ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କୌଣସି ପ୍ରଶ୍ନର ଉତ୍ତର ଚାହୁଁଥିଲେ ସମସ୍ତେ ପ୍ରାୟ ଗୁଗୁଲ୍ ସର୍ଚ୍ଚ କରିଥାଆନ୍ତି। ବେଳେବେଳେ ଏଥିରେ କିଛି ଭୁଲ ଉତ୍ତର ଆସିଥିବା ମଧ୍ୟ ଅନେକଙ୍କ ନଜରକୁ ଆସିଛି। ହେଲେ ସବୁଠାରୁ ବଡ ଭୁଲ୍ ଦେଖିବାକୁ ମିଳିଛି ଏପ୍ରିଲ ୨୫ ତାରିଖ ବୁଧବାର ଦିନ। ୨୫ ତାରିଖ ରାତିରେ କିଛି ଲୋକ ‘Indias first PM’ ସର୍ଚ୍ଚ କଲା ବେଳେ ଏହାର ଉତ୍ତର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏଥିରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ନାମ ଆସୁଥିବା ବେଳେ ଫଟୋଟି କିନ୍ତୁ ଥିଲା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର। ଏହାପରେ ଏହି ମେସେଜ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା। ପରେ ଅବଶ୍ୟ ଏହାକୁ ଠିକ୍ କରି ଦିଆଗଲା। କିନ୍ତୁ ଏତିକିରେ ଗୁଗୁଲର ଭୁଲ୍ ସଂଶୋଧନ ହେଲାନାହିଁ। ଆଉକିଛି ପ୍ରଶ୍ନର ମଧ୍ୟ ଭୁଲ୍ ଉତ୍ତର ଦେଲା ଗୁଗୁଲ୍। ‘india first finance minister’ ସର୍ଚ୍ଚ କଲାବେଳେ ବର୍ତ୍ତମାନର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଫଟୋ ଆସିଲା। ସୂଚନାଯୋଗ୍ୟ, ଭାରତର ପ୍ରଥମ ଅର୍ଥମନ୍ତ୍ରୀ ଥିଲେ ଆର୍.କେ. ସନମୁଖମ୍ ସେଟ୍ଟୀ। ସେହିପରି ‘india first defence ministre’ସର୍ଚ୍ଚ କରିବାରୁ ଆସିଲା ବର୍ତ୍ତମାନର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସିଥାରମଣଙ୍କ ଫଟୋ। ହେଲେ ଭାରତର ପ୍ରଥମ ପ୍ରତିରକ୍ଷାମନ୍ତ୍ରୀ ଥିଲେ ବଳଦେବ ସିଂ। ଏହା ଗୁଗୁଲର ଯାନ୍ତ୍ରୀକତ୍ରୁଟି କୁହାଯାଉଥିବା ବେଳେ କେବେଠାରୁ ଏହା ହୋଇଛି ତା’ର କୌଣସି ସଠିକ୍ ତଥ୍ୟ ନାହିଁ।
- 54Shares