ଚେନ୍ନାଇ:- ଦେଶର ପ୍ରଥମ ଇଞ୍ଜିନ୍ବିହୀନ ଟ୍ରେନ୍ ଅକ୍ଟୋବର ୨୯ରେ ଅନାବରଣ ହେବାକୁ ଯାଉଛି। ‘ଟ୍ରେନ୍ ୧୮’ ନାମକ ଏହି ସ୍ବତନ୍ତ୍ର ଟ୍ରେନ୍ ଦୀର୍ଘ ୩୦ବର୍ଷର ଶତାବ୍ଦୀ ଏକ୍ସପ୍ରେସ୍ର ଉତ୍ତରାଧିକାରୀ ହେବ ବୋଲି ବିବେଚନା କରାଯାଉଛି। ସେଲ୍ଫ୍-ପ୍ରପଲ୍ସନ୍ ମୋଡ୍ୟୁଲ୍ ଦ୍ୱାରା ଚାଳିତ ଏହି ନିଆରା ଲୋକୋମୋଟିଭ୍ ପ୍ରତି ଘଣ୍ଟାରେ ୧୬୦କିଲୋମିଟର ବେଗରେ ଗତି କରିବ। ଆଧୁନିକ ବୈଷୟିକ ବ୍ୟବସ୍ଥା ଅନୁଯାୟୀ ଏହାର ଗତିକୁ ତ୍ୱରାନ୍ବିତ କରାଯାଇପାରିବ। ୧୬ ବଗି ବିଶିଷ୍ଟ ଏହି ଟ୍ରେନ୍ରେ ଆଦୌ ଇଞ୍ଜିନ୍ ସଂଲଗ୍ନ ହୋଇନାହିଁ। ପ୍ରତି ବଗି ତଳେ ଖଞ୍ଜାଯାଇଥିବା ସ୍ବୟଂଚାଳିତ ମୋଟର ଦ୍ୱାରା ଏହା ଚଳାଚଳ କରିବ। ଶତାବ୍ଦୀ ଏକ୍ସପ୍ରେସ୍ ତୁଳନାରେ ଏଥିରେ ଯାତ୍ରା କରିବାର ସମୟ ୧୫% ହ୍ରାସ ପାଇବ। ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ ଫ୍ୟାକ୍ଟ୍ରି(ଆଇସିଏଫ୍)ରେ ୧୮ମାସ ମଧ୍ୟରେ ଏହାର ବିକାଶ କରାଯାଇଛି। ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ଟ୍ରେନ୍ର ଡିଜାଇନ୍ ଏଭଳି କରାଯାଇଛି, ଯଦ୍ଦ୍ବାରା ଯାତ୍ରୀମାନେ ଡ୍ରାଇଭର କ୍ୟାବିନ୍କୁ ଦେଖିପାରିବେ। ଏହାକୁ ନିର୍ମାଣ କରିବାରେ ୧୦୦କୋଟି ଟଙ୍କା ବ୍ୟୟ ହୋଇଥିବା ଆଇସିଏଫ୍ ଜେନେରାଲ ମ୍ୟାନେଜର ସୁଧାଂଶୁ ମଣି ପ୍ରକାଶ କରିଛନ୍ତି। ୨୯ରେ ଏହାର ପରୀକ୍ଷାମୂଳକ ଚଳାଚଳ ଆରମ୍ଭ ହେବ। ୩ରୁ ୪ ଦିନ ପର୍ଯ୍ୟନ୍ତ ଏହାକୁ ଟ୍ରାକ୍ରେ ଗଡାଯିବ। ଟ୍ରେନ୍ ୧୮ରେ ବିଚ୍ଛୁରିତ ଆଲୋକ ବ୍ୟବସ୍ଥା, ସ୍ବୟଂଚାଳିତ ଡୋର ଏବଂ ଫୁଟଷ୍ଟେପ୍ ବ୍ୟତୀତ ଜିପିଏସ୍ ଭିତ୍ତିକ ଯାତ୍ରୀ ସୂଚନା ବ୍ୟବସ୍ଥା ରହିଛି। ଶତାବ୍ଦୀ ଏକ୍ସପ୍ରେସ ଚଳାଚଳ ଆରମ୍ଭ ହୋଇଥିଲା। ଏହା ବର୍ତ୍ତମାନ ୨୦ଟି ରୁଟ୍ରେ ଚଳାଚଳ କରି ଦେଶର ବିଭିନ୍ନ ମୁଖ୍ୟ ନଗରୀ ଏବଂ ମେଟ୍ରୋ ସହରକୁ ସଂଯୋଗ କରୁଛି।

ଇଂଜିନ ବିହୀନ ରେଳ ଘଣ୍ଟାକୁ ୧୬୦ କି.ମି. ବେଗ
Share It