ଲକ୍‌ଡାଉନ ପରେ ଜିଲ୍ଲାକୁ ହଜାର ହଜାର ଲୋକ ଆସିବାର ସମ୍ଭାବନା, ପ୍ରସ୍ତୁତିରେ ଜିଲ୍ଲା ପ୍ରଶାସନ

ଓଡିଶା ନ୍ୟୁଜ୍

ଯାଜପୁର ତା ୨୨/୪ : କରୋନା ପାଇଁ ବାହାର ରାଜ୍ୟରେ ଆମ ଜିଲ୍ଲାର ହଜାର ହଜାର ଲୋକମାନେ ଅଟକି ରହିଛନ୍ତି । ଲକ୍‌ଡ଼ାଉନ ଯୋଗୁ ସେମାନେ ଆସିପାରୁ ନାହାଁନ୍ତି କିମ୍ବା ଆମ ଜିଲ୍ଲାରେ ଅଟକି ରହିଥିବା ଅନ୍ୟ ରାଜ୍ୟର ଲୋକମାନେ ମଧ୍ୟ ସେମାନଙ୍କ ରାଜ୍ୟକୁ ଯାଇପାରୁ ନାହାଁନ୍ତି । ଲକ୍‌ଡ଼ାଉନ ଉଠିଯିବାପରେ ଏହି ଅଟକି ଥିବା ଲୋକମାନେ ନିଜ ଅଂଚଳକୁ ଫେରିବେ । ସେଥିପାଇଁ ଆମେ ପ୍ରତ୍ୟେକ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଛନ୍ତି । ଏହି ଅଟକିଥିବା ବ୍ୟକ୍ତିମାନଙ୍କ ସୁରକ୍ଷିତ ଫେରସ୍ତ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ସଂପର୍କରେ ବୁଧବାର ଏକ ଭିଡିଓ କନ୍‌ଫେରନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସରଂପଚମାନଙ୍କ ସହ ଆଲୋଚନା କରିଥିଲେ । ଜନସାଧାରଣଙ୍କ ସହଯୋଗ ଯୋଗୁ ରାଜ୍ୟରେ କରୋନାକୁ ନିୟନ୍ତ୍ରଣ କରାଯାଇପାରୁଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ କରୋନା ପଜିଟିଭ ଚିହ୍ନଟ ହୋଇଥିବା କେତେକ ବ୍ଲକର ବିଡିଓଙ୍କ ସହ ଆଲୋଚନା କରିଥିଲେ । କନ୍‌ଫେରେନ୍ସର ନିର୍ଯ୍ୟାସ ଅନୁସାରେ ବାହାରେ ଥିବା କୌଣସି ବ୍ୟକ୍ତି ବିନା ପଞ୍ଜିକରଣରେ ଗାଁ ମଧ୍ୟକୁ ଆସିପାରିବେ ନାହିଁ । ପଞ୍ଜିକରଣ ବାଧ୍ୟତାମୂଳକ ଏଥିପାଇଁ ଏକ ପୋଟାଲ ଖୋଲାଯିବ ଓ ଏହା ଚଳିତ ମାସ ୨୪ ତାରିଖଠାରୁ କାର୍ଯ୍ୟକରିବ । ପଞ୍ଜିକରଣ ସଂପୃକ୍ତ ବ୍ୟକ୍ତି, ତାଙ୍କ ପରିବାରର ସଦସ୍ୟ ବା ସଂପୃକ୍ତ ପଂଚାୟତ ପକ୍ଷରୁ କରାଯାଇପାରିବ । ପଞ୍ଜିକୃତ ପ୍ରତ୍ୟେକ ବ୍ୟକ୍ତି ସରକାରୀ କ୍ୱାରେନଟାଇନରେ ରହିବେ ଓ ୧୪ଦିନ ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ସେମାନଙ୍କୁ ଛଡ଼ା ଯାଇପାରେ । କ୍ୱାରେନଟାଇନ ସମୟରେ ରହିବା, ଖାଇବା, ଶୌଚ ହେବା ଇତ୍ୟାଦି ସମସ୍ତ ବ୍ୟବସ୍ଥା ସରକାରୀ ଭାବେ କରାଯିବ । ସଫଳ କ୍ୱାରେନଟାଇନ ପାଇଁ ସରକାର ଘୋଷଣା କରିଥିବା ଦୁଇହଜାର ଟଙ୍କା ସଂପୃକ୍ତ ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ । ବର୍ତମାନ କ୍ୱାରେନଟାଇନ କେନ୍ଦ୍ରରେ ଅଧିକ ଲୋକ ରହିବା ବ୍ୟବସ୍ଥା, ଏହାକୁ ମନିଟରିଂ ପାଇଁ ଟିମ୍ ବ୍ୟବସ୍ଥା, ସଂପୃକ୍ତ ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ରନ୍ଧାଖାଦ୍ୟ ବ୍ୟବସ୍ଥା ବିଶୋଧନ କରିବା ବ୍ୟବସ୍ଥା ଇତ୍ୟାଦି କରାଯିବ । ସେହିପରି ଏହି କାର୍ଯ୍ୟକୁ ସଫଳ ଭାବେ ପରିଚାଳନା କରିବା ପାଇଁ ପଂଚାୟତ ଠାରୁ ଜିଲ୍ଲା ପର୍ଯ୍ୟନ୍ତ ଟିମ୍ ମାନଙ୍କୁ ବାଛି ପ୍ରଶିକ୍ଷିତ କରାଯିବ । ପଞ୍ଜିକୃତ ହେଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚିହ୍ନ ଦିଆଯିବ ଯଦ୍ୱାରା ସେମାନେ ପଞ୍ଜିକୃତ ହୋଇଛନ୍ତି ବୋଲି ଜଣାଯିବ ବୋଲି ସ୍ଥିର କରାଯାଇଛି । ଏହାକୁ ସମସ୍ତ ସରପଂଚ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନେ ପାଳନ କରିବାକୁ ଜିଲ୍ଲାପାଳ ଶ୍ରୀ ଦାସ ଅନୁରୋଧ କରିଛନ୍ତି । ଏହା ଏହା ବୃହତ କାର୍ଯ୍ୟ ଏଥିରେ ସମସ୍ତଙ୍କର ସକ୍ରିୟ ସହଯୋଗ ଆବଶ୍ୟକ । କେଉଁଠାରେ ସାମାନ୍ୟ ତୃଟି ହଜାର ହଜାର ଲୋକଙ୍କୁ ସଂକ୍ରମିତ କରିପାରେ । ତେଣୁ ଏହାକୁ ଅତ୍ୟନ୍ତ ନିଷ୍ଠା ଓ ଦାୟିତ୍ୱର ସହ ସଂପନ୍ନ ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ନିବେଦନ କରିଛନ୍ତି । ଅପରପକ୍ଷରେ ଯେନତେନ ପ୍ରକାରେ ବାହାର ରାଜ୍ୟରୁ ବିଶେଷ କରି କୋଲକତାରୁ ଆସିଥିବା ବ୍ୟକ୍ତି ମାନେ ପଞ୍ଜିକୃତ ହୋଇ ନାହାଁନ୍ତି ତେବେ ଦୟାକରି ତୁରନ୍ତ ପଞ୍ଜିକରଣ କରାଇ ସରକାରୀ କ୍ୱାରେନଟାଇନରେ ରହିବାକୁ ସେ ପୁଣି ଅନୁରୋଧ କରିଛନ୍ତି । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ, ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଭିନ୍ନ ବ୍ଲକର ଭିଡିଓ କନ୍‌ଫେରେନ୍ସ ହଲରେ ବିଡିଓ ଓ ସରପଂଚ ମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ ।

Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.