ଅମାବାସ୍ୟା ଓ ପ୍ରଭୁ ଜଗନ୍ନାଥ

ବିଶେଷ

ପୁରାଣର ବର୍ଣ୍ଣନା ଅନୁସାରେ, ଚନ୍ଦ୍ରଙ୍କର ଏକ ଏକ ଦିନର କଳା ପାନ କରି ଦେବତାମାନେ ଏକ ଏକ ଦିନର ଅଧିପତି ହୋଇଥାନ୍ତି। ଏହି ଧାରାରେ, ବିଶ୍ୱଦେବା (ପିତର)ମାନେ ଅମାବାସ୍ୟା ତିଥିର ଅଧିପତି ହୁଅନ୍ତି। ତେଣୁ କେତେକ ଅମାବାସ୍ୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ, ଦୀପଦାନ ଆଦି କରିବାର ବିଧି ରହିଛି। କିନ୍ତୁ ଅମାବାସ୍ୟା ତିଥିରେ ସାଧାରଣତଃ କୌଣସି ଶୁଭକାର୍ଯ୍ୟ ଆରମ୍ଭ ହୁଏନାହିଁ। ଅଥଚ ସର୍ବମଙ୍ଗଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରରେ ଅମାବାସ୍ୟା ତିଥିର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ବର୍ଷ ମଧ୍ୟରେ ଯେଉଁ ବାରଟି ଅମାବାସ୍ୟା ତିଥି ପଡ଼େ, ସେଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସ୍ୱତନ୍ତ୍ର ବିଧି ପାଳିତ ହୁଏ। ଏ ମଧ୍ୟରେ ଏକ ବିଶେଷ ଭୂମିକା ଗ୍ରହଣ କରେ ପ୍ରଭୁଙ୍କର ‘ସାଗର ବିଜେ’ ଯାତ୍ରା। ଏହି ତିଥିରେ ମହାପ୍ରଭୁ ନାରାୟଣ ରୂପରେ ସାଗର ବିଜେ କରନ୍ତି। ମହାପ୍ରଭୁଙ୍କର ଗୋବିନ୍ଦ ପ୍ରତିମା ଶିବିକାରେ ଉପବେଶନ କରି, ଛତ୍ର ଚାମର କାହାଳୀ ଆଦି ସହିତ ମହୋତ୍ସବ କରି, ନିଜର ନିତ୍ୟ ଆବାସ ସ୍ଥଳ ପରିଦର୍ଶନ କରି ରତ୍ନାକର ସମୁଦ୍ରଙ୍କର ବନ୍ଦାପନା ଗ୍ରହଣ କରିଥାନ୍ତି। ସମଗ୍ର ସୃଷ୍ଟିକୁ ପରିପାଳନ କରୁଥିବା ସାଗର ତଥା ନିଜର ନିତ୍ୟ ଆବାସ ସ୍ଥଳକୁ ଦର୍ଶନ କରି ତା’ର ମାନ ବଢ଼ାଇ ଥାନ୍ତି।

ଆଷାଢ଼ ମାସରେ ଯେଉଁ ଅମାବାସ୍ୟା ପଡ଼େ, ସେଦିନ ମହାପ୍ରଭୁଙ୍କର ଉଭାଯାତ୍ରା ଓ ନବଯୌବନ ଦର୍ଶନ ହୁଏ। କଥିତ ଅଛି ଏହି ଦିନ ବିଦ୍ୟାପତି ପ୍ରଥମେ ଶ୍ରୀନୀଳମାଧବଙ୍କୁ ଦର୍ଶନ କରିଥିଲେ। ଶ୍ରାବଣ ଅମାବାସ୍ୟା ଦିନ, ସ୍ନାନଯାତ୍ରା ପରେ କଢ଼ାଯାଇଥିବା ରତ୍ନଚିତା ମହାପ୍ରଭୁଙ୍କୁ ଲାଗି କରାଯାଇ ଥାଏ। ଭାଦ୍ରବ ଅମାବାସ୍ୟାରେ ମହାପ୍ରଭୁଙ୍କର ପାକଶାଳା ରକ୍ଷୟିତ୍ରୀ କାଳରାତ୍ରିଙ୍କୁ ପାକଶାଳାର ଭାର ଗ୍ରହଣ କରିବାକୁ ନିମନ୍ତ୍ରଣ କରାଯାଏ। ଆଶ୍ୱିନ ଅମାବାସ୍ୟାରେ ସେ ପିଣ୍ଡଦାନ କରନ୍ତି ଏବଂ ଦେବୀ ବିମଳାଙ୍କ ସହିତ ଦୁର୍ଗା ମାଧବ ରୂପରେ ପୂଜିତ ହୁଅନ୍ତି। କାର୍ତ୍ତିକ ଅମାବାସ୍ୟାରେ ସାଗରବିଜେ କାଳରେ ଯମେଶ୍ୱରଙ୍କ ସହିତ ସାକ୍ଷାତ, ମାର୍ଗଶିର ଅମାବାସ୍ୟାରେ ଦେବ ଦୀପାବଳିପାଳନ, ପୌଷ ଅମାବାସ୍ୟାରେ ବକୁଳଗ୍ର୍ରହଣ ଏବଂ ମାଘ ମାସ ତ୍ରିବେଣୀ ଅମାବାସ୍ୟା ଦିନ ଶ୍ରୀମନ୍ଦିରକୁ ତିନି ଲୋକ (ଦେବ, ସିଦ୍ଧ ଓ ନାଗ)ଙ୍କର ଆଗମନ ମହତ୍ତ୍ୱପୂର୍ଣ୍ଣ। ଫାଲଗୁନ ଅମାବାସ୍ୟାରେ ମହାପ୍ରଭୁ ହରିହର ଭେଟ ପାଇଁ ଲୋକନାଥ ମନ୍ଦିରକୁ ଯାଆନ୍ତି ଏବଂ ଚୈତ୍ର ଓ ବୈଶାଖ ଅମାବାସ୍ୟାରେ ଚନ୍ଦନ ଉତ୍ସବ ପାଳନ ତଥା ଜ୍ୟେଷ୍ଠ ଅମାବାସ୍ୟାରେ ଜଳକ୍ରୀଡ଼ା ମଣ୍ଡପ ଗମନ କରିଥାନ୍ତି। ଏହିପରି ଭାବରେ ଅମାବାସ୍ୟା ତିଥିରେ ଅନେକ ଉତ୍ସବ ପାଳନ କରି ମହାପ୍ରଭୁ ଅମାବାସ୍ୟାକୁ ଅଶୁଭ ତିଥିରୁ ଶୁଭତିଥିରେ ପରିଣତ କରିଥାନ୍ତି। ଏଇଥିପାଇଁ ତ ସେ ସର୍ବମଙ୍ଗଳ ଜଗନ୍ନାଥ!

Share It

Leave a Reply

Your email address will not be published.

This site uses Akismet to reduce spam. Learn how your comment data is processed.