ସାଧାରଣତଃ ପୁରୁଷମାନେ ହିଁ ପରିବାରରେ ମୁଖ୍ୟ ଆୟକାରୀ ହୋଇଥାଆନ୍ତି। ଏହା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଏହାଦ୍ୱାରା ସେମାନଙ୍କର ହୃଦ୍ରୋଗ, ହୃଦ୍ଘାତ ଏବଂ ଟାଇପ୍ ଟୁ ଡାଇବେଟିସ୍ ଆଶଙ୍କା ବୃଦ୍ଧିପାଇଥାଏ ବୋଲି ଗବେଷକମାନେ ମତ ଦେଇଛନ୍ତି। ଅଧିକାଂଶ ପୁରୁଷ ଭାବନ୍ତି ଯେ, ସେମାନେ ହେଉଛନ୍ତି ପରିବାରର ମୁଖ୍ୟ ରୋଜଗାରିଆ ବ୍ୟକ୍ତି। ଏହାଦ୍ୱାରା ପୁରୁଷର ସ୍ବାସ୍ଥ୍ୟ ପ୍ରତି ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୋଇଥାଏ ବୋଲି ଆମେରିକାସ୍ଥିତ ରୁଟ୍ଗର ୟୁନିଭର୍ସିଟି ପ୍ରଫେସର କ୍ୟାରି କୁପର ପ୍ରକାଶ କରିଛନ୍ତି।
ଗବେଷକ ବିଶ୍ୱାସ କରନ୍ତି ଯେ, ପୁରୁଷମାନେ ପରିବାରରେ ମୁଖ୍ୟ ଆୟକାରୀ ହୋଇଥିବାରୁ ସେମାନଙ୍କ ସ୍ଥାନ ଉଚ୍ଚରେ ରହିଥାଏ। ଏହା ସେମାନଙ୍କ ଶାରୀରିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ। ଏକ ଗବେଷକ ଟିମ୍ ପାଖାପାଖି ୨,୦୦୦ ଦମ୍ପତିଙ୍କ ଆୟ ଓ ସ୍ବାସ୍ଥ୍ୟ ଅବସ୍ଥାକୁ ଦୀର୍ଘ ୩୦ବର୍ଷ ଧରି ଅନୁଧ୍ୟାନ କରିଥିଲେ। ସେମାନେ ଦେଖିବାକୁ ପାଇଲେ ଯେ, ପରିବାରର ମୁଖ୍ୟ ଆୟକାରୀ ପୁରୁଷମାନେ ମହିଳାଙ୍କ ତୁଳନାରେ ହୃଦ୍ରୋଗ ସମସ୍ୟା ଏବଂ ଡାଇବେଟିସ୍ ଭଳି ଚାପଗ୍ରସ୍ତ ରୋଗରେ ଅଧିକ ସଂଖ୍ୟାରେ ପୀଡ଼ିତ। ପରିବାରରେ ଲିଙ୍ଗଭିତ୍ତିକ ଆଦର୍ଶ ଯୋଗୁ ପୁରୁଷ ମୁଖ୍ୟ ରୋଜଗାରୀ ହୋଇଥାଏ। ପୁରୁଷର ବୟସ ବୃଦ୍ଧି ଘଟିଥିଲେ ହେଁ ଏହି ପ୍ରବଣତା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଏ ସମ୍ପର୍କିତ ଏକ ଗବେଷଣାମୂଳକ ଲେଖା ଏଜିଂ ଆଣ୍ଡ ହେଲ୍ଥ ଜର୍ନାଲରେ ପ୍ରକାଶ ପାଇଛି। ବାସ୍ତବ କଥା ହେଉଛି ଅଧିକାଂଶ ପୁରୁଷ ଭାବନ୍ତି ଯେ, ସେମାନେ ମୁଖ୍ୟ ଆୟକାରୀ ହେବା ଉଚିତ। ତେବେ ଏହି ଭୂମିକା ସେମାନେ ଅଧିକ ଦିନ ନିର୍ବାହ କରିପାରୁ ନ ଥିବାରୁ ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୁଏ। ଫଳରେ ଶାରୀରିକ ସ୍ବାସ୍ଥ୍ୟ ରୋଗଗ୍ରସ୍ତ ହୋଇପଡ଼େ।
- 35Shares