
ମସ୍କୋ:- ରୁଷିଆର ଏକ ବ୍ୟସ୍ତବହୁଳ ଶପିଂ ମଲ୍ରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬୪ ଜଣ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି। ନିଆଁ ଝାସରେ ପୋଡ଼ି ଅନେକେ ଆହତ ହୋଇଛନ୍ତି। ବିଳମ୍ବରେ ହେଲେ ବି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଛି। ତଥାପି ଅନେକ ଶିଶୁ ଫସିରହିଥିବା ଆଶଙ୍କା କରି ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି। ରୁଷିଆ ରାଜଧାନୀ ମସ୍କୋର ୩୦୦୦ କି.ମି. ପୂର୍ବରେ ରହିଛି ସାଇବେରିଆର ଶିଳ୍ପ ସହର କେମେରୋଭୋ। ରବିବାର ସ୍ଥାନୀୟ ସମୟ ଅପରାହ୍ନ ୪ଟାରେ ସ୍କୁଲ ଛୁଟି ପରେ ସହରର ଓ୍ବିଣ୍ଟର ଚେରି ଶପିଂ ମଲ୍ରେ ଲାଗିଥିଲା ପିଲା ଓ ଅଭିଭାବକମାନଙ୍କ ଭିଡ଼। ସନ୍ଧ୍ୟାରେ ସମସ୍ତେ କିଣାକିଣିରେ ବ୍ୟସ୍ତ ଥିବାବେଳେ ଏହି ବହୁତଳ ବିଶିଷ୍ଟ ବ୍ୟବସାୟିକ କେନ୍ଦ୍ରର ସବା ଉପର ମହଲାରେ ହଠାତ୍ ଲାଗିଯାଇଥିଲା ନିଆଁ। ମଲ୍ରେ ଅଗ୍ନି ନିର୍ବାପକ ଯନ୍ତ୍ର ନ ଥିଲା କି ସହାୟତା ପାଇଁ ସାଇରନ୍ ମଧ୍ୟ ବାଜି ନ ଥିଲା। ଫଳରେ ଅଗ୍ନିଶମ ବାହିନୀ ଆସିବାରେ ବିଳମ୍ବ ହୋଇଥିଲା। ଚତୁର୍ଥ ମହଲାରୁ ହୁ ହୁ ହୋଇ ନିଆଁ ଚାରିଆଡକୁ ବ୍ୟାପିବାରେ ଲାଗିଲା। ପ୍ରାଣ ବିକଳରେ ଯିଏ ଯୁଆଡେ ଧାଇଁବାରେ ଲାଗିଥିବାବେଳେ ଚାହୁଁ ଚାହୁଁ ଚାଲିଗଲା ୬୪ ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରେ ଅନେକ ସ୍କୁଲ ପିଲା ଅଛନ୍ତି। ଆହୁରି ୬ ଜଣ ମଲ୍ର ଭଗ୍ନାବଶେଷ ତଳେ ଚାପି ହୋଇ ପ୍ରାଣ ହରାଇଥିବାବେଳେ କେତେଜଣ ଶିଶୁ ଫସିରହିଥିବା ଆଶଙ୍କା କରାଯାଉଛି ବୋଲି ଜରୁରୀ ସେବା ମନ୍ତ୍ରୀ ଭ୍ଲାଡିମିର ପୁଚ୍କୋଭ୍ କହିଛନ୍ତି। ସୋମବାର ସକାଳେ ୫୦୦ରୁ ଊର୍ଦ୍ଧ୍ୱ ଅଗ୍ନିଶମ କର୍ମଚାରୀ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରବଳ ଧୂଆଁ ଯୋଗୁ ଉଦ୍ଧାରରେ ବାଧା ସୃଷ୍ଟି ହେବାରୁ ଡ୍ରୋନ୍ ବ୍ୟବହାର କରାଯାଇଛି। ସୋଭିଏଟ୍ ସଂଘ ଭାଙ୍ଗିବା ପରେ ରୁଷିଆରେ ଏତେ ଘାତକ ଅଗ୍ନିକାଣ୍ଡ ଘଟି ନ ଥିବା କୁହାଯାଉଛି। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଏହାକୁ ନେଇ ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ମଲ୍ କର୍ତ୍ତୃପକ୍ଷଙ୍କ ଅବହେଳା ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅଭାବ ଯୋଗୁ ଏତେ ବଡ଼ ଅଘଟଣ ଘଟିଗଲା ବୋଲି ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି। ପୋଲିସ ଏ ସଂକ୍ରାନ୍ତରେ ମଲ୍ ମାଲିକଙ୍କ ସମେତ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୂର୍ବରୁ ଚକୋଲେଟ କାରଖାନା ଥିବା ଏହି କୋଠାକୁ ୨୦୧୩ରେ ଓ୍ବିଣ୍ଟର ଚେରି ଶପିଂ ମଲ୍ରେ ପରିବର୍ତ୍ତିତ କରାଯାଇଥିଲା। ପିଲାଙ୍କ ପାଇଁ ଏହା ପାଲଟିଥିଲା ଏକ ଲୋକପ୍ରିୟ ଖେଳ ଓ ମନୋରଞ୍ଜନ କେନ୍ଦ୍ର।