ମୁମ୍ବାଇ: ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ‘କାଳୀ’ର ନିର୍ଦ୍ଦେଶିକା ଲୀନା ମାନିମେକଲାଇଙ୍କୁ ପ୍ରରୋକ୍ଷ ଭାବରେ ସମାଲୋଚନା କରିଛନ୍ତି ବଲିଉଡ୍ କଳାକାର ଅନୁପମ୍ ଖେର୍। ନିର୍ମାତା ହିନ୍ଦୁ ଧର୍ମୀମାନଙ୍କ ଦେବୀ କାଳୀଙ୍କ ହାତରେ ସିଗାରେଟ୍ ଥିବାର ଏକ ପୋଷ୍ଟ୍ର ରିଲିଜ୍ କରିବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ତାଙ୍କ ଉପରେ ନିଜର କ୍ଷୋଭ ପ୍ରକାଶ କରିଥିବା ବେଳେ ଅନୁପମ୍ ବି ନିର୍ଦ୍ଦେଶିକାଙ୍କୁ ଇଙ୍କିତ କରି ତାଙ୍କ ଉଦ୍ଦେଶ୍ୟରେ ଏକ ଟ୍ବିଟ୍ ପୋଷ୍ଟ୍ କରିଛନ୍ତି।
ସେ ଏକ ଟ୍ବିଟ୍ ପୋଷ୍ଟ୍ କରି ଲେଖିଛନ୍ତି, ‘ସିମ୍ଲାରେ ମାଆ କାଳୀଙ୍କର ଏକ ବହୁତ ପ୍ରସିଦ୍ଧ ମନ୍ଦିର ଅଛି।# କାଲିବାଡ଼ି। ପିଲାଦିନେ ଅନେକ ଥର ଯାଇଛି। ବୁନ୍ଦିର ପ୍ରସାଦ ଓ ମିଠା ଚରଣାମୃତ ପାଇଁ ଯାଉଥିଲି। ମନ୍ଦିର ବାହାରେ ଜଣେ ସାଧୁ/ଫକିର ଧରଣର ବ୍ୟକ୍ତି ବାରମ୍ବାର ଏକ କ୍ା ଦୋହରାଉ ଥିଲେ ଯେ ‘ଜୟ ମାଆ କଲ୍କତ୍ତେ ବାଲି, ତେରା ଶ୍ରାପ୍ ନାଯାଏ ଖାଲି’। ଆଜିକାଲି ସେହି ସାଧୁ ଓ ମନ୍ଦିର ଖୁବ୍ ମନେ ପଡୁଛି। ଅନୁପମ୍ଙ୍କର ଏହି ପୋଷ୍ଟ୍ ଯେ ନିର୍ଦ୍ଦେଶକ ଲୀନା ମାନିମେକଲାଇଙ୍କ ଉଦ୍ଦେଶ୍ୟରେ ତାହା ବୁଝିବାକୁ ଆଉ ବାକି ନାହିଁ।
ଉଲ୍ଲେଖଯୋଗ୍ୟ, ଗତ ୨ ତାରିଖରେ ନିର୍ମାତା ପୋଷ୍ଟର୍ଟିକୁ ରିଲିଜ୍ କରିବା ପରେ ବିବାଦ ଉପୁଜିଥିଲା। ପୋଷ୍ଟ୍ରରେ ମାଆ କାଳୀ ସିଗାରେଟ୍ ପିଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାକୁ ନେଇ ବିବାଦ୍ ଜୋର୍ ଧରିଛି। କେବଳ ସିଗାରେଟ୍ ନୁହେଁ, ମାଆ କାଳୀ ଗୋଟାଏ ହାତରେ ତ୍ରିଶୁଳ ତ ଅନ୍ୟ ହାତରେ ଏଲ୍ଜିବିଟି ସମୁଦାୟର ପତାକା ଧରିଥିବାର ଦେଖିବାକୁ ମିଳିଥିଲା। ମାଆ କାଳୀଙ୍କ ହାତରେ ଏହି ଦୁଇଟି ଜିନିଷକୁ ଦେଖି ବିବାଦ ଉପୁଜିବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ସିନେ ନିର୍ମାତା ଲୀନା ମାନିମେକଲାଇଙ୍କୁ ଗିରଫ କରିବାକୁ ଦାବି କରିଥିଲେ।