନୋଭାବ ଦିନକୁ ଦିନ କମିଯାଉଛି । ଶିଶୁ ବଡହୋଇ ଉଚ୍ଚଶିକ୍ଷା କରିବାକୁ ଗଲାବେଳେ କେହି ପ୍ରେମିକ ବା କେହି ପ୍ରେମିକାର ସ୍ନେହ ପ୍ରେମ ଭାବରେ ବାନ୍ଧିହୋଇ ପଡୁଚି । ବାବା , ମାଆ ଭାଇ ଭଉଣୀ ସବୁ ତା ପାଖରେ ତୁଚ୍ଛ ବୋଲି ମଣୁଛି । ଏହି ଭାବନା ପାଇଁ ଆଜି କେବଳ ପିତା ମାତାଙ୍କ ସ୍ନେହ ଶ୍ରଦ୍ଧାରୁ ବଂଚିତ ହୋଇଥିବାର ପରିସ୍ତିତି ହିଁ ଦାୟୀ । ତା ପରେସେହି ଶିଶୁଟି ବିବାହ କରୁଛି । ଯାମାତା ଭାବ ରେ ଶାଶୁ ଶଶୁରଙ୍କ ଠାରୁ ବି ବହୁତ ଶ୍ରଦ୍ଧା ଶୁଭେଚ୍ଛା ପାଉଛି । ସେତିକି ବେଳେ ସେ ମଧ୍ୟ ବାପା ମାଆଙ୍କୁ ପଛକରି ପତ୍ନୀ ପିତ୍ରାଳୟକୁ ଅଧିକ ଗୁରୁତ୍ୱ ଦେଉଛି । ସଭିଏଁ ଜାଣିଛନ୍ତି ପିତା ମାତାଙ୍କର ଠାରୁ ଅଧିକ ସ୍ନେହ ଶ୍ରଦ୍ଧା କେହି ଦେଇ ପାରିବେ ନାହିଁ । କିନ୍ତୁ ଅସୁବିଧା କେଉଁଠି ରହୁଛି ଯେ ପିଲାମାନେ ପିତାମାତାଙ୍କ ପ୍ରତି ବଡ ହେଲେ ବିତସ୍ପୃହ ହୋଇ ଉଠୁଛନ୍ତି । କଥାଟା ବାସ୍ତବତା ଦିଗରୁ ବିଚାର କରିବାକୁ ହେବ ଯେ , ବାଲ୍ୟ ଜୀବନର ଶ୍ରଦ୍ଧା ଶୁଭେଚ୍ଛାକୁ ଶିଶୁଟି ହରାଇ ଥିବାରୁ ପିତା ମାତାଙ୍କ ପ୍ରତି ତାହାର ସେପରି ଦରଦ ଭାବ ତିଆରି ହେଉ ନାହିଁ । ପରିବାର ଉଚ୍ଛନ୍ନ ହୋଇ ଉଠୁଛି । ମାନବୀୟ ଗୁଣ ସେଦିନର ଶିଶୁ ଠାରୁ ଦୂରେଇ ଯାଉଛି । ପାଶ୍ଚାତ୍ୟ ସଭ୍ୟତା ପ୍ରଭାବରେ ଭାରତୀୟ ସଂସ୍କୃତି ଆଜି ବିଲୋପ ହେବାକୁ ବସିଛି । ବୋଡିଙ୍ଗ , ଫୋଡିଙ୍ଗ କେତେ କଣ ବିଦ୍ୟାଳୟ ମାନ ଖୋଲିଲାଣି ତାହାର ଇୟତା ନାହିଁ । ଧାଇ ମାଆ ପିଲାଙ୍କୁ ଭଡାରେ ଖିର ବି ଦେଉଛନ୍ତି । ଯେଉଁ ମାଆ ତାର ସ୍ତନ ଭାଙ୍ଗି ତାର ସଂତାନ କୁ କ୍ଷିର ଟିକେ ଦେଲା ନାହିଁ ତା ପ୍ରତି ଆଗାମୀ ଭବିଷ୍ୟତରେ ପିଲାଟିର ଆତ୍ମିୟତା ଆସିବ କେଉଁଠୁ ? ସବୁ କେବଳ ଶିକ୍ଷକ ମାନଙ୍କର ଉପରେ ଦୋଷ ଲଦି ଦେଲେ ହେବ କି ?? ପିତା ମାତାମାନେ ପିଲା ମାନଙ୍କୁ ନିଜର କରିଶିଖ । ଭଲ ପାଇଶିଖ ଆମ ଦେଶର , ଜାତିର ସୈାରଭକୁ ଭୂଲି ପାଶ୍ଚାତ୍ୟ ସଂସ୍କୃତିକୁ ଆବୋରାଇବା ପରିକଥା କର ନାହିଁ । ଏହା କଲେ ନଦୀରେ ହଜାଇ ଗଡିଆରେ ଖୋଜିବା ପରି କଥା ହେବ । ଏମିତି ହେଲେ ସବୁ ଶାଶୁ ଶଶୁର ମାନେ ଜ୍ୱାଇଁକୁ କିଣି ନେବା ନିଶ୍ଚିତ ହେବ ହିଁ ହେବ । ତେଣୁ ଆଜିର ସଭ୍ୟତାରେ ପରକୀୟା ପ୍ରୀତିର ପ୍ରଭାବ ଏଭଳିଭାବେ କାୟା ବିସ୍ତାର କରିଛି ଯେ ଆଜିର ଶିଶୁ କାଲି ସକାଳକୁ ଏକ ଅସାମାଜିକତାର ବାର୍ତାବହ ହୋଇ ଯାଉଛି । ପରବର୍ତୀ ସମୟ ରେ ୧୮ ଘଂଟା ମୋବାଇଲ ବ୍ୟବହାରରେ କାଲିର ଶିଶୁ ତଥା ଆଜିର ଯୁବକଟି ବିପଥ ଗାମୀ ହେଉଛି ତା ସହିତ ପରିବାର ଆତ୍ମିୟ ସ୍ୱଜନ ସମସ୍ତଙ୍କୁ ଅତିଷ୍ଟ କରିଛି । ଶେଷରେ ସେମାନଙ୍କର ଭବିଷ୍ୟତ ଏକ ସୀମାହୀନ ଅଲୋଡା ଭବିଷ୍ୟତ ର କୁହେଳିକାରେ ହଜି ଯାଉଛି ଯେ ହଜି ଯାଉଛି । ସେହି କୁପଥ ଗାମୀ ଅସଂସ୍କାରିତ ଧାରାରୁ ନିବୃତ ହେବା ପାଇଁ ଶିଶୁ ମାନଙ୍କୁ ତାର ବାଲ୍ୟ ବୟସରୁ ଆଧ୍ୟାତ୍ମିକ ଚେତନା ତିଆରି ହେବା ପାଇଁ ସମସ୍ତ ଦିଗରୁ ପୂର୍ବକାଳରେ ଯତ୍ନ ନିଆଯାଉଥିଲା । ଆଜି କାଲିର ହା ଲୋ ହାଏ ସଭ୍ୟତାରେ ପବିତ୍ର ଦେବାଳୟର ସେହି ତୁଳସୀ କିମ୍ବା ବିଲ୍ୱ ଜଲର ପାଦୋଦକ ଆଉ ପିଲାର ମନରେ ଛାପ ନପକାଇ ୮ମ ଶ୍ରେଣୀରୁ ଗାଁ କ୍ଲବ ଘରରେ ନାଲି ପାଦୋଦକ ଅଭ୍ୟସ୍ତ କଲେଣି । ଏହିପରି ଭାବଧାରା ପିଲା ମାନଙ୍କର ପ୍ରତିଷ୍ଠା ହେବା ପଛରେ ସେମାନଙ୍କ ବାବା ମାଆ ମାନେ ମଧ୍ୟ ବହୁ ପରିମାଣର ଦାୟୀଦାର । ଆଜିର କିଛି ପିତା ମାତାମାନେ ବି ଏହି ଧାରାର ବାହକ ହୋଇଥିବାରୁ ତାହାର ପ୍ରଭାବ ମଧ୍ୟ ସଂନ୍ତାନ ମାନଙ୍କ ଉପରେ ପଡୁଛି । ତେଣୁ ଏହି ଗାଥା ପ୍ରତି ଅଭିଭାବକ ମାନେ ସତର୍କ ନହେଲେ ପିଲା ମାନେ କୁପଥଗାମୀ ହୋଇଯାଉଛନ୍ତି । ପିଲା ମାନଙ୍କୁ ଭଲକଥା କହିବାର ଅଧିକାର ସେମାନଙ୍କର ରହିବ ବା କିପରି ? କୋମଳ ମତି ପିଲାଟିକୁ ସୁପଥଗାମୀ କରିବାକୁ ହେଲେ ପ୍ରଥମେ ନିଜକୁ ସଜାଡିବାକୁ ହେବ । ନିଜେ ସଫା ରହିଲେ ଅନ୍ୟକୁ ସଫାରହିବାର ଉପଦେଶ ଦେବାକୁ ସୁବିଧା ହେବ ଓ ତାହାକୁ ପିଲାମାନେ ମଧ୍ୟ ସହଜରେ ଗ୍ରହଣ କରିବେ । ଦେଶ ଓ ଜାତିକୁ ସଠିକ ଧାରାରେ ପରିଚାଳନା କରିବାକୁ ହେଲେ ପ୍ରଥମେ ନିଜ ପରିବାର , ପରେ ଗ୍ରାମ ଓ ମନକୁ ମନ ଦେଶ ସଜାଡି ହୋଇଯିବ । ବାସ୍ତବରେ ଆଜିର ଶିଶୁ ବିନାଶର ଧାରା ଅତ୍ୟନ୍ତ ଚିନ୍ତାଦାୟକ ।
ବଜ୍ରବାଣ
କାର୍ଯ୍ୟନିର୍ବାହୀ ଅଧିକାରୀ ତଥା
ନିର୍ଦ୍ଦେଶକ -ନୂଆ ଆଲୋକ
ମୋ- ୯୪୩୭୭୫୮୩୦୩/୭୯୭୮୨୯୫୦୯୭

Loading...
Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.