
ଭୁବନେଶ୍ୱର- ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଚାଲିଯାଇଛି। ଶୁକ୍ରବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଚଳିତ ବର୍ଷ ରାଜ୍ୟ ପ୍ରତି ମୌସୁମୀର କୃପା ଥିଲା। ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ ପହିଲାରୁ ଅକ୍ଟୋବର ୫ ମଧ୍ୟରେ ରାଜ୍ୟରେ ୧୨ ପ୍ରତିଶତ ଅଧିକ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୧୧୪୯.୯ ମିଲିମିଟର ବର୍ଷା ହେବାକୁ ଥିବା ବେଳେ ହୋଇଛି ୧୨୯୦.୨ ମିଲିମିଟର।
ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ ପହିଲାରୁ ଅକ୍ଟୋବର ୫ ତାରିଖ ମଧ୍ୟରେ ୧୧ଟି ଜିଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ସେହି ଜିଲାଗୁଡିକ ହେଲା କଳାହାଣ୍ଡି, ମାଲକାନଗିରି, ପୁରୀ, କେନ୍ଦ୍ରାପଡା, ଯାଜପୁର, ଖୋର୍ଦ୍ଧା, ଜଗତ୍ସିଂହପୁର, ଭଦ୍ରକ, କୋରାପୁଟ, କଟକ, ରାୟଗଡା। ଅବଶିଷ୍ଟ ୧୯ଟି ଜିଲାରେ ସ୍ବାଭାବିକ ବର୍ଷା ହୋଇଛି। କୌଣସି ଜିଲାରେ ମରୁଡି ପରିସ୍ଥିତି ହୋଇ ନାହିଁ। ତେବେ ଯଦି ବ୍ଲକକୁ ହିସାବକୁ ନିଆଯାଏ ତେବେ ୪ଟି ବ୍ଲକରେ ଭଲ ବର୍ଷା ହୋଇ ନାହିଁ। ସେହି ବ୍ଲକଗୁଡିକ ହେଲା ବଲାଙ୍ଗୀର ଜିଲାର ଲୋଇସିଙ୍ଗା। ସେଠାରେ ସ୍ବାଭାବିକ ଠାରୁ ୪୫ ପ୍ରତିଶତ କମ ବର୍ଷା ହୋଇଥିବା ବେଳେ ମୁରିବାହଲରେ ୪୨.୧, ବେଲପଡାରେ ୫୦.୧ ଏବଂ ସୁନ୍ଦରଗଡ ଜିଲାର ଟାଙ୍ଗରପାଲି ବ୍ଲକରେ ୪୨.୧ ପ୍ରତିଶତ କମ ବର୍ଷା ହୋଇଛି। ତେବେ ୩୦ଟି ବ୍ଲକରେ ସ୍ବାଭାବିକ ଠାରୁ ଅର୍ଥାତ ୧୯ରୁ ୩୯ ପ୍ରତିଶତ କମ ବର୍ଷା ହୋଇଛି। ୧୦୮ଟି ବ୍ଲକରେ ପ୍ରବଳ ବର୍ଷା ହୋଇଥିବା ବେଳେ ୧୭୨ଟି ବ୍ଲକରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ୮ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗର ଚେନ୍ନାଇ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୧୦ ଓ ୧୧ ତାରିଖ ଦୁଇଦିନ ଉପକୂଳ ଓଡିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
Loading...
Share It
- 108Shares