ଝିଅ ନୁହେଁ ହୀରା

ପ୍ରବନ୍ଧ ସାହିତ୍ୟ ସଂସ୍କୃତି
Related imageକମୁନି କନ୍ୟାଭ୍ରୂଣ ହତ୍ୟା। ଆଜି ବି ଅଳିଆ, ଆବର୍ଜନା, ପରିତ୍ୟକ୍ତ ସ୍ଥାନରୁ ଶୁଭୁଛି କଅଁଳ ଶିଶୁକନ୍ୟାର କରୁଣ କ୍ରନ୍ଦନ। ହେଲେ ସେହି ଝିଅ ବାରବାର ପ୍ରମାଣିତ କରିଆସିଛି, ସେ ନୁହେଁ କାହାଠାରୁ କମ୍‌। ସେ ଘର ସମ୍ଭାଳି ପାରେ, ଦେଶ ବି। ରୋଷେଇ କରି ପାରେ, ଆଉ ମହାକାଶକୁ ବି ଯାଇପାରେ। ପୁଅପରି ମା’ବାପାଙ୍କ ସାହାରା ମଧ୍ୟ ପାଲଟି ପାରେ। କେହିକେହି ତ ଦୁନିଆର ଭିଡ ଭିତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ମା’ବାପାଙ୍କୁ ଦିଅନ୍ତି ନୂଆ ଏକ ପରିଚୟ। ଠିକ୍‌ ଯେମିତି ଏଇ ଝିଅମାନେ। ଯାହାଙ୍କୁ ଏବେ ସମାଜ କହୁଛି ଝିଅ ନୁହେଁ ହୀରା…।
ରୋଷେୟା ମା’ଙ୍କ ଝିଅ, ଭଲିବଲ ତାରକା
ଶିରିସା କାରାମୀ। ଜଣେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଭଲିବଲ୍‌ ଖେଳାଳି। ରୁହନ୍ତି ମାଲକାନଗିରି ଜିଲାର ପଡିଆ ଗାଁରେ। ମା’ ଚିଲାମା କାଲିମେଳା ଆଶ୍ରମ ବିଦ୍ୟାଳୟରେ ରୋଷେୟା ଭାବେ କାମ କରନ୍ତି। ଛୋଟବେଳୁ ଶିରିସାଙ୍କ ବାପା ମା’ଙ୍କୁ ଛାଡି ଚାଲି ଯାଇଥିଲେ। ସେବେଠୁଁ ଦୁଇ ଝିଅଙ୍କ ଦାୟିତ୍ୱ ତାଙ୍କ ମା’ ଏକୁଟିଆ ବହନ କରିଛନ୍ତି। ସମାଜରେ ଜଣେ ଏକାକିନୀ ମା’ ଦୁଇ ଝିଅଙ୍କୁ ନେଇ ଚଳିବା କେତେ ଯେ, କଷ୍ଟ ତାହା କହିବା ବାହୁଲ୍ୟ। ତଥାପି ସେ ହାରି ଯାଇ ନ ଥିଲେ। ନିଜେ ଖଟି ପିଲାଙ୍କର ସବୁ ଅଭାବ ଦୂର କରିଛନ୍ତି। ଆଉ ତାରି ଫଳସ୍ବରୂପ ବଡ଼ ଝିଅ ଶିରିସା ହୋଇପାରିଛନ୍ତି ଜଣେ ଭଲିବଲ ତାରକା, ଯାହାଙ୍କ ପାଇଁ ଏବେ ସାରା ଓଡିଶା ଗର୍ବିତ।
ଶିରିସା କହନ୍ତି, ‘ବହୁତ ଛୋଟବେଳୁ ବାପା ଆମକୁ ଛାଡି ଚାଲି ଯାଇଛନ୍ତି। ତାଙ୍କ ମୁହଁ ବି ଆଉ ମନେ ନାହିଁ। ମା’ ଏକୁଟିଆ ଆମକୁ ବଡ କରିଛନ୍ତି। ଅନେକ ଅଭାବ ଅସୁବିଧା ଭିତରେ କଟିଛି ଆମର ଦିନ ସବୁ। ରୋଷେଇ କରିବା ସହ ମୂଲ ମଜୁରି ଲାଗି ସେ ଆମକୁ ପାଳିଛନ୍ତି। ମୋର ଛୋଟବେଳୁ ଖେଳାଖେଳିରେ ଆଗ୍ରହ ଥିଲା। ସ୍କୁଲରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲି। ଆମ ସିନିୟର ଝିଅମାନେ ଯେତେବେଳେ ଭଲିବଲ ଖେଳୁଥିଲେ ତାକୁ ଦେଖି କାହିଁକି କେଜାଣି ମୋ ମନ ବ୍ୟାକୁଳ ହୋଇଯାଉଥିଲା। ଧୀରେ ଧୀରେ ସେଇ ଖେଳ ପ୍ରତି ମୋର ଦୁର୍ବଳତା ଆସିଗଲା। ଆଉ ସପ୍ତମ ଶ୍ରେଣୀରୁ ଏହି ଖେଳ ଖେଳିବା ଆରମ୍ଭ କଲି। ଭଲ ଖେଳିବାରୁ ସ୍କୁଲ ସାର୍‌ ପ୍ରେରଣା ଦେଲେ ଓ ଉତ୍ସାହିତ କଲେ ଏହି ଖେଳରେ ଆଗେଇବା ପାଇଁ। ମାଲକାନଗିରି ଜିଲା ସ୍ପୋର୍ଟସ୍‌ ହଷ୍ଟେଲରୁ ଅଧିକାରୀମାନେ ସ୍କୁଲକୁ ଆସି ଆମକୁ ଭଲିବଲ୍‌ ଖେଳିବା ପାଇଁ ସିଲେକ୍ଟ କରିଥିଲେ। ପରେ ମାଲକାନଗିରି ଜିଲା ଷ୍ଟାଡିୟମ୍‌କୁ ଯାଇ ଅଭ୍ୟାସ କଲି। ମନରେ ଥିଲା ଅନେକ ଆଶା। ଭଲ ଖେଳି ନିଜ ଅଞ୍ଚଳ, ନିଜ ରାଜ୍ୟ ଓ ଦେଶର ନାଁ ରଖିବି। ଆଉ ମା’ର ଦୁଃଖ ଦୂର କରିବି। ଆମ ଜିଲାରେ ଏହି ଖେଳ ପାଇଁ କୌଣସି ସୁବିଧା ନାହିଁ। ଏମିତି କି ସରକାରଙ୍କ ତରଫରୁ କୌଣସି ହଷ୍ଟେଲ ବି କରାଯାଇ ନାହିଁ। ଆମେ ମେସ୍‌ କରି ରହି ଅଭ୍ୟାସ୍‌ କରୁଥିଲୁ। ନିଜ ପ୍ରଚେଷ୍ଟା ଓ କୋଚ୍‌ଙ୍କ ସାହାଯ୍ୟ ଯୋଗୁ ପ୍ରଥମେ ଜିଲା ସ୍ତର, ପରେ ରାଜ୍ୟ ଓ ତା’ପରେ ଅନ୍ତର୍ଜାତୀୟ ସ୍ତରରେ ଖେଳିବାର ସୁଯୋଗ ପାଇଲି। ୧୨ଟି ରାଜ୍ୟରେ ମୁଁ ଓଡିଶାର ପ୍ରତିନିଧିତ୍ୱ କରିଛି। ୨୦୧୩ରୁ ମୁଁ ଭାରତୀୟ ଭଲିବଲ୍‌ ଦଳରେ ଖେଳିଲି। ୧୪ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛି। ଆଉ ମୁଁ ଖେଳିବା ସମୟରେ ଟିମ୍‌ କ୍ୱାର୍ଟର ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଥିଲା। ଟିମ୍‌ରେ ଭଲ ପ୍ରଦର୍ଶନ ପାଇଁ ଅନେକ ପୁରସ୍କାର ମିଳିଛି। ଏମିତି କି କ୍ରିକେଟ୍‌ ଲିଜେଣ୍ଡ ସଚିନ୍‌ ତେନ୍ଦୁଲକର୍‌ ଟୁଇଟ୍‌ କରି ମୋତେ ଶୁଭେଚ୍ଛା ଜଣାଇିଥିଲେ। ଏହି ଟୁଇଟ୍‌ର ଖବର ସେତେବେଳେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଟୁଇଟ୍‌ଟି ଏପରି ଥିଲା-Sirisha’s dream to help her mother, village, state & the nation through sport is inspiring. We’re proud of you! #playitHERway #DayoftheGirl pic.twitter.com/wzC7weOHwW
 sachin tendulkar (@sachin_rt) October 10, 2017
ଏ ଟୁଇଟ ସମ୍ପର୍କରେ କିନ୍ତୁ ମୁଁ କିଛି ଜାଣି ନ ଥିଲି। ଅନେକ ଲୋକ ଆସି ମୋତେ ଏ ସମ୍ପର୍କରେ କହିଥିଲେ। ପରେ ଗଣମାଧ୍ୟମରେ ବି ଏହି ଖବର ଛାଇ ଯାଇଥିଲା। ହେଲେ ସେତେବେଳେ ଆମର ମୋବାଇଲ୍‌ ନ ଥିବାରୁ ତାଙ୍କୁ ଟୁଇଟ୍‌ର ରିପ୍ଲାଏ ଦେଇ ପାରି ନ ଥିଲି। ଅନେକ ଶୁଭେଚ୍ଛା, ପୁରସ୍କାର ମିଳିଛି ସତ, ହେଲେ ଆଜିଯାଏଁ ସରକାରଙ୍କ ତରଫରୁ କୌଣସି ସହାୟତା ମିଳିନି। ଯଦ୍ଦ୍ବାରା ଖେଳିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଘରେ ପୁରସ୍କାର ମାଳ ମାଳ। ହେଲେ ଘରର ଅବସ୍ଥାକୁ ସୁଧାରି ପାରିନି। ତଥାପି ଖେଳ ଜାରି ରଖିଛି। ଆଉ ଭଲ ଖେଳିବାକୁ ପ୍ରୟାସ କରୁଛି। ତା’ସହ ପାଠପଢା ବି ଜାରି ରହିଛି। ଯୁକ୍ତ ଦୁଇରେ ପଢୁଛି। ଏତେ ଅଭାବ ସତ୍ତ୍ୱେ ମା’ ମତେ କେବେ ବି ଖେଳ ବନ୍ଦ କରିବାକୁ କହି ନାହାନ୍ତି।
ସାଇକେଲ ମେକାନିକ୍‌ଙ୍କ ଝିଅ ହେଲେ ଓଏଏସ୍‌
ଗରିବ ଆଦିବାସୀ ସମ୍ପ୍ରଦାୟର ଝିଅ ରଶ୍ମିରେଖା। ବାପା ସାଇକେଲ ମରାମତି କରି ପରିବାର ଚଳାନ୍ତି। ସାଧାରଣତଃ ଏହି ସମ୍ପ୍ରଦାୟର ଝିଅମାନେ କମ୍‌ ବୟସରୁ ପଢାରେ ଡୋରି ବାନ୍ଧି ବାହା ହୋଇ ଘର ସଂସାର କରନ୍ତି। ହେଲେ ରଶ୍ମି ଏହି ସମ୍ପଦ୍ରାୟର ଝିଅ ହୋଇ ବି ଆଜି ହୋଇପାରିଛନ୍ତି ଜଣେ ପ୍ରଶାସନିକ ଅଧିକାରୀ।୨୦୧୫ରେ ଓପିଏସ୍‌ସି ପରୀକ୍ଷା ଦେଇ ଗୋଟିଏ ଥରରେ ଉତ୍ତୀର୍ଣ୍ଣ ହେଲେ। ଆଉ ୨୦୧୭ରୁ ନିଆଳିରେ ଅତିରିକ୍ତ ତହସିଲଦାର ପଦବୀରେ ଟ୍ରେନିଂ ନେଉଛନ୍ତି। ତେବେ ଏହି ସଫଳତାର ସବୁ ଶ୍ରେୟ ସେ ନିଜ ମା’ବାପାଙ୍କୁ ଦିଅନ୍ତି।
କେନ୍ଦୁଝର ଜିଲା ପୁରୁଣା ସହରର ରଶ୍ମିରେଖା ଅମାନ୍ତ ହେଉଛନ୍ତି ମା’ବାପାଙ୍କର ଏକମାତ୍ର  ସନ୍ତାନ। ବାପା ବାବାଜୀ ଚରଣ ଅମାନ୍ତ ଆଦୌ ପାଠ ପଢି ନ ଥିବାବେଳେ ମା’ ପଢିଛନ୍ତି ଦଶମ ପର୍ଯ୍ୟନ୍ତ। ସାଇକେଲ ମରାମତି କରି ପରିବାର ଚଳାନ୍ତି ତାଙ୍କ ବାପା। ଅଭାବ ଅନଟନ ସବୁବେଳେ ଲାଗି ରହିଥାଏ। ରଶ୍ମିରେଖା କହନ୍ତି,‘ଅଭାବ ଅସୁବିଧାରେ ମା’ବାପା ପେଷି ହୋଇଛନ୍ତି ସିନା ମତେ କେବେ ଅଭାବ କ’ଣ ଜଣେଇ ଦେଇ ନାହାନ୍ତି। ପୂର୍ବରୁ ୨ପୁଅ ଓ ଗୋଟିଏ ଝିଅକୁ ହରାଇଥିଲେ ସେମାନେ। ସେମାନଙ୍କ ଚାଲି ଯିବାର ଦୁଃଖରେ ବିତିଯାଇଥିଲା ଅନେକ ବର୍ଷ। ଦୀର୍ଘ ୮ ବର୍ଷ ପରେ ମୁଁ ଜନ୍ମ ହୋଇଥିଲି। ଦୁଃଖ ଦୂରକରିବା ପାଇଁ ଭଗବାନ ମତେ ଉପହାର ସ୍ବରୂପ ଦେଇଛନ୍ତି ବୋଲି ଭାବି ମତେ ଠାକୁରଙ୍କୁ ସମର୍ପି ଦେଇଥିଲେ। ଖୁବ୍‌ ଆଦର ଯତ୍ନରେ ମତେ ବଢେଇଛନ୍ତି। କହିବାକୁ ଗଲେ ମତେ ଆଖି ପଲକରେ ରଖିଥିଲେ। ପାଠପଢା, ପିନ୍ଧାପିନ୍ଧିରେ କେବେ ଅଭାବ ରଖି ନ ନାହାନ୍ତି। ନିଜେ ନ ଖାଇ ମୋତେ ଖୁଆଇଛନ୍ତି, ନିଜେ ନ ପିନ୍ଧି ମୋତେ ଭଲ ପିନ୍ଧିବାକୁ ଦେଇଛନ୍ତି। ତାଙ୍କ ଆଖିରେ ମୋତେ ନେଇ ରହିଥିଲା ଅନେକ ସ୍ବପ୍ନ। ଝିଅ ପଢିବ, ବଡ ଚାକିରି କରିବ। ଘରର ନାଁ ରଖିବ। ସେଥିପାଇଁ ଦିନରାତି ପରିଶ୍ରମ କରି ମୋର ଇଚ୍ଛା ମୁତାବକ ପଢାଇଥିଲେ। ଯଦିଓ ଛୋଟବେଳେ ତାଙ୍କ ତ୍ୟାଗକୁ ମୁଁ ବୁଝି ପାରୁ ନ ଥିଲି। ହେଲେ ସମୟ ଗଡିବା ସହ ବୁଝିପାରିଥିଲି। ଆମ ପରିବାରରେ ପୂର୍ବରୁ ବିଶେଷ କେହି ପଢି ନ ଥିଲେ। ଜେଜେବାପା ତ ଜଙ୍ଗଲରୁ କାଠ ଆଣି ଚଳୁଥିଲେ। ସେଥିପାଇଁ ବାପାଙ୍କ ଇଚ୍ଛା ଥିଲା ମୁଁ ପଢେ। ତେଣୁ ଛୋଟିଆ ସାଇକେଲ ଦୋକାନରେ ସାଇକେଲ ମରାମତି କରି ଯାହା ରୋଜଗାର କରୁଥିଲେ ତା’ର ବଡ଼ ଭାଗ ମୋ ପଢାରେ ଖର୍ଚ୍ଚ କରୁଥିଲେ। ବାକିରେ ଘର ଚଳାଉଥିଲେ। ଅଭାବ ଲାଗି ରହୁଥିଲା। ହେଲେ ମୋ ପଢାରେ ସେ କେବେ ଅବହେଳା କରିନାହାନ୍ତି। ଭଲ ଖାତା ବହି ଯୋଗାଇ ଦେଉଥିଲେ। ଘରେ କେହି ପଢାଇବା ପାଇଁ ନ ଥିବାରୁ ଟ୍ୟୁଶନ୍‌ ବି ଦେଇଥିଲେ। ଯେଉଁଠି ଭଲ ଘରର ପିଲା ସାଦା କାଗଜ କିଣି ସିଲେଇ କରି ଖାତା କରୁଥିଲେ, ମୋ ପାଇଁ ବାପା ସୁନ୍ଦର କିଣା ଖାତା ଆଣି ଦେଉଥିଲେ। ପୂଜାପର୍ବରେ ଅନ୍ୟ ପିଲାଙ୍କ ସହ ସମାନ ହେବା ପାଇଁ ଦାମୀ ନ ହେଲେ ବି ନିଜ ସକ୍ଷ ଅନୁଯାୟୀ ନୂଆ ଡ୍ରେସ୍‌ କିଣି ପିନ୍ଧିବାକୁ ଦେଇଛନ୍ତି। ତେଣୁମୋର ବି କର୍ତ୍ତବ୍ୟ ଥିଲା ସେମାନଙ୍କ ପରିଶ୍ରମ ଓ ତ୍ୟାଗର ଫଳ ତାଙ୍କୁ ପ୍ରଦାନ କରିବା। ଛୋଟବେଳୁ କଲେକ୍ଟର ହେବାର ଇଚ୍ଛା ଥିଲା। ହାଇସ୍କୁଲ(ଡି.ଏନ. ହାଇସ୍କୁଲ)ରେ ପଢିବାବେଳେ ଜାଣିଲି ଏଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରିବାକୁ ହୁଏ ଓ ସ୍ବତନ୍ତ୍ର ପରୀକ୍ଷା ଦେବାକୁ ପଡେ। ଏହାପରଠାରୁ ସେଇ ଗୋଟିଏ ସ୍ବପ୍ନକୁ ନେଇ ଆଗେଇଲି। ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳା ପଢିଲି। ତାରିଣୀ ଠାକୁରାଣୀ ମହାବିଦ୍ୟାଳୟରେ ଯୁକ୍ତ ୩ ପଢିବାବେଳେ କୋଚିଂ ନ ନେଇ ପଢିଲି। ଉଦ୍ଦେଶ୍ୟ ଥିଲା ଟଙ୍କା ସଞ୍ଚୟ କରି ଗ୍ରାଜୁଏଶନ୍‌ ପରେ ଆଇଏଏସ୍‌ କୋଚିଂ ନେବା। ଗ୍ରାଜୁଏଶନ ପରେ ଭୁବନେଶ୍ୱର ଆସିଲି କୋଚିଂ ନେବା ପାଇଁ। ଆଡମିଶନ୍‌ ପାଇଁ ବହୁତ ଟଙ୍କା ଦରକାର ଥିଲା। ବାପାଙ୍କ ପାଖରେ ଏତେ ଟଙ୍କା ନ ଥିଲା। ସେ ଧାର ଉଧାର କରି କିସ୍ତିରେ ଫି’ ଦେଲେ। ଅନ୍ୟପକ୍ଷେ ଆଦିବାସୀ ସମ୍ପ୍ରଦାୟରେ କମ୍‌ ବୟସରୁ ଝିଅଙ୍କୁ ବାହା କରି ଦିଆଯାଏ। ହେଲେ ବାପା ମୋ ପଢା ପାଇଁ ଏତେ ଖର୍ଚ୍ଚ କରୁଥିବାରୁ ସାହିପଡିଶା ଲୋକେ ଅନେକ କଥା କହୁଥିଲେ। ଅଯଥା ଟଙ୍କା ଖର୍ଚ୍ଚ କରୁଛ। ଝିଅ ପିଲା, ପୁଣି ଗାଁ ଗହଳିର ଝିଅ। ଛୋଟ ସ୍କୁଲରେ ପଢିଛି। ସେ କ’ଣ ପାରିବ ବୋଲି କହୁଥିଲେ। ହେଲେ ବାପାଙ୍କର ଗୋଟିଏ ନୀତି ଥିଲା ‘ଲକ୍ଷ୍ୟ ସ୍ଥଳ ଓ ସଂକଳ୍ପ ଦୃଢ ହେଲେ ସଫଳତା ସୁନିଶ୍ଚିତ’ । ସେ ନିଶ୍ଚିତ ଥିଲେ ମୁଁ ପାରିବି। ମୋ ପଢା ପାଇଁ ଧାରକରଜରେ ବାପା ବୁଡି ସାରିଥିଲେ। ତେଣୁ ମୋର ସଫଳ ହେବା ନିହାତି ଜରୁରୀ ଥିଲା। ତେଣୁ କର ବା ମର ନୀତିରେ ପରିଶ୍ରମ କଲି। ୨୦୧୫ରେ ଓପିଏସ୍‌ସି ପରୀକ୍ଷା ଦେଲି। ଆଉ ଗୋଟିଏ ଥର ପ୍ରୟାସରେ ପ୍ରିଲିମ୍‌ ପାଇଗଲି। ପରେ ଭଗବାନଙ୍କ ଦୟାରୁ ସବୁ ପାହାଚରେ ଉତ୍ତୀର୍ଣ୍ଣ ହେଲି। ଫଳାଫଳ ବାହାରିବା ପରେ ଘରକୁ ଫୋନ୍‌ କରି କହିଲି। ସମସ୍ତେ ବହୁତ ଖୁସି ହୋଇଥିଲେ। ଏବେ ଟ୍ରେନିଭାବେ ଜଏନ୍‌ ହେବାର ଏକ ବର୍ଷ ବିତିଗଲାଣି। ଦରମା ଟଙ୍କାରେ ପ୍ରଥମେ ମୁଁ ମୋ ଭଙ୍ଗା ଚାଳ ଘରକୁ ପକ୍କା ଘର କରିଛି। ଧାରକରଜ ଶୁଝିଗଲାଣି। ପରିବାରର ଆର୍ଥତ୍କ ସ୍ଥିତି ବଦଳିଛି। ତଥାପି ସ୍ବପ୍ନ ଅଧୁରା ଅଛି। ଆଇଏଏସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିଛି।’
                   ନିଜ ପରିବାର ସହ ବହୁ ପରିବାରର ସାହା ସୁମନୀ
ସେ ଭିନ୍ନକ୍ଷମ। ହେଲେ ନୁହନ୍ତି କୌଣସି ସକ୍ଷମ ବ୍ୟକ୍ତିଙ୍କଠୁ କମ୍‌। ପୋଲିଓଗ୍ରସ୍ତ ଦୁଇ ଗୋଡରେ ସେ ଠିଆ ହୋଇପାରନ୍ତିନି ସତ, ହେଲେ ନିଜର ତିନି ଚକିଆ ଗାଡିରେ ବସି ଘରର ଏକମାତ୍ର ରୋଜଗାରକ୍ଷମ ମଣିଷ ହୋଇଛନ୍ତି। ପୂରା ପରିବାରକୁ ଚଳାଉଛନ୍ତି। ତା’ସହ ସ୍ବୟଂ ସହାୟକ ଗୋଷ୍ଠୀ କରି ଗାଁର ଅନେକ ପରିବାରକୁ ରୋଜଗାରକ୍ଷମ କରାଇଛନ୍ତି। ସେ ହେଉଛନ୍ତି ନୂଆପଡା ଜିଲା, କାନ୍ଦେତରା ପଞ୍ଚାୟତସ୍ଥ ମହୁଲବଟା ଗାଁର ସୁମନୀ ଶବର(୪୫) ା
      ମା’ ଚିତ୍ରି ଏବଂ ବାପା କରୁଣାକରଙ୍କର ସେ ହେଉଛନ୍ତି ଜ୍ୟେଷ୍ଠ କନ୍ୟା ା ଛୋଟବେଳୁ ପୋଲିଓରେ ଆକ୍ରାନ୍ତ ହୋଇଥିଲେ ା ଅତ୍ୟନ୍ତ ଗରିବ ପରିବାର ହେତୁ ମା’ବାପା ଉପଯୁକ୍ତ ଚିକିତ୍ସା ଦେଇପାରିଲେ ନାହିଁ। ଆଉ ସବୁଦିନପାଇଁ ଗୋଡ ଦୁଇଟି ହରାଇ ବସିଲେ। ହେଲେ ବଞ୍ଚତ୍ବା ଛାଡି ନ ଥିଲେ। ଗାଁ ସ୍କୁଲରେ ପଞ୍ଚମ ଶ୍ରେଣୀଯାଏ ପଢିଲେ ା ତେବେ ଅର୍ଥାଭାବରୁ ପରେ ପାଠ ଛାଡିବାକୁ ପଡିଲା। ହେଲେ ସେ ହାତ ବାନ୍ଧି କାହା ଉପରେ ବୋଝ ହୋଇ ରହି ନ ଥିଲେ। ସେହି ଦିନଠାରୁ ଜେଜେମା’ ଭାଜୁଥିବା ଲିଆକୁ ବିକ୍ରି କଲେ। ତା’ପରେ ସେ ନିଜେ ବି ଲିଆ ଭାଜି ବିକିଲେ। ସେଥିରୁ କିଛି ସଞ୍ଚୟ କରି ନିଜ ଖର୍ଚ୍ଚରେ ଏକ ତିନିଚକିଆ ଗାଡି କିଣିଲେ ା ପରେ ନିଜେ ଏକ ଖୁଚୁରା ଦୋକାନ ଦେବାର ଇଚ୍ଛା ରଖିଲେ ା ସେଥିପାଇଁ ଗାଡିରେ ନିଜେ ୧୦କି.ମି. ଦୂର ବଜାରରୁ ଆବଶ୍ୟକ ସାମଗ୍ରୀ ଆଣି ଘରେ ଦୋକାନ କଲେ। ସେଥିରୁ ବି କିଛିଟା ରୋଜଗାର ହେଲା ା ତେବେ ଏହି ସମୟରେ ବାପା ତାଙ୍କର ଆରପାରିକୁ ଚାଲିଗଲେ ା ବାପାଙ୍କ ଅନ୍ତେ ସେ ଘରର ବଡ଼ ପୁଅ ପରି ସବୁ ଦାୟିତ୍ୱ ବହନ କଲେ। ଭିନ୍ନକ୍ଷମ ହୋଇଥିବାରୁ ସେ ନିଜେ ବିବାହ କରିପାରି ନ ଥିଲେ। ହେଲେ ଏପଟେ ସାନ ଭାଇ ବିବାହ କରିବାର ଅଳ୍ପ କିଛି ବର୍ଷପରେ ରୋଗଗ୍ରସ୍ତ ହୋଇଗଲେ ା ତାଙ୍କର ତିନିଛୁଆ ା ଭାଇର ଚିକିତ୍ସା କଥା ବୁଝିବା ସହ ତା’ର ତିନି ସନ୍ତାନକୁ ବି ସୁମନୀ ନିଜ ପିଲା ଭଳି ସବୁକଥା ବୁଝିଲେ। ପରିବାରର ମୋଟ ୬ଜଣ ସଦସ୍ୟଙ୍କ ଭବିଷ୍ୟତ ଏବେ ସୁମନୀଙ୍କ ହାତରେ। ଦୋକାନରୁ ସେ ମାସିକ ୫/୧୦ହଜାର ଟଙ୍କା ରୋଜଗାର କରୁଛନ୍ତି। ଏହା ବ୍ୟତୀତ ସେ ଗାଁରେ ମା’ ବସ୍ତ୍ରାୟଣୀ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ତା’ର ସଭାପତି ଦାୟିତ୍ୱ ତୁଲାଉଛନ୍ତି ା ଏଥିରେ ପ୍ରଥମେ କିଛି ମହିଳାଙ୍କୁ ନିୟୋଜିତ କରି ଛେଳିପାଳନ କଲେ। ସେଥିରୁ ସେ ନିଜେ କିଛି ଆୟ କରିବା ସହ ନିୟୋଜିତ ମହିଳା ବି ରୋଜଗାରକ୍ଷମ ହେଲେ। କିନ୍ତୁ ୫ ବର୍ଷ ପରେ ତାକୁ ବନ୍ଦ କରିଦେଲେ। ଏବେ ଗାଁ ତଥା ଆଖପାଖ ଗାଁର କିରୋସିନ ଡିଲରଶିପ ନେଇଛନ୍ତି। ଏହି କାମରେ ୧୮ ଜଣ ମହିଳା ନିୟୋଜିତ ଅଛନ୍ତି। ଆଉ ବେଶ୍‌ ଦୁଇ ପଇସା ରୋଜଗାର କରୁଛନ୍ତି ା ଭିନ୍ନକ୍ଷମ ହୋଇ ବି ନିଜ ପରିବାରକୁ ଚଳାଇବା ସହ ଅନ୍ୟ ପରିବାରର ବି ସାହା ହୋଇପାରିଛନ୍ତି ସୁମନୀ। ା
                ବାପାଙ୍କ ପରିଚୟ ପାଲଟିଛନ୍ତି କ୍ରିକେଟ ତାରକା ସୁକନ୍ୟା
କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ବଡାମ୍ବିଳା ଗ୍ରାମପଞ୍ଚାୟତର ବେତା ଗ୍ରାମର କଳାକାର ପରିଡା ଓ ମା’ ସ୍ବପ୍ନା ପରିଡାଙ୍କର ଏକମାତ୍ର ଝିଅ ସୁକନ୍ୟା ପରିଡା। ଉପରେ ଦୁଇଜଣ ଭାଇ। ଗାଁ ଝିଅମାନଙ୍କ ସହ ବୋହୂଚୋରି, ପୁଚି ଖେଳିବା ସହିତ ସୁକନ୍ୟା ପିଲାଦିନେ ଗାଁ ମୁଣ୍ଡ ଖେଳପଡିଆରେ ପୁଅମାନଙ୍କ ସହ କ୍ରିକେଟ ମଧ୍ୟ ଖେଳୁଥିଲେ। କ୍ରିକେଟ୍‌ର ନିଶା ଏତେ ଥିଲା ଯେ, ସେ ଗାଁର ପ୍ରଗତି ସ୍ପୋର୍ଟିଙ୍ଗ କ୍ଲବର ପିଲାମାନଙ୍କ ସହ ଅନେକ ମ୍ୟାଚ ଖେଳିଥିଲେ। ଝିଅ ହୋଇ ପୁଅଙ୍କ ସହ ଖେଳୁଥିବାରୁ ଗାଁ ଲୋକେ ଅନେକ କଥା କହୁଥିଲେ। ଏସବୁ ତାଙ୍କୁ ବହୁତ କଷ୍ଟ ଦେଉଥିଲା। ହେଲେ ଯେଉଁମାନେ ଦିନେ ତାଙ୍କୁ ଅନେକ କଥା କହୁଥିଲେ ଆଜି ସେମାନଙ୍କ ମୁହଁରୁ ତାଙ୍କ ପାଇଁ ପ୍ରଶଂସା ବାହାରୁଛି। କାରଣ ସୁକନ୍ୟା ଏବେ ଭାରତୀୟ ମହିଳା କ୍ରିକେଟ ଦଳର ଖେଳାଳି ପାଲଟି ସାରିଛନ୍ତି। ସୁକନ୍ୟା କହନ୍ତି,‘ପିଲାଦିନେ କ୍ରିକେଟ୍‌ ଖେଳରେ ଆଗେଇବା ତଥା ଭଲ କୋଚିଂ ନେବାର ସୁଯୋଗ ପାଇ ନ ଥିଲି। ତେଣୁ ପାଠପଢାରେ ମନ ଦେଇଥିଲି। ତଥାପି ଚେଷ୍ଟା କରିଥିଲି ଓଡିଶା ଟିମ୍‌ରେ ଖେଳିବାକୁ, ହେଲେ ସଫଳ ହୋଇ ପାରି ନ ଥିଲି। ତେବେ ଯୁକ୍ତ ଦୁଇ ପରୀକ୍ଷା ସରିବା ପରେ ଯେବେ ମୁଁ ଛୁଟିରେ କୋଲକାତାରେ ରହି ପ୍ରାଇମେରୀ ସ୍କୁଲରେ ଶିକ୍ଷକତା କରୁଥିବା ବାପାଙ୍କ ନିକଟକୁ ଯାଇଥିଲି ପୁଣିଥରେ ଅବଦମିତ ଇଚ୍ଛା ମୋର ଉଜାଗର ହୋଇଥିଲା। ଆଉ ସେଠାକାର ଏକ ସ୍ପୋର୍ଟିଂ କ୍ଲବ୍‌ରେ ଯୋଗ ଦେଲି। କ୍ରିକେଟ୍‌ ଖେଳିବା ପୁଣି ଆରମ୍ଭ କଲି। ପ୍ରଦର୍ଶନ ଭଲ ହେବାରୁ କୋଚ୍‌ ବାଧ୍ୟ କଲେ କୋଲକାତାରେ ରହି ଅଧିକ ଅଭ୍ୟାସ କରିବା ପାଇଁ। ଶେଷରେ ରାଜି ହୋଇ କୋଲକାତାରେ ବାପାଙ୍କ ପାଖରେ ରହିଲି। ଗାଁକୁ ଫେରିଲିନି। ମା’ ଓ ସାନ ଭାଇ ବି ଗାଁରୁ ଚାଲି ଆସିଲେ। ଅନେକ ପରିଶ୍ରମ କଲି। ଆଉ ମତେ ବେଙ୍ଗଲ ଦଳର ୧୯ ବର୍ଷରୁ କମ୍‌ ଓ ୨୩ ବର୍ଷରୁ କମ୍‌ ଦଳରେ ଖେଳିବାର ସୁଯୋଗ ମିଳିଲା। ଏହା ପରେ ଧୀରେଧୀରେ ନିଜ ଲକ୍ଷ୍ୟ ସ୍ଥଳକୁ ଆଗେଇ ଚାଲିଲି ା ଶେଷରେ ୨୦୧୬, ଅକ୍ଟୋବର ମାସରେ ଭାରତୀୟ ମହିଳା କ୍ରିକେଟ ଦଳରେ ସାମିଲ ହେଲି ା ପ୍ରଥମ ମ୍ୟାଚ୍‌ ଭାରତୀୟ ଦଳ ପକ୍ଷରୁ ଓ୍ବେଷ୍ଟଇଣ୍ଡିଜ ଦଳ ବିପକ୍ଷରେ ଖେଳିଲି ା ତାହାଥିଲା ତିନିଦିନିଆ ଓ୍ବାନ୍‌ ଡେ ଇଣ୍ଟରନ୍ୟାଶନାଲ ମ୍ୟାଚ୍‌। ତୃତୀୟ ତଥା ଫାଇନାଲ୍‌ ମ୍ୟାଚ୍‌ରେ ମୋତେ ଖେଳିବାର ସୁଯୋଗ ମିଳିଥିଲା। ଭଗବାନଙ୍କ ଦୟାରୁ ଭଲ ପ୍ରଦର୍ଶନ କରିପାରିଥିଲି। ୨୦୧୭ ଆଇସିସି ଓମେନ୍ସ କ୍ରିକେଟ୍‌ ଓ୍ବାର୍ଲଡ୍‌ କପ୍‌ ପାଇଁ ଚୟନ ହୋଇଥିଲେ ବି ଦୁର୍ଭାଗ୍ୟବଶତଃ ହାତରେ ଆଘାତ ଲାଗିବାରୁ ବାଦ୍‌ ପଡିଥିଲି। ତେବେ ଚେଷ୍ଟା ଜାରି ରଖିଛି ଆଗାମୀ ଓ୍ବାର୍ଲଡ କପ୍‌ରେ ଯେମିତି ଅଂଶଗ୍ରହଣ କରିବି। ମତେ ଇଷ୍ଟର୍ନ ରେଲ୍‌ଓ୍ବେରେ ଚାକିରି ବି ମିଳିଛି। ଏହି ସଫଳତା ପଛରେ ମୋ ପରିବାରର ସମସ୍ତଙ୍କ ସହଯୋଗ ସବୁବେଳେ ରହିଛି। ବାପା ତ ମୋତେ ବହୁତ ପ୍ରେରଣା ଦେଇଛନ୍ତି ଓ ଉତ୍ସାହିତ କରିଛନ୍ତି। ସୁକନ୍ୟାଙ୍କ ବାପା କଳାକାର ପରିଡା କୁହନ୍ତି, ଝିଅର ସଫଳତାରେ ମୁଁ ବହୁତ ଖୁସି ା ସେ ଆଜି ଯେଉଁ ସ୍ଥାନରେ ପହଞ୍ଚତ୍ଛି ମୁଁ କେବେ ବିଶ୍ୱାସ କରି ନ ଥିଲି ା ହେଲେ ସେ ଓଡିଶା ଟିମ୍‌ରେ ଖେଳିଥିଲେ ଅଧିକ ଖୁସି ହୋଇଥାନ୍ତି। କିନ୍ତୁ କେନ୍ଦ୍ରାପଡା ଜିଲାର ମହିଳାମାନଙ୍କ ପାଇଁ ସେତେବେଳେ କ୍ରିକେଟ ନିମନ୍ତେ କୌଣସି ସୁବିଧା ସୁଯୋଗ ନ ଥିବାରୁ ତାହା ସମ୍ଭବ ହୋଇ ପାରି ନ ଥିଲା। ହେଲେ ସେ ଏବେ ଭାରତୀୟ ଦଳରେ ଖେଳୁଥିବାରୁ ମୁଁ ନିଜକୁ ଗର୍ବିତ ମନେକରୁଛି ା ଛୋଟ ଥିଲା ବେଳେ ସେ ଆମ ନାମରେ ପରିଚିତ ଥିଲା। ହେଲେ ଏବେ ଯୁଆଡେ ଗଲେ ଆମେ ତା’ ନାମରେ ପରିଚିତ ହେଉଛୁ ା
ଝାରଖଣ୍ଡ ମହିଳା କ୍ରିକେଟ ଟିମର କ୍ୟାପଟେନ ହେଲେ ରଶ୍ମି
କେନ୍ଦୁଝର ଜିଲା ବଲାଣୀ ଗ୍ରାମର ରଶ୍ମି ଗୁଡିଆ ଏବେ ପାଲଟିଛନ୍ତି ମା’ବାପାଙ୍କର ଗର୍ବ। ଅଭାବୀ ପରିବାର ହେଲେ ବି ସେ ହୋଇପାରିଛନ୍ତି ଜଣେ କ୍ରିକେଟ ତାରକା। ସେ ଝାରଖଣ୍ଡ ରାଜ୍ୟ ପାଇଁ କ୍ରିକେଟ ଖେଳିବା ସହ ସେହି ଟିମ୍‌ର ଅଧିନାୟକ ହେବାର ସୁଯୋଗ ପାଇଥିଲେ। ବାପା ନୀରଳା ଗୁଡିଆ କେତେବେଳେ କେମିତି ଛୋଟମୋଟ ବଢେଇ କାମ କରନ୍ତି। ଆଉ ମା’ ରେଲଓ୍ବେ ସାଇଡିଙ୍ଗରେ ଶ୍ରମିକ ଭାବରେ କାମ କରି ଘର ଚଳାନ୍ତି। ରଶ୍ମିଙ୍କର ପିଲାଦିନୁ ଖେଳିବାରେ ଆଗ୍ରହ ଥିଲା ହେଲେ କ୍ରିକେଟ୍‌ ସମ୍ପର୍କରେ ନ ଥିଲା ସେତେଟା ଜ୍ଞାନ। ୨୦୧୨, ସ୍ଥାନୀୟ ବଲାଣୀ ଡିଏଭି ସ୍କୁଲରେ ୭ମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କର କ୍ରିକେଟ ଖେଳ ଆରମ୍ଭ ହୋଇଥିଲା ା ସେତେବେଳେ ସ୍ଥାନୀୟ ଲେଡିଜ୍‌ କ୍ରିକେଟ୍‌ କୋଚିଂ ସେଣ୍ଟର ତରଫରୁ ୩୦ ଜଣ ଝିଅଙ୍କୁ ଚୟନ କରି ତାଲିମ୍‌ ଦିଆଯାଇଥିଲା। ତା’ ମଧ୍ୟରେ ରଶ୍ମି ଥିଲେ ଅନ୍ୟତମ। ସେବେଠୁ ତାଙ୍କ କ୍ରିକେଟ୍‌ର ଯାତ୍ରା ଆରମ୍ଭ ହେଲା। ବହୁ ପରିଶ୍ରମ କରି ସେ ଓଡିଶା ଦଳରେ ସାମିଲ ହେବାକୁ ଚେଷ୍ଟା କରିଥିଲେ ହେଲେ ଓଡିଶା ଦଳ ପାଇଁ ତାଙ୍କର ଚୟନ ହୋଇପାରି ନ ଥିଲା। ପରେ ସେ ଝାରଖଣ୍ଡ ଚାଲିଗଲେ। ସେଠାରେ ସେ ଭଲ ବ୍ୟାଟିଂ ଓ ଉଇକେଟ୍‌ କିପିଂ କରିଥିଲେ। ଭଲ ପ୍ରଦର୍ଶନ ପାଇଁ ଝାରଖଣ୍ଡ ଟିମ୍‌ ପାଇଁ ତାଙ୍କର ଚୟନ ହୋଇଗଲା। ଆଉ ୨୦୧୩-୧୪ ଅଣ୍ଡର ୧୯ ମ୍ୟାଚ୍‌ କଟକରେ ଝାରଖଣ୍ଡ ଓ ଓଡିଶା ସହ ହୋଇଥିଲା। ଆଉ ସେଥିରେ ସେ ଚମତ୍କାର ବ୍ୟାଟିଂ କରି ସେଞ୍ଚୁରି କରିଥିଲେ। ଏହାପରେ ୨୦୧୪-୧୫ ରେ ଅଣ୍ଡର ୧୯ ରେ ଝାରଖଣ୍ଡ ରାଜ୍ୟ ପାଇଁ କ୍ୟାପଟେନ ଚୟନ ହୋଇଥିଲେ ା ୨୦୧୬-୧୭ ରେ ପୁଣି ଅଣ୍ଡର ୧୯ ଓ ଅଣ୍ଡର ୨୩ରେ କ୍ୟାପଟେନ ଭାବରେ ଖେଳିବାକୁ ସୁଯୋଗ ପାଇଥିଲେ ା ଇଷ୍ଟଜୋନ୍‌ର ଅଣ୍ଡର ୨୩ର କ୍ୟାପଟେନ୍‌ ବି ହୋଇଥିଲେ। ଏହାବ୍ୟତିତ ଝାରଖଣ୍ଡ ସିନିଅର ଟିମରେ ମଧ୍ୟ ଖେଳିବାକୁ ସୁଯୋଗ ପାଇଥିଲେ। ୨୦୧୪-୧୫ରେ ଜାତୀୟ କ୍ରିକେଟ କ୍ୟାମ୍ପ ପାଇଁ ମଧ୍ୟ ଚୟନ ହୋଇଥିଲେ। ଆଉ ବେଷ୍ଟ ୩୦ ଭିତରେ ରହିଥିଲେ ବୋଲି ଲେଡିଜ କ୍ରିକେଟ କୋଚିଂ ସେଣ୍ଟରର କୋଚ ଅମରେନ୍ଦ୍ର ମହାନ୍ତି କୁହନ୍ତି ା ଏହାଛଡା ୨୦୧୬-୧୭ ଜାନୁୟାରୀ ମାସରେ ଗୁଂଟୁର ଠାରେ ଅନୁଷ୍ଠିତ ଇଂଟର ଜୋନାଲ ମ୍ୟାଚରେ ରାଜ୍ୟ ପାଇଁ ସେ ଚିତାକର୍ଷକ ଉଇକେଟ କିପିଂ କରିବା ସହ ୧୧୬ ରନ କରି ଚୟନକମିଟିଙ୍କ ଧ୍ୟାନ ଆକର୍ଷଣ କରି ପୂର୍ବାଂଚଳ ଜୋନ ଟିମ ପାଇଁ ଚୟନ ହୋଇଥିଲେ ା ସେହିବର୍ଷ ଫେବୃୟାରୀ ୨୦ତାରିଖରୁ ମୁମ୍ବାଇ ଠାରେ ଆରମ୍ଭ ହୋଇଥିବା ଆନ୍ତଃ ଜୋନ ମ୍ୟାଚରେ ସେ ସାମିଲ ହୋଇଥିଲେ ା ବର୍ତ୍ତମାନ ସେ ସିନିୟର୍‌ କ୍ୟାମ୍ପରେ ଜାମଶେଦପୁରରେ ଅଛନ୍ତି। ୟା ମଧ୍ୟରେ ସେ ଅନେକ ମ୍ୟାଚ୍‌ ଖେଳିଛନ୍ତି। ନିଜ ଗାଁ ଓ ମା’ବାପାଙ୍କର ଗୌରବ ପାଲଟିଛନ୍ତି। ହେଲେ ସୁଧୁରିପାରିନି ତାଙ୍କର ଆର୍ଥିକ ସ୍ଥିତି। ତଥାପି ସେ ଖେଳୁଛନ୍ତି।

Loading...
Share It
  • 135
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.