ଅପରିପକ୍ୱ ସନ୍ତାନ ଜନ୍ମ ସମ୍ପର୍କରେ ଜାଣିବା ପାଇଁ ସରଳ ପଦ୍ଧତି

ଜୀବନଚର୍ଯ୍ୟା
Related image
ବୋଷ୍ଟନ:ବୈଜ୍ଞାନିକମାନେ ଏକ ସରଳ ପଦ୍ଧତିର ବିକାଶ କରିଛନ୍ତି। ଏହାଦ୍ୱାରା ଜଣେ ଗର୍ଭବତୀ ମହିଳାଙ୍କର ନିର୍ଦ୍ଧାରିତ ସମୟ ପୂର୍ବରୁ ପିଲା ଜନ୍ମ ହୋଇଯିବ କି ନାହିଁ ତାହା ଜାଣିହେବ। ଫଳରେ ଡାକ୍ତରଙ୍କ ପରାମର୍ଶ ନିଆଯାଇ ଅପରିପକ୍ୱ ଜନ୍ମ ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ। ଏକ ଆକଳନ କରି ଦେଖାଯାଇଛି ବିଶ୍ୱରେ ୧୮% ଶିଶୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ନେଇଥାଆନ୍ତି। ଗର୍ଭଧାରଣ କରିବାର ୩୭ ସପ୍ତାହରେ ଭ୍ରୂଣ ପୂର୍ଣ୍ଣତାପ୍ରାପ୍ତ ହେଲେ ସାଧାରଣତଃ ସନ୍ତାନ ଜନ୍ମଲାଭ କରିଥାଏ। ଆମେରିକାସ୍ଥିତ ମାସାଚୁସେଟ୍ସ ୟୁନିଭର୍ସିଟି (ଏମ୍‌ଆଇଟି) ଅଫ୍‌ ଟେକ୍ନୋଲୋଜିର ଗବେଷକମାନେ ସର୍ଭିକାଲ୍‌ ମ୍ୟୁକସ୍‌ (ଗର୍ଭାଶୟରୁ ନିର୍ଗତ ତରଳ ପଦାର୍ଥ) ଧର୍ମ ବିଶ୍ଳେଷଣ କରି ଅପରିପକ୍ୱ ଜନ୍ମ ଆଶଙ୍କା ଜାଣିବା ପାଇଁ ଏକ ପଦ୍ଧତି ବିକାଶ କରିଛନ୍ତି। ଗବେଷକ ଟିମ୍‌ ଦେଖିବାକୁ ପାଇଛନ୍ତି ଯେ, ଗର୍ଭଧାରଣର ୩୭ ସପ୍ତାହ ପୂର୍ବରୁ ଜନ୍ମ କରୁଥିବା ମହିଳାଙ୍କ ସର୍ଭିକାଲ୍‌ ମ୍ୟୁକସ୍‌ ବିଳମ୍ବରେ ଜନ୍ମ କରୁଥିବା ମହିଳାଙ୍କ ଅପେକ୍ଷା ଅନେକାଂଶରେ ପୃଥକ୍‌। ପୂର୍ବରୁ ଅଧ୍ୟୟନ କରି ଦେଖାଯାଇଛି ଯେ, ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ କରୁଥିବା ମହିଳାଙ୍କ ସର୍ଭିକାଲ୍‌ ମ୍ୟୁକସ୍‌ ଅତି ଦୁର୍ବଳ ଏବଂ ଅଧିକ ସ୍ଥିତିସ୍ଥାପକ। ଗବେଷକ ଟିମ୍‌ କେତେକ ଗର୍ଭବତୀଙ୍କଠାରୁ ନମୁନା ସଂଗ୍ରହ କରିଥିଲେ। କେତେକ ଗର୍ଭବତୀ ୩୦ ସପ୍ତାହ ମଧ୍ୟରେ ନିୟମିତ ଡାକ୍ତରଙ୍କ ପାଖକୁ ପରାମର୍ଶ କରିବାକୁ ଆସୁଥିଲେ ଏବଂ ୩୭ ସପ୍ତାହ ପରେ ପ୍ରସବ କରିଥିଲେ। ଅପରପକ୍ଷରେ ଆଉ କେତେକ ଗର୍ଭବତୀ ୨୪ରୁ ୩୪ ସପ୍ତାହ ମଧ୍ୟରେ ପ୍ରସବ କରିଥିଲେ। ନବପ୍ରସୂତିମାନେ ସ୍ବାଭାବିକ ଅବସ୍ଥାକୁ ଆସିବା ପରେ ସେମାନଙ୍କଠାରୁ ନମୁନା ସଂଗ୍ରହ କରାଯାଇଥିଲା। ଗବେଷକମାନେ ଦୁଇ ଗୋଷ୍ଠୀ ମହିଳାଙ୍କ ଗର୍ଭାଶୟରୁ କ୍ଷରିତ ପଦାର୍ଥ ସଂଗ୍ରହ କରି ଏହାକୁ ପରୀକ୍ଷା କରାଇଥିଲେ। ସମୟ ପୂର୍ବରୁ ସନ୍ତାନ ଜନ୍ମ ଦେଇଥିବା ମହିଳାଙ୍କଠାରୁ ସଂଗୃହୀତ ନମୁନାରେ ପେପ୍‌ଟାଇଡ୍‌ ଅତି ସହଜରେ ପ୍ରବେଶ କରିପାରିଥିଲା। କେତେକ ମହିଳାଙ୍କର ଗର୍ଭାଶୟରୁ ସଂଗୃହୀତ ପଦାର୍ଥ ଅନ୍ୟ ମହିଳାଙ୍କଠାରୁ ପୃଥକ୍‌ କାହିଁକି ତାହା ଜଣାପଡି ନ ଥିଲେ ମଧ୍ୟ କ୍ଷତିକାରକ ଅଣୁଜୀବ ଓ ଭୂତାଣୁ ସଂକ୍ରମଣ ଯୋଗୁ ଏହା ସମ୍ଭବ ହୋଇଥାଏ ବୋଲି ଗବେଷକମାନେ ଜାଣିପାରିଛନ୍ତି। ଏହା ହିଁ ସମୟ ପୂର୍ବ ସନ୍ତାନ ଜନ୍ମର କାରଣ ହୋଇଥାଏ। ତେଣୁ ଏହି ପରୀକ୍ଷା ଦ୍ୱାରା ଅପରିପକ୍ୱ ସନ୍ତାନ ଜନ୍ମର ଆଶଙ୍କା ଜାଣିହେବ ବୋଲି ଏମ୍‌ଆଇଟି ସହଯୋଗୀ ପ୍ରଫେସର କ୍ୟାଥେରିନା ରିବେକ୍‌ ପ୍ରକାଶ କରିଛନ୍ତି।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.