ଆଧାର ନ ଥିବାରୁ ଆୟକର ରିଟର୍ନ ଫାଇଲିଂରୁ ବଞ୍ଚିତ: କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

ଦେଶ ବିଦେଶ ନ୍ୟୁଜ୍

ନୂଆଦିଲ୍ଲୀ: ଆଧାର ସମ୍ପର୍କିତ ଏକ ଅଭିଯୋଗକୁ ନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଏବଂ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି। ପର୍ମାନେଣ୍ଟ୍‌ ଆକାଉଣ୍ଟ ନମ୍ବର(ପାନ୍‌) ସହିତ ଆଧାର ସଂଯୋଗ ହୋଇ ନ ଥିବାରୁ ଦୁଇଜଣ ଟିକସଦାତାଙ୍କୁ ଅନ୍‌ଲାଇନ୍‌ ଆୟକର ରିଟର୍ନ ଫାଇଲିଂରୁ କାହିଁକି ବଞ୍ଚିତ କରାଗଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଉକ୍ତ ଦୁଇ ଟିକସଦାତା ଆଇନଜୀବୀ ହୋଇଥିବା ବେଳେ ସେମାନେ ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ କରିଥିଲେ। କୋର୍ଟ ସିବିଡିଟିଠାରୁ ଜବାବ ତଲବ କରିବା ସହିତ କହିଛନ୍ତି, ଟିକସଦାତା ତଥା ବରିଷ୍ଠ ଆଇନଜୀବୀ ମୁକୁଲ ତିଓ୍ବାରୀ ଏବଂ ବ୍ରିନ୍ଦା ଗ୍ରୋଭର ଆଧାର ସଂଯୋଗ ବିନା ଆୟକର ରିଟର୍ନ ଫାଇଲ୍‌ କରି ପାରିବେ। ବିଚାରପତି ଏସ୍‌. ରବୀନ୍ଦ୍ର ଭଟ୍ଟ ଏବଂ ଏ.କେ ଚାଓ୍ବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। କହିଛନ୍ତି, ରିଟର୍ନ ଫାଇଲିଂ ପାଇଁ ଆୟକର ବିଭାଗ ଆଧାର ସଂଯୋଗକୁ ନେଇ ଦାବି କରିପାରିବ ନାହିଁ କି ଟିକସଦାତାଙ୍କୁ ବାଧ୍ୟ କରିପାରିବ ନାହିଁ। ୨୦୧୮ ଜୁନ୍‌ ୩୦ ପର୍ଯ୍ୟନ୍ତ ଏଥିପାଇଁ ସମୟ ସୀମା ବୃଦ୍ଧି କରାଯାଇଥିବା ବେଳେ ଟିକସ ବିଭାଗ କାହିଁକି ଆୟକର ରିଟର୍ନ ଫାଇଲିଂରୁ ଉକ୍ତ ଦୁଇ କରଦାତାଙ୍କୁ ବଞ୍ଚିତ କରିଛି ସେ ପ୍ରଶ୍ନର ଉତ୍ତର ଦିଅନ୍ତୁ। ଏ ସମ୍ପର୍କିତ ପରବର୍ତ୍ତୀ ଶୁଣାଣିକୁ କୋର୍ଟ ମେ’ ୧୪କୁ ଧାର୍ଯ୍ୟ କରିଛନ୍ତି।

Loading...
Loading...
Share It

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.