ଇଣ୍ଟରନେଟ୍‌ ଓ ସ୍ମାର୍ଟଫୋନ୍‌ ବଦଳାଇଦେଇଛି ଗଣମାଧ୍ୟମର ପରିଭାଷା ଓ ଗଣିତ

ପ୍ରବନ୍ଧ ବିଶେଷ ସାହିତ୍ୟ ସଂସ୍କୃତି

Related image -ନୀଳାମ୍ବର ରଥ-

ଆଜି ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ମଧ୍ୟରେ ସର୍ବାଧିକ ତରୁଣ ଓ କିଶୋର ରହିଛନ୍ତି ଏବଂ ସେମାନଙ୍କ ଆଗ୍ରହର ବିଷୟ ହେଉଛି ସୋସିଆଲ୍‌ ମିଡିଆ। ଏକ ସୂଚନା ଅନୁଯାୟୀ ଆମ ଦେଶରେ ବର୍ତ୍ତମାନ ମାସିକ ପ୍ରାୟ ୧୫ କୋଟି ଲୋକ ନିୟମିତ ଭାବେ ଫେସ୍‌ବୁକ୍‌ ବ୍ୟବହାର କରୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୪ କୋଟି ଲୋକ ମୋବାଇଲ୍‌ ମାଧ୍ୟମରେ ସୋସିଆଲ୍‌ ମିଡିଆ ବ୍ୟବହାର କରନ୍ତି।

କିଛି ଦିନ ତଳେ ରାଜ୍ୟର ଜଣେ ବରିଷ୍ଠ ସମ୍ପାଦକ ଓ ଗଣମାଧ୍ୟମ ବ୍ୟକ୍ତିତ୍ୱଙ୍କ ସହ କଥାବାର୍ତ୍ତା ବେଳେ ପଚାରିଦେଲି – “ଆପଣଙ୍କ ନୂଆ ଡିଜିଟାଲ୍‌ କାର୍ଯ୍ୟକ୍ରମ କେମିତି ଚାଲିଛି?”

Loading...

ସେ କହିଲେ, “ନୀଳାମ୍ବର, ଆମେ ଖବରକାଗଜରେ ଦୀର୍ଘ ଦିନ ଧରି ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା କରିଆସୁଛୁ। ହେଲେ, ଏ ଡିଜିଟାଲ୍‌ଟା ଗୋଟେ ନୂଆ ଗଣିତ ପରି ଲାଗୁଛି। ଏବେ ଆମ ଓଡ଼ିଆ ନ୍ୟୁଜ୍‌ ପୋର୍ଟାଲ୍‌ରେ ଦିନକୁ ୨ ଲକ୍ଷରୁ ଅଧିକ ହିଟ୍‌ ହେଉଛି। ୟୁନିକ୍‌ ଭିଜିଟର ସଂଖ୍ୟା ୫୦ ହଜାର ଟପି ଗଲାଣି।”

ମୁଁ ପଚାରିଲି, “ଏ ତ ହେଲା ଆପଣଙ୍କର ନୂଆ ପୋର୍ଟାଲ୍‌ର କଥା। ଆଉ ଆପଣଙ୍କ ପୁରୁଣା ଇ-ପେପର୍‌?”

“ହଁ, ଇ-ପେପର୍‌ ହିଟ୍‌ ମଧ୍ୟ ଖୁବ୍‌ ବଢିଛି। ଏବେ ଆମେ ଦିନକୁ ପାଖାପାଖି ୬ ଲକ୍ଷ ହିଟ୍‌ ପାଉଛୁ। ଗତ ମାସକ ଭିତରେ ଏହି ସଂଖ୍ୟା ପାଖାପାଖି ଦେଢ଼ ଗୁଣ ବଢ଼ିଛି। ହଠାତ୍‌ ଯେମିତି ଲୋକଙ୍କ ଡିଜିଟାଲ୍‌ ଆୱାର୍‌ନେସ୍‌ ବଢିଯାଇଛି। ତମ ଡିଜିଟାଲ୍‌ରେ ପ୍ରକୃତରେ ଦମ୍‌ ଅଛି।”

ମୁଁ ମନେ ମନେ ହସିଲି। ୨୦୧୧ ମସିହା ଡିସେମ୍ବର ମାସରେ ଏ ଲେଖକ ବିଧିବଦ୍ଧ ଭାବରେ ଡିଜିଟାଲ୍‌ ଓ ନ୍ୟୁ ମିଡିଆ ବା ୱେବ୍‌ ମିଡିଆକୁ ପେସା ଭାବରେ ଗ୍ରହଣ କରି ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲା। ମୁଖ୍ୟତଃ ଭିଡିଓ ମାଧ୍ୟମରେ ଓଡ଼ିଶାର ଜନଜୀବନ ଓ ସଂସ୍କୃତିକୁ ୱେବ୍‌ ମିଡିଆରେ ଉପସ୍ଥାପନ କରି ବିଶ୍ୱବାସୀଙ୍କ ଡିଜିଟାଲ୍‌ ମିଡିଆ ଆବଶ୍ୟକତା ପରିପ୍ରେକ୍ଷୀରେ ଆମେ ଆରମ୍ଭ କରିଥିଲୁ ଏକ ଛୋଟ ଉଦ୍ୟମ। ସେତେବେଳେ ନ୍ୟୁଜ୍‌ ପୋର୍ଟାଲ୍‌, ୱେବ୍‌ ଚ୍ୟାନେଲ୍‌, ୟୁଟ୍ୟୁବ୍‌ ଚ୍ୟାନେଲ୍‌ ବା ଭିଡିଓ ପୋର୍ଟାଲ୍‌ କହିଲେ ଅନେକ ଜାଗାରେ ଲୋକଙ୍କୁ ଉଦାହରଣ ଦେଇ ବା କମ୍ପ୍ୟୁଟର ସ୍କ୍ରିନ୍‌ ଦେଇ ବୁଝାଇବାକୁ ପଡ଼ୁଥିଲା। ହେଲେ ଆଜି ପ୍ରିଣ୍ଟ ମିଡିଆର ଜଣେ ପ୍ରମୁଖ କହୁଛନ୍ତି ଯେ ତାଙ୍କ ଲୋକପ୍ରିୟ ଦୈନିକ ଖବର କାଗଜର ଇ-ପେପର୍‌ ଦିନକୁ ୬ ଲକ୍ଷରୁ ଅଧିକ ହିଟ୍‌‍ ପାଉଛି। ଅର୍ଥାତ୍‌ ତାଙ୍କ ଇ-ପେପର୍‌ର ପହଞ୍ଚ ଖବର‍କାଗଜର ମୂଳ ମୁଦ୍ରଣ ବା ପ୍ରସାରଣ ସଂଖ୍ୟାଠାରୁ ଅଧିକ। ଏହା ହିଁ ସମ୍ଭବତଃ ନ୍ୟୁ ମିଡିଆର ଯାଦୁକରି ଓ ଆମ ସମୟର ଏକ ବଡ଼ ଉଦାହରଣ!

ଟିକେ ପରିସଂଖ୍ୟାନ ଦେଖିନେବା। ଆଜି ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ମଧ୍ୟରେ ସର୍ବାଧିକ ତରୁଣ ଓ କିଶୋର ରହିଛନ୍ତି ଏବଂ ସେମାନଙ୍କ ଆଗ୍ରହର ବିଷୟ ହେଉଛି ସୋସିଆଲ୍‌ ମିଡିଆ। ଏକ ସୂଚନା ଅନୁଯାୟୀ ଆମ ଦେଶରେ ବର୍ତ୍ତମାନ ମାସିକ ପ୍ରାୟ ୧୫ କୋଟି ଲୋକ ନିୟମିତ ଭାବେ ଫେସ୍‌ବୁକ୍‌ ବ୍ୟବହାର କରୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୪ କୋଟି ଲୋକ ମୋବାଇଲ୍‌ ମାଧ୍ୟମରେ ସୋସିଆଲ୍‌ ମିଡିଆ ବ୍ୟବହାର କରନ୍ତି। ଅବଶ୍ୟ ଏହି ସଂଖ୍ୟାରୁ ପ୍ରାୟ ୭ କୋଟି ଲୋକ କମ୍ପ୍ୟୁଟର ମାଧ୍ୟମରେ ମଧ୍ୟ ସୋସିଆଲ୍‌ ମିଡିଆ ସହ ଯୋଡ଼ି ହେଉଛନ୍ତି।

ବିଭିନ୍ନ ମିଡିଆ ପ୍ଲାଟଫର୍ମ ମଧ୍ୟରେ ଫେସ୍‌ବୁକ୍‌ ଆଜି ପୃଥିବୀରେ ସର୍ବାଧିକ ଲୋକଙ୍କୁ ସୋସିଆଲ୍‌ ମିଡିଆ-ମନସ୍କ କରିପାରିଛି। ଫେସ୍‌ବୁକ୍‌ର ୨୦୧୬ ମସିହା ତୃତୀୟ ତ୍ରୈମାସିକ ରିପୋର୍ଟ ଅନୁଯାୟୀ ପୃଥିବୀରେ ୧୧୮ କୋଟିରୁ ଅଧିକ ଲୋକ ଦୈନିକ ଏହି ସୋସିଆଲ୍‌ ମିଡିଆ ବ୍ୟବହାର କରୁଛନ୍ତି। ଆଉ ଗୋଟିଏ ଚିତ୍ତାକର୍ଷକ ବିଷୟ ହେଉଛି ଯେ ଏଇ ଭିତରେ ଫେସ୍‌ବୁକ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ଆମେରିକାକୁ ଟପିଯାଇଛି। ଜନସଂଖ୍ୟା ବିସ୍ଫୋରଣ, ଆଇଟି କ୍ଷେତ୍ରରେ ଅଗ୍ରଗତି ଓ ଡିଜିଟାଲ୍‌ ଇଣ୍ଡିଆ ବିପ୍ଲବ ସାଙ୍ଗକୁ ଶସ୍ତା ଏବଂ ମାଗଣା ଇଣ୍ଟରନେଟ୍‌ ସେବା ଭାରତକୁ ଆଜି ଏକ ବିଶାଳ ଇଣ୍ଟରନେଟ୍‌-ମିଡିଆ ବ୍ୟବହାରକାରୀ ରାଷ୍ଟ୍ରରେ ପରିଣତ କରିଛି। ଆଗାମୀ ଦିନରେ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ବ୍ୟବସ୍ଥାରେ ଆହୁରି ଉନ୍ନତି ଆସିଲେ ଆମ ଦେଶରେ ଇଣ୍ଟରନେଟ୍‌ ସାକ୍ଷରତା ଓ ନିୟମିତ ବ୍ୟବହାରକାରୀଙ୍କ ସଂଖ୍ୟାରେ ଯେ ଦ୍ରୁତ ପରିବର୍ତ୍ତନ ଘଟିବ, ଏଥିରେ କୌଣସି ସନ୍ଦେହ ନାହିଁ। ୯୦ ଦଶକରେ ଭାରତରେ ଆଇଟି କ୍ଷେତ୍ରର ବିକାଶ ପ୍ରକ୍ରିୟା ନେଇ ଯେଉଁ ମଞ୍ଜି ପୋତା ହୋ‌ଇଥିଲା, ଆଜି ତାହା ଏକ ପୂର୍ଣ୍ଣାଙ୍ଗ ରୂପ ନେବାକୁ ଯାଉଛି।

ଗଣମାଧ୍ୟମର ଜଣେ ପେସାଦାର ବ୍ୟକ୍ତି ତଥା ମିଡିଆ ଶିକ୍ଷକ ହିସାବରେ ମୋର ଦୃଢ଼ ଅନୁଭବ ଯେ ଆଜି ସାରା ପୃଥିବୀରେ ମଣିଷର ଜୀବନଧାରାକୁ ଏକ ଭିନ୍ନ ମୋଡ଼ ଦେଇଛି ଡିଜିଟାଲ୍‌ ଓ ଇଣ୍ଟରନେଟ୍‌ଭିତ୍ତିକ ମିଡିଆ। ଦିନେ ମୁଖ୍ୟତଃ ସୂଚନା ପ୍ରସାରଣ, ଗବେଷଣା ଓ ବ୍ୟାବସାୟିକ ସଂଯୋଗ ଲକ୍ଷ୍ୟରେ ଆରମ୍ଭ ହୋ‌ଇଥିବା ୱେବ୍‌ ମିଡିଆ ଆଜି ସୂଚନାର ଆଦାନପ୍ରଦାନ ସହ ମନୋରଞ୍ଜନ ଏବଂ ଗଣ-ସାମାଜିକ-ସଂଯୋଗ ବା ସୋସିଆଲ୍‌ ନେଟ୍‌ୱର୍କିଂର ଏକ ବିରାଟ ବ୍ୟବସ୍ଥାରେ ପରିଣତ ହୋ‌ଇଛି। କେବଳ ସେତିକି ନୁହେଁ, ଏହି ନୂତନ ମାଧ୍ୟମ ଆମ ସମୟର ସବୁ ଲୋକପ୍ରିୟ ଗଣମାଧ୍ୟମକୁ (ଯେପରି ମୁଦ୍ରଣ, ରେଡିଓ ଓ ଟେଲିଭିଜନ୍‌) ପ୍ରଭାବିତ କରି ଆଜି ଏକ ବିକଳ୍ପ, ଅତ୍ୟାଧୁନିକ, ଲୋକପ୍ରିୟ, ବୈଷୟିକ କ୍ଷମତାସମ୍ପନ୍ନ, ସର୍ବଜନଗ୍ରାହ୍ୟ, ଦ୍ରୁତ-ପ୍ରସାରୀ ଏବଂ ବାସ୍ତବରେ ଏକ ଜାଗତିକ ମାଧ୍ୟମ (ଗ୍ଲୋବାଲ୍‌ ମିଡିଆ) ରୂପେ ଉଭା ହେବାକୁ ଯାଉଛି। ଟେଲିଭିଜନର ଲୋକପ୍ରିୟତାକୁ ନେଇ ସାରା ପୃଥିବୀକୁ ’ଗ୍ଲୋବାଲ୍‌ ଭିଲେଜ୍’ ରୂପେ ବର୍ଣ୍ଣନା କରାଯିବା ପରି ବର୍ତ୍ତମାନର ବହୁ ପ୍ରସାରିତ ଡିଜିଟାଲ୍‌ ମିଡିଆ ପରୀପ୍ରେକ୍ଷୀରେ ଆମେ ବିଶ୍ୱକୁ ଆଜି ’ଡିଜିଟାଲ୍‌ ଭିଲେଜ୍‌’ କହିଲେ ଭୁଲ୍‌ ହେବ ନାହିଁ।

ଭାରତ ଭଳି ଏକ ଅପେକ୍ଷାକୃତ ଅନଗ୍ରସର ଏବଂ ଗ୍ରାମବହୁଳ ରାଷ୍ଟ୍ରରେ ୱେବ୍‌ ମିଡିଆର ପ୍ରସାର ଏତେ ଶୀଘ୍ର ଘଟିବ ନାହିଁ ବୋଲି ଯେଉଁ ବାବୁମାନେ ଦିନେ କଲର୍‌ ଟେକି କହୁଥିଲେ, ଆଜି ସେମାନେ ଅଧିକ ସମୟ ମୋବାଇଲ୍‌ରେ ମାତିଛନ୍ତି। କେବଳ ଆମ ଦେଶରେ ନୁହେଁ, ସାରା ପୃଥିବୀରେ ଇଣ୍ଟରନେଟ୍‌ଭିତ୍ତିକ ମାଧ୍ୟମର ତଡ଼ିତ୍‌ ଲୋକପ୍ରିୟତାର ଅନ୍ୟତମ କାରଣ ହେଉଛି ସ୍ମାର୍ଟଫୋନ୍‌ ଏବଂ ମୋବାଇଲ୍‌ ଆପ୍‌ର ପ୍ରସାର।

ଏହି ନୂଆ ମାଧ୍ୟମ ହଠାତ୍‌ ଏତେ ଲୋକପ୍ରିୟ ହେଲା କିପରି? ଏ ପ୍ରଶ୍ନ ଆଜି ବିଭିନ୍ନ ଦେଶର ଗଣମାଧ୍ୟମର ବଡ଼ ବଡ଼ ହସ୍ତୀଙ୍କ ମନରେ ଆସୁଛି। ବିଶେଷକରି, ଭାରତ ଭଳି ଏକ ଅପେକ୍ଷାକୃତ ଅନଗ୍ରସର ଏବଂ ଗ୍ରାମବହୁଳ ରାଷ୍ଟ୍ରରେ ୱେବ୍‌ ମିଡିଆର ପ୍ରସାର ଏତେ ଶୀଘ୍ର ଘଟିବ ନାହିଁ ବୋଲି ଯେଉଁ ବାବୁମାନେ ଦିନେ କଲର୍‌ ଟେକି କହୁଥିଲେ, ଆଜି ସେମାନେ ଅଧିକ ସମୟ ମୋବାଇଲ୍‌ରେ ମାତିଛନ୍ତି। କେବଳ ଆମ ଦେଶରେ ନୁହେଁ, ସାରା ପୃଥିବୀରେ ଇଣ୍ଟରନେଟ୍‌ଭିତ୍ତିକ ମାଧ୍ୟମର ତଡ଼ିତ୍‌ ଲୋକପ୍ରିୟତାର ଅନ୍ୟତମ କାରଣ ହେଉଛି ସ୍ମାର୍ଟଫୋନ୍‌ ଏବଂ ମୋବାଇଲ୍‌ ଆପ୍‌ର ପ୍ରସାର। ଏବେ ଲୋକଙ୍କ ହାତମୁଠାରେ କମ୍ପ୍ୟୁଟର, ଆଙ୍ଗୁଠି ଟିପରେ ଇଣ୍ଟରନେଟ୍‌ ଓ ମୁହଁରେ କଥା କଥାରେ ସୋସିଆଲ୍‌ ମିଡିଆ। ତା’ ସହିତ ଆଜି ଆମ ଦେଶରେ ଯେତିକି ଲୋକଙ୍କ ହାତରେ ସ୍ମାର୍ଟଫୋନ୍‌ ରହିଛି, ସେମାନଙ୍କ ମଧ୍ୟରୁ ପ୍ରାୟ ୯୦ ଭାଗ ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାରକାରୀ। ଏହି ସ୍ମାର୍ଟଫୋନ୍‌ ଏବଂ ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ୍‌ ମାଧ୍ୟମରେ ଯୋଡ଼ି ହେଉଥିବା ଅତ୍ୟାଧୁନିକ ମୋବାଇଲ୍‌ ଆପ୍‌ ମୋବାଇଲ୍‌ ବ୍ୟବହାରକାରୀଙ୍କ ହାତରେ କ’ଣ ମନରେ ଯେମିତି ପର ଲଗାଇଦେଇଛି। ସୋସିଆଲ୍‌ ମିଡିଆ ମାଧ୍ୟମରେ ସୂଚନା ଓ ଖବର ଆଦାନପ୍ରଦାନ, ଫଟୋ ସେୟାରିଂ, ଭିଡିଓ ଅପ୍‌ଲୋଡ୍‌ ଏବଂ ଅନ୍‌‍ଲାଇନ୍‌ ମିଡିଆରେ ଲାଇକ୍‌, ସେୟାର୍‌ ଓ କମେଣ୍ଟ ଆଦି ସାଧାରଣ କଥାରେ ପରିଣତ ହୋ‌ଇଗଲାଣି। ଅନେକ ଲୋକ ଆଜି ଏସ୍‌ଏମ୍‌ଏସ୍‌ ଓ ଇ-ମେଲ୍‌ ଭୁଲି ହ୍ୱାଟ୍ସଆପ୍‌ ପାଇଁ ହାଉଯାଉ ହେଉଛନ୍ତି। ଡିଜିଟାଲ୍‌ ମିଡିଆର ଏହି ଅସ୍ୱାଭାବିକ ଲୋକପ୍ରିୟତା କାରଣରୁ ଦକ୍ଷିଣ ଭାରତୀୟ ଅଭିନେତା ଧନୁଷ୍‌ଙ୍କ ‘ହ୍ୱାଏ ଦିସ୍‌ କୋଲାବରି ଡି’ କିମ୍ବା ବମ୍ବେଇ-ଓଡ଼ିଆ ଗାୟିକା ସୋନା ମହାପାତ୍ରଙ୍କ ‘ହଇଗୋ ରଙ୍ଗବତୀ’ ରାତାରାତି ଭାଇରାଲ୍‌ ଭିଡିଓର ନୂଆ ପରିଚୟ ପାଇଛି।

ଡିଜିଟାଲ୍‌ ଏବଂ ୱେବ୍‌ ମିଡିଆର ଲୋକପ୍ରିୟତା ତଥା ପ୍ରୟୋଗ ଦର୍ଶାଇବାକୁ ଯାଇ ଦୁଇଟି ଅତି ସାଧାରଣ ଉଦାହରଣ ଦେବାକୁ ଚାହିଁବି। ଆଜି ସାରା ଦୁନିଆରେ ସବୁଠୁ ଫଟୋ ଉଠାଯାଉଥିବା କ୍ୟାମେରାଗୁଡ଼ିକ ଅତୀତର ‘କେବଳ-କ୍ୟାମେରା’ ନୁହନ୍ତି; ବରଂ ସେଗୁଡ଼ିକ ହେଉଛି ମୋର ବା ଆପଣଙ୍କ ହାତରେ ଥିବା ମୋବାଇଲ୍‌ ଫୋନ୍‌। କେବଳ ଫଟୋ ନୁହେଁ, ଭିଡିଓ ନେବା ପାଇଁ ମଧ୍ୟ ଆମକୁ ଆଉ କ୍ୟାମେରା ଖୋଜିବାକୁ ପଡ଼ୁନାହିଁ। ‘ସ୍ମାର୍ଟଫୋନ୍‌ ହୈ ନା!’ ସେହିପରି, ଆଜି ଯଦି ଡିଜିଟାଲ୍‌ ମାଧ୍ୟମରେ ଲୋକଙ୍କ ଭିତରେ ନିୟମିତ ଭାବେ ତଥା ସର୍ବାଧିକ ଭାବର ଆଦାନପ୍ରଦାନ ପାଇଁ ବ୍ୟବହାର ହେଉଥିବା ମିଡିଆଟି କ’ଣ ବୋଲି କେହି ପଚାରନ୍ତି, ସମ୍ଭବତଃ ତା’ର ସଂକ୍ଷିପ୍ତ ଉତ୍ତର ହେବ ‘ହ୍ୱାଟ୍ସଆପ୍‌’। ସତରେ ସୋସିଆଲ୍‌ ମିଡିଆର ଏହି ନୂଆ ଦିଗ ଆମ ଜୀବନର, ସମ୍ପର୍କର, ସାମାଜିକ-ପ୍ରତିକ୍ରିୟାର ପରିଭାଷାକୁ ଦେଇଛି ଏକ ନୂଆ ରୂପ।

କେବଳ ସୂଚନା ଓ ଭାବର ସଂଚରଣ ନୁହେଁ, ବ୍ୟବସାୟର ଏବଂ ବିଭିନ୍ନ ସେବା କ୍ଷେତ୍ରର ମୂଳ ଧାରାରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଛି ଡିଜିଟାଲ୍‌ ମିଡିଆ। ଆଜି ଇ-କମର୍ସ,ମୋବାଇଲ୍‌ ବ୍ୟାଙ୍କିଂ, ଅନ୍‌ଲାଇନ୍‌ ସପିଂ ଓ ମୋବାଇଲ୍‌ ୱାଲେଟ୍‌ ଇତ୍ୟାଦି ଶବ୍ଦ ଘରେ ଘରେ ପରିଚିତ। ବିଶେଷକରି ମୋଦିଙ୍କ ନୋଟ୍‌ବନ୍ଦୀ ପରେ ଭାରତରେ ଡିଜିଟାଲ୍‌ ମିଡିଆ ମାଧ୍ୟମରେ କ୍ୟାସ୍‌ଲେସ୍‌ ଟ୍ରାଞ୍ଜେକ୍ସନ୍‍ ହଠାତ୍‌ ବହୁଗୁଣିତ ହୋ‌ଇଛି।

ଦିନଥିଲା କୌଣସି ପ୍ରମୁଖ ବ୍ୟାବସାୟିକ ଅନୁଷ୍ଠାନର ନିଜସ୍ୱ ୱେବ୍‌ସାଇଟ୍‌ ନଥିଲେ, ଲୋକ ତାକୁ ହସିକରି ଉଡ଼ାଇଦେଉଥିଲେ। ଆଜି ୱେବ୍‌ସାଇଟ୍‌ ସହ କୌଣସି ବ୍ୟକ୍ତି ବା ବ୍ରାଣ୍ଡର ବ୍ୟାବସାୟିକ ସଫଳତା ପାଇଁ ଅତ୍ୟନ୍ତ ଜରୁରୀ ହୋ‌ଇପଡ଼ିଛି ସୋସିଆଲ୍‌ ମିଡିଆ ପେଜ୍‌। ଏହି କ୍ରମରେ ଫେସ୍‌ବୁକ୍‌ ଆଜି ପାଲଟିଛି ବ୍ରାଣ୍ଡ ପ୍ରମୋସନ୍‌, ପ୍ରଡକ୍ଟ ପ୍ଲେସ୍‌ମେଣ୍ଟ ଏବଂ ବ୍ୟାବସାୟିକ ସଂଯୋଗର ଏକ ଅତ୍ୟାଧୁନିକ ଓ ଶକ୍ତିଶାଳୀ ମାଧ୍ୟମ। ଫଳରେ ସୋସିଆଲ୍‌ ମିଡିଆରେ ଆରମ୍ଭ ହୋ‌ଇଯାଇଛି ବିଜ୍ଞାପନର ଯୁଗ। ଆପଣ ବିଶ୍ୱାସ ନକଲେ ବି ଏହା ସତ ଯେ କେବଳ ଫେସ୍‌ବୁକ୍‌ର ବାର୍ଷିକ ବିଜ୍ଞାପନର ଆୟ ଆଜି ୨ ଲକ୍ଷ କୋଟିରେ ପହଞ୍ଚିଛି। ତା’ ଭିତରୁ ପାଖାପାଖି ୮୫ ପ୍ରତିଶତ ଆୟ ଆସୁଛି ମୋବାଇଲ୍‌ରୁ। ଏଇତ‍ ଡିଜିଟାଲ୍‌ ଓ ମୋବାଇଲ୍‌ ମିଡିଆର ବଡ ମାହାତ୍ମ୍ୟ!

ଡିଜିଟାଲ୍‌ ମିଡିଆର ପ୍ରସାରର ଏକ ବଡ଼ ଅବଦାନ ହେଉଛି ବ୍ୟକ୍ତି ସ୍ୱାଧୀନତାର ପରିପ୍ରକାଶ। ଆଜି ସୋସିଆଲ୍‌ ମିଡିଆରେ ଯେଉଁ ପରିମାଣରେ ସୂଚନା ଓ ଭାବର ଆଦାନପ୍ରଦାନ ହେଉଛି ତାହା ଅତୀତରେ କେବେ ସମ୍ଭବପର ନଥିଲା। ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ତଥା ଘଟଣା ସୋସିଆଲ୍‌ ମିଡିଆରେ ତତ୍‌କାଳ ପରିପ୍ରକାଶ ଘଟି ଆଜି ସାରା ପୃଥିବୀରେ ମୁକ୍ତ-ସାମ୍ବାଦିକତାର ଏକ ପରିବେଶ ସୃଷ୍ଟି କରିଛି। ଏହି କାରଣରୁ ଅନେକ ଅନାଲୋଚିତ ତଥା ଗୋପନ ତଥ୍ୟ ସୋସିଆଲ୍‌ ମିଡିଆ ମାଧ୍ୟମରେ ଲୋକଲୋଚନକୁ ଆସୁଛି।

ଏ ଲେଖକ ପ୍ରତ୍ୟକ୍ଷ ଭାବରେ ଅନ୍‌ଲାଇନ୍‌ ମିଡିଆରେ କାମ କରିବାବେଳେ ଏହି ମାଧ୍ୟମର ବ୍ୟବହାରକାରୀଙ୍କ ଆଚରଣ ଓ ବିଚରଣ ଲକ୍ଷ୍ୟ କରି ଆସୁଛି। ବିଶେଷକରି, ରାଜ୍ୟର ପ୍ରଥମ ୱେବ୍‌ ଚ୍ୟାନେଲ୍‌ ‘ଓଡ଼ିଶାଲାଇଭ୍‌’ ମାଧ୍ୟମରେ ଓଡ଼ିଶାର ବିଭିନ୍ନ ଘଟଣା, କଳା ଓ ସଂସ୍କୃତି, ଇଭେଣ୍ଟସ୍‌ ଏବଂ ବ୍ୟକ୍ତିତ୍ୱଙ୍କୁ ଭିଡିଓ ମାଧ୍ୟମରେ ଉପସ୍ଥାପନ କରି ଏକ ଭିନ୍ନ ଅନୁଭୂତି ହାସଲ କରିଛି। ମାତ୍ର ପାଞ୍ଚ ବର୍ଷ ଭିତରେ ଓଡ଼ିଶାଲାଇଭ୍‌ ଏହାର ୟୁଟ୍ୟୁବ୍‌ ଚ୍ୟାନେଲ୍‌ ମାଧ୍ୟମରେ ଦେଢ଼ କୋଟିରୁ ଅଧିକ ‘ଭିୟୁଜ୍’ ବା ‘ହିଟସ୍‌’ ହାସଲ କରିପାରିଛି। ଆଜି ଏହି ମାଧ୍ୟମରେ ପ୍ରତିଦିନ ୨୫ରୁ ୩୦ ହଜାର ଭିଡିଓ ହିଟ୍‌ ହେଉଛି। ତା’ ମଧ୍ୟରୁ ନବେ ଭାଗ ଦର୍ଶକ ଭାରତର ହୋ‌ଇଥିବା ବେଳେ ପ୍ରାୟ ଦର୍ଶକ ବିଦେଶରେ ରହି ଅନ୍‌ଲାଇନ୍‌ ମିଡିଆ ସାହାଯ୍ୟରେ ଏହିସବୁ ଭିଡିଓ ଉପଭୋଗ କରୁଛନ୍ତି ଓ ଓଡ଼ିଶା ସହ ଯୋଡ଼ି ହେଉଛନ୍ତି।

‘ହାତମୁଠାରେ ମିଡିଆ’। ବ୍ୟାପକ ଡିଜିଟାଲ୍‌ ମିଡିଆ ପ୍ରସ୍ତୁତି ସାଙ୍ଗକୁ ଇଣ୍ଟରନେଟ୍‌ ଓ ମୋବାଇଲ୍‌ ଟେକ୍ନୋଲଜିର ପ୍ରସାର ଆଜି ଲୋକଙ୍କ ଭିତରେ ଗଣମାଧ୍ୟମକୁ ବ୍ୟବହାର କରିବାର ଢାଞ୍ଚା ଓ ଅଭ୍ୟାସକୁ ବଦଳାଇଦେଇଛି। ଆଜି ଗ୍ରାହକ ତା’ ଇଛା ଅନୁଯାୟୀ ମିଡିଆକୁ ବ୍ୟବହାର (କ’ଣ ଦେଖିବ ବା କ’ଣ ଦେଖିବ ନାହିଁ) କରିବାକୁ ଚାହୁଁଛି। ତେଣୁ ଆଉ ମିଡିଆର ଏକପାଖିଆ ପ୍ରେମ ବା ମନମାନି ଆଉ ଚଳିବ ନାହିଁ!

ଅନ୍‌ଲାଇନ୍‌ ମିଡିଆ ମାଧ୍ୟମରେ ଲୋକଙ୍କୁ ଆକର୍ଷିତ କରିବା କ୍ଷେତ୍ରରେ ବଡ଼ ମାଧ୍ୟମଗୁଡ଼ିକ ହୋ‌ଇଛି ମ୍ୟୁଜିକ୍‌, ଭିଡିଓ, ମଲ୍ଟିମିଡିଆ, ଆନିମେସନ୍‌। ଏହା ମଧ୍ୟରେ ମୁଖ୍ୟତଃ ରହିଛି ସମ୍ବେଦନଶୀଳ, ଚର୍ଚ୍ଚିତ ଓ ମନୋରଞ୍ଜନଧର୍ମୀ ବିଷୟବସ୍ତୁ। ତେଣୁ ନୂଆ ଯୁଗର ଅନ୍‌ଲାଇନ୍‌ ମିଡିଆ ପ୍ରଯୋଜକ ଓ ସମ୍ପାଦକଙ୍କ ସହ ପାରମ୍ପରିକ ମୁଦ୍ରଣ, ରେଡିଓ ଓ ଟେଲିଭିଜନ୍‌ ମାଧ୍ୟମ ତଥା ମୋବାଇଲ୍‌ ଅପରେଟର ଓ ଡିଟିଏଚ୍‌ ସେବା ପ୍ରଦାନକାରୀ ସଂସ୍ଥାମାନେ ଆଜି ଲାଗିପଡ଼ିଛନ୍ତି ତାଙ୍କ ପାଖରେ ଥିବା ମାଲ୍‌ମସଲାକୁ ଡିଜିଟାଲ୍‌ ଓ ଅନ୍‌ଲାଇନ୍‌ ମିଡିଆ ମାଧ୍ୟମରେ ଠିକଣା ଗ୍ରାହକଙ୍କ ପାଖରେ ପହଞ୍ଚାଇବେ ଓ ଲୋକଙ୍କ ମନ ଜିଣିବା ସହ ନିଜର ପକେଟ୍‌ ଉଷୁମ କରିବେ।

ବାସ୍ତବରେ ଆଜିର ଅନ୍‌ଲାଇନ୍‌ ମିଡିଆର ସ୍ଲୋଗାନ୍‌ ହୋ‌ଇଛି ‘କଣ୍ଟେଣ୍ଟ୍‌ ଇଜ୍‌ ଦ କିଙ୍ଗ୍‍’। ‘ଯୋ ଦିଖ୍‌ତା ହୈ, ୱହି ବିକ୍‌ତା ହୈ’ ଯୁଗ ପରେ ଏବେ ‘ଯୋ ବିକ୍‌ତା ହୈ, ୱହି ଦିଖ୍‌ତା ହୈ’।

Loading...
Share It
  • 321
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.