‘ଓଡ଼ିଶା ଜଗରନଟ୍ସ’ର ଜର୍ସି ଉନ୍ମୋଚିତ

ଖେଳ

ଭୁବନେଶ୍ବର: ପେସାଦାର ଖୋଖୋ ଲିଗ୍ ‘ଅଲିଟିମେଟ୍ ଖୋଖୋ’ରେ ଭାଗନେବାକୁ ଯାଉଥିବା ଓଡ଼ିଶା ଭିତ୍ତିକ ଦଳ ‘ଓଡ଼ିଶା ଜଗରନଟ୍ସ’ର ଜର୍ସି ଉନ୍ମୋଚନ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ହୋଇଯାଇଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଏଥିନେଇ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ଆର୍‌. ଭିନିଲକ୍ରିଷ୍ଣା ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଦଳର ପ୍ରଶିକ୍ଷକ ଏବଂ ଖେଳାଳିଙ୍କ ସହ ଆଲୋଚନା କରିବା ସହ ଆଗାମୀ ଋତୁ ଲାଗି ସେମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ‘‘ଟିମ୍ ଜଗରନଟ୍ସର ପ୍ରତ୍ୟେକ ସଦସ୍ୟଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଆପଣମାନେ ସମସ୍ତେ ଏବେ ଆମ ପରିବାରର ଜଣେ ଜଣେ ସଦସ୍ୟ। ଆଗାମୀ ଲିଗ୍ ଲାଗି ମୁଁ ଆପଣମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଆମେ, ଓଡ଼ିଆ ପ୍ରଶଂସକ ଓ ସମର୍ଥକ ଓଡ଼ିଶାରୁ ଆପଣମାନଙ୍କୁ ଉତ୍ସାହିତ କରିବୁ। ଆପଣମାନେ ପ୍ରଥମ ସଂସ୍କରଣ ଟ୍ରଫି ସହ ଫେରିବେ ବୋଲି ମୋର ଆଶା ଓ ବିଶ୍ବାସ ରହିଛି।’’ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଦଳକୁ ଦେଉଥିବା ସମର୍ଥନ ଓ ସହଯୋଗ ପାଇଁ ମୁଖ୍ୟ ପ୍ରଶିକ୍ଷକ ଅଶ୍ବିନୀ କୁମାର ଶର୍ମା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ‘‘ଓଡ଼ିଶା ଏଫ୍‌ସି ଏକ ସନ୍ତୁଳିତ ଦଳ। ଏଥିରେ କନିଷ୍ଠ ଓ ବରିଷ୍ଠ ଜାତୀୟ ପ୍ରତିଯୋଗିତା ତଥା ଖେଲୋ ଇଣ୍ଡିଆ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ବହୁ ପ୍ରତିଭାବାନ ଖେଳାଳି ଅଛନ୍ତି। ଏଣୁ ପ୍ରଥମ ଋତୁରେ ଓଡ଼ିଶା ଜଗରନଟ୍ସ ନିଶ୍ଚିତ ଭାବେ ଭଲ କରିବ।’’ ବୋଲି କହିଥିଲେ ସେ।

Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.