ଦାମଙ୍କ ହାତ ଛାଡ଼ିଲେ ସମର୍ଥକ : ନବୀନଙ୍କୁ ଭେଟିବାକୁ ପ୍ରସ୍ତୁତି

ଓଡିଶା ନ୍ୟୁଜ୍
Image result for dama rout sad
ପାରାଦୀପ:- ପାରାଦୀପ ବିଧାୟକ ତଥା ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ଏବେ ପୁଣି ଥରେ ଶକ୍ତ ଧକ୍କା ଲାଗିଛି। ଯେଉଁମାନଙ୍କ ସମର୍ଥନରେ ଦାମ ଏଠାରେ ନିଜର ସଂଗଠନକୁ ମଝବୁତ କରିଥିଲେ ବା ବିଜେଡିରୁ ବହିଷ୍କାର ହେବା ପରେ ମଧ୍ୟ ଦମ୍ଭୋକ୍ତି ପ୍ରକାଶ କରିଆସୁଥିଲେ, ଶେଷରେ ସେହି ସମର୍ଥକମାନେ ତାଙ୍କ ହାତ ଛାଡ଼ି ଦେଇଛନ୍ତି। ଅର୍ଥାତ୍‌ ପାରାଦୀପରେ ପ୍ରକୃତ ବିଜେଡି କର୍ମୀ ତଥା ଦାମଙ୍କ ଏକାନ୍ତ ଅନୁଗତ ଭାବେ ପରିଚିତ ହେଉଥିବା ଲୋକ, ଯେଉଁମାନେ କି ଦାମଙ୍କ ବହିଷ୍କାର ପରେ ଖୋଲାଖୋଲି କୌଣସି ମନ୍ତବ୍ୟ ଦେଉ ନ ଥିଲେ ସେମାନେ ଶନିବାର ତାଙ୍କ ବିରୋଧରେ ବିଷୋଦ୍‌ଗାର କରିଛନ୍ତି। ସନ୍ଧ୍ୟାରେ ସ୍ଥାନୀୟ ନୂଆବଜାର ପାଖ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟରେ ବିଜେଡିର ଏହି ଆଗଧାଡିର ନେତା ଓ କର୍ମୀମାନଙ୍କ ବୈଠକ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରିଥିଲେ ନଗର ବିଜେଡି ସଭାପତି ସୁମନ୍ତ କୁମାର ବିଶ୍ୱାଳ। ପ୍ରମୁଖ କର୍ମକର୍ତ୍ତାଙ୍କ ମଧ୍ୟରେ ଉପସଭାପତି କୁମର ନାୟକ, ସମ୍ପାଦକ ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ପାରିଷଦ ଶଙ୍କର ପ୍ରସାଦ ରାଉତ, ଅଜୟ ନାୟକଙ୍କ ସମେତ ମହିଳା, ଛାତ୍ର, ଯୁବ ବିଜେଡିର କର୍ମୀମାନେ ଉପସ୍ଥିତ ଥିଲେ। ସମସ୍ତେ ଦାମଙ୍କ ଦଳ ବିରୋଧୀ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଥିଲେ। ଏଥିସହ ନେତା ନୁହେଁ, ବରଂ ଦଳ ସେମାନଙ୍କ ପାଇଁ ବଡ଼ ବୋଲି କହିଥିଲେ। ତେଣୁ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ ବା ଯାହାକୁ ପାରାଦୀପରେ ଦଳର ନେତୃତ୍ୱ ଦେବେ ତାହାକୁ ସମସ୍ତେ ସମର୍ଥନ କରିବେ ବୋଲି ସହମତି ପ୍ରକାଶ କରିଥିଲେ। ଏଥିପାଇଁ ରବିବାର ସେମାନେ ନବୀନ ନିବାସ ଯାଇ ସଭାପତିଙ୍କୁ ଦେଖା କରିବେ ଏବଂ ସଭାପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ବୈଠକରେ ସ୍ଥିର କରିଥିଲେ।
ପ୍ରକାଶ ଯେ, ଗତ ୧୨ ତାରିଖରେ ଦାମଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା। କିନ୍ତୁ ତାଙ୍କ ପରେ ପାରାଦୀପରେ ଦଳର ନେତୃତ୍ୱ କିଏ ନେବ ତାହା ସ୍ଥିର ହୋଇନାହିଁ। ଏହି କ୍ରମରେ ବିଜେଡିର ଜିଲା ସଭାପତି ବିଷ୍ଣୁ ଚରଣ ଦାସ ପାରାଦୀପ ଗସ୍ତ କରି ୨ ଦିନ ରହି ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଏହା ସତ୍ତ୍ୱେ ବିଜେଡିର ତୃଣମୂଳସ୍ତରର କର୍ମୀ ତଥା ନେତାମାନେ ଦୋ ଦୋ ପାଞ୍ଚ ଅବସ୍ଥାରେ ରହିଛନ୍ତି। ବିଶେଷ କରି ଯେଉଁମାନେ ଦାମଙ୍କ ସହ ଥିଲେ ସେମାନେ କ’ଣ କରିବେ ହଠାତ୍‌ ସ୍ଥିର କରିପାରୁନାହାନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ଷ ବର୍ଷ ଧରି ଦାମଙ୍କ ଛତ୍ରଛାୟା ତଳେ ରହି ଯେଉଁ ନେତା ଓ କର୍ମୀମାନେ ବିଷ୍ଣୁଙ୍କୁ ବିରୋଧ କରି ଆସୁଥିଲେ ସେମାନେ ହଠାତ ତାଙ୍କୁ ଗ୍ରହଣ କରିପାରୁନାହନ୍ତି। ଅନ୍ୟପକ୍ଷରେ ବିଷ୍ଣୁ ଜିଲା ବିଜେଡି ସଭାପତି ଥିବାରୁ ତାଙ୍କୁ ଗ୍ରହଣ କରିବାରେ କିଛି ଅସୁବିଧା ନାହିଁ ବୋଲି କେତେକ କର୍ମୀ କହୁଛନ୍ତି। ଏଥିପାଇଁ ଶନିବାର ସମସ୍ତେ ଏହି ବୈଠକରେ ଏକତ୍ରିତ ହୋଇଥିଲେ।  ବୈଠକର ନିଷ୍କର୍ସ ଅନୁସାରେ ଶତାଧିକ କର୍ମୀ ରବିବାର ନବୀନ ନିବାସ ଯାଇ ଆଲୋଚନା କରିବେ। ନୂତନ ନେତୃତ୍ୱ ପ୍ରସଙ୍ଗରେ ସେମାନେ ନିଜ ମତ ଦେବେ। ଦଳର ସୁପ୍ରିମୋ ଯେଉଁ ନିଷ୍ପତ୍ତି ନେବେ ତାହାକୁ ସମସ୍ତେ ଗ୍ରହଣ କରିବେ ବୋଲି ଏଥିରେ ନିଷ୍ପତ୍ତି ହୋଇଛି। ଏମପି କୁଳମଣି ସାମଲ ଓ ଜିଲା ସହ ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ସହ ସେମାନେ ନବୀନ ନିବାସ ଯିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଦାମ ଏପିସୋଡ୍‌ ଯେତେ ପୁରଣା ହେଉଛି,  କର୍ମୀମାନେ ତାଙ୍କଠାରୁ ସେତେ ଦୂରେଇ ଯାଉଛନ୍ତି। ବିଜେଡିରୁ ବହିଷ୍କାର ହେବାର ୨ ଦିନ ପରେ ଦାମବାବୁ ପାରାଦୀପ ଗସ୍ତ କରିଥିଲେ। ସେତେବେଳେ ଯେଉଁ ୨ରୁ ୫ଜଣ କର୍ମୀ ଓ କାଉନ୍‌ସିଲର ତାଙ୍କୁ ଦେଖା କରି ସମବେଦନା ଜଣାଇଥିଲେ, ସେମାନେ ଏହି ବୈଠକରେ ଯୋଗ ଦେଇଥିଲେ। ଖାଲି ସେତିକି ନୁହେଁ, ଦାମ ଯେଉଁ ସବୁ ବକ୍ତବ୍ୟ ଦଳ ବିରୋଧରେ ଦେଇଥିଲେ ତାହାକୁ ଏହି ବୈଠକରେ ସେମାନେ ଖୋଲାଖୋଲି ସମାଲୋଚନା କରିଥିଲେ। ବୈଠକରେ ଯେଉଁ ୫୦ରୁ ୭୦ ଜଣ ଆଗଧାଡିର କର୍ମୀ ବସିଥିଲେ, ସମସ୍ତେ ଦିନେ ଦାମଙ୍କ ଏକାନ୍ତ ଅନୁଗତ ଥିଲେ। କିନ୍ତୁ ସେମାନେ ଯେଭଳି ମତ ଦେଲେ ସେଥିରୁ ଦାମ ଏବେ ଅସ୍ତଗାମୀ ସୂର୍ଯ୍ୟ ବୋଲି ବୁଝାପଡୁଥିବା ଚର୍ଚ୍ଚା ହେଉଛି।

Loading...
Share It
  • 18
    Shares

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.