ମୋତେ ବି ଏପରି କୌଣସି କାରଣ ମିଳନ୍ତା କି ମୁଁ ବି HAPPY WOMENS DAY କହି ପାରନ୍ତି ।

ବିବିଧ ବିଶେଷ

ସକାଳୁ ସକାଳୁ ହାପି ଇଣ୍ଟରନେସନାଲ ଓମ୍ୟାନ୍ସ ଡେ’ର ମେସେଜ୍ ହ୍ବାଟସଅପ ଓ ଫେସବୁକ୍ ରେ ଲଗାତାର ଅନେକ ପାଠକ ବନ୍ଧୁ ସୁଭେଚ୍ଛା ଜଣାଉଛନ୍ତି । କିନ୍ତୁ ମୁଁ ବୁଝିପାରୁନି ଏ ସୁଭେଚ୍ଛା କଣ ପାଇଁ ? କଣ ସୁଭେଚ୍ଛା ମାଧ୍ୟମରେ ନାରୀ ତାର ସମସ୍ତ ସମ୍ମାନ ଫେରି ପାଇବ କି ? ମୁଁ କହିବି ଯେଉଁ ନାରୀ ଠାରୁ ଆମେ ଜନ୍ମ ନେଉଛନ୍ତି, ଯାହା କୋଳରେ ବଢୁଛନ୍ତି, ଯାହାର ଛାତିରୁ କ୍ଷୀର ପାନ କରୁଛନ୍ତି, ସର୍ବ ଉପରେ କହିବାକୁ ଗଲେ ନାରୀ ବିନା ସଂସାର ସମ୍ପୁର୍ଣ୍ଣ ଅକାମୀ , ସଂସାରର ରଥ ଚକ ବନ୍ଦ, ସେମାନଙ୍କ ପାଇଁ କେବଳ ମାତ୍ର ଗୋଟିଏ ଦିନ ଯଥେଷ୍ଟ କି ? ଏହି ଗୋଟେ ଦିନକୁ ଆମେ ବର୍ଷ ବର୍ଷ ଧରି ପାଳନ କରି ଆସୁଛନ୍ତି, କିନ୍ତୁ କଣ ପରିବର୍ତ୍ତନ ହୋଇଛି ପୁରୁଷ ପ୍ରାଧ୍ୟାନ୍ୟ ସମାଜର ? ଆଜି ମହିଳା ଦିବସ ନାମରେ କେବଳ ବାତାନୁକୂଳିତ ପଞ୍ଚତାରକା ହୋଟେଲ୍ ମାନଙ୍କରେ ଆଲୋଚନାଚକ୍ର ଓ ବୈଠକ ମାଧ୍ୟମରେ ସାହେବ୍ ମାନେ ବଡ ବଡ ଭାଷଣ ଦେଉଛନ୍ତି ଓ ଘରକୁ ଫେରିବା ପରେ ସେହି ସାହେବ୍ ମାନେ ରୋଷେଇ ଭଲ ହୋଇନଥିଲେ ସ୍ତ୍ରୀକୁ ଗାଳି ଗୁଲଜ କରୁଛନ୍ତି । ଫେସବୁକ୍ ହ୍ବାଟସଅପରେ ସୁଭେଚ୍ଛା ଜଣାଇ ମହିଳା ଦିବସର କର୍ତ୍ତବ୍ୟକୁ ଆମେ ନାମକୁ ମାତ୍ର ସମ୍ପାଦନ କରୁଛନ୍ତି । ଆଜି ବି କୋଚିଙ୍ଗରୁ ଫେରୁଥିବା ଝିଅମାନେ ଲଫଙ୍ଗା ଯୁବକଙ୍କ ଦ୍ବାରା ଦ୍ବିଅର୍ଥ ବୋଧକ ଶବ୍ଦ ବାଣର ଶୀକାର ହେଉଛନ୍ତି । ଆଜି ବି ଆମ ଘରେ କାମ କରୁଥିବା ଚାକରାଣି ଛୋଟ ଛୋଟ ଭୁଲ୍ ପାଇଁ ଗାଳି ଶୁଣୁଛି । ଆଜି ବି ବହୁତ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଛୋଟ ଛୋଟ ଘଟଣାକୁ ନେଇ ଝଗଡା ହେଉଛି ଓ ପରେ କୋର୍ଟ କଚେରୀର ଚକ୍କର କାଟୁଛନ୍ତି । ମୋତେ ବି ଏପରି କୌଣସି କାରଣ ମିଳନ୍ତା କି ମୁଁ ବି HAPPY WOMENS DAY କହି ପାରନ୍ତି ।

Loading...

ମୁଁ ସ୍ତ୍ରୀ ଚାହେଁ, ଯିଏ ସାବିତ୍ରୀ ବ୍ରତ କରୁଥିବ, ମୋର ଭଲ ପାଇଁ ପୂଜା, ପାଠ, ବ୍ରତ ଓ ଉପବାସ କରୁଥିବ । ସବର୍ଦା ସଜବାଜ ହେଉଥିବ ଓ ମୁଁ ଯେବେ ଯେଉଁ ମୁହର୍ତ୍ତରେ ଚାହିଁବି ଦେଖି ପାରୁଥିବି । ମୋର ପ୍ରତ୍ୟେକ କଥା ପରମେଶ୍ବରଙ୍କ ହୁକୁମ୍ ଭାବି ମାନି ଚଳୁଥିବ । କେବଳ ମୋର ହୋଇ ରହିବ, ତାର ଜୀବନ ମୋ ଠାରୁ ଆରମ୍ଭ ଓ ଶେଷ ମଧ୍ୟ ହେଉଥିବ ।

ମୁଁ ଗୋଟେ ଝିଅ ଚାହେଁ, ଯିଏକି ସଂସ୍କାରୀ ମର୍ଯ୍ୟଦା ପୁର୍ଣ୍ଣ ଓ ସନ୍ତୁଳିତ ହୋଇଥିବ, ଢଙ୍ଗର ପୋଷାକ ପିନ୍ଧୁଥିବ । ମୋର ବିନା ଅନୁମତିରେ ବାହାରକୁ ଯାଉନଥିବ । ସିଧା ଘର ଠାରୁ କଲେଜ୍ ଓ କଲେଜ ରୁ ଘରକୁ ଫେରୁଥିବ । ଘର କାମରେ ସର୍ବଦା ସାହାଯ୍ୟ କରୁଥିବ । ବାହାର ଦୁନିଆ ସହିତ ତାର କୌଣସି ସମ୍ପର୍କ ରହିବ ନାହିଁ । ତେବେ ଏପରି କ୍ଷେତ୍ରରେ ଆମେ ସେମାନଙ୍କୁ କି ପ୍ରକାରର ସ୍ବାଧୀନତା ଦେଉଛନ୍ତି । ଆମେ ଯଦି ନିଜ ସ୍ତ୍ରୀ, ଭଉଣି ଓ ଝିଅମାନଙ୍କ ଠାରୁ ଏପରି ଆଶା କରନ୍ତି, ତେବେ ଅନ୍ୟ ଝିଅ ବୋହୁ ମାନଙ୍କ ପ୍ରତି ଅସାଦଚରଣ କରନ୍ତି କଣ ପାଇଁ ? ପୁରୁଷ ପ୍ରାଧାନ୍ୟ ସମାଜରେ ସ୍ବାଧୀନତା ଓ ସଂସ୍କାର ନାମରେ ଅନେକ କଟକଣା ଜାରି କରନ୍ତି । ହଁ, ଏପରି ଆଶା କରିବା କିଛି ଭୁଲ୍ ନୁହଁ କିନ୍ତୁ ନାରୀ’ର ନିଜସ୍ବ ଇଚ୍ଛା ଆକାକ୍ଷ୍ୟାଂ କିଛି ଅଛି କି ନାହିଁ ? ଯଦି ପୁରୁଷ ସମାଜ ସଂସ୍କାର ଓ ବିଚାର ନାମରେ ନାରୀ ସ୍ବାଧୀନତା ଉପରେ କଟକଣା ଜାରି କରୁଛି, ତେବେ ମହିଳା ଦିବସର ସୁଭେଚ୍ଛା ହାସ୍ୟାସ୍ପଦ ନୁହଁ କି ?

ଆମେ ଏକ ବିକସିତ ରାଷ୍ଟ୍ରର ଆଶା ରଖନ୍ତି । ସେଥିପାଇଁ ମୁକ୍ତ ସମାଜର ଆବଶ୍ୟକତା ନିଶ୍ଚିତ ଅଛି । ପୁରୁଷ ଓ ନାରୀ ମଧ୍ୟରେ ସମାନତା ରହିବା ଆବଶ୍ୟକ । ଆମ ଦେଶର ନାମକୁ ଉଚ୍ଚ ଆସନ ଦେଇଥିବା ସାଇନା, ସାନିଆ ଓ ପୁନିଆ ବି ଜଣେ ଜଣେ ନାରୀ । ତେବେ କେତେକାଶଂରେ କ୍ଷୁଦ୍ର ମାନସିକତା କଣ ପାଇଁ ? ମୁଁ ହୃଦୟରୁ ସାଲ୍ୟୁଟ୍ କରିବି ସେମାନଙ୍କୁ ଯେଉଁ ନାରୀମାନେ ସମାଜର ଅଗ୍ରଣୀ ହୋଇ ରାଷ୍ଟ୍ରର ନାମ କୁ ଉଚ୍ଚ ଆସନ ଦେଇଛନ୍ତି ।

କୋଣସି ଏକ ଛୋଟ ସହରରେ ଆଠ ବର୍ଷର ଝିଅ ସହିତ ଜଣେ ନିଜ ସମ୍ପର୍କୀୟ ….କରୁଛି, କିନ୍ତୁ ପରିବାର ଲୋକ ଚୁପ୍ ରହୁଛନ୍ତି । କାହିଁକି ନା ପରିବାର’ର ଇଜ୍ଜତର କଥା । ତେବେ ସେ ଆଠ ବର୍ଷ ଝିଅର ଇଜ୍ଜତର ମୂଲ୍ୟ କିଛି ନାହିଁ ?
ଅନ୍ୟ କୌଣସି ଏକ ସହରର ଭଡାରେ ରହୁଥିବା ଲୋକ ନିଜ ସ୍ତ୍ରୀ ନଥିବାରୁ ସାତ ଆଠ ବର୍ଷର ଝିଅକୁ ଚୋକଲେଟ୍ ଦେଇ ଆକର୍ଷିତ କରାଏ, ପୁଣି ଯାହା ହୁଏ ବହୁତ ଭୟଙ୍କର । ଛୋଟ ଝିଅଟି ନା କିଛି ବୁଝିପାରେ ନା ଭୟରେ କାହାକୁ କିଛି କହିପାରେ ? କିନ୍ତୁ ସାରା ଜୀବନ ପାଇଁ ସେ ଏପରି ଏକ ଭୟଙ୍କର ଘଟଣାକୁ ଲୁଚାଇ ରଖିଦିଏ ।
କୌଣସି ଏକ ଗାଁ’ରେ ସପ୍ତମ ଶ୍ରେଣୀ ଝିଅକୁ ମା ଦୋକାନରୁ କିଛି ଜିନିଷ ପାଇଁ ପଠାଏ, କିନ୍ତୁ ଦୋକାନୀ ସେ ଝିଅର ଛାତିକୁ ଅଦ୍ଭୁତ ପ୍ରକାରର ସ୍ପର୍ଷ କରେ । ଘରେ କାମ କରୁଥିବା ଚାକରାଣୀ, ଯାହାର ସ୍ବାମୀ ତାର ନିଜ ଶାଳୀ ସହିତ……। ତଥାପି ସେ ନିଜ ସ୍ବାମୀକୁ କିଛି କହିପାରେ ନାହିଁ । ମନରେ ଭୟ ଥାଏ ପ୍ରତିରୋଧ କଲେ ସ୍ବାମୀ ଛାଡପତ୍ର ଦେବ । ଯିବି କେଉଁଠି, ରହିବି କେଉଁଠି ଓ ଖାଇବି କଣ ? ଏହା କୌଣସି ଜଣେ ମହିଳା, କୌଣସି ଏକ ସ୍ଥାନର କାହାଣୀ ନୁହଁ । ଏପରି ଅନେକ ଘଟଣା ଆମ ଚର୍ତୁପାର୍ଶ୍ବରେ ପ୍ରତ୍ୟେକଦିନ ମହିଳା ମାନଙ୍କ ସହିତ ଘଟୁଛି । ଗୋଟିଏ ପକ୍ଷରେ ନାରୀକୁ ଧର୍ମଗ୍ରନ୍ଥରେ ଦେବୀ ରୁପେ ବର୍ଣ୍ଣନା କରା ଯାଇଛି ଓ ଅନ୍ୟ ପକ୍ଷରେ ସେହି ନାରୀକୁ କେତେକ ଧର୍ମସ୍ଥଳ ପ୍ରବେଶ ବାରଣ କରାଯାଇଛି । ଯେଉଁ ସମାଜରେ ମାଆ ମାନେ ଝିଅମାନଙ୍କୁ ସଚେତନ କରାନ୍ତି ଏକୁଟିଆ ରାସ୍ତା ନବୁଲିବା ପାଇଁ, କେବେ ପୁଅକୁ ବୁଝାନ୍ତି କି ଝିଅମାନଙ୍କୁ ସମ୍ମାନ ଦେବା ପାଇଁ । କେବେ ନୁହଁ । ତେବେ କୌଣସି ଅଘଟଣ ପାଇଁ ଝିଅ କାହିଁକି ପରିବାରରେ ଦୋଷୀ ସାବ୍ୟସ୍ତ ହୁଏ । ନାରୀ’ର ଶରିର କୌଣସି ସଂଭୋଗ ବସ୍ତୁ ନୁହଁ ଯେତେବେଳେ ପୁରୁଷ ସମାଜ ଏହି କଥା ବୁଝିପାରିବ, ସେତେବେଳେ ଆମେ ଏକ ଅଗ୍ରଣୀ ରାଷ୍ଟ୍ରର ମାନ୍ୟତା ପାଇ ପାରିବା ।

କିନ୍ତୁ ଅନ୍ୟ ପକ୍ଷରେ ନାରୀ ବି ନାରୀର ଶତ୍ରୁ ପାଲଟିଛି । କେତେକାଶଂରେ ଏପରି ଘଟଣା ଦେଖିବାକୁ ମିଳୁଛି ପରିବାରରେ ଝିଅଟିଏ ଜନ୍ମ ହେଲେ ପ୍ରଥମେ ଶାଶୁ ବୋହୁକୁ ଅନେକ ଖୁଣ୍ଟା, ଗଞ୍ଜଣା ଓ ଗାଳି ଦେଉଛି । କେହି କେହି ମା ପେଟରୁ ଭୃଣ ହତ୍ୟା କରିବା ପାଇଁ ପୁଅ ବୋହୁକୁ ବାଧ୍ୟ କରୁଛି । ତେବେ ଜଣେ ନାରୀ ହୋଇ ମଧ୍ୟ ଅନ୍ୟ ଏକ କନ୍ୟା ଭୃଣର ହତ୍ୟା କରିବା ପାଇଁ ପଛୋଉ ନାହାନ୍ତି । ଏସବୁ କ୍ଷେତ୍ରରେ ନାରୀମାନେ ମଧ୍ୟ ବୁଝିବା ଉଚିତ୍ ।

ଯାହା ବି ହେଉ ଯେଉଁଦିନ ଏ ସମାଜ ନାରୀକୁ ପୁର୍ଣ୍ଣ ସ୍ବାଧୀନତା ଦେବ ସଂସାର ସ୍ବର୍ଗପୁର ପାଲଟି ଯିବ । ସେଦିନ ଆମକୁ ମହିଳା ଦିବସର ଶୁଭେଚ୍ଛା ଜଣେଇବାର କୌଣସି ଆବଶ୍ୟକତା ପଡିବ ନାହିଁ ।

© ପ୍ରଶାନ୍ତ ସେନାପତି

Loading...
Share It
  • 3
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.